ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ ନେଇ ଜେଏନ୍‌ୟୁ ପରେ ଜାମିଆ ମିଲିଆରେ ହଙ୍ଗାମା, ୪ ଛାତ୍ର ଗିରଫ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆଧାରିତ ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ଲାଗି ରହିଛି ବିବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ୨୦୦୨ ମସିହା ଗୁଜରାଟ ଦଙ୍ଗା ଉପରେ ବିବିସି ତିଆରି କରିଥିବା ଡକ୍ୟୁମେଣ୍ଟାରୀକୁ ନେଇ ଭାରତରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଭାରତ ସରକାର ବିବିସି ଡକ୍ୟୁମେଣ୍ଟାରୀର ଲିଙ୍କକୁ ସୋଶାଲ ମିଡିଆରୁ ତୁରନ୍ତ ହଟାଇବାକୁ ଗତ ୨୦ ତାରିଖରେ ଟ୍ୱିଟର ଓ ୟୁଟ୍ୟୁବକୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ଗୁଜରାଟ ଦଙ୍ଗାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୂମିକା ଉପରେ ବିବିସିର ବିବାଦୀୟ ଡକ୍ୟୁମେଣ୍ଟାରୀ ସେୟାର କରୁଥିବା ଟ୍ୱିଟ୍‌ ଗୁଡିକୁ ମଧ୍ୟ ବ୍ଲକ୍ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ। ଯେଉଁ ଟ୍ବିଟରେ ବିବିସିର ଏହି ଡକ୍ୟୁମେଣ୍ଟାରୀର ୟୁଟ୍ୟୁବ୍ ଲିଙ୍କ୍ ସେୟାର କରାଯାଇଛି ତାହା ମଧ୍ୟ ହଟାଇବାକୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଥିଲା।

ତେବେ ପ୍ରଧାନମନ୍ତ୍ରୀଙ୍କ ଉପରେ ଆଧାରିତ ଏହି ଡକ୍ୟୁମେଣ୍ଟାରୀକୁ ନେଇ ସରକାରଙ୍କ ଏଭଳି ପଦକ୍ଷେପକୁ ବିରୋଧ କରି ଗତକାଲି ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ରେ ଛାତ୍ରମାନେ ବିବିସିର ଡକ୍ୟୁମେଣ୍ଟାରୀର ସ୍କ୍ରିନିଂ କରିବାକୁ ଘୋଷଣା କରିଥିଲେ। ଏହି ସମୟରେ ଛାତ୍ରସଂଘ କାର୍ୟ୍ୟାଳୟର ବିଦ୍ୟୁତ ସଂଯୋଗ କଟାଯିବା ସହ ଛାତ୍ରଙ୍କ ଉପରେ ପଥରମାଡ଼ ହୋଇଥିବା ଅଭିଯୋଗ ହୋଇଥିଲା। ଏନେଇ ମାମଲା ରୁଜୁ କରିବାକୁ ପୁଲିସ ଥାନା ଯାଏଁ ଛାତ୍ରମାନେ ରାଲି କରିଥିଲେ।

ତେବେ କାଲିର ଏହି ଘଟଣା ପରେ ଆଜି ଜାମିଆ ମିଲିଆ ଇସ୍‌ଲାମିଆ’ ବିଶ୍ବବିଦ୍ୟାଳୟର ଶିକ୍ଷାର୍ଥୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ‘ବିବିସି’ ପ୍ରସ୍ତୁତ କରିଥିବା ବୃତ୍ତଚିତ୍ର ପ୍ରଦର୍ଶନ କରିବାକୁ ଘୋଷଣା କରିଥିଲେ। ଯାହାକୁ ନେଇ ବିବାଦ ବଢିଯାଇଥିଲା। ବିଶ୍ବବିଦ୍ୟାଳୟ କତୃପକ୍ଷଙ୍କ ବାରଣ ସତ୍ତ୍ୱେ ବି ଜେଏନ୍‌ୟୁ ପରେ ଏବେ ଦିଲ୍ଲୀର ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟରେ ଏହି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ ପାଇଁ ଘୋଷଣା ହୋଇଥିଲା। ଏହାକୁ ନେଇ ୪ ଜାମିଆ ଛାତ୍ରଙ୍କୁ ଗିରଫ କିରିଛି ପୁଲିସ।

ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ କରିବାକୁ ଘୋଷଣା କରି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଥିବା ଅଭିଯୋଗରେ ପୁଲିସ ଏମାନଙ୍କୁ ଗିରଫ କରିଛି। ଚିଫ୍‌ ପ୍ରାକ୍ଟରଙ୍କ ଅଭିଯୋଗ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଶ୍ୱବିଦ୍ୟାଳୟ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ସୂଚନା ମୁତାବକ, ଆଜି ସନ୍ଧ୍ୟା ୬ଟାରେ ଜାମିଆର ଛାତ୍ରମାନେ କ୍ୟାମ୍ପସ ଭିତରେ ଗେଟ୍‌ ନମ୍ବର-୮ରେ ବିବିସିର ଡକ୍ୟୁମେଣ୍ଟାରୀ ‘ଇଣ୍ଡିଆ: ଦ ମୋଦି କ୍ୱେଶ୍ଚିନ’ ସ୍କ୍ରିନିଂ କରିବାକୁ ଘୋଷଣା କରିଥିଲେ। କିନ୍ତୁ ବିଶ୍ୱବିଦ୍ୟାଳୟ ଏହାକୁ ଅନୁମତି ଦେଇନଥିଲା। ଏନେଇ ୟୁନିର୍ଭସିଟି ତରଫରୁ ଛାତ୍ରଙ୍କୁ ନୋଟିସ୍‌ ମଧ୍ୟ ଜାରି ହୋଇଥିଲା।

Leave A Reply

Your email address will not be published.