ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଗକୁ ଉତ୍କଟ ହେବ ଜଳସଂକଟ, କୃଷିକୌଶଳ ପରିବର୍ତ୍ତନ ଜରୁରୀ

ଜଳବାୟୁ ପ୍ରାୟ ବଦଳି ଗଲାଣି। ବର୍ଷା କମିଛି, ଖରା ବଢ଼଼ୁଛି ଏବଂ ପୃଥିବୀର ଗତି ବୃଦ୍ଧି ପାଉଛି। ଏହାର ସିଧାସଳଖ ପ୍ରଭାବ ଜୀବନ ଓ ଜୀବିକା ଉପରେ ପଡ଼ିବା ପ୍ରାୟ ନିଶ୍ଚିତ। ଜଳାଭାବ କାରଣରୁ ଖାଦ୍ୟ, ପାନୀୟ ଓ ଶକ୍ତି ସଙ୍କଟ ସୃଷ୍ଟି ହେବା ସହିତ ଅର୍ଥନୀତି ମଧ୍ୟ ପ୍ରଭାବିତ ହେବ। ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବ। ଏହା ମନଗଢ଼ା କଥା ନୁହେଁ; ଅନୁଭବ ଓ ଅନୁଭୂତି ପ୍ରସୂତ ଏବଂ ସମସ୍ତଙ୍କୁ ପ୍ରାୟତଃ ଦୃଶ୍ୟମାନ ହେବା ଭଳି ଏକ ବିଷୟ। ଆମ ଓଡ଼ିଶା କଥା ଦେଖାଯାଉ। ଏକଦା ଏହା ଭାରତର ଏକ ପ୍ରମୁଖ ଜଳବଳକା ରାଜ୍ୟ ଥିଲା। ଖୁବ୍‌‌ କମ୍‌‌ଦିନ ମଧ୍ୟରେ ଏଠି ପରିସ୍ଥିତି ବଦଳିଯାଇଛି। ଉପରମୁଣ୍ଡରେ ବନ୍ଧ ନିର୍ମାଣ ଫଳରେ ମହାନଦୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା ଭଳି ପ୍ରମୁଖ ନଦୀଗୁଡ଼ିକ ବର୍ଷର ୨ ମାସ ପ୍ରାୟ ଶୁଖି ଯାଉଛନ୍ତି। ନଦୀ ଶୁଖିଗଲେ ଜଳଭଣ୍ଡାର ଅର୍ଥହୀନ ହୋଇପଡ଼େ। କେନାଲ ବ୍ୟବସ୍ଥା କାମ କରେ ନାହିଁ। ଓଡ଼ିଶାରେ ଆଜି ସେଭଳି ପରିସ୍ଥିତି। ଆମେ ଏବେ ଦେଖୁଛୁ ରାଜ୍ୟର ପ୍ରମୁଖ ନଦୀଗୁଡ଼ିକରେ ଜଳସେଚନ ବିଭାଗ ଆଡ଼ି ବନ୍ଧମାନ କରି ପାଣି ଅଟକାଇ ତିରୋଟ ସମୟର ଆବଶ୍ୟକତା ପୂରଣ କରୁଛନ୍ତି।

