ଆଜିଠୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟେଷ୍ଟ: ଐତିହାସିକ ସିରିଜ ବିଜୟ ଲକ୍ଷ୍ୟରେ କୋହଲି

ଜୋହାନ୍ସବର୍ଗ: ଭ୍ରମଣକାରୀ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚଳିତ ଟେଷ୍ଟ ସିରିଜର ୨ୟ ମ୍ୟାଚ୍‍ ସୋମବାରଠାରୁ ଆରମ୍ଭ ହେବ। ସ୍ଥାନୀୟ ୱାଣ୍ଡର୍ସ ଷ୍ଟାଡିୟମରେ ଏହି ମ୍ୟାଚ୍‍ ଖେଳାଯିବ। ଏହି ମ୍ୟାଚ୍‍ ଜିତି ଭାରତ ଐତିହାସିକ ସିରିଜ ବିଜୟ ଲକ୍ଷ୍ୟରେ ରହିଛି। ପୂର୍ବରୁ ସେଞ୍ଚୁରିଅନରେ ଅନୁଷ୍ଠିତ ପ୍ରଥମ ଟେଷ୍ଟକୁ ୧୧୩ ରନରେ ଜିତି ଭାରତ ୩ ମ୍ୟାଚ୍‍ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ରହିଛି। ପ୍ରଥମ ଏସୀୟ ଦେଶ ଭାବେ ଭାରତ ସେଞ୍ଚୁରିଅନରେ ଟେଷ୍ଟ ଜିତିବାର ସୌଭାଗ୍ୟ ଲାଭ କରିଥିଲା। ଅପରପକ୍ଷରେ ଘରୋଇ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚକୁ ହାତେଇ ସିରିଜକୁ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି।

ପ୍ରଥମ ଟେଷ୍ଟ ଜିତିଥିବା ଭାରତ ଯଦି ଏଠାରେ ବିଜୟୀ ହୁଏ ତେବେ ଇତିହାସରେ ପ୍ରଥମଥର ଲାଗି ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ ସିରିଜ ଅକ୍ତିଆର କରିବାର ସୌଭାଗ୍ୟ ଲାଭ କରିବ। ତେଣୁ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଏହି ମ୍ୟାଚ୍‍ ଚ୍ୟାଲେଞ୍ଜ ସଦୃଶ ରହିବ। ପ୍ରଥମ ମ୍ୟାଚ ଖେଳିଥିବା ଦଳରେ କୌଣସି ପରିବର୍ତ୍ତନ ନ କରି ଭାରତ ଏଠାରେ ପଡ଼ିଆକୁ ଓହ୍ଲାଇବର ସମ୍ଭାବନା ରହିଛି। ଅପରପକ୍ଷରେ ସ୍ଥାନୀୟ ୱାଣ୍ଡର୍ସ ଷ୍ଟାଡିୟମ ମୁଖ୍ୟତଃ ଦ୍ରୁତ ବୋଲରଙ୍କୁ ବେଶ୍‍ ସୁହାଇଥାଏ। ତେଣୁ ଏଠାରେ ପୂର୍ବରୁ ଖେଳାଯାଇଥିବା ମ୍ୟାଚ ଗୁଡ଼ିକରେ ଭାରତୀୟ ବ୍ୟାଟର୍‍ ଅଗ୍ନୀ ପରୀକ୍ଷାର ସାମ୍ନା କରିଥାନ୍ତି। କିନ୍ତୁ ଚଳିତ ଗସ୍ତରେ ଘରୋଇ ଦକ୍ଷିଣ ଆଫ୍ରିକାର ଆଗଧାଡ଼ିର କିଛି ପ୍ରମୁଖ ଦ୍ରୁତ ବୋଲର ଦଳରେ ନ ଥିବାରୁ ଭାରତୀୟ ଖେଳାଳି ଏହାର ଫାଇଦା ଉଠାଇବେ। ପ୍ରଥମ ଟେଷ୍ଟରେ ଶତକ ହାସଲ କରିଥିବା ଲୋକେଶ ରାହୁଲଙ୍କ ସହ ଅନ୍ୟତମ ଓପନର୍‍ ମୟଙ୍କ ଅଗ୍ରୱାଲ, ଅଧିନାୟକ କୋହଲି, ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟା ରାହାଣେଙ୍କ ବ୍ୟାଟରୁ ଟିମ୍‍ ମ୍ୟାନେଜମେଣ୍ଟ ବଡ଼ ସ୍କୋର ଆଶା ରଖିଛି। ସେହିଭଳି ବୋଲିଂରେ ପ୍ରଥମ ମ୍ୟାଚରେ ୮ ୱିକେଟ୍‍ ନେଇଥିବା ମହମ୍ମଦ ସାମି ସମସ୍ତଙ୍କ ନଜରରେ ରହିବେ। ଅପରପକ୍ଷରେ ଅଭିଜ୍ଞ ୱିକେଟ୍‍କିପର ବ୍ୟାଟର୍‍ କ୍ୱିଣ୍ଟନ ଡି କକ୍‍ ପ୍ରଥମ ମ୍ୟାଚ୍‍ ପରେ ଟେଷ୍ଟରୁ ଅବସର ଘୋଷଣା କରିଥିଲେ। ଫଳରେ ଘରୋଇ ଦକ୍ଷିଣ ଆଫ୍ରିକା ଦଳ ବ୍ୟାଟିଂରେ ଆହୁରି ଦୁର୍ବଳ ହୋଇପଡ଼ିଛି। ଅଧିନାୟକ ଡିନ୍‍ ଏଲ୍‍ଗାର ଓ ଆଇଡେନ୍‍ ମାର୍କରାମଙ୍କ ଉପରେ ଦଳ ସମ୍ପୂର୍ଣ୍ଣ ନିର୍ଭର କରିବ।

