ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଖୋଲିଲା ସ୍କୁଲ : ଦୁଇ ବର୍ଷ ପରେ ଶିକ୍ଷାନୁଷ୍ଠାନ ଆସିଲେ ପ୍ରଥମରୁ ସପ୍ତମ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ଆଜିଠୁ ରାଜ୍ୟର ପ୍ରାଥମିକ ସ୍କୁଲ ଗୁଡ଼ିକ ଖୋଲିଛି। ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନ ଆସିଛନ୍ତି। ଦୁଇ ବର୍ଷ ପରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ପିଲା ଶିକ୍ଷାନୁଷ୍ଠାନ ଆସୁଥିବାରୁ ବିଭାଗ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ବେଲୁନ୍‍ ଓ ଫୁଲମାଳରେ ଶିକ୍ଷାନୁଷ୍ଠାନ ସଜାଯାଇଥିବାବେଳେ ନବାଗତଙ୍କୁ ସ୍ୱାଗତ ଲାଗି ବିଭାଗ ଅଭିନବ ପଦକ୍ଷେପ ଗ୍ରହଣ କରିଛି। ଆଜି ରାଜ୍ୟର ପ୍ରାଥମିକ ସ୍କୁଲଗୁଡ଼ିକ ଖୋଲିଯାଇଥିବା ବେଳେ ବିଭାଗର ଅଧିକାରୀମାନେ ବିଭିନ୍ନ ଶିକ୍ଷାନୁଷ୍ଠାନ ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି।

କରୋନା ସ୍ଥିତିର ସୁଧାର ପରେ ଫେବୃଆରୀ ୭ରୁ ଅଷ୍ଟମ ଶ୍ରେଣୀରୁ ତଦୁର୍ଦ୍ଧ ପିଲମାନଙ୍କ କ୍ଲାସ ପାଠପଢ଼଼ା ଆରମ୍ଭ ହୋଇଥିବାବେଳେ ୨୮ ତାରିଖ (ଆସନ୍ତାକାଲିଠୁ) ପ୍ରଥମ-ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ଶ୍ରେଣୀ ପଢ଼଼ା ଆରମ୍ଭ ହେବ। ସକାଳ ୧୦ଟାରୁ ଦିନ ୧ଟା ମଧ୍ୟରେ ପିଲାଙ୍କ ପାଠପଢ଼଼ା ହେବାକୁ ଥିବାବେଳେ କରୋନା କଟକଣା ମଧ୍ୟରେ ପିଲାମାନେ ଶ୍ରେଣୀଗୃହରେ ବସିବେ। ସମସ୍ତ ପିଲାଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ହୋଇଥିବାବେଳେ ପ୍ରବେଶ ପଥରେ ପିଲାଙ୍କ ହାତ ଭଲଭାବେ ସାନିଟାଇଜ୍‍ର ପାଇଁ ବ୍ୟବସ୍ଥା ହୋଇଛି। ସ୍କୁଲରେ ପିଲାଙ୍କୁ ରନ୍ଧା ଖାଦ୍ୟ ଦିଆଯିବନି। ପୂର୍ବ ପରି ପିଲାମାନେ ଶୁଖିଲା ରାସନ୍‍ ଘରକୁ ନେବେ। ସେହିପରି ଦୁଇ ବର୍ଷ ହେବ ପିଲାଙ୍କ ପାଦ ଶିକ୍ଷାନୁଷ୍ଠାନରେ ପଡ଼ି ନଥିବାରୁ ସେମାନଙ୍କ ମାନସିକତା ଗୁରୁତର ପ୍ରଭାବିତ ହୋଇଛି।

