ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମାତିଛନ୍ତି ସାଇବର ଠକ : ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ନାଁରେ ମାଗୁଛନ୍ତି ଟଙ୍କା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ସାଇବର ଠକେଇ ବୃଦ୍ଧି ପାଉଥିବା ବେଳେ ଏବେ ଏହାର ଶିକାର ହୋଇଛନ୍ତି ବରିଷ୍ଠ ଆଇଏଏସ ଅଧିକାରୀ। ପୂର୍ବରୁ ନକଲି ଫେସ୍‌ବୁକ୍‌ ଆକାଉଣ୍ଟ କିମ୍ବା ଫେସବୁକ୍‌ ହ୍ୟାକ୍‌ କରି ସାଇବର ଅପରାଧୀ ଟଙ୍କା ମାଗୁଥିବା ବେଳେ ଏବେ ହ୍ୟାକ୍‌ କରାଯାଉଛି ହ୍ବାଟସଆପ୍‌। ଆଉ ଏହାର ଶିକାର ହୋଇଛନ୍ତି ବରିଷ୍ଠ ଆଇଏଏସ ଏସଆରସି ପ୍ରଦୀପ ଜେନା।ସେ ନିଜେ ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।


ଟ୍ୱିଟ୍ ମାଧ୍ୟମରେ ଉନ୍ନୟନ କମିଶନର ଶ୍ରୀ ଜେନା ଜଣାଇଛନ୍ତି ଯେ, ହ୍ୱାଟସଅପ୍ ମୋବାଇଲ ନମ୍ବର-୭୩୨୦୯୩୭୮୭୭ରୁ କେହି ଜଣେ ତାଙ୍କ ଫଟୋ ଲଗାଇ ଲୋକଙ୍କଠୁ ଅର୍ଥ ସହାୟତା ମାଗୁଥିବାର ଖବର ସେ ଜାଣିବାକୁ ପାଇଛନ୍ତି। ଏହାପରେ ସେ ସଙ୍ଗେସଙ୍ଗେ ଏନେଇ ସାଇବର ପୁଲିସକୁ ଅବଗତ କରି କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିବାବେଳେ ଯେଉଁମାନେ ଏଭଳି ମେସେଜ୍ ପାଉଛନ୍ତି ସେମାନେ ତୁରନ୍ତ ପୁଲିସକୁ ଜଣାଇବାକୁ ଅନୁରୋଧ କରିଛନ୍ତି । କେହି ଜଣେ ତାଙ୍କ ନାଁରେ ଏଭଳି ଠକାମି କରୁଛି, ତେଣୁ ଏହାକୁ ବିଶ୍ୱାସ ନକରିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ଏପରିକି ଯେଉଁ ମୋବାଇଲ ନମ୍ବରରୁ ହ୍ୱାଟସଅପ୍ ମେସେଜ୍ ଯାଉଛି ତାହା ତାଙ୍କର ନୁହେଁ କି ସେ ଏହାକୁ କେବେ ଉପଯୋଗ କରିନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି ।


ସେହିପରି ଗତକାଲି ଗଞ୍ଜାମ ଜିଲ୍ଲାପାଳ ତଥା ଆଇଏଏସ୍ ଦିବ୍ୟଜ୍ୟୋତି ପରିଡ଼ା ମଧ୍ୟ ସାଇବର ଥାନାରେ ଏଭଳି ଠକେଇର ଅଭିଯୋଗ କରିଛନ୍ତି । ତାଙ୍କ ନାଁରେ ହ୍ୱାଟସଅପ୍ ମେସେଜ୍ ପଠାଇ ଆର୍ଥିକ ସହାୟତା ଲୋଡ଼ୁଥିବା ନେଇ ସେ ଗତକାଲି ଜାଣିବା ପରେ ସଙ୍ଗେସଙ୍ଗେ ସାଇବର ଥାନାରେ ଅଭିଯୋଗ କରିଛନ୍ତି । ସେହିପରି ଆଇଏଏସ୍ ପୁନମ ଗୁହାଙ୍କ ନାଁରେ ମଧ୍ୟ ସାଇବର ଠକମାନେ ହ୍ୱାଟସଅପ୍ ମେସେଜ୍ ମାଧ୍ୟମରେ ଅର୍ଥ ସହାୟତା ମାଗୁଥିବାର ଅଭିଯୋଗ ହୋଇଛି । ଏସବୁ ହ୍ୱାଟସଅପ୍ ମେସେଜରେ ସମ୍ପୃକ୍ତ ଅଫିସରମାନଙ୍କ ଫଟୋ ରହୁଥିବାରୁ ମେସେଜ୍ ପାଉଥିବା ବ୍ୟକ୍ତି ସହଜରେ ବିଶ୍ୱାସ କରି ଠକାମିର ଶିକାର ହେବାର ଆଶଙ୍କା ରହିଛି ।

Leave A Reply

Your email address will not be published.