ପ୍ରକୃତ ଶିବସେନା ଚିହ୍ନଟ ପ୍ରସଙ୍ଗ; ଶିନ୍ଦେଙ୍କ ହାତକୁ ଆସିଲା ଧନୁ-ତୀର

ନିର୍ବାଚନ ଆୟୋଗ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ନେତୃତ୍ୱରେ ପରିଚାଳିତ ଶିବସେନା ଗୋଷ୍ଠୀକୁ ‘ପ୍ରକୃତ ଶିବସେନା ଦଳ’ର ମାନ୍ୟତା ପ୍ରଦାନ କରିବା ସହିତ ଏହାକୁ ଦଳୀୟ ସଂକେତ ‘ଧନୁତୀର’ ପ୍ରଦାନ କରିଛନ୍ତି। ଗୋଟିଏ ଦଳର ସଂକେତ, କେତନ ଓ ନାମ ପାଇବା ପରେ ବୈଧାନିକ ଦୃଷ୍ଟିରୁ ଶିବସେନାର ମାଲିକାନା ବିଦ୍ରୋହୀ ପକ୍ଷ ହାତକୁ ଯାଇଛି। ଅନ୍ୟ ବିବଦମାନଗୋଷ୍ଠୀର ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଓ ତାଙ୍କ ସମର୍ଥକଙ୍କ ପାଇଁ ଏହା ନିଶ୍ଚିତ ଭାବେ ଏକ ବଡ଼ ରାଜନୈତିକ ଧକ୍କା। ତାଙ୍କ ପିତା ପ୍ରବାଦୀୟ ବାଲ୍ ଠାକରେଙ୍କ ଦ୍ୱାରା ପ୍ରତିଷ୍ଠିତ ଶିବସେନା ଏବେ ଠାକ୍ରେ ପରିବାର ହାତରୁ ଚାଲିଯାଇଛି।
ଶିନ୍ଦେ ଗୋଷ୍ଠୀକୁ ଦଳର ନାମ ଓ ପ୍ରତୀକ ପ୍ରଦାନ ଘଟଣାରେ କ୍ରୁଦ୍ଧ ଉଦ୍ଧବଙ୍କ ଏକାନ୍ତ ଅନୁଗତ ଓ ରାଜନୈତିକ ପରିଚାଳକ ସଞ୍ଜୟ ରାଉତ କହିଛନ୍ତି ଯେ ଏଥିପାଇଁ ୨୦୦୦ କୋଟି ଟଙ୍କାର ଲାଞ୍ଚ କାରବାର ହୋଇଛି। ଏଥିରେ ସେ ନିର୍ବାଚନ ଆୟୋଗଙ୍କ ଉପରେ ଦୋଷାରାପ କରିବାକୁ ଚେଷ୍ଟା କରିଛନ୍ତି। ନିର୍ବାଚନ ଆୟୋଗ ଏ କ୍ଷେତ୍ରରେ ଯେଉଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି, ତାହା ଅନୁସୃତ ନୀତି, ନିୟମ ଓ ବ୍ୟବସ୍ଥା ମଧ୍ୟରେ କରାଯାଇଛି। ଯେଉଁ ଗୋଷ୍ଠୀ ପାଖରେ ଯେତେ ବିଧାୟକ ଓ ସାଂସଦ ଅଛନ୍ତି, ଦଳ ପାଇଥିବା ମୋଟ ଭୋଟ୍କୁ ତଦନୁସାରେ ଭାଗ କରାଯାଇ ଶିନ୍ଦେଗୋଷ୍ଠୀକୁ ମାନ୍ୟତା ପ୍ରଦାନ କରାଯାଇଛି। ଯେହେତୁ ଶିନ୍ଦେଗୋଷ୍ଠୀରେ ଅଧିକ ସାଂସଦ ଓ ବିଧାୟକ ଅଛନ୍ତି, ସେହି ହିସାବରେ ଏହା ମୂଳ ଶିବସେନାର ମାଲିକାନା ପାଇଛି। ତେବେ ଗତକାଲି ଉଦ୍ଧବ ଠାକ୍ରେ ନିର୍ବାଚନ ଆୟୋଗଙ୍କ ବିରୋଧରେ ସୁପ୍ରିମକୋର୍ଟରେ ମାମଲା ଦାୟର କରିଛନ୍ତି। ତାଙ୍କ ଦ୍ୱାରା