ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଷ୍ଟ୍ରୀୟ ରାଜନୀତିରେ ଦ୍ୱିତୀୟ ସାମ୍ମୁଖ୍ୟ ନାହିଁ

ତୃତୀୟ ସାମ୍ମୁଖ୍ୟର ମରୀଚିକା!

ରାଷ୍ଟ୍ର ପରିଚାଳନାରେ ରାଜନୀତିର ସ୍ଥାନ ପ୍ରାଥମିକ ଓ ମୌଳିକ ଶକ୍ତି ଭାବେ ପରିଗଣିତ। ରାଜରାଜୁଡ଼ା ସମୟରେ ରାଜ୍ୟର ନେତୃତ୍ୱ ଚୟନ ପାଇଁ ପ୍ରଜାମାନଙ୍କର କୌଣସି ଅଧିକାର ନଥିଲା। ରାଜବଂଶରେ ଜନ୍ମିତ ଅବୋଧ ବାଳକକୁ ମଧ୍ୟ ରାଜସିଂହାସନରେ ବସାଇ ଦିଆଯାଉଥିଲା। ଗଣତନ୍ତ୍ର ଶାସନର ଅଭ୍ୟୁଦୟ ପରେ ରାଜନୀତି ସିଂହାସନ ଭିତରେ ସୀମିତ ନ ରହି ଲୋକଶକ୍ତି ଓ ଲୋକମତରେ ରୂପାନ୍ତରିତ ହେଲା। ଜନପ୍ରତିନିଧିଙ୍କ ବହୁମତରେ ସରକାରମାନ ଗଠନ ହେଲା ଏବଂ ସେମାନଙ୍କ ଦ୍ୱାରା ନୀତି ନିର୍ଦ୍ଧାରଣ ପରେ ନିରପେକ୍ଷ ପ୍ରଶାସନିକ ତନ୍ତ୍ର ତୃଣମୂଳସ୍ତରରେ ତାହାର ରୂପାୟନ ପାଇଁ ଦାୟିତ୍ୱ ତୁଲାଇଲେ। ଜନମତ ବଦଳିଲେ ଜନପ୍ରତିନିଧି ମଧ୍ୟ ବଦଳିଲେ ଏବଂ ଶାସନ କ୍ଷମତାରେ ଥିବା ସରକାରଙ୍କ ସଂରଚନା ମଧ୍ୟ ବଦଳିଲା। ରାଜନୈତିକ ଦଳ ଗଣତାନ୍ତ୍ରିକ ଦେଶମାନଙ୍କରେ ଏକ ବିଶେଷ ସ୍ଥାନ ଅଧିକାର କଲା। ଦଳର ଆଦର୍ଶ ସପକ୍ଷରେ ଜନମତ ସୃଷ୍ଟି କରିବା ଏବଂ ନିୟମିତ ସମୟ ଅନ୍ତରାଳରେ ନିର୍ବାଚନ ଲଢ଼ି ଶାସନ କ୍ଷମତାକୁ ଆସିବା ପାଇଁ ଚେଷ୍ଟା କରିବା ପ୍ରକ୍ରିୟାକୁ ଗଣତନ୍ତ୍ରର ମୂଳଦୁଆ ବୋଲି ଗଣାଗଲା। ତେବେ ରାଜନୀତିକୁ ଅସୀମ ସମ୍ଭାବନାର ଖେଳପଡ଼ିଆ ଭଳି ବ୍ୟବହାର କରାଗଲା ଏବଂ ନୀତି, ଅନୀତି, ଜନସ୍ୱାର୍ଥ, ଜାତୀୟ ସ୍ୱାର୍ଥ ବା ବିଶ୍ୱମାନବ ସ୍ୱାର୍ଥ ଇତ୍ୟାଦି ଆଦର୍ଶକୁ ପଛରେ ପକାଇ ‘ବାସ୍ତବ-ରାଜନୀତି’(ରିୟଲ୍‌‌ ପଲିଟିକ୍‌‌ସ) ମାଧ୍ୟମରେ କଳେବଳେକୌଶଳେ କ୍ଷମତା ହାସଲ କରିବା ରାଜନୈତିକ ଦଳଗୁଡ଼ିକର ଲକ୍ଷ୍ୟ ହୋଇଗଲା। ତେଣୁ ଯଥାର୍ଥରେ ୟୁରୋପ ଇତିହାସରେ ଜର୍ମାନୀ ଏକତ୍ରୀକରଣର ପ୍ରବୀଣ ରାଷ୍ଟ୍ରନୀତିଜ୍ଞ ତଥା ରକ୍ତ ଓ ଅସ୍ତ୍ର ରଣନୀତିର ପ୍ରବର୍ତ୍ତକ ଅଟୋ ଭନ୍‌‌ ବିସ୍‌‌ମାର୍କ କହିଥିଲେ ଯେ “ରାଜନୀତି ହେଉଛି ସମସ୍ତ ପ୍ରକାର ସମ୍ଭାବନାକୁ ହାସଲ କରିବାର ଦକ୍ଷତା।” ତାଙ୍କ ନିଜର ଜୀବନକାଳରେ ବିଚ୍ଛିନ୍ନ ଜର୍ମାନୀ ରାଜ୍ୟ ସମୂହର ଏକତ୍ରୀକରଣ ଭଳି ଏକଦା ଅସମ୍ଭବ ଲାଗୁଥିବା ଲକ୍ଷ୍ୟ ସେ ପୂରଣ କରିପାରିଥିଲେ ଏହି ବାସ୍ତବ-ରାଜନୀତି କଳାକୌଶଳ ମାଧ୍ୟମରେ।

ଦୁଇଦୁଇଟି ବିଶ୍ୱଯୁଦ୍ଧ ପରେ ବିଂଶଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ବିଶ୍ୱରେ ଗଣତନ୍ତ୍ରର ବିସ୍ତାର ଓ ପ୍ରଭାବ ବ୍ୟାପକ ହୋଇଛି। ବ୍ରିଟେନ୍‌‌ ‘ଗଣତନ୍ତ୍ରର ମାତା’ ବୋଲାଉଥିଲେ ହେଁ ଆମେରିକା ଓ ୟୁରୋପରେ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକର ସଫଳତା ତଥା ସ୍ୱାଧୀନ ଭାରତ ଗଠନ ପରେ ଏସିଆ ଓ ଆଫ୍ରିକା ମହାଦେଶରେ ସ୍ୱାଧୀନ ଗଣତାନ୍ତ୍ରିକ ରାଷ୍ଟ୍ରର ବିସ୍ତାର ଘଟିବା ପରେ ବିଶ୍ୱମଞ୍ଚରେ ଗଣତନ୍ତ୍ର ଶାସନର ମୂଲ୍ୟ ବୃଦ୍ଧି ହୋଇଛି। ତେବେ ଅପରପକ୍ଷରେ ଗଣତାନ୍ତ୍ରିକ ଆଦର୍ଶବାଦର କ୍ରମାନ୍ୱୟରେ ଅବକ୍ଷୟ ଘଟିବାରୁ କୁତ୍ସିତ ଓ ଅଗଣତାନ୍ତ୍ରିକ ରାଜନୀତିର ଖେଳ ମଧ୍ୟ ବିସ୍ତାର ଲାଭ କରିଛି। ଭାରତର ଉଦାହରଣ ଦେଖିଲେ ଆମେ ଜାଣିପାରିବା ଯେ ସ୍ୱାଧୀନତା ପରର ଦୁଇ ଦଶନ୍ଧି ପର୍ଯ୍ୟନ୍ତ ଗଣତାନ୍ତ୍ରିକ ଆଦର୍ଶବାଦ, ସମାଜବାଦ ଓ ସମାବେଶୀ ବିକାଶ ଆଦିର ପ୍ରଚଳନ ପରେ ଭାରତୀୟ ରାଜନୀତିରେ ଘୃଣା, ହିଂସା, ବିଦ୍ୱେଷ ଓ ଅନ୍ୟାୟ ଆଦିର ବେଶ୍‌‌ ବିକାଶ ହୋଇଛି ଏବଂ ଯେକୌଣସି ଉପାୟରେ ଶାସନକ୍ଷମତା ହାସଲର ପ୍ରକରଣକୁ ଗଣତାନ୍ତ୍ରିକ ନିର୍ବାଚନର ପୋଷାକ ପିନ୍ଧାଇ ଦିଆଯାଉଛି। ରାଷ୍ଟ୍ର ଶାସନର ମୂଳ ଏବେ ନିର୍ବାଚନୀ ରାଜନୀତି ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