୨୦୨୨ର ଲାନ୍‌‌ସେଟ୍‌‌ ରିପୋର୍ଟ ଅନୁସାରେ ୨୦୦୦ ରୁ ୨୦୦୪ ଓ ୨୦୦୭ ରୁ ୨୦୨୧ ମଧ୍ୟରେ ଭାରତର ବାର୍ଷିକ ଉତ୍ତାପ ବୃଦ୍ଧି ଜନିତ ମୃତ୍ୟୁସଂଖ୍ୟା ୫୫% ବଢ଼଼ିଛି। ଏଥିରେ ୬୫ ବର୍ଷ ବୟସରୁ ଊର୍ଦ୍ଧ୍ବ ଲୋକଙ୍କର ଅଧିକ ପ୍ରାଣ ହାନି ଘଟିଛି। ଏହି ସମୟରେ ବିଶ୍ୱରେ ତାପମାତ୍ରା ବୃଦ୍ଧି ଜନିତ ମୃତ୍ୟୁସଂଖ୍ୟା ୬୮% ବୃଦ୍ଧି ପାଇଥିଲା। ଭାରତୀୟ ଉପମହାଦେଶର ସମସ୍ୟା ହେଲା ଏହା ତ୍ରିମୁଖୀ ପ୍ରାକୃତିକ ବିପଦର ସମ୍ମୁଖୀନ। ଅତିବୃଷ୍ଟି ଜନିତ ବନ୍ୟା, ବର୍ଷାହାନି ଜନିତ ତାପ ପ୍ରବାହ ଓ ଉତ୍କଟ ମରୁଡ଼ି ଏବଂ ତଟୀୟ ଅଞ୍ଚଳରେ ସାମୁଦ୍ରିକ ବାତ୍ୟାବିତ୍ପାତ ଓ ପ୍ଳାବନ। ଭାରତରେ ୬୦ ଭାଗରୁ ଅଧିକ ଲୋକ ଚାଷବାସ ଉପରେ ନିର୍ଭରଶୀଳ ଥିବା ବେଳେ ଏଭଳି ପ୍ରାକୃତିକ ବିପତ୍ତି ସେମାନଙ୍କ ପାଇଁ ଏକ ବଡ଼ ସମସ୍ୟା। ଏହାଫଳରେ ଗରିବ ଲୋକେ, ନାମମାତ୍ର ଚାଷୀ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥା’ନ୍ତି।

ଭାରତରେ ଚାଷବାସ ପାଇଁ ପ୍ରାୟ ୮୦% ମଧୁର ଜଳ ବ୍ୟବହାର ହୁଏ। ଫଳରେ ଏହି ଜଳଉତ୍ସ ଉପରେ ଚାପ ପଡ଼େ। ପ୍ରାକୃତିକ ଉପାୟରେ ଯେତିକି ଭରଣା ହୁଏ, ତାହା ଯଥେଷ୍ଟ ନୁହେଁ। ତଥାପି ଚାଷୀ ଭୂତଳ ଜଳ ଉପରେ ଅଧିକ ନିର୍ଭର କରି ଏହାକୁ ଅଧିକ ବ୍ୟବହାର କରିଥା’ନ୍ତି। ଜଳସମ୍ପଦ ଗୋଷ୍ଠୀ (ଡବ୍ଲ୍ୟୁଆରଜି)ର ରିପୋର୍ଟ ଅନୁସାରେ ୨୦୩୦ ସୁଦ୍ଧା ଭାରତର ମଧୁରଜଳ ଉପଲବ୍ଧତା ଏହାର ଆବଶ୍ୟକତାର ୫୦% ମଧ୍ୟରେ ସୀମିତ ରହିବ। ଓଡ଼ିଶାରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହେବ। ଫଳରେ ଖୁବ୍‌‌ଶୀଘ୍ର ଭାରତର ଚାଷବାସ, ଶିଳ୍ପ ଓ ଘରୋଇ ଆବଶ୍ୟକତା କ୍ଷେତ୍ରରେ ଏକ ଗୁରୁତର ଜଳସଙ୍କଟ ସୃଷ୍ଟି ହେବା ପ୍ରାୟ ନିଶ୍ଚିତ। ଓଡ଼ିଶାର ଦୁର୍ଭାଗ୍ୟ ହେଲା ଏହାର ସବୁ ନଦୀ ବର୍ଷାପୁଷ୍ଟ ଏବଂ ଏଥିରେ ବର୍ଷସାରା ପାଣି ମିଳେ ନାହିଁ। ଦ୍ୱିତୀୟ କଥା ହେଲା ବର୍ଷା ପରିମାଣ କ୍ରମଶଃ ହ୍ରାସ ପାଉଥିବାବେଳେ ଉପରମୁଣ୍ଡରୁ ଆମ ନଦୀକୁ ଆବଶ୍ୟକ ପରିମାଣର ଜଳ ଆସୁନାହିଁ।

