ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସହଯୋଗର ହାତ ବଢାଇଲେ ରାଜ୍ୟ ସରକାର : ଶେଷ କିସାନ ଖୋଲିବେ ଫାର୍ମା କମ୍ପାନି, ଶସ୍ତାରେ ଯୋଗାଇବେ ଔଷଧ

ଭୁବନେଶ୍ୱର : ଓଡ଼ିଶାରେ ଔଷଧ କମ୍ପାନୀ ଖୋଲିବେ ଯୁବ ବୈଜ୍ଞାନିକ ଡକ୍ଟର ଶେଷ କିଶାନ। ଦେଶ ବାହାରୁ ବହୁ ସୁଯୋଗ ମିଳୁଥିଲେ ମଧ୍ୟ ସେ ଓଡ଼ିଶାରେ ହିଁ ରହିବେ ଓ ଜନ୍ମମାଟି ପାଇଁ କାମ କରିବେ ବୋଲି ମଙ୍ଗଳବାର ଶେଷ ସ୍ପଷ୍ଟ କରିଛନ୍ତି। ‘ଡକ୍ଟର ଶେଷ କିଶାନ ଫାର୍ମା ପ୍ରା.ଲି’ ନାମରେ ସେ କମ୍ପାନୀ ଖୋଲିବେ ବୋଲି କହିଛନ୍ତି। କମ୍ପାନୀକୁ ଭାରତରେ ଏକ ନଂ କମ୍ପାନୀ କରିବା ପାଇଁ ଉଦ୍ୟମ କରିବେ ଓ ଏଥିପାଇଁ ରାଜ୍ୟ ସରକାରଙ୍କଠାରୁ ସମସ୍ତ ସହଯୋଗ ମିଳିଛି ବୋଲି ସେ କହିଛନ୍ତି। ଏହି କମ୍ପାନୀ ଖୋଲିବା ପରେ ୪ ମାସ ମଧ୍ୟରେ ଏଥିରୁ ଉତ୍ପାଦନ ଆରମ୍ଭ ହେବ ବୋଲି ସେ ଆଶା ରଖିଛନ୍ତି। ସେ ନିଜ କମ୍ପାନୀରେ ସ୍ଥାନୀୟ ନିଯୁକ୍ତିକୁ ଗୁରୁତ୍ୱ ଦେବେ ବୋଲି କହିଛନ୍ତି।

ସେ କହିଛନ୍ତି ଯେ ଅତି ଅଳ୍ପ ଖର୍ଚ୍ଚରେ ସାଧାରଣ ରୋଗୀମାନେ ଉନ୍ନତ ମାନର ଔଷଧ ପାଇପାରିବେ। ୪ ମାସ ମଧ୍ୟରେ ଓଡ଼ିଶାରେ ଜେନେରିକ୍‌ ମେଡିସିନ ଡାଇବେଟିସ, ବ୍ଲଡ୍‌ପ୍ରେସର, ଆଣ୍ଟିବାୟୋଟିକ, ମଲ୍‌ଟିଭିଟାମିନ, ଗ୍ୟାଷ୍ଟିକ ଭଳି ୫ ପ୍ରକାର ମେଡିସିନ ତାଙ୍କ କଂପାନି ଦ୍ବାରା ବାହାର କରାଯାଇ ସାଧାରଣ ଲୋକଙ୍କୁ ବ୍ୟବହାର ପାଇଁ ଯୋଗାଇ ଦିଆଯିବ। ଆଗକୁ ୫୦୦ରୁ ୧୦୦୦ ଜେନେରିକ ମେଡିସିନ ପ୍ରଡକ୍ଟ ବାହାର କରିବେ ଓ ଏହାର ମୁଖ୍ୟାଳୟ ଭୁବନେଶ୍ବରରେ ରହିବ ବୋଲି ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ କ୍ୟାନ୍‌ସର ଭଳି ରୋଗର ମେଡିସିନ ମଧ୍ୟ କଂପାନି ଦ୍ବାରା ପ୍ରସ୍ତୁତ ହେବ ବୋଲି କହିଥିଲେ।

