ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସାମ୍‌ କରନ୍‌ଙ୍କ ରେକର୍ଡ : ଆଇପିଏଲ ଇତିହାସରେ ହେଲେ ସବୁଠୁ ଦାମୀ ଖେଳାଳି

ନୂଆଦିଲ୍ଲୀ :  ଆଇପିଏଲ୍‌ ଇତିହାସରେ ସବୁ ରେକର୍ଡକୁ ପଛରେ ପକାଇ ଇଂଲଣ୍ଡ ଅଲ୍‌ରାଉଣ୍ଡର ସାମ୍‌ କରନ୍‌ ହୋଇଛନ୍ତି ସବୁଠୁ ଦାମୀ ଖେଳାଳି। ଆଜିଠାରୁ କୋଚିରେ ଆରମ୍ଭ ହୋଇଛି ଆଇପିଏଲ ୨୦୨୩ ପାଇଁ ମିନି ଅକ୍ସନ । ତେବେ ମୋଟ ୪୦୫ ଜଣ ଖେଳାଳୀଙ୍କ ମଧ୍ୟରୁ ୮୭ ଜଣ ଖେଳାଳୀଙ୍କୁ କିଣିବାକୁ ଆରମ୍ଭ ହୋଇଛି ଏହି ନିଲାମୀ । ତେବେ ନିଲାମୀ ଆରମ୍ଭରୁ ହିଁ ଯାହା ଆଶା କରାଯାଉଥିଲା ତାହା ହୋଇଛି। ଟି-୨୦ ବିଶ୍ୱକପର ମ୍ୟାନ ଅଫ ଦି ସିରିଜ୍‌ ତଥା ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ସାମ୍‌ କରନ୍‌ ଆଇପିଏଲ ଅକ୍ସନରେ ନୂଆ ରେକର୍ଡ କରିଛନ୍ତି।


ସେ ପ୍ରଥମ କ୍ରିକେଟର ଭାବେ ୧୮.୫୦ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି। ଏତେ ପରିମାଣର ଟଙ୍କା ଦେଇ ତାଙ୍କୁ ପଞ୍ଜାବ କିଙ୍ଗସ ନିଜ ସହ ସାମିଲ କରିଛି। ଏହାପୂର୍ବରୁ ଆଇପିଏଲରେ କୌଣସି ଭାରତୀୟ କିମ୍ବା ବିଦେଶ ଖେଳାଳିଙ୍କୁ ଏତେ ଟଙ୍କାରେ କେହି ବି କିଣି ନଥିଲେ। ଆଜି ସାମ କରନ ସବୁ ରେକର୍ଡ ଭାଙ୍ଗି ଆଇପିଏଲ ଇତିହାସରେ ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି।


ଆହତ କାରଣରୁ ୨୦୨୨ ଆଇପିଏଲ ଖେଳିନଥିବା ଇଂଲଣ୍ଡ ଅଲ୍‌ରାଉଣ୍ଡର ସାମ୍‌ କରନ୍‌ ୨୦୨୩ ଆଇପିଏଲରେ ସବୁଠାରୁ ମହଙ୍ଗା ଖେଳାଳି ଭାବେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୨୦୨୨ରେ ଆହତ କାରଣରୁ ଆଇପିଏଲ ଖେଳିପାରିନଥିବା ସାମ୍‌ କରନ୍‌ ସୁସ୍ଥ ହେବା ପରେ ଇଂଲଣ୍ଡ ପାଇଁ ଟି-୨୦ ଫର୍ମାଟରେ କ୍ରମାଗତ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ଟି-୨୦ ବିଶ୍ୱକପରେ ସେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ଏଥିପାଇଁ ଟି-୨୦ ବିଶ୍ୱକପ ଫାଇନାଲରେ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ସହ ସିରିଜ୍‌ ମଧ୍ୟ ମିଳିଥିଲା। ଇଂଲଣ୍ଡ ତାଙ୍କ ଦମରେ ବିଶ୍ୱକପ ଟ୍ରଫି ମଧ୍ୟ ଜିତିଥିଲା। ଏବେ ଏହି ପ୍ରଦର୍ଶନର ଲାଭ ତାଙ୍କୁ ଆଇପିଏଲର ମିନି ଅକ୍ସନରେ ମିଳିଛି। ସେହି ଦମ୍‌ଦାର ଫର୍ମ ପାଇଁ ତାଙ୍କ ଆଇପିଏଲରେ ଏତେ ଦାମରେ କିଣିଛି ପଞ୍ଜାବ।

ସୂଚନାଯୋଗ୍ୟ  ସାମ କୁରାନ ପଞ୍ଜାବ ପକ୍ଷରୁ ୨୦୧୯ ଆଇପିଏଲରେ ଡେବ୍ୟୁ କରିଥିଲେ। ସେତେବେଳେ ଦଳ ତାଙ୍କୁ ୭.୨ କୋଟି ଟଙ୍କାରେ କିଣିଥିଲା। ତାଙ୍କ ପ୍ରଦର୍ଶନ ଭଲ ନ ରହିବାରୁ ୨୦୨୦ ଅକ୍ସନ ପୂର୍ବରୁ ପଞ୍ଜାବ ତାଙ୍କୁ ରିଲିଜ କରି ଦେଇଥିଲେ। ୨୦୨୦ ଅକ୍ସନରେ ଚେନ୍ନାଇ ତାଙ୍କୁ ୫.୫ କୋଟି ଟଙ୍କାରେ କିଣିଥିଲା। ୨ ବର୍ଷ କାଳ ସେ ଚେନ୍ନାଇ ପାଇଁ ଖେଳିଥିଲେ। ୨୦୨୨ରେ ସେ ଆଇପିଏଲ ଖେଳି ନଥିବା ବେଳେ ଏବେ ପୁଣି ୧୮.୫୦ କୋଟି ଟଙ୍କାରେ ପଞ୍ଜାବ ତାଙ୍କୁ ଦଳକୁ ଫେରାଇ ଆଣିଛି।

Leave A Reply

Your email address will not be published.