କାଠଗଡ଼ାରେ ସମଲିଙ୍ଗୀ ବିବାହ : ଆଜି ରାୟ ଶୁଣାଇବେ ସୁପ୍ରିମକୋର୍ଟ, ଆଇନଗତ ମାନ୍ୟତା ସପକ୍ଷରେ ନାହାନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ : ସମଲିଙ୍ଗୀ ବିବାହ ବିପକ୍ଷରେ ମତ ରଖିଛନ୍ତି କେନ୍ଦ୍ର ସରକାର। ଭାରତରେ ସମଲିଙ୍ଗୀ ବିବାହକୁ ଅନୁମତି ଦେବାକୁ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ବିଚାର କରିବାକୁ ଦାବି କରାଯାଇଥିଲା ବେଳେ ଏହା ଉପରେ କୋର୍ଟ ଶୁଣାଣି ନ କରିବାକୁ କେନ୍ଦ୍ର ସରକାର ସତ୍ୟପାଠରେ ଦର୍ଶାଇଛନ୍ତି। ୧୫ଟି ଆବେଦନକୁ ବିରୋଧ କରି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ସମଲିଙ୍ଗୀ ବିବାହ ଭାରତୀୟ ସଂସ୍କୃତି ଏବଂ ପରମ୍ପରାର ବିରୋଧୀ ହୋଇଥିବା ବେଳେ ଭାରତୀୟ ପାରିବାରିକ ପରିକଳ୍ପନାର ମଧ୍ୟ ପରିପନ୍ଥୀ। ଭାରତର ସମାଜିକ ଏବଂ ବୈବାହିକ ଜୀବନ ଅର୍ଥ ଏକ ପରିବାର। ଗୋଟିଏ ପରିବାରର କଥା ଉଠିଲେ ସେଥିରେ ସ୍ବାମୀ, ପତ୍ନୀ ଏବଂ ସନ୍ତାନ ସନ୍ତତିଙ୍କ ବିଷୟ ଆସେ। କିନ୍ତୁ ଏହି ବ୍ୟବସ୍ଥା ସହିତ ବିବାହ ନ କରି ଦୁଇ ଜଣ ସାଥୀଭାବେ ଏକାଠି ରହିବା କିମ୍ବା ସମଲିଙ୍ଗୀଙ୍କ ମଧ୍ୟରେ ଯୌନ ସମ୍ପର୍କ ସ୍ଥାପନ କରିବା ଆଦୌ ତୁଳନୀୟ ହେବ ନାହିଁ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି।
ତେବେ ଗତକାଲି କେନ୍ଦ୍ର ସରକାର ଏନେଇ ସୁପ୍ରିମକୋର୍ଟକୁ ସତ୍ୟପାଠ ମାଧ୍ୟମରେ ଜଣାଇଥିବା ବେଳେ ଆଜି ଏହି ମାମଲାର ଶୁଣାଣି କରି ନିଜ ରାୟ ଶୁଣାଇବେ ମାନ୍ୟବର ସୁପ୍ରିମକୋର୍ଟ।
ଉଲ୍ଳେଖଯୋଗ୍ୟ ଯେ, ଏକ ସମଲିଙ୍ଗୀ ଦମ୍ପତି ସେମାନଙ୍କ ବିବାହକୁ ସ୍ୱୀକୃତି ଦେବା ପାଇଁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିବା ସହିତ ଏହା ଉପରେ ଶୁଣାଣି କରି ତ୍ବରିତ ନିଷ୍ପତ୍ତି ଶୁଣାଇବାକୁ ଆବେଦନ କରିଥÒଲେ। କିନ୍ତୁ ଏହାର ଶୁଣାଣି ପୂର୍ବରୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଉତ୍ତର ମାଗିଥିଲେ; ଯାହାକୁ ନେଇ କେନ୍ଦ୍ର ସରକାର ରବିବାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିବା ସହିତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ସମଲିଙ୍ଗୀ ବିବାହକୁ ମଞ୍ଜୁରୀ ଦିଆଯାଇ ପାରିବ ନାହିଁ ବୋଲି କହିଛନ୍ତି।