ପ୍ରକାଶ ଥାଉ କି ଗତ ୧୦ ତାରିଖ ଦିନ ଡ. କିଷାନ ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଖଗଡ଼ାପାଳ ଗ୍ରାମର ଗୋପାଳ କୃଷ୍ଟ ଜେନା ଓ ସୁଚିତ୍ରା ଜେନାଙ୍କ ଝିଅ ଜୟଶ୍ରୀଙ୍କୁ ରେଢ଼ାଖୋଲ ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ରେଜିଷ୍ଟ୍ରି ମ୍ୟାରେଜ କରିଥିଲେ। ସୋମବାର ପୁଣି ବୈଦିକ ରୀତିରେ ଉଭୟଙ୍କ ବିବାହ ରେଢ଼ାଖୋଲ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଥିଲା। ଡ. କିଷାନଙ୍କ ପିତାମାତା ଇହଧାମ ତ୍ୟାଗ କରିଥିବା ବେଳେ ତାଙ୍କ ବିବାହ କାର୍ୟ୍ୟ ଧର୍ମ ପିତା-ମାତା ସୁନନ୍ଦ ପ୍ରଧାନ ଓ ସୈାଦାମିନୀ ସାହୁ ତୁଲାଇ ଥିଲେ। ଡ. କିଷାନ ସ୍ଥାନୀୟ କଦମ୍ବ ପଡ଼ିଆରୁ ବରଯାତ୍ରୀ ସହ ବାହାରି କଲ୍ୟାଣ ମଣ୍ଡପରେ ପହଞ୍ଚିବା ପରେ ବିଳମ୍ବିତ ରାତିରେ ବିବାହ ହୋଇଥିଲା। ଡ. କିଷାନଙ୍କ ବିବାହ ଭୋଜିରେ ପୂର୍ବ ସାଂସଦ ପ୍ରସନ୍ନ ଆଚାର୍ୟ୍ୟଙ୍କ ସହ ରେଢ଼ାଖୋଲ ଓ ନାକଟିଦେଉଳ ବ୍ଲକ୍‌ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ।

ଓଡ଼ିଶାର ଏହି ଚର୍ଚ୍ଚିତ ଯୁବ ବୈଜ୍ଞାନିକ ନିକଟରେ ଜର୍ମାନୀରୁ ଫେରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭିକେ ପାଣ୍ଡିଆନ୍‍ଙ୍କୁ ଭେଟିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେ ନିଜର ଆଭିମୁଖ୍ୟ ସମ୍ପର୍କରେ ଜଣାଇଥିଲେ । ଗତ ୨୦୧୮ ମସିହାରେ ରାଜ୍ୟ ସଚିବାଳୟରେ ଡ. କିଷାନ ନିଜ ସଂଘର୍ଷଭରା କାହାଣୀ କହି ଚର୍ଚ୍ଚାକୁ ଆସିଥିଲେ। ପିଲାବେଳୁ ଉଚ୍ଚଶିକ୍ଷା ଲାଭ ପାଇଁ କରିଥିବା ସଂଘର୍ଷ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଭାବିତ କରିଥିଲା। ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ପ୍ରଶାସନିକ ଅଧିକାରୀମାନଙ୍କୁ ଏହା ମଧ୍ୟ ଶୁଣାଇଥିଲେ। ପିଲାଦିନୁ ମା’ଙ୍କୁ ହରାଇଥିବା ଶେଷ ନବୋଦୟ ସ୍କୁଲ୍‍ରେ ପାଠ ପଢ଼ିଥିଲେ। ଏହି ସମୟରେ ସେ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିଲେ। ୨୦୧୨ରେ ନାଇଜର ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ଟପ୍‍-୧୬ରେ ସ୍ଥାନ ପକ୍କା କରିଥିଲେ ମଧ୍ୟ ନିଜ ବାପାଙ୍କ ମୃତ୍ୟୁ ଯୋଗୁଁ ସେ ସେହି ବର୍ଷ ପାଠ ପଢ଼ି ପାରି ନ ଥିଲେ। ପର ବର୍ଷ ପୁଣି ଥରେ ଭଲ ରାଙ୍କ୍‌ ସହ ଭୁବନେଶ୍ୱର ନାଇଜରରେ ପାଠ ପଢ଼ିବାକୁ ସୁଯୋଗ ପାଇ ଉଚ୍ଚଶିକ୍ଷା ଲାଭ କରିଥିଲେ। ୨୦୧୮ ମସିହାରେ ସେ ଗବେଷଣା ପାଇଁ ଜର୍ମାନୀର ଜର୍ଜ ଅଗଷ୍ଟ ବିଶ୍ୱବିଦ୍ୟାଳୟରେ ସ୍ଥାନ ପାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ରୋମ୍‌ ଗସ୍ତ ବେଳେ ତାଙ୍କୁ ଭେଟିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରଂଶସା କରିବା ସହ ନିଜ ରାଜ୍ୟରେ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ପ୍ରେରଣା ଦେଇଥିଲେ।

Leave A Reply

Your email address will not be published.