ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହସ୍ତତନ୍ତ ବସ୍ତ୍ର ପିନ୍ଧିବାକୁ ସରକାରୀ କର୍ମଚାରୀଙ୍କୁ ଆହ୍ୱାନ; ଏ ବସ୍ତ୍ର ଗରବ ଆମର…

ରାଜ୍ୟରେ ହାତବୁଣା ବା ହସ୍ତତନ୍ତ ବସ୍ତ୍ରକୁ ଅଧିକ ଲୋକପ୍ରିୟ କରିବା ପାଇଁ ଓଡ଼ିଶା ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହିତ ସରକାରୀ କର୍ମଚାରୀମାନେ ସପ୍ତାହକୁ ଥରେ ଏହି ଲୁଗା ବା କପଡ଼ାରେ ପ୍ରସ୍ତୁତ ପୋଷାକ ପିନ୍ଧି କାର୍ଯ୍ୟାଳୟକୁ ଆସିବାକୁ ପରାମର୍ଶ ଦେଇଛନ୍ତି। ଏହି ମର୍ମରେ ବୟନ ଓ ହସ୍ତତନ୍ତ ବିଭାଗର ଶାସନ ସଚିବ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି। ଏହା ଏକ ସ୍ୱାଗତଯୋଗ୍ୟ ପ୍ରୟାସ।

ଏହା ଏକ ସରକାରୀ ଆଦେଶ ନୁହେଁ, ବରଂ ଏକ ଅନୁରୋଧ ଓ ପରାମର୍ଶ। ହାତବୁଣା ବସ୍ତ୍ରର ବ୍ୟବହାର ଏବଂ ବିକ୍ରିବଟାକୁ ବୃଦ୍ଧି କରିବାକୁ କେବଳ ଅନୁରୋଧ ଯଥେଷ୍ଟ ନୁହେଁ; ଏହାକୁ ବରଂ ସପ୍ତାହକୁ ଥରେ ବାଧ୍ୟତାମୂଳକ କରାଯିବା ଉଚିତ। ସରକାର ଅବଶ୍ୟ କର୍ମଚାରୀଙ୍କ ଉପରେ ପୋଷାକପତ୍ର କ୍ଷେତ୍ରରେ କିଛି ବାଧ୍ୟବାଧକତା ଲଦି ଦେବାକୁ ନ ଚାହିଁ କେବଳ ଏଭଳି ଏକ ପରାମର୍ଶ ଦେଇଛନ୍ତି। ଆମ ବ୍ୟବସ୍ଥାରେ ପରାମର୍ଶକୁ ଲୋକେ ବିଶେଷ ଗୁରୁତ୍ୱ ଦେଇ ନଥା’ନ୍ତି ଏବଂ ଏଥିରେ ବ୍ୟତିକ୍ରମ ଘଟିଥାଏ। ତେବେ ସେ ଯା’ହେଉ ସରକାରଙ୍କର ଏହି ପ୍ରୟାସ ପଛର ମହନୀୟ ଲକ୍ଷ୍ୟଟି ହେଲା ଆମ ଲୋକଙ୍କ ଦ୍ୱାରା ଆମ ମାଟିର ପାରମ୍ପରିକ ଜ୍ଞାନକୌଶଳରେ ପ୍ରସ୍ତୁତ ଆମ ବସ୍ତ୍ରକୁ ଆମେ ବ୍ୟବହାର କରିବା ଏବଂ ଏକ ଋଦ୍ଧିମନ୍ତ ପରମ୍ପରାକୁ ବଞ୍ଚାଇ ଏହା ସହିତ ଯୋଡ଼ି ହୋଇଥିବା ଲକ୍ଷ ଲକ୍ଷ ପରିବାରକୁ ସେମାନଙ୍କ ଜୀବିକାର୍ଜନରେ ସହାୟତା ଦେବା। ଅନେକ ରାଜ୍ୟ ଖଦିର ବ୍ୟବହାରକୁ ବାଧ୍ୟତାମୂଳକ କରିଛନ୍ତି ଏବଂ ସରକାରୀ କର୍ମଚାରୀମାନେ ସପ୍ତାହରେ ଥରେ ଏହି ବସ୍ତ୍ର ପରିଧାନ କରି ଏହାର ପ୍ରସାର ପ୍ରଚାରରେ ସହଭାଗୀ ହେଉଛନ୍ତି। ତେଣୁ ଖଦି ଭଳି ହସ୍ତତନ୍ତ ଓ ହାତବୁଣା ବସ୍ତ୍ରର ବ୍ୟବହାରକୁ ବୃଦ୍ଧି କରାଗଲେ ଏହା ହସ୍ତତନ୍ତର ବଜାର ସ୍ଥିତିକୁ ଆହୁରି ଅଧିକ ଅନୁକୂଳ କରିବ।

