ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୨୦୨୪ ସୁଦ୍ଧା ଆମେରିକା ପରି ରାଜପଥ

କେନ୍ଦ୍ରମନ୍ତ୍ରୀଙ୍କ ଘୋଷଣା ଧୂଆଁବାଣ ନ ହେଉ

ବିକାଶ ଧାରାରେ ଗମନାଗମନର ପ୍ରମୁଖ ଭୂମିକା ଅନସ୍ୱୀକାର୍ଯ୍ୟ। ସଡ଼କ ପଥ, ରେଳ ପଥ ଓ ବିମାନ ପଥର ଯେତେ ଉନ୍ନତି ହେବ ଯୋଗାଯୋଗ ବ୍ୟବସ୍ଥା ସେତେ କ୍ଷୀପ୍ର ଓ ସୁଦୃଢ଼ ହେବ। ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁଫଳ ସମାଜର ସବୁଠାରୁ ତଳସ୍ତରରେ ଥିବା ଲୋକଟି ପାଖରେ ଅଚିରେ ପହଞ୍ଚିପାରିବ। ବିକାଶ ଓ ଅଭିବୃଦ୍ଧିରେ ଗମନାଗମନ ବା ଯୋଗାଯୋଗର ଉପରୋକ୍ତ ତିନିଟି ମାଧ୍ୟମ ମଧ୍ୟରୁ ସଡ଼କ ପଥ ସବୁଠାରୁ ଅଧିକ ପ୍ରଭାବଶାଳୀ ଓ ବହୁଳ ଆଦୃତ। ସାଧାରଣ ଜନଜୀବନକୁ ଚଳଚଞ୍ଚଳ କରିବାରେ ସଡ଼କ ପଥର ଭୂମିକା ସବୁଠାରୁ ଅଧିକ। ତେଣୁ ଏକ ଜନମଙ୍ଗଳ ସରକାରର ପ୍ରମୁଖ କର୍ତ୍ତବ୍ୟ ଓ ଅଗ୍ରାଧିକାର କ୍ଷେତ୍ର ହେଉଛି ସଡ଼କ ପଥର ଦ୍ରୁତ ବିକାଶ। ଆହୁରି ମଧ୍ୟ କୁହାଯାଏ କେଉଁ ଦେଶ, ରାଜ୍ୟ ବା ସହର କେତେ ଉନ୍ନତ ଓ ବିକଶିତ, ତାହା ତା’ର ସଡ଼କ ପଥ ସୂଚାଇଦିଏ। ଏହି ଦୃଷ୍ଟିକୋଣରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ସରକାର ଗତ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ରାଜ୍ୟରେ ସବୁ ଅଞ୍ଚଳ, ବିଶେଷକରି ଅନୁନ୍ନତ ଅଞ୍ଚଳଗୁଡ଼ିକୁ ସଡ଼କ ପଥ ସଂଯୋଗ ଓ ରାଜ୍ୟପଥ ଉନ୍ନତୀକରଣ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି। ଓଡ଼ିଶା ଯଦି ଦୁଇ ଦଶନ୍ଧି ତଳର ଏକ ଅନଗ୍ରସର ରାଜ୍ୟରୁ ଆଜି ଏକ ଦ୍ରୁତବିକାଶୋନ୍ନୁଖୀ, ପ୍ରଗତିଶୀଳ ଓ ରାଜସ୍ୱ ବଳକା ରାଜ୍ୟର ପରିଚୟ ହାସଲ କରିପାରିଛି ତା’ ପଛରେ ରହିଛି ଓଡ଼ିଶାର ସଡ଼କ ଭିତ୍ତିଭୂମିର ନିରନ୍ତର ଓ ଦୀର୍ଘସ୍ଥାୟୀ ବିକାଶ କାର୍ଯ୍ୟକ୍ରମ।

ଏହି ପୃଷ୍ଠଭୂମିରେ ଜାତୀୟ ରାଜପଥର ଭୂମିକା ମଧ୍ୟ ଏକ ସ୍ୱତନ୍ତ୍ର ଆଲୋଚନାର ଅପେକ୍ଷା ରଖେ। ଜଗତୀକରଣ ପରେ ବ୍ୟବସାୟ ଓ ବାଣିଜ୍ୟର ଆକାର ବିଶାଳ ହୋଇଚାଲିଛି। ଏ କ୍ଷେତ୍ରରେ ପରିବହନର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବେଳେ ଉନ୍ନତ ସଡ଼କ ପଥର ବିକାଶ ବିନା ସୁସଂହତ, ଶୃଙ୍ଖଳିତ ଓ ସମୟାନୁବର୍ତ୍ତୀ ପରିବହନ ବ୍ୟବସ୍ଥାର ପରିକଳ୍ପନା ଅବାସ୍ତବ। ଜାତୀୟ ରାଜପଥର ପ୍ରଭୂତ ବିକାଶ ଯୋଗୁଁ ହିଁ ଖାଦ୍ୟ ନିରାପତ୍ତା ଏବଂ ନିତ୍ୟ ବ୍ୟବହାର୍ଯ୍ୟ ଖାଉଟି ସାମଗ୍ରୀର ସୁଲଭ ଓ ସୁଷମ ବଣ୍ଟନ ସାରା ଦେଶରେ ସମ୍ଭବ ହୋଇପାରିଛି। କୃଷି ଉତ୍ପାଦରୁ ଆରମ୍ଭ କରି କୁଟୀର ଶିଳ୍ପ ଓ ଭାରି ଶିଳ୍ପ ସାମଗ୍ରୀ ସହଜରେ ଦେଶର ଗୋଟିଏ ମୁଣ୍ଡରୁ ଆରପାଖକୁ ସହଜରେ ପହଞ୍ଚିପାରୁଛି ଏବଂ ବିପରୀତ ଦୁଇଦିଗନ୍ତର ଲୋକଙ୍କୁ ଅତିଶୀଘ୍ର ଯୋଡ଼ି ପାରୁଛି।