ଏହି ପରିବର୍ତ୍ତିତ ପରିପ୍ରେକ୍ଷୀରେ ଗଣତାନ୍ତ୍ରିକ ମିଳିତ ସାମ୍ମୁଖ୍ୟ ସରକାରର ପ୍ରୟୋଗ ଏବେ ଭାରତରେ ପ୍ରାୟ ଅର୍ଦ୍ଧଶତାବ୍ଦୀରୁ ଊର୍ଦ୍ଧ୍ବ ସମୟ ଧରି ରାଜ୍ୟ ଓ ରାଷ୍ଟ୍ରୀୟ ସ୍ତରରେ ‘ସୁବିଧାବାଦୀ ରାଜନୀତି’ ତଥା ସଂଖ୍ୟାଗରିଷ୍ଠ ଲୋକମତ ନଥାଇ ମଧ୍ୟ ଚଞ୍ଚକତା କରି ସରକାର ଗଠନର ପ୍ରକରଣ ଦେଖାଯାଉଛି। ଜନସାଧାରଣଙ୍କୁ ଜାତି, ଧର୍ମ, ଭାଷା ଓ ଆଞ୍ଚଳିକତା ନାମରେ ଖଣ୍ଡବିଖଣ୍ଡ ବା ଧ୍ରୁବୀକରଣ କରାଯାଉଛି, ଯାହାଫଳରେ ସରକାର ଗଠନ ପାଇଁ କୌଣସି ଗୋଟିଏ ଦଳ ହାତରେ ମାତ୍ର ଏକ-ତୃତୀୟାଂଶ ଜନମତ ଥିଲେ ସୁଦ୍ଧା ମିଳିମିଶି କ୍ଷମତା ହାସଲ କରିବା ନାଁରେ ସାଂସଦ ଓ ବିଧାୟକ କିଣାବିକା ତଥା ନିର୍ବାଚନ ପରବର୍ତ୍ତୀ ଅନୈତିକ ମେଣ୍ଟ ଦ୍ୱାରା କ୍ଷମତା ହାସଲ କରାଯାଉଛି। ଏହାଫଳରେ ଶାସନାଦର୍ଶ ଅବଧାରଣା ଲୁପ୍ତପ୍ରାୟ। ରାଜନୈତିକ ପଶାପାଲିରେ ସମ୍ଭାବନାର ଖେଳ ତଥା ସଲାସୁତୁରା କରି କ୍ଷମତା ଅଳିନ୍ଦ ହାସଲ କରିବା ଏକ ପରମ୍ପରାରେ ପରିଣତ ହୋଇଛି।

ଆସନ୍ତା ଲୋକସଭା ସାଧାରଣ ନିର୍ବାଚନ ପାଇଁ ମାତ୍ର ବର୍ଷଟିଏ ରହିଲା କହିଲେ ଚଳେ। ତେଣୁ ସେଥିରେ ବିଜୟ ହାସଲ ପାଇଁ ଆଜିଠାରୁ ଘୋଡ଼ାଦୌଡ଼ ଆରମ୍ଭ ହେବାଟା ବିଚିତ୍ର ନୁହେଁ। ବିଜେପି ଓ ଏହାର ଏନ୍‌‌ଡିଏ ମେଣ୍ଟ ସହଯୋଗୀଙ୍କ ଦ୍ୱାରା ଆସନ୍ତା ଥର ପୁଣି କେନ୍ଦ୍ରରେ ଶାସନ କ୍ଷମତା ପାଇବା ବେଶ୍‌‌ ସ୍ପଷ୍ଟ ଦେଖାଯାଉଛି। ଅନେକ ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତ ଯେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ଦୁଃସ୍ଥିତି ବିଜେପି ପାଇଁ ଏକ ଆଶୀର୍ବାଦ ଭଳି କାମ କରୁଛି। କେତେବର୍ଷର ଅନିଶ୍ଚିତତା ପରେ ଐତିହାସିକ କଂଗ୍ରେସ ଦଳରେ ଜଣେ ନିର୍ବାଚିତ ସଭାପତି ପଦାସୀନ ହୋଇଥିଲେ ସୁଦ୍ଧା ‘ବଂଶବାଦ’ର ଅପବାଦରୁ କଂଗ୍ରେସ ନିସ୍ତାର ପାଇପାରିନାହିଁ। ୨୦୧୪ ସାଧାରଣ ନିର୍ବାଚନ ପରଠାରୁ କଂଗ୍ରେସର କ୍ରମାଗତ ପରାଜୟକୁ ଦେଖି କୌଣସି ବିରୋଧୀ ରାଜନୈତିକ ଦଳ କଂଗ୍ରେସ ସହ ମେଣ୍ଟ କରିବା ପାଇଁ ରାଜି ନୁହନ୍ତି। ଉତ୍ତରପ୍ରଦେଶ ଓ ବିହାରରେ କଂଗ୍ରେସ ମେଣ୍ଟର ପରାଜୟ ଏହାର ପୂର୍ବତନ ସହଭାଗୀ ଦଳମାନଙ୍କୁ କଂଗ୍ରେସଠାରୁ ଦୂରେଇ ରଖୁଛି। ତେଣୁ ସାରା ଦେଶରେ ବିଜେପି ଓ ଏନ୍‌‌ଡିଏର ବିରୋଧ ପାଇଁ କଂଗ୍ରେସ ନେତୃତ୍ୱରେ ‘ଦ୍ୱିତୀୟ ସାମ୍ମୁଖ୍ୟ’ର ଦାବି ସାମ୍‌‌ନାକୁ ଆସୁନାହିଁ। ତାହା ତୁଳନାରେ ଅଣକଂଗ୍ରେସ ଓ ଅଣବିଜେପି ଭିତ୍ତିକ ‘ତୃତୀୟ ସାମ୍ମୁଖ୍ୟ’ର ସମ୍ଭାବନା ଦାନା ବାନ୍ଧିବାର ପ୍ରଚେଷ୍ଟା ଚାଲିଛି। କଂଗ୍ରେସ ଓ ତାହାର ଅଳ୍ପକିଛି ସହଯୋଗୀ ଦଳ ‘ଆଦାନୀ ପ୍ରସଙ୍ଗ’କୁ ନେଇ ସଂସଦ ଭିତରେ ଓ ବାହାରେ ମୋଦୀ ବିରୋଧୀ ପରିବେଶ ସୃଷ୍ଟି ପାଇଁ ଯେତେ ଢୋଲ ପିଟିଲେ ମଧ୍ୟ କଂଗ୍ରେସଯୁକ୍ତ ତୃତୀୟ ସାମ୍ମୁଖ୍ୟର ସମ୍ଭାବନା ମରୀଚିକା ସଦୃଶ ଲାଗୁଛି। ପୂର୍ବରୁ ରାଫାଲ ଯୁଦ୍ଧ ବିମାନରେ ତଥାକଥିତ ଦୁର୍ନୀତି ପ୍ରସଙ୍ଗକୁ ରାଜନୈତିକ ବିସ୍ଫୋରଣ କରିବା ପାଇଁ କଂଗ୍ରେସର ଉଦ୍ୟମ ଯେ ଫେଲ ମାରିଥିଲା ଏହା ସମସ୍ତେ ଜାଣନ୍ତି। ସେହିଭଳି ଦିଲ୍ଲୀ ନିକଟରେ ବର୍ଷେ ବ୍ୟାପୀ କୃଷକ ଆନ୍ଦୋଳନ ମଧ୍ୟ ପରବର୍ତ୍ତୀ କେତେକ ରାଜ୍ୟରେ ନିର୍ବାଚନ ଉପରେ ପ୍ରଭାବ ପକାଇ ପାରିନଥିଲା। ଏସବୁ ଦୃଷ୍ଟିରୁ କଂଗ୍ରେସ ନେତୃତ୍ୱରେ ଦ୍ୱିତୀୟ ସାମ୍ମୁଖ୍ୟର ସମ୍ଭାବନା ତ ଦେଖାଯାଉନାହିଁ, କିନ୍ତୁ ଅଣକଂଗ୍ରେସ ଓ ଅଣବିଜେପି ଭିତ୍ତିକ ତୃତୀୟ ସାମ୍ମୁଖ୍ୟ ମରୀଚିକା ହୋଇ ରହିଯାଇପାରେ।