ଓଡ଼ିଶାର ନିଜସ୍ୱ ବୟନ ପରମ୍ପରା ଅତ୍ୟନ୍ତ ପ୍ରାଚୀନ ଓ ବେଶ୍‌‌ ସମୃଦ୍ଧ। ସମ୍ବଲପୁରୀ ବାନ୍ଧ ଶାଢ଼ି, ଗଞ୍ଜାମର ବମକାଇ ଓ ବ୍ରହ୍ମପୁରୀ ପାଟ, କଟକ ମାଣିଆବନ୍ଧର ଖଣ୍ଡୁଆ ପାଟ, କଳାହାଣ୍ଡିର ହବସପୁରୀ, କୋରାପୁଟର କୋଟପାଡ଼ ପାଟ, ବରଗଡ଼ ଓ ସୋନପୁରର ପଶାପାଲି ଆଦି ଆମର ନିଜସ୍ୱ ହସ୍ତତନ୍ତ ବୟନ ପରମ୍ପରା ଓ ଐତିହ୍ୟ। ଜିଆଇ ମାନ୍ୟତା ପ୍ରାପ୍ତ ଏସବୁ ବସ୍ତ୍ରର ଜାତୀୟ ଏବଂ ଆନ୍ତର୍ଜାତିକ ଚାହିଦା ବେଶ୍‌‌ ଭଲ। ଏହି ପରମ୍ପରାରେ କେବଳ ଶାଢ଼ି ବା ମହିଳା ପରିଧାନ ତିଆରି ହେଉନାହିଁ, ବିଭିନ୍ନ ପ୍ରକାର ପୋଷାକ ନିମନ୍ତେ କପଡ଼ା, ଥାନ, ଲୁଙ୍ଗି, ଗାମୁଛା ଆଦି ମଧ୍ୟ ଉତ୍ପାଦିତ ହେଉଛି। ବଡ଼ କଥା ହେଉଛି ସ୍ଥାନୀୟ ବୁଣାକାର ଓ ସହଯୋଗୀମାନେ ଏହି ପାରମ୍ପରିକ ବେଉସା ସହିତ ବହୁସଂଖ୍ୟାରେ ସମ୍ପୃକ୍ତ ହୋଇ ଗ୍ରାମ୍ୟ ଅର୍ଥନୀତିରେ ଏକ ସ୍ୱତନ୍ତ୍ର ଧାରା ସୃଷ୍ଟି କରିଛନ୍ତି। କଳାହାଣ୍ଡିର ହବସପୁରୀ ବା ଛିଛେଗୁଡ଼ା ବୟନ ପରମ୍ପରାରେ କନ୍ଧ ଆଦିବାସୀମାନେ ସମ୍ପୃକ୍ତ ଥିବାବେଳେ କୋଟପାଡ଼ରେ ମଧ୍ୟ ଅନ୍ୟ ଆଦିବାସୀ ବୁଣାକାର ବହୁସଂଖ୍ୟାରେ ଏଥିରେ ଜଡ଼ିତ।

