ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜାଗା ମିଶନ ପାଇଁ ଆସିବ ସାଟେଲାଇଟ୍‌ ଇମେଜ

ଭୁବନେଶ୍ୱର : ଜାଗା ମିଶନରେ ଡ୍ରୋନ୍‌‌ ସର୍ଭେ ପାଇଁ ହେଉଥିବା ସମସ୍ୟାର ସମାଧାନ କରିବ ଓଡ଼ିଶା ସ୍ପେସ ଆପ୍ଲିକେସନ ସେଣ୍ଟର (ଓରସାକ)। ବର୍ତ୍ତମାନ କିଛି ସହରାଞ୍ଚଳରେ ବିଭିନ୍ନ କଟକଣା ପାଇଁ ଡ୍ରୋନ୍‌‌ ଉଡ଼ାଇବା ସମ୍ଭବ ହେଉନାହିଁ। ଏହାଦ୍ୱାରା ଡ୍ରୋନ୍‌‌ ସର୍ଭେ କାମ ଅଟକି ରହୁଛି। ବିଶେଷ କରି ଭୁବନେଶ୍ୱରରେ ବିମାନ ବନ୍ଦର ଓ ୧୨୦ ବାଟାଲିୟନ ଆଦି ଅଞ୍ଚଳରେ ଏହି ସମସ୍ୟା ଅଧିକ ରହିଛି। ମାତ୍ର ରାଜ୍ୟ ସରକାର ଏହି ଡ୍ରୋନ୍‌‌ ସର୍ଭେ ତୁରନ୍ତ ଶେଷ କରିବାକୁ ଯୋଜନା କରିଥିବାରୁ ଓରସାକଠାରୁ ସାଟେଲାଇଟ୍‌‌ ଇମେଜ ଆଣିବେ ବୋଲି ସୂଚନା ମିଳିଛି। ଡ୍ରୋନ୍‌‌ ସର୍ଭେରେ ବସ୍ତିରେ ଥିବା ଘର ଗୁଡ଼ିକର ଛବି ମିଳୁଥିବା ବେଳେ ସାଟେଲାଇଟ୍‌‌ ଇମେଜ ଜରିଆରେ ସମାନ ପନ୍ଥା ଗ୍ରହଣ କରିବ ବୋଲି ସୂଚନା ମିଳିଛି।

ଜାଗା ମିଶନ ଜରିଆରେ ୫ ମହାନଗର ନିଗମ ଅଞ୍ଚଳରେ ଭୂମିହୀନ ଗରିବଙ୍କୁ ଜମି ଅଧିକାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇ ରାଜ୍ୟ ସରକାର ଏହି ସର୍ଭେ କରୁଛନ୍ତି। ପ୍ରଥମ ପଦକ୍ଷେପ ସ୍ୱରୂପ ଡ୍ରୋନ୍‌‌ ସର୍ଭେ କରାଯାଉଥିବା ବେଳେ ଗତ ନଭେମ୍ୱର ୧୦ ତାରିଖରୁ ବସ୍ତିବାସିନ୍ଦାଙ୍କୁ ଚିହ୍ନଟ କରିବା ପାଇଁ ବିଭିନ୍ନ ବସ୍ତିରେ ଡ୍ରୋନ୍‌‌ ସର୍ଭେ କାମ ଆରମ୍ଭ ହୋଇଛି। ଏବେସୁଦ୍ଧା ପ୍ରାୟ ୮୦ ହଜାର ଭୂମିହୀନ ଚିହ୍ନଟ ହୋଇସାରିଥିବା ଜଣାପଡ଼ିଛି। ଆସନ୍ତା ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ୧ ଲକ୍ଷ ହିତାଧିକାରୀ ଚିହ୍ନଟ ହୋଇ ସର୍ଭେ କାମ ସମ୍ପୂର୍ଣ୍ଣ କରାଯିବ ବୋଲି ଜାଗା ମିଶନ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ଏ ପର୍ଯ୍ୟନ୍ତ ବିଏମ୍‌‌ସି ଅଞ୍ଚଳରେ ୩୦ ହଜାର, ବ୍ରହ୍ମପୁର ମହାନଗର ଅଞ୍ଚଳରେ ୨୦ ହଜାର, ସମ୍ୱଲପୁରରେ ୧୦ ହଜାର, ରାଉରକେଲାରେ ୮ ହଜାର ଓ କଟକ ମହାନଗର ଅଞ୍ଚଳରେ ୧୨ ହଜାର ଭୂମିହୀନ ଚିହ୍ନଟ ହୋଇଛନ୍ତି ବୋଲି ଜାଗା ମିଶନ ଦାୟିତ୍ୱରେ ଥିବା ଅତିରିକ୍ତ ସଚିବ ସୌରୀନ୍ଦ୍ର କୁମାର ରାଉତରାୟ କହିଛନ୍ତି।

୨୦୨୩ ଶେଷ ସୁଦ୍ଧା ୧ ଲକ୍ଷ ହିତାଧିକାରୀଙ୍କୁ ଜମି ଅଧିକାର ଦେବା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ଲକ୍ଷ୍ୟ ରଖିଛି। ୨୦୧୯ଟି ବସ୍ତିରୁ ଏବେସୁଦ୍ଧା ୭୦୦ରୁ ଅଧିକ ବସ୍ତି ଆଦର୍ଶ କଲୋନୀରେ ପରିଣତ ହୋଇସାରିଥିବା ବେଳେ ପୌରାଞ୍ଚଳରେ ଗରିବ ଓ ଭୂମିହୀନଙ୍କୁ ଜମି ଅଧିକାରେ ଦେବାରେ ଓଡ଼ିଶା ସରକାରଙ୍କ ଏହି ଯୋଜନା ଜାତୀୟ ସ୍ତରରେ ରେକର୍ଡ କରିଛି।

Leave A Reply

Your email address will not be published.