ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟର ବିକାଶ ଓ ରୂପାନ୍ତରଣ ଧାରାରେ ଏସ୍‍ଏଚ୍‍ଜିଙ୍କ ବଡ଼ ଭାଗିଦାରି : ନିଜେ ସ୍ୱାବଲମ୍ବୀ ହେବା ସହ ବଢ଼ାଇଛନ୍ତି ରାଜକୋଷ

ଭୁବନେଶ୍ୱର : ରାଜ୍ୟର ବିକାଶ ଓ ରୂପାନ୍ତରଣ ଧାରାରେ ମହିଳାମାନଙ୍କ ଭାଗିଦାରିତା ବାରି ହୋଇ ପଡିଛି। ତାହା ପୁଣି ଗ୍ରାମାଞ୍ଚଳ ମହିଳାଙ୍କ କ୍ଷେତ୍ରରେ। ରାଜ୍ୟ ସରକାରଙ୍କ ୨୧ଟି ବିଭାଗରେ ଏବେ ୨୩ ଲକ୍ଷ ୮୯ ହଜାରରୁ ଅଧକ ମହିଳା ସାମିଲ ହୋଇ ନିଜେ ଆର୍ଥିକ ସ୍ୱାବଲମ୍ବୀ ହେବା ସହ ଆଉ ରାଜ୍ୟ ରାଜକୋଷ ବୃଦ୍ଧି କରିବାରେ ସହାୟକ ହୋଇଛନ୍ତି।

ରାଜ୍ୟର ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା କିପରି ଗୁଣାତ୍ମକ କାର୍ଯ୍ୟ କରିବେ ସେଥିପାଇଁ ସେମାନଙ୍କୁ ବିଭିନ୍ନ ଦକ୍ଷତାମୂଳକ ତାଲିମ୍‍ ବି ଦିଆଯାଇଛି। ଜୀବନଜୀବିକା ପାଇଁ ବିଭିନ୍ନ ଦକ୍ଷତା ବିକାଶ ତାଲିମ ସାଙ୍ଗକୁ ସରକାରୀ କାର୍ଯ୍ୟ ନ୍ୟସ୍ତ କରିବା ପାଇଁ ମିଶନ ଶକ୍ତି ବିଭାଗ ପକ୍ଷରୁ ନିଆଯାଇଛି କାର୍ଯ୍ୟପନ୍ଥା। ରାଜ୍ୟରେ ମହିଳା ଉଦ୍ୟୋଗୀକରଣ ପାଇଁ ସରକାରୀସ୍ତରରେ ଏଥିପାଇଁ ସହଯୋଗ ଯୋଗାଇ ଦିଆଯାଉଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ରୋଜଗାର ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ଆତ୍ମନିଯୁକ୍ତି ଜରିଆରେ ମହିଳାଙ୍କୁ ରୋଜଗାରକ୍ଷମ କରିବା ଲକ୍ଷ୍ୟରେ ମହିଳାଙ୍କୁ ବୃତ୍ତିଗତ ତାଲିମ ପ୍ରଦାନ ସହ ଋଣ ପ୍ରଦାନ କରି ରୋଜଗାରକ୍ଷମ ହୋଇପାରିଛନ୍ତି। ଗ୍ରାମୀଣ ସ୍ୱରୋଜଗାର ପ୍ରଶିକ୍ଷଣ ସଂସ୍ଥା ମାଧ୍ୟମରେ ଖାଦ୍ୟ ପ୍ରକ୍ରିୟାକରଣ, ଧୂପକାଠି, ପେପର୍‍ ପ୍ଲେଟ୍‍ ପ୍ରସ୍ତୁତି ସାଙ୍ଗକୁ ହସ୍ତକଳା କ୍ଷେତ୍ରରେ ୧ଲକ୍ଷ ୫୩ହଜାର ୯୦୯ଜଣ ମହିଳା ଏସ୍‍ଏଚ୍‍ଜି ସଦସ୍ୟାଙ୍କୁ ତାଲିମ ଦିଆଯାଇଛି। ଫଳରେ ମହିଳାମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି।

୨୦୧୯ ମସିହା କ୍ୟାବିନେଟ ନିଷ୍ପତ୍ତି ଅନୁସାରେ, ମିଶନ ଶକ୍ତିର ମହିଳା ଏସ୍‍ଏଚ୍‍ଜିଙ୍କୁ ରାଜ୍ୟ ସରକାରଙ୍କ ୨୧ଟି ବିଭାଗ ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମରେ ସମ୍ପୃକ୍ତି ପାଇଁ ପ୍ରଶିକ୍ଷଣ ଦିଆଯାଇଛି। ଜିଲ୍ଲା, ବ୍ଲକ୍‍ ତଥା ପଞ୍ଚାୟତ ସ୍ତରରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏଥିରେ ସାମିଲ କରାଯାଇଛି। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଅଧୀନରେ ୨୩ଲକ୍ଷ ୮୯ହଜାର ୬ଶହ ୮ ଏସ୍‍ଏଚ୍‍ଜି ସଦସ୍ୟାଙ୍କୁ ତାଲିମ୍‍ ଦିଆଯାଇ ରୋଜଗାର ଯୋଗାଇ ଦିଆଯାଇଛି। ମିଶନ ଶକ୍ତି କାଫେ ପାଇଁ ୧୫୧, ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ଛତୁଆ ପ୍ରସ୍ତୁତି ଓ ପ୍ରାକ୍‍ ବିଦ୍ୟାଳୟ ପୋଷାକ ପ୍ରସ୍ତୁତିରେ ୨ହଜାର ୧ଶହ ୧୪, ଶକ୍ତି ବିଭାଗ ଅଧୀନରେ ବିଦ୍ୟୁତ୍‍ ବିଲ ବିତରଣ ଓ ଶୁଳ୍କ ସଂଗ୍ରହରେ ୧୪ଶହ ୬୨, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ଅଧୀନରେ ପଞ୍ଚାୟତ ପୋଖରୀରେ ମାଛ ଚାଷ ଓ ଅଣ୍ଡା ଦିଆ କୁକୁଡା ପାଳନରେ ୧୩ହଜାର ୨୮୩ ଏସ୍‍ଏଚ୍‍ଜି ସଦସ୍ୟାଙ୍କୁ ତାଲିମ ଦିଆଯାଇଛି।

ସେହିପରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ମହାପ୍ରୟାଣ ଗାଡି ପରିଚାଳନା, ଚିକିତ୍ସା ଳୟରେ ଖାଦ୍ୟ ଯୋଗାଣ ଓ ସ୍ୱାସ୍ଥ୍ୟ ମିତ୍ରରେ ୨୫, ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ମୁକ୍ତା, ଜଳ ସାଥି, ସ୍ୱଚ୍ଛ ସାଥି, ଆହାର କେନ୍ଦ୍ର ପରିଚାଳନା, ଆହାର ନିମନ୍ତେ ଆଚାର ପ୍ରସ୍ତୁତି କ୍ଷେତ୍ରରେ ୨୪ହଜାର ୪୬୧, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ ମାଣ୍ଡିଆ ପ୍ରକ୍ରିୟାକରଣ ଓ ମଞ୍ଜି ଡିଲର, ଛତୁ ଚାଷ, ଉନ୍ନତ ପନିପରିବା ଚାଷରେ ୨୨ହଜାର ୩ଶହ୧୮, ଓଡ଼ିଶା ଜୀବିକା ମିଶନ ଅଧୀନରେ କୃଷି କାର୍ଯ୍ୟରେ ୧୧ଲକ୍ଷ ୮୨ହଜାର ୫ଶହ ୮୩ ଏସ୍‍ଏଚ୍‍ଜି ସଦସ୍ୟାଙ୍କୁ ତାଲିମ୍‍ ଦିଆଯାଇ ରୋଜଗାରର ବାଟ ଦେଖାଇଛନ୍ତି ରାଜ୍ୟ ସରକାର।

ଏହାସହିତ ଅର୍ଥ ବିଭାଗ ଅଧୀନରେ ବ୍ୟାଙ୍କ ସଖୀଭାବେ ୨୨ଶହ ୩ ଏସ୍‍ଏଚ୍‍ଜି ସଦସ୍ୟାଙ୍କୁ ଦକ୍ଷତା ବିକାଶ ତାଲିମ ଦିଆଯାଇଛି। ଅଣ କୃଷି କାର୍ଯ୍ୟକ୍ଷେତ୍ରରେ ୭୩ ହଜାର ୪୦, ପଶୁ ପାଳନ କ୍ଷେତ୍ରରେ ୮ଲକ୍ଷ ୯୧ହଜାର ଏସଏଚ୍‍ଜି ସଦସ୍ୟାଙ୍କୁ ତାଲିମ୍‍ ଦିଆଯାଇଛି। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନରେ ହସ୍ତଶିଳ୍ପ ଗାଁ କାର୍ଯ୍ୟକ୍ରମ ମାଧ୍ୟମରେ ଦକ୍ଷତା ବୃଦ୍ଧି ପାଇଁ ୩ଶହ ୭୫, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ମନରେଗାରେ କର୍ମ ନିଯୁକ୍ତି ଇତ୍ୟାଦି ୧୮ଶହ ୫୦ ଏସ୍‍ଏଚ୍‍ଜି ସଦସ୍ୟା ସାମିଲ ହୋଇଛନ୍ତି।ବିଶେଷକରି ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ଗ୍ରାମାଞ୍ଚଳର ମହିଳା ଏସ୍‍ଏଚ୍‍ଜି ସଦସ୍ୟାମାନେ ରୋଜଗାଗକ୍ଷମ ହେବା ସହ ସ୍ୱାବଲମ୍ବୀ ହୋଇପାରିଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷରେ ୬୬ହଜାର ୨୪୦ ଏସ୍‍ଏଚ୍‍ଜିଙ୍କୁ ୧୦ଟି ବିଭାଗ ଅଧୀନରେ ୧ହଜାର ୧୦କୋଟି ଟଙ୍କାର ରୋଜଗାର ହୋଇଥିବାବେଳେ ୨୦୨୦-୨୧ରେ ୧୪ଟି ବିଭାଗ ଅଧିନରେ ୧୨ଶହ୬୪ କୋଟି ଟଙ୍କା ଓ ୨୦୨୧-୨୦୨୨ରେ ୧ଲକ୍ଷ ୪ହଜାର ୭୧୨ ଏସ୍‍ଏଚ୍‍ଜି ସଦସ୍ୟାଙ୍କୁ ବିଭାଗ ଅଧୀନରେ ୨୩ ଶହ ୭୨ କୋଟି ଟଙ୍କାର ରୋଜଗାର ଯୋଗାଇ ଦିଆଯାଇଛି।

Leave A Reply

Your email address will not be published.