ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୨ଟି ଫ୍ୟାନ୍‌, ୨ଟି ବଲ୍‍ବ; ବିଦ୍ୟୁତ୍‌ ବିଲ୍‍ ୫୪ ହଜାର

କଟକ : ୨ଟି ଫ୍ୟାନ ଓ ୨ଟି ବଲ୍‍ବ ଜାଳି ସୁଦ୍ଧା ବିଦ୍ୟୁତ ବିଲ୍‍ ଆସିଛି ୫୪ହଜାର ୯୫୬ ଟଙ୍କା। ଏହା ଅବିଶ୍ୱସନୀୟ ହେଲେ ମଧ୍ୟ ସତ୍ୟ। କଟକ ଗୋବିନ୍ଦପୁର ଅଞ୍ଚଳରେ ଜଣେ ଉପଭୋକ୍ତାଙ୍କୁ ଏପରି ବିଦ୍ୟୁତ ବିଲ୍‍ ଧରାଇଛି ଟାଟା ପାୱାର। ସମ୍ପୃକ୍ତ ଉପଭୋକ୍ତା ଏହି ବିଲ୍‍ ପାଇ ତାଜୁବ ହୋଇଛନ୍ତି। ଟାଟା ପାୱାର ଲୋକଙ୍କୁ ଏଭଳି ଉପାୟରେ ଶୋଷଣ କରୁଥିବା ଅଭିଯୋଗ କରିଛନ୍ତି ଉପଭୋକ୍ତା ଜଣକ। କେବଳ କଟକ ନୁହେଁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଟାଟା ପାୱାର ବିରୋଧରେ ସମାନ ଅଭିଯୋଗ ଉଠୁଛି।

ଗୋବିନ୍ଦପୁର ଅଞ୍ଚଳରେ ଅଭିଯୋଗ କରିଥିବା ମହିଳା ଜଣକ ହେଲେ ପୂଜାରାଣୀ ମହାନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ଘରେ ମାତ୍ର ୨ଟି ଫ୍ୟାନ ଓ ୨ଟି ବଲ୍‍ବ ଜଳୁଛି। ମାସକୁ ପୂର୍ବରୁ ବିଲ୍‍ ଆସୁଥିଲା ୩୦୦ରୁ ୪୦୦ ଟଙ୍କା ଭିତରେ। ହେଲେ ଚଳିତ ମାସରେ ବିଲ୍‌ ଆସିଛି ୫୪ହଜାରରୁ ଅଧିକ ଟଙ୍କା। ଟାଟା ପାୱାରର କର୍ମଚାରୀ ମିଟର ରିଡିଂ କରି ବିଲ୍‍ ପ୍ରଦାନ କରିଥିଲେ। ପ୍ରାୟ ୫୦୦ଟଙ୍କା ମଧ୍ୟରେ ବିଲ୍‍ ହେବ ବୋଲି ପୂଜାରାଣୀଙ୍କ ପରିବାର ଆକଳନ କରୁଥିଲେ। ହେଲେ ୧୦୦ଗୁଣାରୁ ଅଧିକ ମୂଲ୍ୟର ବିଲ୍‍ ଦେଖି ତାଙ୍କ ପରିବାର ଲୋକେ ମିଟର ରିଡିଂ ନେଇଥିବା କର୍ମଚାରୀଙ୍କ ସହ ଯୁକ୍ତିତର୍କ ଓ ପାଟିତୁଣ୍ଡ କରିଥିଲେ। ମାତ୍ର ସେମାନଙ୍କ ଠାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳି ନଥିଲା। ଟାଟା ପାୱାର କର୍ମଚାରୀ ମିଟରକୁ ବାଡେଇବାଡେଇ ଖରାପ କରି ରିଡିଂ ବଢ଼଼ାଇ ଦେଇଥିବା ଅଭିଯୋଗ ଆଣିଛନ୍ତି ପୂଜାରାଣୀ। ଗରିବ ଲୋକଙ୍କୁ ଟାଟା ପାୱାର ଠକିବାରେ ଲାଗିଛି। ତ୍ରୁଟିପୂର୍ଣ୍ଣ ବିଲ୍‍ ଦେଇ ମୋଟା ଅଙ୍କର ଅର୍ଥ ଟାଟା କର୍ମଚାରୀ ଆଦାୟ କରୁଥିବା ଅଭିଯୋଗ କରିଛନ୍ତି।

ପ୍ରକାଶ ଥାଉକି, ବିଦ୍ୟୁତ ବିଭାଗରେ ସଂସ୍କାର ଆଣିବା ଉଦ୍ଦେଶ୍ୟରେ ୨୦୨୦ ମସିହାରେ ଘରୋଇକରଣ ମାଧ୍ୟମରେ ରାଜ୍ୟ ସରକାର ଟାଟା ପାୱାରକୁ ଦାୟିତ୍ୱ ଦେଇଥିଲେ। ୨୪ ଘଣ୍ଟିଆ ବିଜୁଳି ସେବା ଯୋଗାଇବା ସହ ରାଜ୍ୟରେ ବିଦ୍ୟୁତ ଭିତ୍ତିଭୂମି ସୁଦୃଢ଼ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ଥିଲା। ହେଲେ ଏହାର ଫାଇଦା ନେଇ ଟାଟା ପାୱାର ଲୋକଙ୍କୁ ଶୋଷଣ କରିବା ଆରମ୍ଭ କରିଛି। ମିଟର ଲଗାଇବା ଆଳରେ ଜନସାଧାରଣଙ୍କୁ ଲୁଟୁଛି। ଦିନକୁ ଦିନ ଗ୍ରାମାଞ୍ଚଳରେ ମଧ୍ୟ ଟାଟା ପାୱାର ବିରୋଧରେ ଅସନ୍ତୋଷ ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ଟାଟା ପାୱାର ବିରୋଧରେ ଆଗକୁ ଆନ୍ଦୋଳନ କରାଯିବ ବୋଲି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି।

Leave A Reply

Your email address will not be published.