ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବେଆଇନ ନିଶା କାରବାର ପାଇଁ ମୃତ୍ୟୁଦଣ୍ଡ: ସାଉଦି ଆରବରେ ୧୦ ଦିନରେ ହେଲାଣି ୧୨ ଜଣଙ୍କ ମୁଣ୍ଡକାଟ୍‌

ଚଳିତବର୍ଷ ୧୩୨ ଜଣଙ୍କୁ ଦିଆଗଲାଣି ମୃତ୍ୟୁଦଣ୍ଡ

ରିଆଦ: ସାଉଦି ଆରବରେ ବେଆଇନ ନିଶା ଦ୍ରବ୍ୟ କାରବାର କରିବା ଅଭିଯୋଗରେ ଗତ ୧୦ ଦିନ ମଧ୍ୟରେ ୧୨ ଜଣଙ୍କ ମୁଣ୍ଡକାଟ କରାଯାଇଛି। ମୃତ୍ୟୁଦଣ୍ଡ ସ୍ବରୂପ ଏହି ଅଭିଯୁକ୍ତମାନଙ୍କ ମୁଣ୍ଡକୁ ଖଣ୍ଡା ଚୋଟରେ ଅଲଗା କରି ଦିଆଯାଇଛି। ମୃତ୍ୟୁଦଣ୍ଡ ପାଇଥିବା ଏହି ୧୨ ଜଣଙ୍କ ମଦ୍ୟରୁ ୩ ଜଣ ପାକିସ୍ତାନୀ ନାଗରିକ ରହିଥିଲା ବେଳେ ୩ ଜଣ ସାଉଦି, ୨ ଜଣ ଜୋର୍ଡାନ ଏବଂ ଅନ୍ୟ ୪ ଜଣ ସିରିଆ ନାଗରିକ ବୋଲି କୁହାଯାଇଛି। ଚୋରା ନିଶାଦ୍ରବ୍ୟ କାରବାରକୁ ନେଇ ଏହି ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହେବା ପରେ ଦୁଇ ବର୍ଷ ଜେଲ ଦଣ୍ଡ ଭୋଗିଥିଲେ। ତେବେ ପରବର୍ତ୍ତୀ ସମୟରେ ସାଉଦି ଆଇନକୁ ନେଇ ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଏହି ୧୨ ଜଣଙ୍କୁ ମିଶାଇ ଚଳିତ ବର୍ଷ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ପାଇଁ ୧୩୨ ଜଣଙ୍କୁ ମୃତ୍ୟୁଦଣ୍ଡ ମିଳିଛି। ଯାହାକି ବିଗତ ଦୁଇ ବର୍ଷ ତୁଳନାରେ ସର୍ବାଧିକ।

୨୦୨୦ ଏବଂ ୨୦୨୧ ବର୍ଷରେ ମୋଟ ଯେତିକି ଲୋକଙ୍କୁ ମୃତ୍ୟୁଦଣ୍ଡ ମିଳି ନଥିଲା ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ତା’ ଠାରୁ ଅଧିକ ଲୋକଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି ବୋଲି ଆନ୍ତର୍ଜାତିକ ଖବର ଏଜେନ୍ସି ଏଏଫପି ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ସାଉଦି ଆରବରେ ଅପରାଧିକ କାର୍ଯ୍ୟକଳାପ ପାଇଁ କଠିନ ଦଣ୍ଡ ବ୍ୟବସ୍ଥା ରହିଛି। ତେବେ ନିଶା କାରବାର ପାଇଁ ମୃତ୍ୟୁଦଣ୍ଡ ବ୍ୟବସ୍ଥା ରହିଥିଲା ବେଳେ ବିଗତ କିଛି ବର୍ଷ ମଧ୍ୟରେ ଏହି କାରଣକୁ ନେଇ ସର୍ବାଧିକ ଅଭିଯୁକ୍ତ ଦଣ୍ଡିତ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଅପରାଧିକ କାର୍ଯ୍ୟକଳାପ ପାଇଁ ଏଠାରେ କଠିନ ଦଣ୍ଡ ବ୍ୟବସ୍ଥା ରହିଥିଲା ବେଳେ ଦଣ୍ଡ ବ୍ୟବସ୍ଥା କୋହଳ କରିବାକୁ ସାଉଦି ପ୍ରିନ୍ସ ମହମ୍ମଦ ବିନ୍‌ ସଲମନ ୨୦୧୮ରେ ଉଦ୍ୟମ ଆରମ୍ଭ କରିଥିଲେ। କେବଳ ହତ୍ୟା ଏବଂ ନରସଂହାର ପାଇଁ ମୃତ୍ୟୁଦଣ୍ଡ ଦେବାକୁ ସେ ଆଇନରେ ବ୍ୟବସ୍ଥା କରିବାକୁ କହିଥିଲେ। ଏହାସତ୍ତ୍ବେ ଅନ୍ୟ ଅପରାଧ ପାଇଁ ଏବେ ମଧ୍ୟ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉଛି।

Leave A Reply

Your email address will not be published.