ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସମଲିଙ୍ଗୀ ବିବାହ ବିତର୍କ: ପବିତ୍ର ବିବାହ ପରମ୍ପରା ଦୃଢ଼ ରହୁ

ସମଲିଙ୍ଗୀ ବିବାହକୁ ଭାରତରେ ଅନୁମତି ଦିଆଯିବ କି ନାହିଁ ସେ ନେଇ ସାରାଦେଶରେ ନ୍ୟାୟିକ, ରାଜନୈତିକ ଓ ସାମାଜିକ ବିତର୍କ ତୀବ୍ରତର ହୋଇଛି। ମାମଲା ସୁପ୍ରିମକୋର୍ଟର ପାଞ୍ଚଜଣିଆ ସମ୍ବିଧାନ ପୀଠକୁ ଯାଇଥିବାବେଳେ କେନ୍ଦ୍ର ସରକାର ସର୍ବୋଚ୍ଚ ଅଦାଲତଙ୍କୁ କହିଛନ୍ତି ଯେ ସମଲିଙ୍ଗୀ ବିବାହ ଭାରତୀୟ ସଂସ୍କୃତି ଓ ପରମ୍ପରାର ବିରୋଧୀ। ଏଭଳି ଅପ୍ରାକୃତିକ ଓ ଅପସଂସ୍କୃତିମୂଳକ ବିବାହ ବ୍ୟବସ୍ଥା ଦ୍ୱାରା ବିବାହ ଅନୁଷ୍ଠାନର ପବିତ୍ରତା କ୍ଷୁଣ୍ଣ ହେବ। ଅତଏବ ଏଭଳି ପରମ୍ପରା ବିରୋଧୀ କାର୍ଯ୍ୟକୁ ଆଇନଗତ ମାନ୍ୟତା ପ୍ରଦାନ କରିବା ଠିକ୍‌‌ ନୁହେଁ। ଅପରପକ୍ଷରେ ସମଲିଙ୍ଗୀ ସମୁଦାୟ ଓ ସେମାନଙ୍କ ଅଧିକାର ପାଇଁ ଲଢ଼ୁଥିବା ଗୋଷ୍ଠୀ ଏଭଳି ବିବାହକୁ ଅନୁମତି ଦେବା ପାଇଁ ଦାବି କରିବା ସହ ଅନ୍ୟ କେତେକ ଦେଶ ଭଳି ଆଇନଗତ ବ୍ୟବସ୍ଥା ପ୍ରଚଳନ ସପକ୍ଷରେ ସ୍ୱର ଉତ୍ତୋଳନ କରୁଛନ୍ତି। ମାମଲାର ଶୁଣାଣି ଆସନ୍ତା ୧୮ ତାରିଖଠାରୁ ଆରମ୍ଭ ହେବ। ସେ ଦୃଷ୍ଟିରୁ ସମସ୍ତଙ୍କ ନଜର ଏବେ ସୁପ୍ରିମକୋର୍ଟ ଉପରେ।

ପାଞ୍ଚବର୍ଷ ତଳେ ସୁପ୍ରିମକୋର୍ଟ ଭାରତରେ ସମ୍ମତିଭିତ୍ତିକ ସମଲିଙ୍ଗୀ କାର୍ଯ୍ୟକଳାପ (କନ୍‌‌ସେନସୁଆଲ ହୋମୋସେକ୍ସୁଆଲ ଆକ୍ଟିଭିଟିଜ)କୁ ବୈଧ ଘୋଷଣା କରିଥିଲେ। ଏହାଫଳରେ ଏଭଳି କାର୍ଯ୍ୟରେ ଲିପ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଆପରାଧିକ ମାମଲା ଓ କାର୍ଯ୍ୟାନୁଷ୍ଠାନକୁ ରଦ୍ଦ କରାଯାଇଥିଲା। ଏହି ଘଟଣା ପରେ ସମଲିଙ୍ଗୀ ବିବାହ ପାଇଁ ଭାରତରେ ଅନୁମତି ମିଳିବ ବୋଲି ଅଧିକାଂଶ ସମ୍ପୃକ୍ତ ଗୋଷ୍ଠୀ ଓ ସମର୍ଥକ ଆଶାବାଦୀ। ସେମାନେ ଏହାକୁ ପରବର୍ତ୍ତୀ ପର୍ଯ୍ୟାୟରେ ଆଇନର ସମ୍ଭାବନକୁ ବିଶ୍ୱାସ କରୁଛନ୍ତି। ଭାରତରେ କିନ୍ତୁ ସମଲିଙ୍ଗୀ ବିବାହ ପ୍ରତି ଏକ ବୈଧାନିକ ଓ ନୈତିକ ସଙ୍କଟ ରହିଛି। ପରିବର୍ତ୍ତନବାଦୀ ଏହାକୁ ଅନାବଶ୍ୟକ ଓ ରକ୍ଷଣଶୀଳତାର ପ୍ରତିକ୍ରିୟା ଭାବେ ଦର୍ଶାଉଥିବାବେଳେ ବୃହତ୍ତର ସମାଜ, ସଂସ୍କୃତି ଓ ଲୋକାଚାର ଦୃଷ୍ଟିରୁ ଏହାକୁ ନିନ୍ଦନୀୟ, ଅଗ୍ରହଣୀୟ କହି ବିରୋଧ କରୁଛି।