ତେଣୁ ପିଲାଙ୍କୁ ଶିକ୍ଷାନୁଷ୍ଠାନ ସହିତ ବାନ୍ଧି ରଖିବା ପାଇଁ ବିଭାଗ ସ୍କୁଲ ଖୋଲିଲେ ପ୍ରଥମ ସପ୍ତାହରେ ପାଠ ପଢ଼଼ାଯିବ ନାହିଁ ବୋଲି ନିଷ୍ପତ୍ତି ନେଇଛି। ଛାତ୍ରଛାତ୍ରୀଙ୍କୁ ଏହି ସମୟରେ ଖେଳକୁଦରେ ମସଗୁଲ୍‍ କରାଇବା ସହିତ ପିଲାଙ୍କର ଦକ୍ଷତା ମଧ୍ୟ ମପାଯିବ। ଦୁଇ ବର୍ଷରେ ଛାତ୍ରଛାତ୍ରୀ ହରାଇଥିବା ଶୈକ୍ଷିକ କ୍ଷତିକୁ ଭରଣା ପାଇଁ ବିଭାଗ ବିଶେଷଗୁରୁତ୍ୱ ଦେବ। ପ୍ରଥମ ସପ୍ତାହରେ ପିଲାଙ୍କର ସାମାଜିକ ଭାବାବେଗ ଶିକ୍ଷା(ସୋସିଓ ଇମୋସନାଲ୍‍ ଲଣ୍ଣିଂ) ଉପରେ ଗୁରୁତ୍ୱ ଦିଆଯିବ। ଏହି ୬ ଦିନ ପିଲାଙ୍କୁ ଖେଳକୁଦ, ନାଚ, ଗୀତ, ବିଭିନ୍ନ ପ୍ରତିଯୋଗିତା ଆଦି ମାଧ୍ୟମରେ ସ୍କୁଲ ସହିତ ବାନ୍ଧି ରଖିବେ। ଏହା ପରେ ପରବର୍ତ୍ତୀ ତିନି ଦିନରେ ପିଲାଙ୍କର ତିନୋଟି ପରୀକ୍ଷା କରାଯିବ। ତିନି ଦିନରେ ଛାତ୍ରଛାତ୍ରୀ ଗଣିତ, ସାହିତ୍ୟ ଓ ଇଂରାଜୀ ଭାଷାରେ ଦକ୍ଷତା ପରୀକ୍ଷା ତଥା ବେସଲାଇନ୍‍ ଦେବେ।

ଛାତ୍ରଛାତ୍ରୀ ମାର୍ଚ୍ଚ ୯ରେ ଭାଷା, ୧୦ରେ ଗଣିତ ଓ ୧୧ ତାରିଖରେ ଇଂରାଜୀରେ ବେସଲାଇନ୍‍ ପରୀକ୍ଷନ୍ଦେବେ। ତେବେ ପ୍ରାଥମିକ ସ୍କୁଲ ପରିଚାଳନା ନେଇ ବିଭାଗ ଏକ ମାର୍ଗଦର୍ଶିକା ଜାରି କରିଛି। କୋଭିଡ୍‍ ପରେ ଆସନ୍ତାକାଲି ଠାରୁ ରାଜ୍ୟର କେଜିରୁ ପିଜି ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ପୂର୍ଣ୍ଣ କ୍ଷମତାରେ ଚାଲିବ। ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ କରୋନା କଟକଣାରେ ଖୋଲିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି।

ଅପରପକ୍ଷେ ଶିକ୍ଷାନୁଷ୍ଠାନ ଖୋଲିବା ସମ୍ପର୍କରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ, ସ୍କୁଲ ଖୋଲିବା ନେଇ ଗତ ୨୫ ତାରିଖରେ ବିଭାଗର ସମୀକ୍ଷା ବୈଠକ ବସିଥିଲା। ପ୍ରାଥମିକ ସ୍କୁଲ ଖୋଲିବା ପାଇଁ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ପ୍ରଥମ ସପ୍ତାହ ସାରା କେବଳ ଆକ୍ଟିଭିଟି କ୍ଲାସ କରାଯିବ। ପାଠ ପଢ଼଼ାଯିବ ନାହିଁ। ଏହାସହ ଦୁଇ ବର୍ଷର ଶିକ୍ଷାନୁଷ୍ଠାନ ବନ୍ଦ ଯୋଗୁ ପିଲାମାନେ ହରାଇଥିବା ଜ୍ଞାନର ଭରଣା ପାଇଁ ସ୍ୱତନ୍ତ୍ର ପୁସ୍ତିକା ପ୍ରକାଶ କରାଯାଇ ପିଲାଙ୍କ ପାଠପଢ଼଼ା ଉପରେ ଗୁରୁତ୍ୱ ଦିଆଯିବ। ତେବେ ଦଶମ ଓ ଦ୍ୱାଦଶ ପରୀକ୍ଷା ନେଇ ସମୀକ୍ଷା କରାଯାଉଛି। ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବିଭିନ୍ନ ଷ୍ଟେକ ହୋଲ୍ଡରଙ୍କ ସହ ଆଲୋଚନା ଜାରି ରଖିଛନ୍ତି। ଦୁଇ ବୋର୍ଡ଼ର ରିପୋର୍ଟ ଆଧାରରେ ପରୀକ୍ଷା ପାଇଁ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.