ଚତୁର୍ଥ ସର୍ବଭାରତୀୟ ହସ୍ତତନ୍ତ ସର୍ଭେ ଅନୁସାରେ ଓଡ଼ିଶାରେ ୫୩,୪୭୨ ବୁଣାକାର ଓ ୬୪,୩୬୪ ସହାୟକ ଶ୍ରମିକ ବୟନ ଉଦ୍ୟୋଗ ସହିତ ସମ୍ପୃକ୍ତ। ସମବାୟ ବ୍ୟବସ୍ଥାରେ ସେମାନଙ୍କୁ ବସ୍ତ୍ର ଉତ୍ପାଦନ ଓ ବିକ୍ରିବଟା ପାଇଁ ବଜାର ସୁବିଧା ଯୋଗାଇ ଦିଆଯାଉଛି। ଏହାସତ୍ତ୍ବେ ଏହି ଉଦ୍ୟୋଗ ସହିତ ସମ୍ପୃକ୍ତ ବୁଣାକାର ଓ ଶ୍ରମିକମାନଙ୍କର ଆର୍ଥିକ ସ୍ଥିତି ଭଲ ନୁହେଁ। ସତକଥା ହେଲା ହାତ ତିଆରି ସାମଗ୍ରୀ ପାଇଁ କାରିଗର ଯେଉଁ ପରିଶ୍ରମ କରେ ତାହାର ଉପଯୁକ୍ତ ମୂଲ୍ୟ ମିଳେ ନାହିଁ। ସମ୍ପୃକ୍ତ ସାମଗ୍ରୀର ବିକ୍ରିବଟା ଅଧିକ ହେଲେ ଏହାର କାରିଗର ଓ ଶ୍ରମିକ ଲାଭବାନ ହୋଇଥା’ନ୍ତି। ସୁଖର କଥା ଏବେ ନୂଆ ନୂଆ ଡିଜାଇନର ଅଧିକ ସୌଖୀନ ହାତତିଆରି ବସ୍ତ୍ର ଓ କପଡ଼ା ଆମ କାରିଗରମାନେ ତିଆରି କରୁଛନ୍ତି। ସେ ସବୁର ବ୍ୟବହାର ଆମେ ଯଦି ନ କରି ଏକ ମିଲ୍‌‌ ତିଆରି ପୋଷାକ ପଛରେ ଧାଇଁବା, ସେଥିରେ ଆମ ପରମ୍ପରା ଓ ବୁଣାକାର କ୍ଷତିଗ୍ରସ୍ତ ହେବେ।

