ବିଜେବି କଲେଜ ସାମ୍ବାଦିକତା ଓ ଆଇ.ଏମ୍.ବି.ଏ ବିଭାଗ ଆନୁକୁଲ୍ୟରେ ‘ମାର୍କେଟିଂ ଏବଂ ବ୍ରାଣ୍ଡ ନିର୍ମାଣ ଦିଗରେ ସାମାଜିକ ଗଣ ମାଧ୍ୟମର ଭୂମିକା ’ଶୀର୍ଷକରେ ଅଲୋଚନାଚକ୍ର

ଭୁବନେଶ୍ୱର: ବକ୍ସି ଜଗବନ୍ଧୁ ସ୍ୱୟଂଶାସିତ ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ଏବଂ ଆଇ.ଏମ୍.ବି.ଏ ବିଭାଗର ମିଳିତ ଆନୁକୁଲ୍ୟରେ ବୁଧବାର ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରର ବିଷୟବସ୍ତୁ ଥିଲା ‘ ମାର୍କେଟିଂ ଏବଂ ବ୍ରାଣ୍ଡ ନିର୍ମାଣ ଦିଗରେ ସାମାଜିକ ଗଣ ମାଧ୍ୟମର ଭୂମିକା’। ଏହି ଆଲୋଚନାଚକ୍ରରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ସୁନାମ ହାସଲ କରିଥିବା “ରୁଚି” କମ୍ପାନିର ପ୍ରତିଷ୍ଠାତା ଡ. ଶରତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ଆଲୋଚନା ଚକ୍ରରେ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ବୋଧନ ଦେଇ “ରୁଚି” କମ୍ପାନିର ପ୍ରତିଷ୍ଠାତା ଡ. ଶରତ କୁମାର ସାହୁ କିପରି କଟକର ଗୋଟିଏ ଲୋକ ଆଜି ସମଗ୍ର ବିଶ୍ବରେ ତାଙ୍କ କମ୍ପାନିର ଉତ୍ପାଦିତ ସାମଗ୍ରୀ ବିକ୍ରି କରୁଛନ୍ତି ତାହା କହିଥିଲେ। କଥା ଛଳରେ ପିଲାମାନଙ୍କୁ ବିଭିନ୍ନ ଉଦାହରଣ ଦେବା ସହ ମୁଖ୍ୟ ଅତିଥି ଡ. ସାହୁ ତାଙ୍କ ଜୀବନର କିଛି ଅଭୁଲା ସ୍ମୃତିପିଲାମାନଙ୍କୁ କହିଥିଲେ। କଟକ ରାଣୀହାଟ ଛକ ରାସ୍ତାକଡ଼ରେ ଥିବା ଡ. ଶରତ କୁମାର ସାହୁଙ୍କ ବାପା ବନମାଳୀ ସାହୁଙ୍କ ‘ବନା ହୋଟେଲ’କୁ ଯଦି କଟକ ମ୍ୟୁନିସିପାଲଟି ଆଜକୁ ଚାଳିଶ ବର୍ଷ ତଳେ ଭାଙ୍ଗି ପକାଇ ନଥାନ୍ତେ, ତା’ ହେଲେ ହୁଏତ ‘ରୁଚି ଉଦ୍ୟୋଗ’ର ମୂଳଦୁଆ ପଡ଼ି ନଥାନ୍ତା। ଈଶ୍ୱର ସମସ୍ତଙ୍କ ଅଲକ୍ଷ୍ୟରେ ସବୁ ଭଲ କାମ ପାଇଁ କିଛି ନା କିଛି ଗୋଟିଏ ଅଘଟଣ ଘଟାଇ, ସମସ୍ତଙ୍କ ମନରେ ସ୍ୱାଭିମାନ, ଆତ୍ମବିଶ୍ୱାସ ଓ ଜିଦ୍କୁ ଜାଗ୍ରତ କରିଥାନ୍ତି। ଯିଏ ଚିହ୍ନିପାରିଲା, ସିଏ ବାଜି ମାରିଲା। କବାଡ଼ି ଖେଳ ନିଶାରେ ସେତେବେଳେ ମସ୍ଗୁଲ ଥିବା ଶରତ କୁମାର ସାହୁ, ହୁଏତ ବାପାଙ୍କ ଶୁଖିଲା ଓ ଦୁଃଖିଲା ମୁହଁକୁ ସେତେବେଳେ ଚାହିଁଥିବେ। ପରିବାରର ଭବିଷ୍ୟତ କଥା ମନକୁ ଆସିଥିବ। ତେଣୁ ସେଇ ଶୁଭ ମୁହୂର୍ତ୍ତରେ ଯେଉଁ ବିକଳ୍ପ ଅନ୍ନସଂସ୍ଥାନ କଥା ମନକୁ ଆସିଥିଲା, ପରବର୍ତ୍ତୀ ସମୟରେ ଆମ ନିକଟରେ ତାହା ରୁଚି ସାମ୍ରାଜ୍ୟ ହୋଇ ଉଭା ହୋଇଛ।
ଓ.ଏସ୍.ଆଇ.ସି.ର ଏକ ଛୋଟିଆ ଭଡ଼ାଘରେ ଆରମ୍ଭ ହୋଇଥିଲା ମସଲା କମ୍ପାନୀ। ଘର ଛୋଟଥିଲେ ବି ଯେତେବେଳେ ଆତ୍ମବିଶ୍ୱାସ ବଢ଼ିଯାଏ,ସେତେବେଳେ ଅର୍ଥ, ସ୍ଥାନ, କାଳ ଓ ପାତ୍ର ସମସ୍ତେ ଗୌଣ ହୋଇଯାଆନ୍ତି। ସଫଳତା ଆଡ଼କୁ ଦୃଢ଼ ପ୍ରତିଜ୍ଞ ମଣିଷଟିର ହାତ ଆପେ ଆପେ ଲମ୍ବିଯାଏ। ଠିକ୍ ତାହା ହିଁ ରୁଚି କମ୍ପାନୀ କ୍ଷେତ୍ରରେ। ନଚେତ୍, ମାତ୍ର ଚାରି ଦଶନ୍ଧିରୁ କମ୍ ଅବଧି ଭିତରେ ଜଣେ ନିମ୍ନମଧ୍ୟବିତ ଅନାମଧ୍ୟେୟ ଯୁବକ ଶରତ ସାହୁ ଆଜି ଦେଶ ବିଦେଶରେ ଏକ ମସଲା କମ୍ପାନୀକୁ ସୁପ୍ରତିଷ୍ଠିତ କରିପାରି ନଥାନ୍ତେ।
ଏହି ଆଲୋଚନା ଚକ୍ରରେ “ରୁଚି” କମ୍ପାନିର ପ୍ରତିଷ୍ଠାତା ଡ. ଶରତ କୁମାର ସାହୁ ମାର୍କେଟିଂ ଏବଂ ବ୍ରାଣ୍ଡ ନିର୍ମାଣ ଦିଗରେ ସାମାଜିକ ଗଣ ମାଧ୍ୟମର ଭୂମିକା ଉପରେ ବିଭିନ୍ନ ଶିକ୍ଷଣୀୟ ତଥ୍ୟ ଦେବା ସହ ବ୍ରାଣ୍ଡ ନିର୍ମାଣ ଦିଗରେ ସାମାଜିକ ଗଣ ମାଧ୍ୟମର ଭୂମିକା ସମ୍ପର୍କରେ ଅନେକ ଅଙ୍ଗେନିଭା କଥା ଗୁଡିକୁ ମଧ୍ୟ କହିଥିଲେ। ଏଥି ସହିତ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଆଗକୁ ନିଜରବୁଦ୍ଧି ବଳରେ କିଛି ନୂଆ କରିବା ପାଇଁ ପ୍ରେରଣା ଦେଇଥିଲେ। ବର୍ତ୍ତମାନ ସରକାରଙ୍କ ପକ୍ଷରୁ ଯୁବଉଦ୍ୟେଗୀମାନଙ୍କ ପାଇଁ ବିଭିନ୍ନ ପ୍ରକାର ପ୍ରେତ୍ସାହନ ମିଳୁଥିବାରୁ ଏସବୁର ଲାଭ ନେଇ କିଛି ନୂଆ କରିବା ସହ ରାଜ୍ୟପାଇଁ ଗୌରବ ଆଣିବା ପାଇଁ ଡ. ସାହୁ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ।
