କୃଷି କାୟାକଳ୍ପ ପଥରେ ଓଡ଼ିଶା

ଓଡ଼ିଶାରେ ଚାଷର ସ୍ଥିତି କେବଳ ବଦଳି ନାହିଁ, ଏଥିରେ ବିବିଧତା ମଧ୍ୟ ରହିଛି। ମାତ୍ର ଦୁଇଦଶନ୍ଧିର ବ୍ୟବଧାନ ମଧ୍ୟରେ ଓଡ଼ିଶା ‘ଖାଦ୍ୟ ଅଭାବ ରାଜ୍ୟ’ରୁ ‘ଖାଦ୍ୟ ବଳକା ପ୍ରଦେଶ’ରେ ପରିଣତ ହୋଇଛି। ଏହାପଛରେ ରହିଛି ନବୀନ ସରକାରଙ୍କ ପ୍ରଚଣ୍ଡ ରାଜନୈତିକ ଇଚ୍ଛାଶକ୍ତି ଏବଂ ସ୍ଥାୟୀ ଶାସନର ମହତ୍ତ୍ୱ। କୃଷିକର୍ମଣ ଭଳି ଜାତୀୟ ପୁରସ୍କାର ଓଡ଼ିଶାର ସଫଳତା ଏବଂ କାର୍ଯ୍ୟକୁ କେବଳ ସ୍ୱୀକୃତି ପ୍ରଦାନ କରୁନାହିଁ; ଏହା ଆମକୁ ଆମର ପ୍ରଦର୍ଶନ ବଢ଼଼ାଇ ନୂଆ ଲକ୍ଷ୍ୟ ହାସଲ କରିବାକୁ ଅନୁପ୍ରାଣିତ କରୁଛି। ସେଥିପାଇଁ ତ ଓଡ଼ିଶା ଆଜି ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଆଖିଦୃଶିଆ ଭାବେ ଚାଉଳ ଯୋଗାଉଛି। ଆମ ପଣସ ଓ ଛତୁ ମିଶନ ଅଥବା ମିଲେଟ୍‌‌ ମିଶନ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ପ୍ରଶଂସିତ ହୋଇଛି ଏବଂ ଆମ ଚାଷୀ, ବ୍ୟବସାୟୀ ଓ ଉଦ୍ୟୋଗୀଙ୍କୁ ଅଧିକ ରୋଜଗାର ଦେବାର ବାଟ ଖୋଲିଛି।

ଓଡ଼ିଶାରେ ଧାନ ଓ ଅନ୍ୟାନ୍ୟ ପାରମ୍ପରିକ ଫସଲ ଚାଷର ଚାହିଦା ଏବଂ ଗୁରୁତ୍ୱ ଆଉ ନାହିଁ। ବିକଳ୍ପ କୃଷି ଓ ଅର୍ଥକରୀ ଫସଲ ଚାଷର ଚାହିଦା ବଢ଼଼ିଛି। ଏଥିରେ ଲାଭ ଅଧିକ ଏବଂ ଚାଷୀଙ୍କର ଆୟ ବୃଦ୍ଧିର ସମ୍ଭାବନା ବେଶି। ତେଣୁ ବର୍ଷକର ଭାତ ଆବଶ୍ୟକତା ପୂରଣ ପାଇଁ ଯେତିକି ଧାନ ଚାଷ କରିବା କଥା ସେତିକି କରି ଅଣଧାନ ତଥା ଅର୍ଥକରୀ ଫସଲ ଚାଷ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। ସୁଖର କଥା ନିକଟରେ ରାଜ୍ୟ ସରକାର ଅଣଧାନ ଚାଷ ଓ କୃଷି ବିବିଧତାକୁ ଗୁରୁତ୍ୱ ଦେଇ କେତେକ ପ୍ରୋତ୍ସାହନ ଯୋଜନା ଘୋଷଣା କରିଛନ୍ତି। ଏଥିରେ ଅଣଧାନ ଚାଷ ପାଇଁ ସରକାରୀ ପ୍ରୋତ୍ସାହନ ସହିତ ଉତ୍ପାଦିତ ଫସଲର ବିକ୍ରିବଟା ଓ ବଜାର ସୁବିଧା ଯୋଗାଇ ଦେବାକୁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଚାଷୀ ଏସବୁ ଫସଲ ଉପରେ ଉଚ୍ଚ ହାରରେ ଏମ୍‌‌ଏସ୍‌‌ପି ପାଇବା ସହିତ ନିଜ ଉତ୍ପାଦିତ ସାମଗ୍ରୀକୁ ଆଉ ଯଚେଇ ବିକିବା ଅବସ୍ଥାର ସମ୍ମୁଖୀନ ହେବେ ନାହିଁ। ଧାନ ବିକିବାକୁ ଚାଷୀ ଏବେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେ ଅବସ୍ଥା ଅର୍ଥକରୀ ଓ ଅଣଧାନ ଫସଲରେ ରହିବ ନାହିଁ; କାରଣ ଏହାର ବଜାର ଚାହିଦା ବେଶ ଭଲ।