ଏଥିସହିତ ପଢ଼ନ୍ତୁ

ବୟନ, ବିଶେଷକରି ହାତ ତିଆରି ବସ୍ତ୍ର, କେବଳ ଆମର ଗର୍ବର ବିଷୟ ନୁହେଁ, ବରଂ ଏକ ସାଂସ୍କୃତିକ ଆନ୍ଦୋଳନ। ଏଥିରେ ଗୋଟିଏ ଜାତିର ଅସ୍ମିତା, ଶ୍ରମ, ଭାବପ୍ରବଣତା ଓ ନିୟତ ଜଡ଼ିତ। ଏହା ଆମ ରାଜ୍ୟର ଗ୍ରାମାଞ୍ଚଳ ଅର୍ଥନୀତିକୁ ଦୃଢ଼ କରିବା ସହିତ ଅନେକ ପରିବାରକୁ ଦାନାପାଣି ଯୋଗାଉଛି। ତେଣୁ ସେମାନଙ୍କ ପ୍ରସ୍ତୁତ ବସ୍ତ୍ର ବ୍ୟବହାର କରି ଆମେ ସେମାନଙ୍କୁ ପ୍ରୋତ୍ସାହିତ କରିବା ସହିତ ଆମ ପରମ୍ପରା, ଐତିହ୍ୟ ଓ ଅର୍ଥନୀତିକୁ ସୁଦୃଢ଼ କରିବା ଉଚିତ। ଆମ ରାଜ୍ୟର ନାରୀମାନେ ଏ କ୍ଷେତ୍ରରେ ବେଶ୍‌‌ ସମ୍ବେଦନଶୀଳ। ପ୍ରାୟ କୌଣସି ପରିବାର ନାହିଁ, ଯେଉଁଠି ଆମ ରାଜ୍ୟରେ ପ୍ରସ୍ତୁତ ହାତବୁଣା ଶାଢ଼ି ପସନ୍ଦ କରା ନ ଯାଏ। ଆମ ପରଦା, ବିଛଣା ଚାଦର, ଟେବୁଲ୍‌‌ କ୍ଲଥ, ଲୁଙ୍ଗି, ଫାଲଟା, ଗାମୁଛା ଆଦି ସବୁ କ୍ରମଶଃ ସ୍ୱଦେଶୀ ହେବା ଏକ ଭଲ ଲକ୍ଷଣ। ସରକାର ତାଙ୍କ କାମ କରୁଛନ୍ତି। ଆମର କାମ ହେଲା ଆମ ଐତିହ୍ୟ, ସଂସ୍କୃତି, କଳା, ସ୍ଥାପତ୍ୟ ଓ କାରିଗରୀକୁ ବ୍ୟକ୍ତିଗତ ସ୍ତରରେ ଯଥାସମ୍ଭବ ପ୍ରୋତ୍ସାହିତ କରିବା। ସରକାରଙ୍କ ପ୍ରୋତ୍ସାହନ ବ୍ୟତୀତ ବ୍ୟକ୍ତିଗତ ଓ ସାମାଜିକ ଚଳଣିରେ ଆମ ରାଜ୍ୟର ହସ୍ତତନ୍ତ ଶାଢ଼ି ଓ ପୋଷାକ ପ୍ରଚଳନ ରାଜ୍ୟର ବୟନ ଶିଳ୍ପ ପରମ୍ପରାକୁ ସୁଦୃଢ଼ କରିବ। ଆମର ବିଭିନ୍ନ ପର୍ବପର୍ବାଣି ଯଥା ରଜ, କୁମାରପୂର୍ଣ୍ଣମୀ, ନୂଆଖାଇ, ବାହାପୁଆଣି ଓ ବିଶେଷ ଉତ୍ସବମାନଙ୍କରେ ଉପହାର ଦିଆନିଆରେ ବହୁଆଗରୁ ଓଡ଼ିଶା ହସ୍ତତନ୍ତର ବହୁଳ ବ୍ୟବହାର ଚାଲିଆସିଛି। ବାହାଘରେ ଝିଅ ବିଦାରେ ପାରମ୍ପରିକ ହାତବୁଣା ଶାଢ଼ି ଯଥା ବରହମ୍‌‌ପୁରୀ ପାଟ, ବୋମକେଇ ସୂତା ଶାଢ଼ି, ସମ୍ବଲପୁରୀ ବାନ୍ଧ ଇତ୍ୟାଦି ଏବେ ମଧ୍ୟ ଖୋଜା ପଡ଼ୁଛି। ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିରର ବିଭିନ୍ନ ଉତ୍ସବରେ ଖଣ୍ଡୁଆ ପାଟ, ଗୀତଗୋବିନ୍ଦ ପାଟ ଓ ତଡ଼ପଉତୁରି ବସ୍ତ୍ର ଆଦିର ବ୍ୟବହାର ହୁଏ। ସେହି ପରମ୍ପରାକୁ ଆହୁରି ଆଗେଇ ନେଇ ରାଜ୍ୟ ସରକାର ଓଡ଼ିଶା ସରକାର ସରକାରୀ କମର୍ଚାରୀଙ୍କୁ ଓଡ଼ିଶାର ହାତବୁଣା କନା ପୋଷାକ ଓ ଶାଢ଼ି ପିନ୍ଧିବା ପାଇଁ ଯେଉଁ ପରାମର୍ଶ ଦେଇଛନ୍ତି ତାହାର ସୁଫଳ ନିଶ୍ଚୟ ମିଳିବ।