ସେହିପରି ଏହି ଆଲୋଚନା ଚକ୍ରରେ ବକ୍ସି ଜଗବନ୍ଧୁ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ନିରଞ୍ଜନ ମିଶ୍ର ‘ ମାର୍କେଟିଂ ଏବଂ ବ୍ରାଣ୍ଡ ନିର୍ମାଣ ଦିଗରେ ସାମାଜିକ ଗଣ ମାଧ୍ୟମର ଭୂମିକା’ ଉପରେ ନିଜର ମତ ରଖିଥିଲେ। ବର୍ତ୍ତମାନ ସାମାଜିକ ଗଣ ମାଧ୍ୟମର ବିପୁଳ ବ୍ୟବହାର କରାଯାଉଥିବା ବେଳେ କିପରି ଛାତ୍ରଛାତ୍ରୀ ଏହାର ସୁବିନିଯୋଗ କରିବେ ତାହା କହିଥିଲେ। ସବୁ ଜିନିଷର କିଛି ଭଲ ଏବଂ କିଛି ଖରାପ ପ୍ରଭାବ ରହିଛି । ଏଣୁ ଛାତ୍ରଛାତ୍ରୀମାନେ ସାମାଜିକ ଗଣ ମାଧ୍ୟମର ସଠିକ ବ୍ୟବହାର କରିବାପାଇଁ ଡ. ମିଶ୍ର ଉପଦେଶ ଦେବା ସହ ଅନ୍ତରାଷ୍ଟ୍ରୀୟ ସ୍ତରରେ ସୁନାମ ହାସଲ କରିଥିବା “ରୁଚି” କମ୍ପାନିର ପ୍ରତିଷ୍ଠାତା ଡ. ଶରତ କୁମାର ସାହୁଙ୍କ ଆଜିର ଆଲୋଚନାରେ ବିଜେବି କଲେଜରେ ଛାତ୍ରଛାତ୍ରୀଙ୍କ ଦେଇଥିବା ଉପଦେଶ ନିଶ୍ଚିତ ଭାବେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବ ବୋଲି କହିଥିଲେ। ଏହି ଅବସରରେ ଅଧ୍ୟକ୍ଷ ଡ.ମିଶ୍ର, ମୁଖ୍ୟ ଅତିଥି ଡ. ଶରତ କୁମାର ସାହୁଙ୍କୁ ଏକ ସ୍ମୃତି ଫଳକ ଦେଇ ସମ୍ମାନୀତ କରିଥିଲେ।
ଆଜିର ଏହି ଆଲୋଚନା ଚକ୍ରରେ ଅନ୍ୟ ମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ସଂଯୋଯକ ଡ.ଗୁଲାମ ମୟୁଦ୍ଦିନ ଖାନ, ସାମ୍ବାଦିକତା ବିଭାଗର ମୁଖ୍ୟ ଡ଼.ନଳିନୀ ପାତ୍ର,ଅଧ୍ୟାପିକା ରାଜଲକ୍ଷ୍ମୀ ଦାସ, ଆଇ.ଏମ୍.ବି.ଏ ବିଭାଗରମୁଖ୍ୟ ପ୍ରଫେସର ଶ୍ରୀମୟ ପରିଛା, ସଂଯୋଯକ ପ୍ରଫେସର ପାଣ୍ଡବ ପ୍ରଧାନ, ଅଧ୍ୟାପିକା ସ୍ମିତା ରାୟ, ଅଧ୍ୟାପିକା ଅପେକ୍ଷା ସହାୟ, ଡ.ମିତି ବିଶ୍ବାଳ, ଶିବାନନ୍ଦ ଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।