ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାମନବମୀରୁ ପୁଣି ଗଡ଼ିବ ସମ୍ୱଲପୁର-ପୁରୀ ଇଣ୍ଟରସିଟି

ଅନୁଗୋଳ : ରାମନବମୀରୁ ପୁଣି ଗଡ଼଼ିବ ସମ୍ୱଲପୁର-ପୁରୀ ଇଣ୍ଟରସିଟି। ଏ ନେଇ ଘୋଷଣା କରିଛନ୍ତି ରେଳମନ୍ତ୍ରୀ। ଏହି ଟ୍ରେନ୍‍ ଚଳାଚଳ କଲେ ପୁରୀ, ଭୁବନେଶ୍ୱର ଓ କଟକର ଲୋକ ସହଜରେ ଅନୁଗୋଳ, ତାଳଚେର ଓ ସମ୍ୱଲପୁର ଯାତାୟାତ କରିପାରିବେ। ଶନିବାର ସମ୍ୱଲପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଓଡ଼ିଶାର ବିଧାୟକମାନେ ରେଳମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ଟ୍ରେନ୍‍ ଚଳାଚଳ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। କରୋନା ସଂକ୍ରମଣ ଯୋଗୁଁ ଦେଶର ସମସ୍ତ ଯାତ୍ରୀବାହୀ ଟ୍ରେନ୍‍ ବନ୍ଦରହିଥିଲା।

ଏବେ ସଂକ୍ରମଣ କମିବା ପରେ ଆଂଶିକ ଭାବେ କେତେକ ଟ୍ରେନ୍‍ ଗଡ଼ୁଛି। ପଶ୍ଚିମାଞ୍ଚଳର ଲୋକେ ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ଭୁବନେଶ୍ୱର ଓ ବିଶାଖାପାଟଣା ଉପରେ ଅଧିକ ନିର୍ଭର କରୁଥିବାରୁ ସମ୍ୱଲପୁରରୁ ବିଶାଖାପାଟଣାକୁ ଏକ ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ୍‍ ଚଳାଚଳ କରିବା ପାଇଁ ଏ ଅବସରରେ ଦାବି କରାଯାଇଛି। ଏବେ ବିଶାଖାପାଟଣା ଅମୃତସର ଏକ୍ସପ୍ରେସ ସପ୍ତାହକୁ ତିନିଦିନ ଚାଲୁଛି। ଏହି ଟ୍ରେନ୍‍କୁ ପ୍ରତିଦିନ ଚଲାଇବା ପାଇଁ ମଧ୍ୟ ଦାବି ହୋଇଛି। ବିଧାୟକଙ୍କ ସମସ୍ତ ଦାବିକୁ ଗୁରୁତ୍ୱର ସହ ନେଇ ବିଚାର କରିବାକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରତିଶ୍ରୁତି ଦେଇଥିବା ନେଇ ସମ୍ୱଲପୁର ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସରଞ୍ଜନ ବକ୍ସି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଏହି ଟ୍ରେନ୍‍ ଚାଲିବା ପାଇଁ ଅନୁଗୋଳ ତାଳଚେର, କିଶୋରନଗର ଓ ବଇଣ୍ଡା ପ୍ରଭୃତି ସ୍ଥାନରେ ଜନସାଧାରଣଙ୍କ ପକ୍ଷରୁ ବହୁବାର ଦାବି କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

Leave A Reply

Your email address will not be published.