ଏଥିସହିତ ପଢ଼ନ୍ତୁ

‘ମିଲେଟ୍’ କଥା ଦେଖନ୍ତୁ। ଓଡ଼ିଶାର ପାହାଡ଼ିଆ ଓ ଶୁଷ୍କାଞ୍ଚଳରେ ଏହି ଚାଷ ପାରମ୍ପରିକ ଭାବେ ଚାଷ ହୋଇଥାଏ। ବାଜରା, ଜୱାର, ମାଣ୍ଡିଆ, ଚିନା, ସୁଆଁ, କୋଦୁଅ, ରାମଦାନା ଓ ମକା ଆଦି ମୋଟା ଶସ୍ୟ ସବୁ ‘ମିଲେଟ୍’ ନାମରେ ପରିଚିତ। ତା’ଭିତରୁ ଓଡ଼ିଶାରେ ମାଣ୍ଡିଆ ଚାଷ ଅଧିକ ହୁଏ। ଏହା ନିକୃଷ୍ଟ ଜମିରେ, ଖୁବ୍‌‌ କମ୍‌‌ ପାଣିରେ ଏବଂ ବିନା ରୋଗପୋକରେ ଅଳ୍ପ ପରିଶ୍ରମରେ ଉତ୍ପାଦିତ ହୋଇଥାଏ। କେନ୍ଦ୍ର ସରକାର ଏବେ ଏହି ମିଲେଟ୍ ଜାତୀୟ ଫସଲର ନୂଆ ନାମକରଣ କରିଛନ୍ତି ‘ଶ୍ରୀଅନ୍ନ’। ଏହି ‘ଶ୍ରୀଅନ୍ନ’ ତାହାର ପୁଷ୍ଟିକର ଏବଂ ରୋଗ ପ୍ରତିରୋଧକାରୀ ଗୁଣ ଯୋଗୁଁ ଏବେ ବିଶ୍ୱରେ ‘ପରମ ଖାଦ୍ୟ’ ବା ‘ସୁପର ଫୁଡ୍‌‌’ର ମାନ୍ୟତା ପାଇଛି ଏବଂ ଏହାର ଚାହିଦା ବଢ଼଼ିଛି। କିନ୍ତୁ ଗୋଟେ ସମୟ ଥିଲା ଯେତେବେଳେ ଆଜିକାର ‘ଶ୍ରୀଅନ୍ନ’(ମିଲେଟ୍) ଏକଦା ଗରିବଙ୍କ ଖାଦ୍ୟ ଭାବେ ପରିଚିତ ଥିଲା ଏବଂ ଥିଲାବାଲା ଏହାକୁ ଘୃଣା ଚକ୍ଷୁରେ ଦେଖୁଥିଲେ। କେବଳ ସ୍ୱାସ୍ଥ୍ୟ ସଚେତନ ଆଧୁନିକ ମଣିଷ ଏବେ ‘ଶ୍ରୀଅନ୍ନ’ର ଗୁରୁତ୍ୱ ବୁଝିନାହିଁ, ଜଳବାୟୁ ପରିବର୍ତ୍ତନ ଏହି ପୁରୁଣା ଫସଲ ଚାଷକୁ ନୂଆ ରୂପ ଦେବାକୁ ବାଧ୍ୟ କରିଛି। ବିଶ୍ୱର ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ଫଳରେ ବର୍ଷାରେ ଗୁରୁତର ଅନିୟମିତତା ଘଟିଛି। ତେଣୁ ଅଧିକ ପାଣି ଲୋଡ଼ୁଥିବା ଫସଲ ଚାଷ ସଂକଟର ସମ୍ମୁଖୀନ। ତେଣୁ କମ୍‌‌ ପାଣିରେ, କମ୍‌‌ ଖର୍ଚ୍ଚରେ ଅଧିକ ପୁଷ୍ଟିକର ଖାଦ୍ୟ ଶସ୍ୟ କିପରି ଉତ୍ପାଦନ କରି ହେବ, ମିଲେଟ୍ ମିଶନ ତାହାର ଏକ ସଫଳ ଉଦାହରଣ। ଅବିଭକ୍ତ କୋରାପୁଟ, କଳାହାଣ୍ଡି ସମେତ ସୁନ୍ଦରଗଡ଼ ଜିଲ୍ଲାରେ ମିଲେଟ୍ ମିଶନ ଭଲ କାମ କରୁଛି। ଓଡ଼ିଆ ମାଣ୍ଡିଆ ଓ ଅନ୍ୟାନ୍ୟ ମୋଟା ଶସ୍ୟର ଚାହିଦା ଜାତୀୟ ଏବଂ ଆନ୍ତର୍ଜାତିକ ବଜାରରେ ବଢ଼଼ିଛି। ତେଣୁ ଏହି ଚାଷକୁ ଯେତେ ଅଧିକ ଉତ୍ପାଦିତ କରାଯିବ ଏବଂ ଏଥିରେ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ହେବ, ତାହା ଚାଷୀଙ୍କ ପାଇଁ ସେତେ ମଙ୍ଗଳକର ହେବ।

