15th Aug sidebar
15th Aug sidebar

କାହିଁକି ସିଞ୍ଜୋ ଆବେଙ୍କୁ ଗୁଳିକରିଥିଲା ଆତତାୟୀ, ପଚରା ଉଚରାରେ ଦେଇଛି ଚାଞ୍ଚଲ୍ୟକର ବୟାନ

ଟୋକିଓ : ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଦେହାନ୍ତ ହୋଇଛି। ଆଉ ତାଙ୍କର ମୃତ୍ୟୁ ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି।ମୃତ୍ୟୁ ବେଳକୁ ତାଙ୍କ ୬୭ ବର୍ଷ ହୋଇଥିଲା। ସେ ୨୦୦୬ରୁ ୨୦୦୭ ଏବଂ ୨୦୧୨ରୁ ୨୦୨୦ ପର୍ୟ୍ୟନ୍ତ ଜାପାନର ପ୍ରଧାନମନ୍ତ୍ରୀ ଥିଲେ। ଅସୁସ୍ଥତା ହେତୁ ୨୦୨୦ରେ ସେ ପ୍ରଧାନମନ୍ତ୍ରୀ ପଦ ଛାଡ଼ିଥିଲେ।

ଆଜି ସକାଳେ ପଶ୍ଚିମ ଜାପାନର ନାରାରେ ଏକ ସଂସଦୀୟ ନିର୍ବାଚନ ପାଇଁ ସିଞ୍ଜୋ ଆବେ ପ୍ରଚାର କରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ଏହି ସମୟରେ ହଠାତ୍‌ ପଛ ପଟୁ ତାଙ୍କ ଉପରକୁ ଜଣେ ବ୍ୟକ୍ତି ଅତର୍କିତ ଭାବେ ୨ ରାଉଣ୍ଡ ଗୁଳି କରିଥିଲେ। ତାଙ୍କୁ ତୁରନ୍ତ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ନାରା ମେଡିକାଲ ୟୁନିଭରସିଟି ହସ୍ପିଟାଲକୁ ପଠାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କୁ ଗୁଳି କରିଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ଜଣେ ପୂର୍ବତନ ସେନା ଅଧିକାରୀ । ସେ ନୌସେନାରେ ୩ ବର୍ଷ କାର୍ଯ୍ୟ କରି ଅବସର ନେଇଛନ୍ତି । ଟେଟସୁୟୋ ୟମାଗାମୀ ନାମକ ଏହି ଅଭିଯୁକ୍ତ ଜଣଙ୍କ ଶିଞ୍ଜୋ ଆବେଙ୍କୁ ଗୁଳି କରିବାକୁ ପୂର୍ବରୁ ଯୋଜନା କରିଥିଲା । ଏହି ଗୁଳିକାଣ୍ଡରେ ଅଭିଯୁକ୍ତ ଜଣଙ୍କ ଏକ ହାତ ତିଆରି ବନ୍ଧୁକ ବ୍ୟବହାର କରିଥିବା କଥା ପ୍ରାଥମିକ ତଦନ୍ତରୁ ପୁଲିସ ସୂଚନା ଦେଇଛି ।

ପୁଲିସ ତାକୁ ପଚରା ଉଚରା କରୁଥିବା ବେଳେ ସେ ଚାଞ୍ଚଲ୍ୟକର ବୟାନ ଦେଇଛି। ସେ ପୂର୍ବ ପ୍ରଧାନମନ୍ତ୍ରୀଙ୍କୁ ନେଇ ଆଦୌ ଖୁସି ନଥିଲା ଓ ତାଙ୍କୁ ଜୀବନରେ ମାରିବାକୁ ଚାହୁଁଥିଲା ବୋଲି କହିଛି। ନୋରା ସହରରେ ସିଞ୍ଜୋ ଆବେଙ୍କ ଏକ ଭାଷଣ କାର୍ଯ୍ୟକ୍ରମରେ ଆତତାୟୀ ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା। ଏଥିରେ ଗୋଟିଏ ତାଙ୍କ ମୁଣ୍ଡରେ ବାଜିଥିବା ବେଳେ ଅନ୍ୟଟି ତାଙ୍କ ଛାତିରେ ବାଜିଥିଲା। ଗୁରୁତର ଆହତ ହୋଇଥିଲେ ସିଞ୍ଜୋ ଆବେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆବେଙ୍କ ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକକୁ ପୁଲିସ ଜବତ କରିଛି।  ଅଭିଯୁକ୍ତକୁ ପୁଲିସ ପଚରା ଉଚରା ଜାରି ରଖିଥିବା ବେଳେ ହତ୍ୟାର ବାସ୍ତବ ଉଦ୍ଦେଶ୍ୟ ସମ୍ପର୍କରେ କହିବ ବୋଲି ଆଶା କରାଯାଉଛି। ଜାପାନରେ କୌଣସି ରାଷ୍ଟ୍ରମୁଖ୍ୟଙ୍କୁ ସର୍ବସାଧାରଣରେ ହତ୍ୟାର ଏହା ପ୍ରଥମ ଘଟଣା।

ଅନ୍ୟପଟେ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ତାଙ୍କ ପରିବାର ଓ ଜାପାନବାସୀଙ୍କୁ ସମବେଦନା ଜଣାଇଛନ୍ତି। ସିଞ୍ଜୋ ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି, ସିଞ୍ଜୋ ଜଣେ ବିଶ୍ୱସ୍ତରୀୟ ନେତା ଥିଲେ। ସେ ଜଣ ଉଚ୍ଚକୋଟୀର ପ୍ରଶାସକ ମଧ୍ୟ ଥିଲେ। ସେ ତାଙ୍କ ପୂରା ଜୀବନ ଜାପାନର ବିକାଶରେ ନିୟୋଜିତ କରି ଦେଇଥିଲେ। ଭାରତ ସହିତ ଜାପାନର ସଂପର୍କକୁ ସର୍ବଦା ସୁଦୃଢ଼ ରଖିବା ଉପରେ ସେ ଗୁରୁତ୍ୱ ଦେଉଥିଲେ। ସିଞ୍ଜୋ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଗୋଟିଏ ଦିନ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ବୋଲି ଘୋଷଣା କରିଛନ୍ତି। ଆସନ୍ତାକାଲି ତାଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ଶୋକ ପାଳନ କରାଯିବବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସେହିପରି ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ କରି ଶୋକପ୍ରକାଶ କରିଛନ୍ତି । ନବୀନ କହିଛନ୍ତି, ଜାପାନ ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ହତ୍ୟା ଖବର ଶୁଣି ମୁଁ ଗଭୀର ମର୍ମାହତ । ସେ ଭାରତର ଜଣେ ଭଲ ବନ୍ଧୁ ଥିଲେ । ଭାରତ-ଜାପାନ ସମ୍ପର୍କକୁ ସୁଦୃଢ କରିବା ଦିଗରେ ତାଙ୍କର କାର୍ୟ୍ୟ ଉଲ୍ଲେଖନୀୟ । ଶୋକସନ୍ତପ ପରିବାର ଏବଂ ଜାପାନର ଜନସାଧାରଣଙ୍କୁ ଏହି ଦୁଃଖଦ ସମୟରେ ଭଗବାନ ସାହାସ ଓ ଧର୍ଯ୍ୟ ପ୍ରଦାନ କରନ୍ତୁ ।

Leave a comment