ମାନସିକତାରେ ଆସିଛି ପରିବର୍ତ୍ତନ: କୌଳିକ ବୃତ୍ତିକୁ ଆପଣାଇ ନିଜେ ସ୍ବାବଲମ୍ବୀ ହେବା ସହ ୧୦୦ ବୁଣାକାର ପରିବାରକୁ ଦେଇଛନ୍ତି ରୋଜଗାର

ଆଉ ସେ ସମୟ ନାହିଁ, ଯେତେବେଳେ ଯୁବଗୋଷ୍ଠୀ କେବଳ ଚାକିରି ପଛରେ ଦୌଡୁଥିଲେ। ବାପା, ଜେଜେବାପାଙ୍କ କୌଳିକ ବୃତ୍ତିକୁ ଆପଣାଇବାକୁ ପଛଘୁଞ୍ଚା ଦେଉଥିଲେ। ଏବେ କିନ୍ତୁ ସେମାନଙ୍କର ମାନସିକତାରେ ପରିବର୍ତ୍ତନ ହୋଇଛି। ଚାକିରି ପଛରେ କିମ୍ବା କାହା ଅଧୀନରେ କାମ ନ କରି ନିଜେ ସ୍ବାବଲମ୍ବୀ ହେବାକୁ ଚେଷ୍ଟା କରୁଛନ୍ତି। ଏହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ସୋନପୁର ଜିଲ୍ଲାର ଶିବାନନ୍ଦ ମେହେର।

ଆଗକୁ ବଢ଼ିବାର ରାସ୍ତା ଓ ପ୍ରେରଣା ସବୁବେଳେ ପରିବାରଠୁ ହିଁ ମିଳେ। ବାପା କିଶୋର ମେହେରଙ୍କଠାରୁ ପ୍ରେରଣା ପାଇ ଶିବାନନ୍ଦ ପାରିବାରିକ କୌଳିକ ବୃତ୍ତିକୁ ଆପଣାଇ ନେଇଥିଲେ। କିଛି ନୂଆ କରିବାର ଆଶା ତାଙ୍କୁ ସଫଳତା ଆଣି ଦେଇଛି। ନିଜେ ଆଗକୁ ବଢ଼ିବା ସହ ଅନ୍ୟମାନଙ୍କୁ ମଧ୍ୟ ରୋଜଗାରକ୍ଷମ କରାଉଛନ୍ତି। ୨୭ ବର୍ଷିୟ ଶିବାନନ୍ଦ ମେକାନିକାଲ ଇଜିନିୟରିଂରେ ବି.ଟେକ୍‌. ମଧ୍ୟ କରିଛନ୍ତି। ପାଠ ପଢ଼ା ସରିବା ପରେ ସରକାରୀ ଚାକିରି ପଛରେ ଗୋଡ଼ାଇ ନାହାନ୍ତି, କି କୌଣସି କମ୍ପାନୀର ଚାକିରିରେ ସେ ବାନ୍ଧି ହୋଇ ରହିବାକୁ ଚାହିଁ ନାହାଁନ୍ତି। ସେଥିପାଇଁ ତ ନିଜେ ସ୍ବାବଲମ୍ବୀ ହୋଇ, ଅନ୍ୟମାନଙ୍କୁ ନିଜ ଗୋଡ଼ରେ ନିଜେ ଛିଡ଼ା ହେବା ପାଇଁ ସୁଯୋଗ ଦେଉଛନ୍ତି। ନିଜ ଅଞ୍ଚଳରେ ବୁଣାକାରଙ୍କ ପାଇଁ ରୋଜଗାର ସୃଷ୍ଟି କରିବା ସହ ଯୁବଗୋଷ୍ଠୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। କରୋନା କାଳରେ ୧oo ଜଣ ବୁଣାକାରଙ୍କ ପରିବାରକୁ ରୋଜଗାର ଦେଇ ସେମାନଙ୍କ ପ୍ରତିପୋଷଣରେ ସହାୟକ ହୋଇଛନ୍ତି। ନିଜେ ମାସିକ ୪୦,୦୦୦ ରୁ ୫୦,୦୦୦ ରୋଜଗାର କରିବା ସହ ବୁଣାକାରମାନଙ୍କୁ ପରିଶ୍ରମ ଅନୁସାରେ ପାରିଶ୍ରମିକ ଦେଇଥା’ନ୍ତି। ସମ୍ବଲପୁରୀ, ମାଣିଆବନ୍ଧ, ବାନ୍ଧ ଶାଢ଼ି ବୁଣି ମାତ୍ର ତିନି ବର୍ଷ ମଧ୍ୟରେ ସେ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଆଦୃତ ହୋଇପାରିଛନ୍ତି। କୌଳିକ ବୃତ୍ତିଠାରୁ ଦୂରେଇ ଯାଉଥିବା ଯୁବକଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ପ୍ରଥମେ ନିଜ କର୍ମକୁ ସମ୍ମାନ ଦେବା ଦରକାର। ବାହାର ରାଜ୍ୟରେ, ବିଦେଶୀ କମ୍ପାନୀରେ ଚାକିରି କରିବା ଅପେକ୍ଷା ନିଜ କୌଳିକ ବୃତ୍ତିକୁ ଆପଣାଇ ପାରିଲେ ସଫଳତା ଦିନେ ନିଶ୍ଚୟ ମିଳିପାରିବ।

 

Leave a comment