ଦିନେ ରାଜନୀତିର କୋଳାହଳ ଭିତରେ ବିତୁଥିଲା ଦିନ; ଏବେ ନିଃସଙ୍ଗତା ସହ ସଂଗ୍ରାମ କରୁଛନ୍ତି ସମ୍ବଲପୁରର ପୂର୍ବତନ ନଗର ପାଳ ସଂଗ୍ରାମ ସାହାଣୀ

ସମ୍ବଲପୁର(ବିମଳକୃଷ୍ଣ ଥମ୍ବ): ରାଜନୀତିର କୋଳାହଳ ଭିତରେ ଦିନ ବିତୁଥିଲା; ଏବେ ପଦବୀ ନାହିଁ, କ୍ଷମତା ବି ନାହିଁ। ନିଃସଙ୍ଗତା ସହ ସଂଗ୍ରାମ କରୁଛନ୍ତି ସମ୍ବଲପୁରର ପୂର୍ବତନ ନଗର ପାଳ ସଂଗ୍ରାମ ସାହାଣୀ। ସରକାରୀ ଚାକିରି, ପେନ୍ସନର ସୁରକ୍ଷା ଛାଡ଼ି ସେ ରାଜନୀତିରେ ପ୍ରବେଶ କରିଥିଲେ। ନୀତି ଓ ଆଦର୍ଶର ରାଜନୀତି କରୁଥିବା ସଂଗ୍ରାମ ଏବେ ଏକାନ୍ତ ଜୀବନ ବିତାଉଛନ୍ତି। ଗୋଲବଜାର ବମ୍ବେ ଲଜ୍ର ପାହାଚ ପାଖରେ ଏବେ ତାଙ୍କର ପୃଥିବୀ। ନା ସାହାଯ୍ୟ ଲୋଡ଼ା ନା ସହାନୁଭୂତି। ଅକୁହା ଯନ୍ତ୍ରଣା ସତ୍ତ୍ବେ ସେ ନିର୍ବିକାର।
ସ୍ୱାଧୀନତା ପୂର୍ବର ମଣିଷ ସିଏ। ୧୯୩୪ରେ ଜନ୍ମିତ ସଂଗ୍ରାମଙ୍କ ପାଇଁ ରାଜନୀତି ଏକ ପସନ୍ଦ କଦାପି ନ ଥିଲା। ସେତେବେଳେ ସପ୍ତମ ପାସ୍ କଲେ ବି ଚାକିରି ମିଳୁଥିଲା। ମାଟ୍ରିକ ପରେ ତାଙ୍କର ଅନେକ ସାଙ୍ଗ ଚାକିରି କରିଥିଲେ। ସେ କିନ୍ତୁ ପଢ଼ା ଜାରି ରଖିଥିଲେ। ଗଙ୍ଗାଧର ମେହେର କଲେଜରେ ବିଏ ପଢ଼଼଼ୁଥିବା ବେଳେ ତାଙ୍କ ସାଙ୍ଗମାନେ ଜୋର୍ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଟ୍ରେଜେରୀ କିରାଣୀ ଚାକିରି ପାଇଁ ଚାଲୁଥିବା ଇଣ୍ଟର୍ଭ୍ୟୁକୁ ନେଇଯାଇଥିଲେ। କିରାଣୀ ଭାବେ ଚାକିରି ଆରମ୍ଭ ହୋଇଥିଲା; କିନ୍ତୁ ତାଙ୍କ ପାଇଁ ରାଜନୀତିର ରାସ୍ତା ଅପେକ୍ଷା କରିଥିଲା।
୧୯୭୬ ମସିହା ପୌର ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସ୍ଥାନୀୟ ପଟ୍ଟନାୟକପଡ଼ାର ଗୁରୁଜନଶ୍ରେଣୀୟ ଲୋକମାନେ ତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ବାଧ୍ୟ କରିଥିଲେ। ଅନେକ ବୁଝାଇବା ପରେ ସେ ଚାକିରି ଛାଡ଼ି ନିର୍ବାଚନ ଲଢ଼ିବା ପାଇଁ ରାଜି ହୋଇଥିଲେ। ସେ ବାମପନ୍ଥୀ ଓ ସାମ୍ୟବାଦ ପ୍ରତି ରୁଚି ରଖୁଥିଲେ ମଧ୍ୟ ତାଙ୍କର କିଛି ରାଜନୈତିକ ଆନୁଗତ୍ୟ ନ ଥିଲା। ତେଣୁ ସ୍ୱାଧୀନ ପ୍ରାର୍ଥୀ ଭାବେ କାଉନସିଲର ଭାବେ ନିର୍ବାଚନ ଲଢ଼ିଥିଲେ। ବିପୁଳ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ ସଂଗ୍ରାମ। ସ୍ୱାଧୀନ ପ୍ରାର୍ଥୀ ହୋଇଥିଲେ ମଧ୍ୟ କଂଗ୍ରେସ କାଉନସିଲରଙ୍କ ସମର୍ଥନରେ ସେ ନଗରପାଳ ନିର୍ବାଚିତ ହୋଇଥିଲେ। ସେଇଠୁ ତାଙ୍କର ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା। ଏହା ପରେ ଦ୍ୱିତୀୟ ଥର ପାଇଁ ମଧ୍ୟ ସେ ନଗରପାଳ ନିର୍ବାଚିତ ହୋଇଥିଲେ ସଂଗ୍ରାମ। ତୃତୀୟ ଥର ପାଇଁ ମଧ୍ୟ ସେ କାଉନସିଲର ହୋଇଥିଲେ। ତାଙ୍କ ରାଜନୈତିକ ଯାତ୍ରା ଏତିକିରେ ସୀମିତ ଥିଲା।
ନିଜେ କିଛି ସମ୍ପତ୍ତି ଅର୍ଜନ କରି ନ ଥିଲେ ସଂଗ୍ରାମ। କିନ୍ତୁ କ୍ରୀଡ଼ାର ବିକାଶ ପାଇଁ ତାଙ୍କ ଭାଗରେ ପଡ଼ିଥିବା ପୈତୃକ ସମ୍ପତ୍ତିକୁ ବିକିଦେଇଥିଲେ। ସ୍ଥାନୀୟ ଚାରଭାଟି ଅଞ୍ଚଳରେ ଥିବା ଜମିକୁ ୧୦ ଲକ୍ଷଟଙ୍କାରେ ବିକିଥିଲେ। ବାପା ଗୌରୀଶଙ୍କର ସାହାଣୀଙ୍କ ନାମରେ ଟ୍ରଷ୍ଟ ଗଠନ କରି ଏହି ଅର୍ଥ ଦାନ କରିଦେଇଥିଲେ। ତାଙ୍କ ବାପାଙ୍କ ନାମରେ ରାଜ୍ୟସ୍ତରୀୟ ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟ ମଧ୍ୟ ଆୟୋଜିତ ହେଉଛି। ସେ ଜିଲ୍ଲା କ୍ରୀଡ଼ା ସମ୍ପାଦକ ଥିବା ବେଳେ ସମ୍ବଲପୁର ଷ୍ଟାଡ଼ିୟମ ନିର୍ମାଣ ହୋଇଥିଲା।
୮୯ ବର୍ଷ ହେଲାଣି ସଂଗ୍ରାମଙ୍କୁ, ତଥାପି ମନରେ କେତେ ଟାଣ। କହିଛନ୍ତି, ‘ହାତଗୋଡ଼ ଚାଲୁଥିବା ପର୍ଯ୍ୟନ୍ତ ଏଠାରେ ରହିବି। ତେଣିକି ପୁତୁରା ଘରକୁ ଚାଲିଯିବି’। କ୍ଷମତାର ଅଳିନ୍ଦରେ ଅନେକ ବର୍ଷ ବିତାଇଥିବା ସଂଗ୍ରାମଙ୍କ ପାଇଁ ସଚ୍ଚୋଟତା ହିଁ ଆଦର୍ଶ ଥିଲା। ସେତେବେଳେ ରାଜନୀତିରେ ହିଂସା ନ ଥିଲା। ସେବାକୁ ଲକ୍ଷ୍ୟ କରି ଅନେକ ରାଜନୀତିକୁ ଆସୁଥିଲେ ବୋଲି ସେ କହିଛନ୍ତି।