କହିବା ବାହୁଲ୍ୟ, ଆଜିର ସମୟରେ ଯୋଗାଯୋଗ ଓ ଗମନାଗମନର ସୁଗମତା ହିଁ ସମଗ୍ର ବିଶ୍ୱକୁ ଏକ ଗ୍ରାମରେ ପରିଣତ କରିଦେଇଛି। ଦେଶର ସାମଗ୍ରିକ ଅଭିବୃଦ୍ଧି ଓ ପ୍ରଗତିରେ ଜାତୀୟ ରାଜପଥର ଅପରିହାର୍ଯ୍ୟ ଆବଶ୍ୟକତାକୁ ଉପଲବ୍ଧି କରି ସ୍ୱାଧୀନତା ପରବର୍ତ୍ତୀ ସମୟରେ, ବିଶେଷକରି ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଅମଳରେ ଏ ଦିଗରେ ଦୂରଦର୍ଶୀ ଯୋଜନା ହାତକୁ ନିଆଯାଇଥିଲା। ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ ଅମଳରେ ‘ସ୍ୱର୍ଣ୍ଣିମ ଚତୁର୍ଭୁଜ’ ଯୋଜନା ଜରିଆରେ ଜାତୀୟ ରାଜପଥର ବିକାଶ ଯୋଜନା ଏକ ନବଜନ୍ମ ପାଇଥିଲା, ଯାହାକୁ ବର୍ତ୍ତମାନର ଏନ୍‌‌ଡିଏ ସରକାର ଜାରି ରଖିଛନ୍ତି। ତେଣୁ ବର୍ତ୍ତମାନ ଜାତୀୟ ରାଜପଥ ପ୍ରକଳ୍ପ ଅଧୀନସ୍ଥ ସମସ୍ତ ରାସ୍ତାକୁ ଆମେରିକା ମାନର କରାଯିବ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ୍‌‌ ଗଡ଼କରି ଯେଉଁ ସ୍ୱପ୍ନ ଦେଖାଇଛନ୍ତି ତାହାର ଆବଶ୍ୟକତାକୁ ସ୍ୱୀକାର କରିବାର ବେଳ ଆସିଛି। ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଅବସରରେ ସେ କହିଛନ୍ତି ଯେ କୌଣସି ଅଞ୍ଚଳର ଅର୍ଥନୈତିକ ବିକାଶରେ ଶିଳ୍ପର ପ୍ରମୁଖ ଭୂମିକା ରହିଛି। ତେଣୁ ଶିଳ୍ପ ପାଇଁ ପରିବହନ ବ୍ୟବସ୍ଥା ସୁଦୃଢ଼ ହେବା ଆବଶ୍ୟକ।