୨୫ ବର୍ଷ ତଳେ ଚମକିଥିଲେ ଦ୍ରାବିଡ୍‍

ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରହିଥିବା ରାହୁଲ ଦ୍ରାବିଡ୍‍ ଏହି ଗ୍ରାଉଣ୍ଡରେ ତାଙ୍କ କ୍ୟାରିୟରର ପ୍ରଥମ ଟେଷ୍ଟ ଶତକ ହାସଲ କରିଥିଲେ। ୨୫ ବର୍ଷ ତଳେ ଅର୍ଥାତ୍‍ ୧୯୯୬-୯୭ ଗସ୍ତରେ ଦ୍ରାବିଡ୍‍ ଏହି ସଫଳତା ପାଇଥିଲେ। ସେହିଭଳି ବର୍ତ୍ତମାନର ଅଧିନାୟକ ବିରାଟ କୋହଲି ୨୦୧୩-୧୪ ସିଜନରେ ଏହି ଗ୍ରାଉଣ୍ଡରେ ଉଭୟ ଇନିଂସରେ ଯଥାକ୍ରମେ ୧୧୯ ଓ ୯୬ ରନର ମାରାଥନ ଇନିଂସ ଖେଳିଥିଲେ। ଏହି ଟେଷ୍ଟରେ ଭାରତ ପକ୍ଷରୁ ଧାର୍ଯ୍ୟ ୪୫୮ ରନର ଚ୍ୟାଲେଞ୍ଜିଂପୂର୍ଣ୍ଣ ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ବିଜୟ ନିକଟତର ହୋଇଥିଲେ ମଧ୍ୟ ୮ ୱିକେଟ୍‍ରେ ୪୫୦ ରନ କରିଥିଲା। ଫଳରେ ମ୍ୟାଚ୍‍ ରୋମାଞ୍ଚକ ଭାବେ ଅମୀମାଂସିତ ରହିଥିଲା।

ସମ୍ଭାବ୍ୟ ଦଳ 

ଦକ୍ଷିଣ ଆଫ୍ରିକା
ଡିନ୍‍ ଏଲ୍‍ଗାର (ଅଧିନାୟକ), ଆଇଡେନ ମାର୍କରାମ, ସାରେଲ ଏର୍‍ୱି, କିଗାନ ପିଟରସନ, ରସି ଭାନ୍‍ ଡର୍‍ ଡୁସେନ, ତେମ୍ବା ବାଭୁମା, କାଏଲ ଭେରେନ୍ନେ (ୱିକେଟ୍‍କିପର), ରାନ୍‌ ରିକେଲଟନ୍‍, ୱିଆନ ମଲ୍‍ଡର, ମାର୍କୋ ଜନସେନ, କେଶବ ମହାରାଜ, କାଗିସୋ ରାବାଡା, ଡୁଆନେ ଓଲିଭର, ଲୁନ୍‍ଗି ଏନ୍‍ଗିଡି, ଗ୍ଲେଟନ ଷ୍ଟ୍ରୁମାନ।

ଭାରତ
ବିରାଟ କୋହଲି (ଅଧିନାୟକ), ଲୋକେଶ ରାହୁଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟା ରାହାଣେ, ଋଷଭ ପନ୍ତ (ୱିକେଟ୍‍କିପର), ରବିଚନ୍ଦ୍ରନ ଅଶ୍ୱିନ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସାମି, ଯଶପ୍ରୀତ୍‍ ବୁମ୍‍ରା,ଶ୍ରେୟସ ଆୟର, ଉମେଶ ଯାଦବ, ଈଶାନ୍ତ ଶର୍ମା ଓ ମହମ୍ମଦ ସିରାଜ।

Leave a comment