ଶିକ୍ଷିତ ବେକାରୀଙ୍କୁ ନିଯୁକ୍ତି ଆଳରେ ଠକେଇ, ଜାଲ ବିଛାଇଛନ୍ତି ନକଲି ନିଯୁକ୍ତି ରାକେଟ୍
ଅଫଲାଇନ୍ ଓ ଅନ୍ଲାଇନ୍ରେ ସକ୍ରିୟ ଠକ

ଭୁବନେଶ୍ୱର: ସରକାରୀ ସଂସ୍ଥାରେ ମିଳିବ ନିଯୁକ୍ତି। ମାସକୁ ମିଳିବ ମୋଟା ଅଙ୍କର ବେତନ। ଏହିଭଳି ଲୋଭନୀୟ ଜାଲ୍ ନିଯୁକ୍ତିର ଆଳ ଦେଖାଇ ରାଜଧାନୀରେ ମାତିଛନ୍ତି ଠକେଇ Ñକେଟ୍୍। ସେମାନେ ଚାକିରି ଜାଲ ବିଛାଇ ବେକାର ଯୁବଗୋଷ୍ଠୀଙ୍କୁ ଟାର୍ଗେଟ୍ କରୁଛନ୍ତି ଓ ଲକ୍ଷ ଲକ୍ଷ ଟଙ୍କା ଚଳୁ କରି ନେଉଛନ୍ତି। ଚାକିରି ହରାଇଥିବା କିମ୍ବା ବେକାରୀଙ୍କୁ ନିଯୁକ୍ତି ଫାସରେ ଫସାଉଛନ୍ତି। କାହାକୁ ପୁଲିସ ତ ଆଉ କାହାକୁ ରେଳବାଇରେ ଚାକିରି ଦେବାକୁ କହି ଠକୁଛନ୍ତି ତ ଆଉ କାହାକୁ ଡାକ୍ତର ଓ କେନ୍ଦ୍ରୀୟ ସଂସ୍ଥାରେ ନିଯୁକ୍ତି ଦେବାକୁ କହି ଠକୁଛନ୍ତି। ଏମିତିକି ନକଲି ଆଇଏଏସ୍, ଆଇପିଏସ୍, ସରକାରୀ ଅଧିକାରୀ ଓ ବ୍ୟୁରୋକ୍ରାଟ୍ଙ୍କ ପରିଚୟ ଦେଇ ଏବେ ଠକେଇ ଘଟଣା ସାମ୍ନାକୁ ଆସିଥିଲା। କେବଳ ରାଜ୍ୟ ଭିତରେ ନିଯୁକ୍ତିର ଜାଲ ସୀମିତ ନାହିଁ, ବିଦେଶରେ ଆଶାୟୀ ନିଯୁକ୍ତି ଦେବାର ପ୍ରଲୋଭନ ଦେଖାଉଛନ୍ତି ସାଇବର୍ ଠକ। ଦୁବାଇ, ଜର୍ମାନୀ, ସିଙ୍ଗାପୁର, ନାଇଜେରିଆ, ବ୍ରାଜିଲ ଭଳି ବିଦେଶରେ ଚାକିରି ଦେବାକୁ କହି ଟଙ୍କା ଠକି ନେଉଛନ୍ତି। ନିଯୁକ୍ତିର ଆଳ ଦେଖାଇ ଠକସଂସ୍ଥାଗୁଡ଼ିକ ସହରରେ ଅଫିସ ଖୋଲୁଛନ୍ତି। ଆଉ ଚାକିରି ନାଁରେ ଅଫିସ ଆଗରେ ହୋର୍ଡିଂ ଲଗାଉଛନ୍ତି। ହୋର୍ଡିଂ ଓ ଆକର୍ଷଣୀୟ ନିଯୁକ୍ତି ସୁଯୋଗର ବିଜ୍ଞାପନ ଦେଖି ବେକାର ଯୁବକ-ଯୁବତୀ ଆବେଦନ କରୁଛନ୍ତି। ଅନ୍ଲାଇନ୍ କିମ୍ବା ଅଫ୍ଲାଇନ୍ରେ ସାକ୍ଷାତକାର ମଧ୍ୟ ନିଆଯାଉଛି। ଦରମା ମଧ୍ୟ ଚୂଡ଼ାନ୍ତ କରାଯାଉଛି। ଏବାବଦରେ ଅର୍ଥ ଆଦାୟ କରାଯାଉଛି। ଚାକିରି ଆବେଦନ କରିଥିବା