ଏଥିସହିତ ପଢ଼ନ୍ତୁ

ଏବେ ନିକଟରେ କଂଗ୍ରେସ ଓ ବିଜେପିଠାରୁ ଦୂରେଇ ତୃତୀୟ ସାମ୍ମୁଖ୍ୟ ଗଠନ ଉଦ୍ୟମ ବିଭିନ୍ନ ପ୍ରାଦେଶିକ ଦଳର ନେତାମାନେ ଆରମ୍ଭ କରିସାରିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଏବଂ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଉଦ୍ୟମରେ ସକ୍ରିୟ ଥିବାର ଦେଖାଯାଉଛି। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ ମଧ୍ୟରେ ତାଙ୍କ ଦଳକୁ ଭାରତ ରାଷ୍ଟ୍ର ସମିତି(ବିଆରଏସ୍‌‌) ଭାବରେ ପୁନଃନାମକରଣ କରି ନିଜର ରାଷ୍ଟ୍ରୀୟ କ୍ଷମତା ଲିପ୍‌‌ସାର ସଙ୍କେତ ଦେଇଛନ୍ତି ଏବଂ ବିରୋଧୀ ଦଳର ନେତାଙ୍କ ସହ ପୁଣି ଥରେ କଥାବାର୍ତ୍ତା ଆରମ୍ଭ କରିଛନ୍ତି। ଆହୁରି ମଧ୍ୟ ସମାଜବାଦୀ ଦଳ ନେତା ଅଖିଳେଶ ଯାଦବ ନିକଟରେ କୋଲକାତା ଯାଇ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ରାଷ୍ଟ୍ରୀୟ ରାଜନୀତିରେ ଯେତେବେଳେ କୌଣସି ଗୋଟିଏ ବିଶାଳ ଜନମତର ଅଧିକାରୀ ହୁଏ ଏବଂ ସଂସଦରେ ବିରୋଧୀ ଦଳ ନେତା ନିମନ୍ତେ କୌଣସି ଦଳ ନ୍ୟୂନତମ ଯୋଗ୍ୟତା ମଧ୍ୟ ହାସଲ କରିପାରନ୍ତି ନାହିଁ ସେତେବେଳେ ପ୍ରାକ୍‌‌-ନିର୍ବାଚନୀ ମିଳିତ ସାମ୍ମୁଖ୍ୟ ଗଠନ ଉଦ୍ୟମ ଛଡ଼ା ଆଉ ଅନ୍ୟଗତି ନଥାଏ। ସମ୍ପ୍ରତି ଭାରତରେ ମଧ୍ୟ ସେୟା ହେଉଛି। ପ୍ରାକ୍‌‌-ନିର୍ବାଚନୀ ସାମ୍ମୁଖ୍ୟ ଗଠନ ନ ହେଲେ ବିରୋଧୀ ଦଳଙ୍କ ଭୋଟ୍‌‌ ପରସ୍ପର କଟାକଟି ହୋଇ କ୍ଷମତାସୀନ ବଡ଼ ଦଳକୁ ହିଁ ଲାଭ ମିଳିବ। ଦିନ ଥିଲା ବିଜେପି ଉଭୟ ରାଷ୍ଟ୍ରୀୟ ଓ ରାଜ୍ୟ ସ୍ତରରେ ‘ଅଛୁଅାଁ ଦଳ’ ଭାବେ ପରିଚିତ ଥିଲା। ଏବେ କଂଗ୍ରେସ ସେହି ସ୍ଥିତିକୁ ଆସିଛି ବୋଲି ମନେ ହୁଏ। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ବିଦେଶରେ ଭାରତ ବିରୋଧୀ ବୟାନ ଦେବାକୁ ଅଭିଯୋଗ କରି ବିଜେପି ସଂସଦ ଭିତରେ ଓ ବାହାରେ ଯେଭଳି ଆକ୍ରମଣ କରୁଛନ୍ତି ତା’ ଦ୍ୱାରା ଖୁବ୍‌‌ ନିକଟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନରେ ଉଭୟ ଦଳ ମଧ୍ୟରେ ବଳ କଷାକଷି ହେବାକୁ ଯାଉଛି। ଉଲ୍ଲେଖଯୋଗ୍ୟ ଯେ ଏବେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜଗନ୍ନାଥ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ପୁରୀରେ ଆସି ପହଞ୍ଚିଛନ୍ତି। ତାଙ୍କର ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଦୁଇଜଣ ବରିଷ୍ଠ ଅଣବିଜେପି ଓ ଅଣକଂଗ୍ରେସ ନେତା ଆଜିର ଦିନରେ ଏକାଠୀ ଆଲୋଚନା କଲେ ରାଜନୈତିକ ଉଷ୍ମତାର ସମ୍ଭାବନା ନିଶ୍ଚୟ ରହିବ। ଉଭୟ ଦଳଙ୍କ ପକ୍ଷରୁ କୁହାଯାଉଛି ଯେ ତୃତୀୟ ସାମ୍ମୁଖ୍ୟ ବିଷୟରେ କିଛି କଥାବାର୍ତ୍ତା ହେବାର ନାହିଁ। ତେବେ ରାଜନୈତିକ ପର୍ଯ୍ୟବେକ୍ଷକ ଓ ଗଣମାଧ୍ୟମ ସମୀକ୍ଷକ ଏଭଳି ଏକ ସାକ୍ଷାତକାରର ରାଜନୈତିକ ବିକିରଣ ନିଶ୍ଚୟ ଆଶା କରୁଛନ୍ତି। ଏପର୍ଯ୍ୟନ୍ତ ଦୀର୍ଘବର୍ଷ ଧରି ବିଜୁ ଜନତା ଦଳ କଂଗ୍ରେସ ଓ ବିଜେପି ଉଭୟ ଦଳଠାରୁ ସମଦୂରତ୍ୱ ନୀତି ଅବଲମ୍ବନ କରି ଆସିଥିବାରୁ ଏହି ଦୁଇ ମୁଖ୍ୟମନ୍ତ୍ରୀଙ୍କ ପରସ୍ପରକୁ ଭେଟିବାରେ ବ୍ୟକ୍ତିଗତ ସୌଜନ୍ୟତା ବ୍ୟତୀତ ଅନ୍ୟକୌଣସି ରାଜନୈତିକ ବିଚ୍ଛୁରଣ ହୁଏତ ଆଶା କରାଯାଇ ନ ପାରେ।

Leave A Reply

Your email address will not be published.