ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମାଓବାଦୀ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ କାର୍ଯ୍ଯକାରୀ କରିବାକୁ ଦାବି

ନୂଆଦିଲ୍ଲୀ: ରାଜ୍ୟରେ ମାଓ ଉପଦ୍ରବକୁ ନିୟନ୍ତ୍ରଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ପ୍ରସ୍ତାବକୁ କାର୍ଯ୍ଯକାରୀ କରାଯାଉ । ସଂସଦରେ ସ୍ବତନ୍ତ୍ର ଆଲେଖ୍ୟ ମାଧ୍ୟମରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଉଠାଇଛନ୍ତି ଏହି ଦାବି । ଗତ ସେପ୍ଟେମ୍ବର ୨୬ ତାରିଖରେ ହୋଇଥିବା ମାଓ ଉପଦ୍ରୁତ ରାଜ୍ୟଗୁଡିକର ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ୫ଟି ପ୍ରସ୍ତାବ ଦେଇଥିଲେ । ଏହି ସବୁ ପ୍ରସ୍ତାବକୁ କାର୍ଯ୍ଯକାରୀ କରାଗଲେ, ମାଓ ଉପଦ୍ରୁତ ଅଞ୍ଚଳରେ ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ । ଅର୍ଥନୈତିକ ଅଭିବୃଦ୍ଧି ହିଁ, ମାଓ କାର୍ୟ୍ୟକଳାପକୁ ପ୍ରତିହତ କରିବାକୁ ସବୁ ବଳିଷ୍ଠ ମାଧ୍ୟମ ।

ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରସ୍ତାବଗୁଡିକ ମଧ୍ୟରେ,  ଜୟପୁରରୁ ମାଲକାନଗିରି ଦେଇ ମୋଟୁକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୩୨୬ର ଚାରି ଲେନ୍ ବିଶିଷ୍ଟ କରାଯାଉ । ଏହାଦ୍ବାରା ପୂର୍ବ ଭାରତରେ ଛତିଶଗଡ଼ ଝାଡଖଣ୍ଡକୁ, ଦକ୍ଷିଣ ଭାରତରେ ବେଙ୍ଗାଳୁରୁ ଓ ହାଇଦ୍ରାବାଦ ପର୍ୟ୍ୟନ୍ତ ଏକ ସମାନ୍ତରାଳ ରାସ୍ତା ଉନ୍ମୁକ୍ତ ହେବ । ସେହିଭଳି ରେଳବାଇ ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଜୟପୁରରୁ ନବରଙ୍ଗପୁର ଓ ଜୟପୁର ମାଲକାନଗିରି ରେଳ ଲାଇନ୍ ନିର୍ମାଣ କରାଯାଉଛି । ହେଲେ, ମାଲକାନଗିରିଠାରୁ ଭଦ୍ରାଚଳମ ଓ ନବରଙ୍ଗପୁର ଠାରୁ ଜୁନାଗଡ଼ ମଧ୍ୟରେ ରେଳ ଲାଇନ୍ ନିର୍ମାଣ ହେବାର ଆବଶ୍ୟକତା ରହିଛି । ଏହି ଦୁଇଟି ରେଳପଥ ଅଞ୍ଚଳର ଅର୍ଥନୈତିକ ବିକାଶରେ ସହାୟକ ହେବ । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଟେଲିଫୋନ୍ ଯୋଗାଯୋଗର ସୁଦୃଢ଼ିକରଣ ପାଇଁ ଆଉ ପ୍ରାୟ ୨ ହଜାର ମୋବାଇଲ ଷ୍ଟେସନ ପ୍ରତିଷ୍ଠା କରିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ । ସେହିଭଳି ମାଓ ପ୍ରଭାବିତ ଅଞ୍ଚଳରେ ଅଧିକ ବ୍ୟାଙ୍କ ଶାଖା ଖୋଲିବାକୁ ମଧ୍ୟ ରାଜ୍ୟ ସରକାର ଦାବି କରିଛନ୍ତି । ଏଥିପାଇଁ ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇ ଦେବେ । ମାଓ ଉପଦ୍ରୁତ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କୁ ନିଟ୍, ଜେଇଇ ଓ ଆଇଆଇଟିରେ ପ୍ରାଥମିକତା ଭିତ୍ତିରେ ପାଠ ପଢ଼ିବାକୁ ସୁଯୋଗ ଦିଆଯିବ ଉଚିତ୍ । ଏହି ୫ଟି ପ୍ରସ୍ତାବକୁ କାର୍ୟ୍ୟକାରୀ କରାଗଲେ, ମାଓ ଉପଦ୍ରୁତ ଅଞ୍ଚଳରେ ସାମାଜିକ ଓ ଅର୍ଥନୈତିକ ବିକାଶ ହୋଇପାରିବ । ଏହା ମାଓବାଦୀଙ୍କ କାର୍ୟ୍ୟକଳାପକୁ ପ୍ରତିହତ କରିବ । ମୁଖ୍ୟମନ୍ତ୍ରୀ ଦେଇଥିବା ଏହି ପ୍ରସ୍ତାବଗୁଡିକ କେନ୍ଦ୍ର ସରକାର ଗ୍ରହଣ କରିବାକୁ ସଂସଦରେ ସସ୍ମିତ ପାତ୍ର ଦାବି କରିଛନ୍ତି ।

Leave A Reply

Your email address will not be published.