ଭୁବନେଶ୍ୱରରେ ଆୟୋଜିତ କୃଷି ଓଡ଼ିଶା ପ୍ରଦର୍ଶନୀକୁ ଉଦ୍‌‌ଘାଟନ କରିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷବାସରେ ନୂଆ ବୈଷୟିକ ଜ୍ଞାନକୌଶଳର ଅଧିକ ଉପଯୋଗ କରିବାକୁ ଯେଉଁ ଆହ୍ୱାନ ଦେଇଛନ୍ତି, ତାହା ବିଶେଷ ଗୁରୁତ୍ୱପୂର୍ଣ୍ଣ। କୃଷି ବିଭାଗ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟିଦେବା ଆବଶ୍ୟକ। ବୈଷୟିକ ଜ୍ଞାନକୌଶଳ କେବଳ ଚାଷବାସ, ଅମଳ, ବିକ୍ରିବଟାକୁ ନୂଆ ରୂପ ଦେଇ ନଥାଏ, ଏହା ମଧ୍ୟ ଉତ୍ପାଦିତ ସାମଗ୍ରୀକୁ ଖାଉଟିଙ୍କ ସହଜ ବ୍ୟବହାର ଉପଯୁକ୍ତ କରି ଯୋଗାଣ ଶୃଙ୍ଖଳାକୁ ସୁଦୃଢ଼ କରିଥାଏ। ମିଲେଟ ମିଶନ ହେଉ ଅଥବା ପଣସ ମିଶନ- ସବୁଥିରେ ଖାଉଟି ଚଟାପଟ ବ୍ୟବହାର କରିବା ଭଳି ଉପାଦାନ ଓ ସାମଗ୍ରୀ ହାତ ପାଖରେ ଚାହାନ୍ତି। ଏହାର ମୂଲ୍ୟ ମଧ୍ୟ ଯୁକ୍ତିଯୁକ୍ତ ହେବା ଆବଶ୍ୟକ। ଆନ୍ତର୍ଜାତିକ ମିଲେଟ୍‌‌ ବର୍ଷ ଏବେ ପାଳିତ ହେଉଛି ଏବଂ ଭାରତ ଦୁଇବର୍ଷ ପୂର୍ବେ ଜାତୀୟସ୍ତରରେ ମିଲେଟ ଦିବସ ପାଳନ କରିସାରିଛି। ଏହାସତ୍ତ୍ବେ ଦେଶର ପ୍ରାୟ ୭୦ ଭାଗ ଲୋକ ଏହି ‘ଶ୍ରୀଅନ୍ନ’ ବା ‘ମିଲେଟ’କୁ କିପରି ଖାଇବେ ତାହାର ପ୍ରସ୍ତୁତି ପ୍ରଣାଳୀ ଜାଣିନାହାନ୍ତି। ଆହୁରି ମଧ୍ୟ ମିଲେଟ୍ ଜାତୀୟ ଖାଦ୍ୟର ପ୍ରକ୍ରିୟାକରଣ ପାଇଁ ବୈଷୟିକ ଜ୍ଞାନକୌଶଳର ଆବଶ୍ୟକତା ରହିଛି। ତାହା ନ ହେଲେ ଏହାର ବ୍ୟବହାର ଓ ଚାହିଦା କମିବ। ତେଣୁ ଓଡ଼ିଶାରେ ମିଲେଟ୍ସ ସହିତ ଅନ୍ୟାନ୍ୟ ଖାଦ୍ୟ ଶସ୍ୟ ଓ ଫସଲର ପ୍ରକ୍ରିୟାକରଣ ପାଇଁ ଉପଯୁକ୍ତ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବା ଆବଶ୍ୟକ। ଏଥିପାଇଁ କୃଷି ବୈଷୟିକ ଜ୍ଞାନକୌଶଳ ମିଶନ ଆରମ୍ଭ କଲେ କିଛି ଅସୁବିଧା ନାହିଁ।

ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ବିନା ଚାଷବାସର ଉନ୍ନତି ଆଉ ସମ୍ଭବ ନୁହେଁ। ତେବେ ସେ ବୈଷୟିକ ଜ୍ଞାନକୌଶଳ ଉପଯୁକ୍ତ ଏବଂ ଚାଷୀଙ୍କ ସାମର୍ଥ୍ୟ ମୁତାବକ ହେବା ଦରକାର। ତେବେ ଯାଇ ଚାଷୀ ଏହାକୁ ବ୍ୟବହାର କରି ନିଜର ଉତ୍ପାଦନ ଓ ଆୟ ବଢ଼଼ାଇ ପାରିବେ। ଏହାବ୍ୟତୀତ କୃଷିକ୍ଷେତ୍ରରେ ଷ୍ଟାର୍ଟଅପ୍‌‌କୁ ପ୍ରୋତ୍ସାହିତ କରି କୃଷି ଶିଳ୍ପକୁ ପ୍ରୋତ୍ସାହିତ କରାଯାଇପାରିବ। ମୁଖ୍ୟମନ୍ତ୍ରୀଙ୍କ ଆଗ୍ରହ ଓ ଦିଗ୍‌‌ଦର୍ଶନରେ ଓଡ଼ିଶାର କୃଷି ଉପଯୁକ୍ତ ମାର୍ଗରେ ଚାଲିଛି ଏବଂ ଏହାର ରୂପାନ୍ତରଣ ପ୍ରକ୍ରିୟା ମଧ୍ୟ ପ୍ରାୟତଃ ଠିକ୍‌‌ ଅଛି। ଆମ କୃଷି ବିଭାଗର ପରିଶ୍ରମ ଓ ନିଷ୍ଠା ବଳରେ ଓଡ଼ିଶାର କୃଷି ସଫଳତାର ନୂଆ ଶିଖରକୁ ଉଠି ଅନେକଙ୍କ ପାଇଁ ଯେ ଆଦର୍ଶ ହୋଇପାରିବ, ସେ ସମ୍ଭାବନାଟି ଉଜ୍ଜ୍ୱଳତର ମନେ ହେଉଛି।

Leave a comment