ଆଶାୟୀଙ୍କ ଠାରୁ ରେଜିଷ୍ଟ୍ରେସନ୍ ଫି’ ବାବଦରେ ଟଙ୍କା ନିଆଯାଉଛି। ଏଭଳି ଶତାଧିକ ବ୍ୟକ୍ତିଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇଯାଉଛି। ନିଯୁକ୍ତି ଦେବାର ସମୟ ଆସିଲେ ଅଫିସରେ ତାଲା ଝୁଲାଇବା ସହ ଅଫିସ ଭାଙ୍ଗି ପଳାଉଛି।
ନିଯୁକ୍ତି ଦେଉଛନ୍ତି ଅଦୃଶ୍ୟ ଠକ
ପାଠ ପଢ଼଼ି ଘରେ ବସିଥିବା ଯୁବଗୋଷ୍ଠୀଙ୍କୁ ଟାର୍ଗେଟ କରୁଛନ୍ତି ସାଇବର୍ ଠକ। ଫେସ୍ବୁକ୍, ହ୍ୱାଟ୍ସଆପ୍ ଓ ଇନ୍ଷ୍ଟାଗ୍ରାମ୍ ଭଳି ସୋସିଆଲ ମିଡିଆରେ ନିଯୁକ୍ତିର ବିଜ୍ଞାପନ ଦେଉଛନ୍ତି। ସଂସ୍ଥାଗୁଡ଼ିକ ବିଭିନ୍ନ ଅଞ୍ଚଳରେ କଲ୍ସେଣ୍ଟରମାନ ଖୋଲି ନିଯୁକ୍ତି ଆଶାୟୀଙ୍କୁ ଫୋନ୍ କରୁଛନ୍ତି। ବାୟୋଡାଟା ମଗାଇ ସେମାନଙ୍କ ଯୋଗ୍ୟତା ଅନୁଯାୟୀ ସରକାରୀ, ବେସରକାରୀ ଆଦିରେ ଚାକିରି ଦେବାକୁ କହି ଜାଲ ବିଛାଉଛନ୍ତି। ପରେ ସେମାନଙ୍କ ଠାରୁ ଟଙ୍କା ନେଇ ଚମ୍ପଟ ହୋଇ ଯାଉଛନ୍ତି ଅଦୃଶ୍ୟ ଠକ।
ବର୍ଷକରେ ୩ କୋଟି ଠକେଇ; ୧୮ ଗିରଫ ହୋଇଛନ୍ତି
୨୦୨୧ରେ ରାଜଧାନୀରେ ନିଯୁକ୍ତି ଆଳରେ ୩ କୋଟି ଟଙ୍କା ଠକେଇ ହୋଇଥିଲା। ଜାନୁଆରୀ ମାସରେ ୯୪, ୭୩୧ ଟଙ୍କା, ଫେବୃଆରୀରେ ୧୧ ଲକ୍ଷ ୯୩ହଜାର, ମାର୍ଚ୍ଚରେ ୫ ଲକ୍ଷ ୫୬ ହଜାର, ଏପ୍ରିଲରେ ୨୧ ଲକ୍ଷ ୯ହଜାର ୭୦୦ ଟଙ୍କା, ମେ’ରେ ୩ ଲକ୍ଷ ୮୨ହଜାର, ଜୁନ୍ରେ ୧୭ ଲକ୍ଷ ୪୫ ହଜାର, ଜୁଲାଇରେ ୪୨ ଲକ୍ଷ ୨୦ହଜାର, ସେପ୍ଟେମ୍ବରରେ ୪ଲକ୍ଷ, ଅକ୍ଟୋବରରେ ୪୨ ଲକ୍ଷ ୫୦ହଜାର ଓ ନଭେମ୍ବର ମାସରେ ୧୨ ଲକ୍ଷ ୪୦ହଜାର ଟଙ୍କା ଠକେଇ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଏଭଳି ଭାବେ ମୋଟ୍ ୩ କୋଟି ଠକେଇ ହୋଇଥିବା ବେଳେ ପୁଲିସ ୧୮ଜଣ ଠକଙ୍କୁ ଗିରଫ କରିଥିଲା। ଚଳିତବର୍ଷ ଏହି ସଂଖ୍ୟା ୫ କୋଟି ପାର୍ ହେବ ବୋଲି କୁହାଯାଇଛି।