ସୁପ୍ରିମକୋର୍ଟରେ ପୂର୍ବରୁ ଆଉଗୋଟିଏ ଦାୟର କରାଯାଇଥିବା ମାମଲା ମଧ୍ୟ ବିଚାରାଧୀନ ଅଛି, ଯେଉଁଥିରେ କି ଶିବସେନାର ଇସ୍ତଫା ଦେଇଥିବା ବିଧାୟକମାନଙ୍କର ଆଇନଗତ ସ୍ଥିତି ବିରୁଦ୍ଧରେ ଅଭିଯୋଗ ଅଛି। ଉଦ୍ଧବ ଠାକ୍ରେ ଆଶା କରୁଛନ୍ତି ଯେ ସୁପ୍ରିମକୋର୍ଟ ଉପରୋକ୍ତ ଦୁଇଟି ଯାକ ସମ୍ପୃକ୍ତ ମାମଲାରେ ଏକ ସାମଗ୍ରିକ ବିଚାର କରିବେ। ତେବେ ସେ ଯାଏ ଧୈର୍ଯ୍ୟର ସହ ଅପେକ୍ଷା ନ କରି ନିର୍ବାଚନ ଆୟୋଗକୁ ଗାଳି ଓ ଦୁର୍ନୀତିଖୋର ବୋଲି ସେ କହିବା ବୋଧହୁଏ ନୈରାଶ୍ୟର ପ୍ରତିଫଳନ। ଆୟୋଗ୍କୁ ଭାଙ୍ଗି ଦିଆଯାଇ ଏକ ନୂଆ ଆୟୋଗ ଗଠନ ପାଇଁ ଶ୍ରୀଠାକ୍ରେ ଉତ୍ତେଜିତ ବକ୍ତବ୍ୟ ଦେଇଛନ୍ତି।
ଭାରତରେ ରାଜନୈତିକ ଦଳର ବିଭାଜନ, ସଂକେତ ଓ ଦଳର ନାମକୁ ନେଇ ବିବାଦ ନୂଆ କଥା ନୁହେଁ। ବାମ, ଦକ୍ଷିଣ ଓ କେନ୍ଦ୍ରପନ୍ଥୀ ସବୁଦଳଙ୍କ ଜୀବନରେ ଏଭଳି ପରିସ୍ଥିତି ଆସିଛି ଏବଂ ଆଗକୁ ଅନ୍ୟାନ୍ୟ ଦଳଙ୍କ କ୍ଷେତ୍ରରେ ମଧ୍ୟ ଆସିପାରେ। କଂଗ୍ରେସ, ଜନତାପାର୍ଟି, ଜନତା ଦଳ, ବାମପନ୍ଥୀ ଓ କିଛି ଦ୍ରାବିଡ଼ୀୟ ଦଳ ଏହିକ୍ରମରେ ବହୁଦା ବିଭକ୍ତ ହୋଇଛନ୍ତି। ଗୋଟିଏ ମୂଳଦଳର ନାମ, ସଂକେତ ଓ କେତନ (ପତାକା)ର ମର୍ଯ୍ୟାଦା ଭିନ୍ନ ଏବଂ ଏହା ସହିତ ଦଳୀୟ କର୍ମୀଙ୍କର ଏକ ଭାବଗତ ସମ୍ପୃକ୍ତି ଥାଏ। ତେଣୁ ଦଳର ବିଭାଜନ ଘଟିଲେ ସମସ୍ତେ ମୂଳ ସଂକେତ, ନାମ ଓ କେତନ ପାଇବା ପାଇଁ ଉଦ୍ୟମ କରନ୍ତି। ବାସ୍ତବରେ ଭାରତୀୟ ରାଜନୀତିରେ ନେତୃତ୍ୱ ଓ ସଂଗଠନର ଭୂମିକା ଦଳରେ ଅଧିକ ଏବଂ ଦଳର ସଂକେତ, ପତାକା କିମ୍ବା ନାମର ବିଶେଷ ମହତ୍ତ୍ୱ ନଥିବା ଇତିହାସ କହେ। ନିର୍ବାଚିତ ଲୋକପ୍ରତିନିଧି ଗୋଟିଏ ଦଳ ଛାଡ଼ି ଚାଲିଗଲେ ବା ଦଳରେ ଆନୁଷ୍ଠାନିକ ବିଭାଜନ ଘଟିଲେ ସବୁ ଦଳ ମରି ହଜି ଯାଏ ନାହିଁ। ନେତା ଓ ନେତୃତ୍ୱ ଯଦି ଠିକ୍ ଥାଆନ୍ତି ଏବଂ ସଂଗଠନ ଯଦି ତାଙ୍କ ପାଖରେ ଥାଏ, ସେ ଦଳ ପରବର୍ତ୍ତୀ ନିର୍ବାଚନରେ ପୁନର୍ବାର ଉପରକୁ ଉଠିଥାଏ। ଭାରତରେ ସମାଜବାଦୀ ଆଦର୍ଶରେ ବିଶ୍ୱାସ ରଖୁଥିବା ସୋସିଆଲିଷ୍ଟ ପାର୍ଟିରେ କେତେ ଯେ ବିଭକ୍ତିକରଣ ଓ ରୂପାନ୍ତରଣ ହୋଇଛି ତାହା ଆମେ ସମସ୍ତେ ଦେଖି ଆସିଛେ।