ଅବଶ୍ୟ ଆଜିକାଲିର ଆଧୁନିକ ଫେସନ୍‌‌ କାର୍ଯ୍ୟାଳୟ ଯିବା ପାଇଁ ଔପଚାରିକ ପୋଷାକର ସ୍ଥାନ ଅଧିକ। ତେବେ ଆଜିକାଲି ଖଦି ଓ ହାତବୁଣା ପୋଷାକ ସାଂସଦ, ବିଧାୟକ, ମନ୍ତ୍ରୀଗଣ ଏବଂ ବଡ଼ବଡ଼ ଉଦ୍ୟୋଗପତି ପାରମ୍ପରିକ କପଡ଼ାର ଆଧୁନିକ ଡିଜାଇନର ପୋଷାକ ବ୍ୟବହାର କରୁଥିବାର ଦେଖାଯାଉଛି। ଏପରିକି ନିକଟରେ ‘ଶ୍ରୀଗଣିତ ଶାଢ଼ି’ ବଲିଉଡ୍‌‌ର ପ୍ରଖ୍ୟାତ ନାୟିକା ବିଦ୍ୟା ବାଲାନ୍‌‌ ଗୋଟିଏ ଚଳଚ୍ଚିତ୍ରରେ ପିନ୍ଧି ଓଡ଼ିଆ ହସ୍ତତନ୍ତ ପାଇଁ ବେଶ୍‌‌ ଲୋକପ୍ରିୟତା ଆଣିପାରିଥିଲେ। ବହୁବର୍ଷ ପୂର୍ବରୁ ବ୍ରିଟିଶ୍‌‌ ଶାସନ କାଳରେ କ୍ୱିନ୍‌‌ ଏଲିଜାବେଥ୍‌‌ଙ୍କ ବିବାହ ସମୟରେ ତତ୍କାଳୀନ ଭାରତ ସରକାରଙ୍କ ଦ୍ୱାରା ଏକ ଅତି ସୂକ୍ଷ୍ମ ମାନର ସମ୍ବଲପୁରୀ ଶାଢ଼ିକୁ ଗୋଟିଏ ଛୋଟ ଲୁହା ନଳି ଭିତରେ ପୂରାଇ ଉପହାର ଦିଆଯାଇଥିଲା। ଏହା ଦ୍ବାରା ସମ୍ବଲପୁରୀ ବୁଣାକାରମାନଙ୍କର ଉନ୍ନତ କଳାକୌଶଳକୁ ବିଶ୍ୱସ୍ତରୀୟ ସମ୍ମାନ ମିଳିଥିଲା।

ଆଧୁନିକ ଓଡ଼ିଶାର ଅନ୍ୟତମ ପ୍ରତିଷ୍ଠାତା ମଧୁବାବୁଙ୍କ ଭାଷାରେ ଆଲୋ ସଖି ଆପଣା ମହତ ଆପେ ରଖି। ଆମ ରାଜ୍ୟର କଳାକୌଶଳକୁ ଆମେ ଯଦି ପ୍ରୋତ୍ସାହନ ନ ଦେବା, ତା’ ହେଲେ ଆଉ କିଏ ଦେବ? ଆସନ୍ତୁ ଆମେ ସମସ୍ତେ ଏହି ମନ୍ତ୍ରରେ ଦୀକ୍ଷିତ ହୋଇ ଗାଇବା – ଏ ବସ୍ତ୍ର ଗରବ ଆମର ସର୍ବଦା କରିବା ଆଦର!

Leave A Reply

Your email address will not be published.