କେନ୍ଦ୍ର ସରକାର ଆହୁରି କହିଛନ୍ତି ଯେ, ଭାରତୀୟ ପରିବାରରେ ଜଣେ ପୁରୁଷ ଏବଂ ଜଣେ ମହିଳା ବିବାହ କରି ରହିଥାନ୍ତି। ପୁରୁଷ ସ୍ୱାମୀ ଏବଂ ମହିଳା ସ୍ତ୍ରୀ ଭାବେ ଏକାଠି ବାସ କରନ୍ତି। ବିବାହ ପରେ ସେମାନଙ୍କର ସନ୍ତାନ ହେବା ପରେ ପୁରୁଷ ‘ପିତା’ ଏବଂ ସ୍ତ୍ରୀ ’ମାତା’ର ଆଖ୍ୟା ଲାଭ କରିଥାଆନ୍ତି। କିନ୍ତୁ ସମଲିଙ୍ଗୀ ବିବାହ ଏହା ସହ କଦାଚିତ ତୁଳନାତ୍ମକ ହୋଇପାରିବ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି। କେନ୍ଦ୍ର ସରକାରଙ୍କ ତରଫରୁ ଦାଖଲ ହୋଇଥିବା ୫୬ ପୃଷ୍ଠାର ସତ୍ୟପାଠରେ କୁହାଯାଇଛି ଯେ, ସୁପ୍ରିମକୋର୍ଟ ଓ ହାଇକୋର୍ଟ ସେମାନଙ୍କର ଅନେକ ନିଷ୍ପତ୍ତିରେ ବ୍ୟକ୍ତିଗତ ସ୍ୱାଧୀନତାର ବ୍ୟାଖ୍ୟା ସ୍ପଷ୍ଟ କରିଛନ୍ତି। ଏହି ନିଷ୍ପତ୍ତିଗୁଡିକୁ ଦୃଷ୍ଟିରେ ରଖି ଏହି ଆବେଦନକୁ ମଧ୍ୟ ଖାରଜ କରାଯିବା ଉଚିତ୍। କାରଣ ଏହି ପ୍ରସଙ୍ଗରେ କୌଣସି ଶୁଣାଣି କରାଯିବାର ଆବଶ୍ୟକତା ନାହିଁ।ଯୋଗ୍ୟତା ଆଧାରରେ ଏହି ଆବେଦନକୁ ଖାରଜ କରିଦେବା ଠିକ୍ ହେବ। ଆଇନ ଅନୁଯାୟୀ ମଧ୍ୟ ସମଲିଙ୍ଗୀ ବିବାହକୁ ମାନ୍ୟତା ମିଳିପାରିବ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି।
ସମଲିଙ୍ଗୀ ଯୌନ ସମ୍ପର୍କକୁ ମିଳିସାରିଛି ନ୍ୟାୟିକ ସ୍ବୀକୃତି
ସମଲିଙ୍ଗୀ ବିବାହ ପ୍ରସଙ୍ଗକୁ ନେଇ ଏବେ ବିବାଦ ଚାଲିଥିବା ବେଳେ ପୂର୍ବରୁ ସମଲିଙ୍ଗୀ ଯୌନ ସମ୍ପର୍କକୁ ନ୍ୟାୟିକ ସ୍ବୀକୃତି ମିଳିସାରିଛି। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଦାଏର କରାଯାଇଥିବା ଏକ ଆବେଦନର ବିଚାର କରି ପୂର୍ବତନ ପ୍ରଧାନବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ୨୦୧୮ରେ ଏହାକୁ ଆଇନସମ୍ମତ ବୋଲି କହିସାରିଛନ୍ତି। ବ୍ରିଟିଶ ଶାସନକାଳରେ ୧୮୬୦ ମସିହାରେ ଯେତେବେଳେ ଭାରତୀୟ ପିଙ୍ଗଳ କୋଡ୍(ଆଇପିସି)ପ୍ରସ୍ତୁତ ହୋଇଥିଲା ସେତେବେଳେ ଏହାର ଧାରା ୩୭୭ରେ ସମଲିଙ୍ଗୀ ଯୌନ ସମ୍ପର୍କକୁ ପ୍ରକୃତି ବିରୋଧୀ କୁହାଯାଇ ଏହାକୁ ଅପରାଧ ଶ୍ରେଣୀଭୁକ୍ତ କରାଯାଇଥିଲା। କିନ୍ତୁ ଅଧିକାଂଶ ସମୟରେ ସମଲିଙ୍ଗୀ ଏବଂ କିନ୍ନରମାନଙ୍କୁ ସମାଜରେ ନ୍ୟାୟ ମିଳୁ ନଥିବା ଏବଂ ସେମାନେ ବିଭିନ୍ନ କ୍ଷେତ୍ରରେ ଅନ୍ୟାୟ ଓ ପକ୍ଷପାତିତାର ଶିକାର ହେଉଥିବା ଦର୍ଶାଇ ଜଷ୍ଟିସ୍ ମିଶ୍ର ଆଇପିସି ଧାରା ୩୭୭କୁ କୋହଳ କରିବା ସହିତ ସମଲିଙ୍ଗୀ ଯୌନ ସମ୍ପର୍କକୁ ସ୍ବୀକୃତି ଦେଇଥିଲେ।