ମହାରାଷ୍ଟ୍ରରେ ବିଶେଷକରି ଶିବସେନା ରାଜନୀତିରେ ଦଳର ଶାଖାଗୁଡ଼ିକର ପ୍ରଭାବ ଅଧିକ। ରାଜ୍ୟର ସବୁ ଜିଲ୍ଲାରେ ତୃଣମୂଳସ୍ତରରୁ ଆରମ୍ଭ କରି ଏଭଳି ଶାଖା ସଂଗଠନମାନ ରହିଛି। ଆହୁରି ମଧ୍ୟ ଶିବସେନାରେ ଅନେକ ସ୍ଥାନୀୟ ଟ୍ରଷ୍ଟ ରହିଛି, ଯାହା ବିଭିନ୍ନ ଶାଖାର ପ୍ରମୁଖ କର୍ମକର୍ତ୍ତା, ସ୍ଥାନୀୟ ନେତା ଓ କର୍ମୀଙ୍କ ଦ୍ୱାରା ପରିଚାଳିତ। ଏପରିକି ଅନେକ ସ୍ଥାନରେ ସ୍ଥାନୀୟ ଶିବସେନା ଭବନ ମଧ୍ୟ ଦଳର ନୁହେଁ ଏବଂ ଏହା ଶିବାଇ ଟ୍ରଷ୍ଟ ଦ୍ୱାରା ପରିଚାଳିତ। ଏହି ଶାଖା, ସଂଗଠନ ଓ ଟ୍ରଷ୍ଟସମୂହ ତୃଣମୂଳସ୍ତରରେ ଶିବସେନା ପାଇଁ କାମ କରିଥା’ନ୍ତି ଏବଂ ଏହା ଉପରେ ଦଳର ସାଂସଦ ଓ ବିଧାୟକଙ୍କର କୌଣସି ନିୟନ୍ତ୍ରଣ ନଥାଏ। ଦଳର ବିଭାଜନ ସତ୍ତ୍ବେ ଏହି ଶାଖା, ସଂଗଠନ ଓ ଟ୍ରଷ୍ଟମାନ ଅପରିବର୍ତ୍ତିତ ରହିଛନ୍ତି ଏବଂ ଏ ଯାଏଁ ସେମାନେ କୌଣସି ଗୋଷ୍ଠୀ ପ୍ରତି ନିଜର ଆନୁଗତ୍ୟ ପ୍ରକାଶ କରି ନଥିଲେ ମଧ୍ୟ କଠୋରପନ୍ଥୀ ଶିବ ସୈନିକ ଶିନ୍ଦେଗୋଷ୍ଠୀ ସପକ୍ଷରେ ଯିବା ସମ୍ଭାବନା କମ୍ ରହିଛି ବୋଲି ଶୁଣାଯାଏ। ଉଦ୍ଧବ ଠାକ୍ରେ ଭାବପ୍ରବଣତାର ଖେଳ ଖେଳି ଏହି ଶାଖା, ସଂଗଠନ ଓ ଟ୍ରଷ୍ଟଗୁଡ଼ିକର ସମର୍ଥନ ଯଦି ହାସଲ କରିବାରେ ସମର୍ଥ ହେବେ, ତେବେ ତାଙ୍କ ରାଜନୈତିକ ଭବିଷ୍ୟତ ବଦଳିପାରେ। ସେନାର ଦୁଇପକ୍ଷ ଏବେ ସଂଗଠନ ଓ ଶାଖାକୁ କରାୟତ୍ତ କରିବାକୁ ଆପ୍ରାଣ ଉଦ୍ୟମ କରିବେ। ଗତକାଲି ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କ ଗୋଷ୍ଠୀର ବିଧାୟକ ଓ କର୍ମକର୍ତ୍ତାମାନେ ବିଧାନସଭା ପରିସରରେ ଥିବା ଶିବସେନା ସଂସଦୀୟ କାର୍ଯ୍ୟାଳୟକୁ ଦଖଲ କରିଛନ୍ତି ବୋଲି ଜଣାପଡ଼ିଛି। ଅପରପକ୍ଷରେ ଉଦ୍ଧବ ଠାକ୍ରେ ନିଜେ ଜାତୀୟବାଦୀ କଂଗ୍ରେସ ନେତା ଶରଦ ପାୱାରଙ୍କ ସହ ଫୋନ୍ରେ ମନ୍ତ୍ରଣା କରିଥିବା ସୂଚନା ମିଳିଛି। ପୋଖତ ରାଜନୀତିଜ୍ଞ ଶରଦ ପାୱାର ଶିବସେନାର ଦଳୀୟ ଚିହ୍ନ ବିବାଦକୁ ତାଙ୍କର ଆଭ୍ୟନ୍ତରୀଣ ବ୍ୟାପାର କହି ଏଡ଼ାଇ ଯିବାକୁ ଚେଷ୍ଟା କରିଥିଲେ। ଉଦ୍ଧବଙ୍କ ସହ ଫୋନ୍ କଥାବାର୍ତ୍ତା ଜଣାପଡ଼ିବା ପରେ ପାୱାର ଠାକ୍ରେଙ୍କ ସପକ୍ଷରେ ବାହାରିଛନ୍ତି ବୋଲି ମନେ ହୁଏ। ରାଜନୀତିରେ କ୍ଷମତା, ଅର୍ଥ ଓ ସ୍ୱାର୍ଥର ଖେଳ ଆଗରେ ଦଳୀୟ ଆଦର୍ଶ ଏବଂ ମୂଲ୍ୟବୋଧର ବିଶେଷ କିଛି ପ୍ରଭାବ ନଥାଏ। ତେଣୁ ଶିବସେନା ସଂଗଠନରେ ପୁଣି ଏକ ବିଭାଜନ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ସଂଗଠନ ଦୁର୍ବଳ ହେଲେ ମହାରାଷ୍ଟ୍ର ରାଜନୀତିରେ ଶିବସେନାର ପୁରୁଣା ପ୍ରଭାବ ଓ ପ୍ରତିଷ୍ଠା ନିଶ୍ଚୟ କ୍ଷୁଣ୍ଣ ହେବ। ଗୋଟିଏ ଗୋଷ୍ଠୀ ଶରଦ ପାୱାରଙ୍କ ଏନ୍ସିପିର ଗୋଡ଼ାଣିଆ ହୋଇ ରହିବାକୁ ବାଧ୍ୟ ହେବାବେଳେ ଅନ୍ୟ ଗୋଷ୍ଠୀଟି ବିଜେପିର ଅନୁକମ୍ପା ସାଥୀ ହୋଇ ରହିବାକୁ ବାଧ୍ୟ ହେବ।
ରାଜ୍ୟର ବିଭିନ୍ନ ନଗରପାଳିକା, ଶ୍ରମିକ ସଂଗଠନ ଓ ସମବାୟ ସମିତିରେ ଶିବସେନାର ପ୍ରଭାବ ଏବେ ମଧ୍ୟ ଭଲ। ଏବେ ଦଳରେ ଯେଉଁ ରୂପାନ୍ତର ଘଟିଲା, ସେଥିରେ ତୃଣମୂଳର ଶିବ ସୈନିକମାନେ କେଉଁ ପକ୍ଷ ନେବେ ତାହା ଅନୁମାନ କରିବା ସହଜ ନୁହେଁ। ମହାରାଷ୍ଟ୍ର ରାଜନୀତି କିନ୍ତୁ ଆଗାମୀ ଦିନରେ ଅନେକ ରାଜନୈତିକ ଶକ୍ତି ପରୀକ୍ଷା ଓ ଅଶୋଭନୀୟ ସ୍ଥିତିର ସମ୍ମୁଖୀନ ହେବା ସ୍ୱାଭାବିକ। ମୁଖ୍ୟମନ୍ତ୍ରୀ ହେବାର ଲାଳସା ଉଭୟ ଉଦ୍ଧବ ଠାକ୍ରେ ଓ ଏକନାଥ ଶିନ୍ଦେଙ୍କର ପୂରଣ ହୋଇଛି। ସେମାନେ ଏବେ ଆପଣା ଅନୁଗତମାନଙ୍କୁ କେତେଦିନ ଏକତ୍ର ରଖି କି ପ୍ରକାର ଖେଳ ଖେଳୁଛନ୍ତି, ତାହା ଦେଖିବାକୁ ବାକି ରହିଲା। ଏହା ସତ ଯେ ଉଦ୍ଧବ ଓ ଏକନାଥଙ୍କର ବାଲ୍ ଠାକ୍ରେଙ୍କ ପରି ଆକର୍ଷଣ, ନେତୃତ୍ୱ ଓ ସାଂଗଠନିକ ଦକ୍ଷତା ନାହିଁ। ନୂଆ ପରିବେଶରେ ଯିଏ ଅଧିକ ଯୋଗ୍ୟ ହେବ, ସେ ହିଁ ହେବ ଶିବସେନାର ପ୍ରକୃତ ମାଲିକ।