ଓଡ଼ିଶା ସରକାର ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛନ୍ତି ଏବଂ ଏହା ନିରନ୍ତର ଭାବେ ଚାଲିଛି। ଜଳସମ୍ପଦ, ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗର ମିଳିତ ଉଦ୍ୟମରେ ବିଭିନ୍ନ କାମ ହାତକୁ ନିଆଯାଉଛି। ଜାତୀୟ ଜଳ ମିଶନ, ମନରେଗା ଓ ଆଉ କେତେକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଜଳାଶୟ, ପୋଖରୀ, କଟା ଏବଂ ଜଳ ଅମଳ ପ୍ରକଳ୍ପମାନ ତିଆରି ହେଉଛି। ପୁରୁଣା ଜଳାଶୟ ଓ ଜଳଉତ୍ସର ଜୀର୍ଣ୍ଣୋଦ୍ଧାର କରାଯିବା ସହିତ ଜଳ ସଂରକ୍ଷଣର ବାର୍ତ୍ତା ଓ ସଚେତନତା ବ୍ୟାପକ ଭାବେ ସୃଷ୍ଟି କରାଯାଉଛି। ତେବେ ଏସବୁ କାମ ଭିତରେ ଆମର କିଛି ସରକାରୀ ଉଦାସୀନତା ରହୁଛି। ଅଧିକାରୀମାନେ ଠିକଣା ସମୟରେ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିପାରୁନାହାନ୍ତି ଏବଂ ବଜେଟରେ ଅର୍ଥବରାଦ ହୋଇ ମଧ୍ୟ ତାହା ଖର୍ଚ୍ଚ ହୋଇପାରୁନାହିଁ। ନଦୀ ମଧ୍ୟରେ ଆଡ଼ିବନ୍ଧ କରି ଜଳ ସଂରକ୍ଷଣ କରିବାକୁ ଯେଉଁ ଯୋଜନା ସରକାର କରିଥିଲେ, ତାହା ଏ ଯାଏଁ ଉପଯୁକ୍ତ ରୂପ ନେଇ ପାରୁନାହିଁ। ବୈଷୟିକ ଟିମ୍‌‌ର ରିପୋର୍ଟ ଓ ଅନ୍ୟାନ୍ୟ କାରଣ ଯୋଗୁଁ ଏହା ବିଳମ୍ବିତ ହେଉଛି।

