ଧର୍ମେନ୍ଦ୍ରଙ୍କୁ ସସ୍ମିତଙ୍କ କଟାକ୍ଷ : ‘ଓଡ଼ିଶାର ପଞ୍ଚାୟତିରାଜ ବିଭାଗ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଅନ୍ଧାରରେ’

ଭୁବନେଶ୍ୱର : ପଞ୍ଚାୟତିରାଜ ବ୍ୟବସ୍ଥାରେ ଦିଲ୍ଲୀରୁ ସିଧା ଅର୍ଥ ପଞ୍ଚାୟତକୁ ଯାଉଛି; ମାତ୍ର କନଭର୍ଜେନ୍ସ ନାମରେ ରାଜ୍ୟ ସରକାର ଟଙ୍କା ଉଠାଇ ଦେଉଛନ୍ତି। ରାଜ୍ୟରେ ଅର୍ଥର ଅଭାବ ନାହିଁ, ତେଣୁ ରାଜ୍ୟ ସରକାର ଏହି ଟଙ୍କାରେ ହାତ ନ ମାରନ୍ତୁ ବୋଲି ପରୋକ୍ଷରେ ରାଜ୍ୟ ପଞ୍ଚାୟତିରାଜ ସଚିବଙ୍କୁ ତାଗିଦ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟରେ ନବଜାତ ଶିଶୁ ଓ ମହିଳାଙ୍କ ସ୍ଥିତି ଭଲ ନାହିଁ, ରକ୍ତହୀନତା ଓ ଅପୁଷ୍ଟି ପରି ରୋଗର ଶିକାର ହେଉଛନ୍ତି ବୋଲି ଆକ୍ଷେପ କରିଛନ୍ତି ଶ୍ରୀ ପ୍ରଧାନ। ମାତ୍ର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଏହି ମନ୍ତବ୍ୟକୁ କଟାକ୍ଷ କରିଛନ୍ତି ବିଜେଡି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଡଃ ସସ୍ମିତ୍ ପାତ୍ର।
ରାଜ୍ୟ ସରକାରଙ୍କର ସବୁ ବିଭାଗ ଭଳି ପଞ୍ଚାୟତିରାଜ ବିଭାଗରେ ସବୁ କାର୍ଯ୍ୟ ନିୟମ ଅନୁସାରେ ହେଉଛି; କିନ୍ତୁ ଜଣେ କେନ୍ଦ୍ରମନ୍ତ୍ରୀ ହୋଇ ସୁଦ୍ଧା ଧର୍ମେନ୍ଦ୍ର ପ୍ରଧାନ ପଞ୍ଚାୟତିରାଜ ବ୍ୟବସ୍ଥାର କାର୍ଯ୍ୟକାରିତା ସମ୍ପର୍କରେ ସମ୍ଭବତଃ ଅବଗତ ନାହାନ୍ତି ବୋଲି ଡଃ ପାତ୍ର କହିଛନ୍ତି। ରାଜ୍ୟର ପଞ୍ଚାୟତିରାଜ ବିଭାଗ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କ ନକରାତ୍ମକ ଟିପ୍ପଣୀ ପରିପ୍ରେକ୍ଷୀରେ ସସ୍ମିତ୍ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦୀର୍ଘ ଦିନ ହେଲା ଭାରତ ସରକାରଙ୍କ ଅଧୀନରେ ବିଭିନ୍ନ ମନ୍ତ୍ରଣାଳୟର ମନ୍ତ୍ରୀପଦ ସମ୍ଭାଳୁଛନ୍ତି; କିନ୍ତୁ ଓଡ଼ିଶାରେ ପଞ୍ଚାୟତିରାଜ
ବିଭାଗ କିପରି କାମ କରୁଛି ସେ ସମ୍ପର୍କରେ ସେ ସମ୍ଭବତଃ ଜାଣି ନାହାନ୍ତି। ତେଣୁ ଓଡ଼ିଶାର ପ୍ରଶାସନିକ ବିଧିବ୍ୟବସ୍ଥା ସମ୍ପର୍କରେ ଭିତ୍ତିହୀନ ମନ୍ତବ୍ୟ ପ୍ରଦାନ କରୁଛନ୍ତି। ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେପି ୩୦ରୁ ୩୦ଟି ଯାକ ଜିଲ୍ଲା ପରିଷଦରେ ଶୋଚନୀୟ ପରାଜୟ ବରଣ କରିଥିଲା। ଏଥିରେ ଓଡ଼ିଶା ବିଜେପିର ନେତାମାନେ ସମ୍ପୂର୍ଣ୍ଣ ହତାଶ ହୋଇ ପଡ଼ିଛନ୍ତି।
ତେଣୁ ସେମାନେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଓଡ଼ିଶାର ପଞ୍ଚାୟତିରାଜ ବ୍ୟବସ୍ଥା ସମ୍ପର୍କରେ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଜାଣି ରଖିବା ଉଚିତ ଯେ ଓଡ଼ିଶାର ପଞ୍ଚାୟତିରାଜ ବିଭାଗରେ ନିରନ୍ତର ଭାବେ ଭଲ କାମ ହେଉଛି ଏବଂ ସେଥିପାଇଁ ଏହି ବିଭାଗକୁ ଜାତୀୟସ୍ତରର ବିଭିନ୍ନ ସଂସ୍ଥା ପୁରସ୍କୃତ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଆମେ ଅନୁରୋଧ କରୁଛୁ ଯେ ସେ କେନ୍ଦ୍ର ସରକାରଙ୍କର ବିଭିନ୍ନ ବିଭାଗରୁ ଓଡ଼ିଶାର ପଞ୍ଚାୟତିରାଜ ବିଭାଗର କାର୍ଯ୍ୟକାରିତା, ସଫଳତା ସମ୍ପର୍କରେ ତଥ୍ୟ ସଂଗ୍ରହ କରି ପ୍ରଥମେ ଅନୁଧ୍ୟାନ କଲେ ତାଙ୍କର ଭ୍ରମ ଦୂର ହୋଇପାରିବ ବୋଲି ଡକ୍ଟର ପାତ୍ର କହିଛନ୍ତି। ତାଙ୍କ ଦଳର ଓଡ଼ିଶା ନେତାମାନେ ଦେଉଥିବା ମିଥ୍ୟା ଓ ଭ୍ରମାତ୍ମକ ତଥ୍ୟକୁ ବିଶ୍ୱାସ କରି ଏପରି ମନ୍ତବ୍ୟ ପ୍ରଦାନରୁ ବିରତ ରହିବା ଆବଶ୍ୟକ ବୋଲି ପରାମର୍ଶ ଦେଇଛନ୍ତି।