ବାସ୍ତବ ଦୃଷ୍ଟିକୋଣରୁ ବିଚାର କଲେ ଶ୍ରୀଗଡ଼କରି କିଛି ନୂଆ କଥା କହିନାହାନ୍ତି। କିନ୍ତୁ ଏଥିପାଇଁ ସେ ଯେଉଁ ଅବଧି ଧାର୍ଯ୍ୟ କରିଛନ୍ତି ସେଥିରେ ପ୍ରାକ୍‌‌ ନିର୍ବାଚନୀ ବାସ୍ନା ଥିବା ପରି ମନେ ହେଉଛି। ଭାରତରେ ପ୍ରକଳ୍ପ କାର୍ଯ୍ୟକାରିତା ଓ ନିର୍ମାଣ ମାନର ରେକର୍ଡ ଯାହା, ସେଥିରେ ଆଉ ବର୍ଷେ କିମ୍ବା ପ୍ରାୟ ଦେଢ଼ ବର୍ଷ ଭିତରେ ଭାରତର ଜାତୀୟ ରାଜପଥ ଯେ ଆମେରିକା ଭଳି ହୋଇଯିବ ତାହା ଅତିଶୟୋକ୍ତି ବୋଧ ହେବା ସ୍ୱାଭାବିକ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରାଜପଥର ବିକାଶ ନିମନ୍ତେ ନିରନ୍ତର ଉଦ୍ୟମ କରୁଛନ୍ତି ଏବଂ ଦେଶରେ ସଡ଼କ ପଥର ବିକାଶ ଖୁବ୍‌‌ ଦ୍ରୁତତର ହୋଇଛି ଏହା ନିଃସନ୍ଦେହ। କିନ୍ତୁ ଭାରତର ସଡ଼କ ପଥ ଯେ ଆମେରିକା ପରି ହୋଇଯିବ ତାହା ଭାବିବା ବେଳେ ସେଥିରେ ବାସ୍ତବତା କମ୍‌‌ ସ୍ୱପ୍ନବିଳାସ ଅଧିକ ଥିବା ମନେ ହେଉଛି। ଏହି ଘୋଷଣା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଗଡ଼କରୀ ମହାଶୟଙ୍କ ଏକ ନିର୍ବାଚନ ପ୍ରତିଶ୍ରୁତି ନୁହେଁ ତ ବୋଲି ରାଜନୈତିକ ବିଶେଷଜ୍ଞମାନେ ପ୍ରଶ୍ନ କରିଛନ୍ତି। ଘୋଷଣା ଓ କାର୍ଯ୍ୟକାରିତାରେ କିଭଳି ଆକାଶ ପାତାଳ ଫରକ ରହିଛି ତାହା ଭାରତବାସୀଙ୍କ ଦେହସୁହା ହୋଇଗଲାଣି। ତେଣୁ ଗଡ଼କରୀ ମହାଶୟଙ୍କ ଘୋଷଣାକୁ ହଠାତ୍‌‌ ବିଶ୍ୱାସକୁ ନେଇ ହେଉନାହିଁ।

କେନ୍ଦ୍ରମନ୍ତ୍ରୀ ଶ୍ରୀଗଡ଼କରିଙ୍କ ଲକ୍ଷ୍ୟ ଓ ଘୋଷଣା ସ୍ୱପ୍ନବିଳାସ ହେଉ କି ବାସ୍ତବବାଦୀ ଓଡ଼ିଶା ସରକାର କିନ୍ତୁ ଓଡ଼ିଶାବାସୀଙ୍କ ପ୍ରଗତି ପଛରେ ରହିଥିବା ଅଙ୍ଗୀକାରବଦ୍ଧତାକୁ ପାଳନ କରି ଆସୁଛନ୍ତି। ଏହା ମଧ୍ୟ କୌଣସି ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ନୁହେଁ, ବରଂ ପୂର୍ବ ନିର୍ବାଚନ ପ୍ରତିଶ୍ରୁତି ପାଳନ କରିବାରେ ରାଜ୍ୟ ସରକାରଙ୍କ ନିଷ୍ଠାପରତାକୁ ପ୍ରମାଣିତ କରୁଛି। ବିଜୁ ଏକ୍ସପ୍ରେସ୍‌‌ ହାଇୱେ, ବିଜୁ ସେତୁ ଯୋଜନା ଆଦି ଏହାର ଉଦାହରଣ। ଏହାଛଡ଼ା ଗ୍ରାମାଞ୍ଚଳର ଲୋକେ କିଭଳି ସହରାଞ୍ଚଳ ଭଳି ସବୁ ମୌଳିକ ସୁବିଧା ସୁଯୋଗ ପାଇପାରିବେ ସେଥିପାଇଁ ଓଡ଼ିଶା ସରକାର ଗ୍ରାମ୍ୟ ଗମନାଗମନ ଭିତ୍ତିଭୂମିର ବିକାଶ ପାଇଁ ବଜେଟ୍‌‌ ବ୍ୟୟବରାଦ ବୃଦ୍ଧି କରି ଆସୁଛନ୍ତି।

ଏହା ଅବଶ୍ୟ ଅସ୍ୱୀକାର କରିବାର ନାହିଁ ଯେ କୌଣସି ରାଜ୍ୟ ଯେତେ ସମୃଦ୍ଧ ଓ ସ୍ୱାବଲମ୍ବୀ ହେଉ ପଛକେ ଜାତୀୟ ରାଜପଥର ସେବା ବିନା ବିକାଶର ମୁଖ୍ୟ ସ୍ରୋତରେ ସାମିଲ୍‌ ହୋଇପାରିବ ନାହିଁ। ତେଣୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱପ୍ନ ବାସ୍ତବତାରେ ପରିଣତ ହେଲେ ଏହା ସମସ୍ତଙ୍କର ଉପକାରରେ ଆସିବ। କିନ୍ତୁ ଏହା କେବଳ ନିର୍ବାଚନୀ ଧୂଅାଁବାଣ ନ ହେଉ। ସୁନ୍ଦର ନାରାୟଣ ପାତ୍ର, ଭୁବନେଶ୍ୱର, ମୋ: ୯୪୩୭୧୯୦୪୨୦

Leave A Reply

Your email address will not be published.