ଆହୁରି ମଧ୍ୟ କମ୍‌‌ ଜଳ ଲୋଡୁଥିବା ଫସଲ ଚାଷକୁ ଆମକୁ ଉତ୍ସାହିତ କରିବାକୁ ପଡ଼ିବ। ଧାନ, ଆଖୁ ଭଳି ଫସଲ ଅଧିକ ପାଣି ଲୋଡ଼ିଥାଏ। ସେହିଭଳି ପ୍ରତି ବିନ୍ଦୁ ଜଳରୁ ଅଧିକ ଉତ୍ପାଦନ ପ୍ରତି ନଜର ଦେବାକୁ ପଡ଼ିବ। ଏସବୁ କାମ କେବଳ ସରକାରୀ ପ୍ରୟାସରେ ହୁଏ ନାହିଁ। ଏଥିରେ ଜଳସଚେତନତା ଓ ସହଯୋଗର ଯଥେଷ୍ଟ ଆବଶ୍ୟକତା ରହିଛି। ଓଡ଼ିଶା ଓ ଭାରତ ସର୍ବଦା ଜଳବାୟୁ ଦୃଷ୍ଟିରୁ ଅସ୍ଥିର। ତଥାପି ଆମ ଚାଷୀମାନେ ପାରମ୍ପରିକ କୌଶଳ ଓ ପ୍ରଯୁକ୍ତି ଉପଯୋଗ କରି ଅଳ୍ପ ପାଣିରେ ବର୍ଷ ସାରା ବିଭିନ୍ନ ପ୍ରକାର ଫସଲ ଉତ୍ପାଦନ କରୁଥିଲେ। ମିଲେଟ୍‌‌ ଜାତୀୟ ଫସଲ, ଯାହା କମ୍‌‌ ପାଣିରେ ଓ ଅନୁର୍ବର ଜମିରେ ହୋଇଥାଏ, ତାହାର ଚାଷବାସ ଏକପ୍ରକାର ଲୋପ ପାଇଆସୁଥିଲା। ଏବେ ସରକାରୀ ପ୍ରୋତ୍ସାହନ ଯୋଗୁଁ ମିଲେଟ୍ସ ‘ଶ୍ରୀଅନ୍ନ’ର ମର୍ଯ୍ୟାଦା ପାଇଛି ଏବଂ ଓଡ଼ିଶାର ମାଳଞ୍ଚଳରେ ଏହି ଚାଷର ଲୋକପ୍ରିୟତା ବଢ଼଼ିଛି। ଜଳବାୟୁ ସ୍ଥିତିସ୍ଥାପକ ଚାଷ ପାଇଁ ମିଲେଟ୍ସ ଏବେ ଶ୍ରେଷ୍ଠ ଉତ୍ତର। ଏହାର ବ୍ୟବହାର ବଢ଼଼ିଲେ ଧାନ ଓ ଗହମ ଉପରୁ ଚାପ କମିବ। ଜଳ ସଂରକ୍ଷଣ ଓ ଜଳସେଚନ କ୍ଷେତ୍ରରେ ଓଡ଼ିଶାରେ ଯୋଜନା ବା ଅର୍ଥର ଅଭାବ ନାହିଁ। ଏଥିରେ ସହଯୋଗ ଭିତ୍ତିକ କାର୍ଯ୍ୟାନୁଷ୍ଠାନ (କୋଲାବରେଟିଭ୍‌‌ ଆକ୍ସନ)ର ଅଭାବ ପରିଲକ୍ଷିତ ହେଉଛି। ଚାଷବାସ ସହିତ ଇନୋଭେସନ ଓ ଟେକ୍‌‌ନୋଲୋଜିକୁ ବ୍ୟାପକ ଭାବେ ଯୋଡ଼ିବାର ଆବଶ୍ୟକତା ରହିଛି। ଆଜିକାଲି ଚାଷୀ ନୂଆ ଟେକ୍‌‌ନୋଲୋଜିକୁ ସ୍ୱାଗତ କରିବା ସହିତ ସହଜରେ ଗ୍ରହଣ କରୁଛନ୍ତି। ତେବେ ଏହା ସେମାନଙ୍କ ପାଇଁ ସୁଲଭ ହେବା ଆବଶ୍ୟକ। ସର୍ବୋପରି ଜଳ ସଂରକ୍ଷଣ, ସୁପରିଚାଳନା ଓ ଚାଷବାସରେ ଏହାର ବୁଝି ବିଚାରି ପ୍ରୟୋଗ କରିବାର ଯେଉଁ ପ୍ରଚୁର ପାରମ୍ପରିକ ଅଭିଜ୍ଞତା ଏବଂ ସ୍ୱଦେଶୀ ଜ୍ଞାନକୌଶଳ ଆମ ଚାଷୀଙ୍କ ପାଖରେ ରହିଛି, ତାହାକୁ ନୂଆ ଟେକ୍‌‌ନୋଲେଜି ଅନୁକୂଳ କରିବାକୁ ପଡ଼ିବ। ଏହାଫଳରେ କମ୍‌‌ ପାଣିରେ ଅଧିକ ଫସଲ ଉତ୍ପାଦନ ସମ୍ଭବ ହେବ। ଚାଷୀଙ୍କୁ ଚାଷବାସ ପାଇଁ ପସନ୍ଦ ଓ ସହଯୋଗ ମିଳିଲେ ସେମାନେ ନିଶ୍ଚୟ ଭଲ କରିବେ।

ଓଡ଼ିଶାରେ ଚାଷୀ ଓ ଚାଷର ସ୍ଥିତି ବଦଳିଛି। ରାଜନୈତିକ ଇଚ୍ଛାଶକ୍ତି ଓ ନିରନ୍ତର ଉଦ୍ୟମ ଏ କ୍ଷେତ୍ରରେ ନୂଆ ଉପଲବ୍ଧି ଆଣିଛି। ଏହି ଧାରା ଅବ୍ୟାହତ ରହିଲେ ଆମେ ଜଳବାୟୁ ପରିବର୍ତ୍ତନ ଓ ଜଳାଭାବ ଜନିତ ସ୍ଥିତିର ଉପଯୁକ୍ତ ମୁକାବିଲା କରିପାରିବା। ଏହାଫଳରେ ୨୦୩୦ର ସମ୍ଭାବ୍ୟ ମହାଜଳସଂକଟର ମୁକାବିଲା କରିବାରେ ସଫଳ ହେବା।

Leave A Reply

Your email address will not be published.