ମୁଖ୍ୟମନ୍ତ୍ରୀଙ୍କୁ ଥଣ୍ଡା ଚା’ ପିଆଇବାରୁ ସରକାରୀ ଅଧିକାରୀଙ୍କୁ ନୋଟିସ୍‌

ଭୋପାଳ : ମଧ୍ୟପ୍ରଦେଶରୁ ଏକ ଅଜବ ମାମଲା ସାମ୍‌ନାକୁ ଆସିଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଥଣ୍ଡା ଚା’ ପିଇବାକୁ ଦେବା ନେଇ ଜଣେ ଅଧିକାରୀଙ୍କୁ ଭାରି ପଡିଛି। ଏହି ଅଧିକାରୀଙ୍କୁ ସରକାର କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ଏବେ ଏହି ନୋଟିସ୍‌ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକେ ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରୁଛନ୍ତି।

ଏହା ପୂର୍ବରୁ ଇନ୍ଦୋରରେ ମୁଖ୍ୟମନ୍ତ୍ରୀଙ୍କୁ ଥଣ୍ଡା ଖାଦ୍ୟ ଦେଇଥିବା ଅଧିକାରୀଙ୍କୁ ନିଲମ୍ବନ କରାଯାଇଥିଲା। ସେହିପରି ସିଧିର ଗେଷ୍ଟ ହାଉସରେ ମୁଖ୍ୟମନ୍ତ୍ରୀଙ୍କୁ ମଶା କାମୁଡିବାରୁ ପ୍ରଭାରୀ ଇଞ୍ଜିନିୟରଙ୍କ ବିରୋଧରେ ପଦକ୍ଷେପ ନିଆଯାଇଥିଲା। ସୂଚନା ଅନୁଯାୟୀ ସୋମବାର ପୌର ନିର୍ବାଚନ ପ୍ରଚାର ପରେ ମୁଖ୍ୟମନ୍ତ୍ରୀଶିବରାଜ ସିଂହ ଚୌହାନ ଖଜୁରାଓ ବିମାନବନ୍ଦରର ଭିଆଇପି ଲାଉଞ୍ଜକୁ ବ୍ରେକଫାଷ୍ଟ ପାଇଁ ଯାଇଥିଲେ। ହେଲେ ତାଙ୍କ ବ୍ରେକଫାଷ୍ଟ ଚର୍ଚ୍ଚାରେ ଅବହେଳା ହୋଇଥିବା ଅଭିଯୋଗ ଉଠିଛି। ଫଳରେ ବ୍ରେକ୍‌ଫାଷ୍ଟ ପରସିବା ଦାୟିତ୍ୱରେ ଥିବା ରାକେଶଙ୍କୁ ସ୍ଥାନୀୟ ସବଡିଭିଜନାଲ ମାଜିଷ୍ଟ୍ରେଟ୍‌ ଡିପି ଦିୱେଦୀ ନୋଟିସ୍ କରିଛନ୍ତି।

ନୋଟିସରେ ଉଲ୍ଲେଖ ରହିଛି ଯେ, ଆପଣ ମୁଖ୍ୟମନ୍ତ୍ରୀଙ୍କୁ ଚାହା ଏବଂ ବ୍ରେକଫାଷ୍ଟ ଆୟୋଜନ ଦାୟିତ୍ୱରେ ଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ନିମ୍ନମାନର ଚାହା ପରସା ଯାଇଥିଲା। ଚା’ ଥଣ୍ଡା ଏବଂ ସ୍ବାଦହୀନ ଥିଲା। ତେଣୁ ଭିଆଇପି ଡ୍ୟୁଟିରେ ଖିଲାପ ହୋଇଥିବା ନୋଟିସରେ ଦର୍ଶାଯାଛି। ଏହି ଭୁଲ ଭିଭିଆଇପିଙ୍କୁ ଚର୍ଚ୍ଚା କ୍ଷେତ୍ରରେ ଜିଲ୍ଲା ପ୍ରଶାସନର ଛବିକୁ ମଳିନ କରିପାରେ ବୋଲି ନୋଟିସ୍‌ରେ ଦର୍ଶାଯାଇଛି। ୨ରୁ ୩ ଦିନ ଭିତରେ ଏହାର ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ଭାଇରାଲ ହେବା ପରେ ବିରୋଧୀ ମୁଖ୍ୟମନ୍ତ୍ରୀ ଏବଂ ବିଜେପିକୁ କଟାକ୍ଷ କରୁଛନ୍ତି। ତେବେ ନୋଟିସ ଜାରି ହେବାର ଗୋଟିଏ ଦିନ ପରେ ମଙ୍ଗଳବାର ଜିଲ୍ଲାଧିକାରୀ ଏହାକୁ ରଦ୍ଦ କରିଦେଇଛନ୍ତି। ଏହି ଘଟଣାରେ ସଫେଇ ଦେଇ ଜିଲ୍ଲାପାଳ କହିଛନ୍ତି ନୋଟିସକୁ ବାତିଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳ କହିଛନ୍ତି ଯେ ଚାହା ଥଣ୍ଡା ବିଷୟରେ ମୁଖ୍ୟମନ୍ତ୍ରୀ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ଏହି ନୋଟସିକୁ ବାତିଲ କରିବା ପାଇଁ ଏସଡିଏମକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।

Leave a comment