ସମ୍ପ୍ରତି ଆଧୁନିକ ଭାରତୀୟ ସମାଜରେ ଜାତି, ଧର୍ମ ନିର୍ବିଶେଷରେ ବିବାହ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆସିଛି ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ତଥା ନ୍ୟାୟିକ ହସ୍ତକ୍ଷେପ ଫଳରେ ଆନ୍ତଃଜାତି, ଆନ୍ତଃସମ୍ପ୍ରଦାୟ ବିବାହକୁ ନ୍ୟାୟିକ ମାନ୍ୟତା ମଧ୍ୟ ମିଳିଛି। ‘ତିନି ତଲାକ୍‌‌’ର ମଧ୍ୟ ଅବସାନ ଘଟିଛି। ଏହାଦ୍ୱାରା ପବିତ୍ର ଭାରତୀୟ ପାରମ୍ପରିକ ବିବାହ ଅନୁଷ୍ଠାନ ଉଜୁଡ଼ି ଯାଇନାହିଁ। ବରଂ ଏଭଳି ବିବାହ ବିଭିନ୍ନ ପ୍ରକାରର ଭାରତୀୟ ବିବାହ ପରମ୍ପରା ସହିତ ମିଶି ତାହାର ସଂଖ୍ୟା ବଢ଼଼ାଉଛି। ହେଲେ ଏହି ସବୁ ବିବାହ ଓ ସମଲିଙ୍ଗୀ ବିବାହ ମଧ୍ୟରେ ଏକ ମୌଳିକ ପାର୍ଥକ୍ୟ ରହିଛି। ବିବାହ ସାଧାରଣତଃ ଦୁଇ ବିପରୀତ ଲିଙ୍ଗ ମଧ୍ୟରେ ହୋଇଥାଏ ମୂଳତଃ ପ୍ରଜନନ ଓ ବଂଶରକ୍ଷା ପାଇଁ। ସମଲିଙ୍ଗୀ ବିବାହରେ ସନ୍ତାନଲାଭ, ବଂଶରକ୍ଷା ଭଳି କୁଳୀନ ଆଚାର ଓ ପରମ୍ପରାର ସୁରକ୍ଷା ହୁଏ ନାହିଁ। ଏହା କେବଳ ଦୁଇଜଣ ସମଲିଙ୍ଗୀଙ୍କର ଯୌନାଗତ ତୃପ୍ତି ଏବଂ ସହାବସ୍ଥାନକୁ ବୁଝାଏ। ଏହାକୁ ଯଦି ମାନବିକ ଅଧିକାର ସୁରକ୍ଷା ପର୍ଯ୍ୟାୟଭୁକ୍ତ ବିଷୟ ବୋଲି ଯୁକ୍ତି କରାଯାଏ, ତା’ ହେଲେ କଥା ସରିଲା। ସମ୍ବିଧାନ ଆଗରେ ସମସ୍ତେ ସମାନ ଓ ସମସ୍ତଙ୍କୁ ନ୍ୟାୟ ପ୍ରଦାନ ପାଇଁ ଏହା ଅଙ୍ଗୀକୃତ। ତେଣୁ ସେହି ସୀମିତ ଦୃଷ୍ଟିରୁ ଦେଖିଲେ ସମଲିଙ୍ଗୀ ବିବାହକୁ ଅବାଞ୍ଛିତ କହିବା ଠିକ୍‌‌ ହୋଇନପାରେ।

ଏଇ ଭାରତରେ ବିଚିତ୍ର କଥାସବୁ ଦେଖାଯାଉଛି। ଯୁବତୀମାନେ ଠାକୁରଙ୍କୁ କିମ୍ବା ସ୍ଥଳବିଶେଷରେ ନିଜକୁ ନିଜେ ଏବେ ବିବାହ କରୁଛନ୍ତି। ଅତୀତରେ ଦେବତାଙ୍କୁ ଦେବଦାସୀମାନେ ବିବାହ କରୁଥିଲେ। କେତେକ ବିଶେଷ ଅବସ୍ଥାରେ ସାହାଡ଼ା ଗଛ ସହିତ ବିବାହ କରିବାର ମଧ୍ୟ ପରମ୍ପରା ଏବେ ବି ରହିଛି। ଏହାପଛରେ କେତେ କୁସଂସ୍କାର ଓ ଅଜ୍ଞତା ଅଛି, ତାହା ଭିନ୍ନ କଥା। ମାତ୍ର ଏଭଳି ଘଟଣା ବିବାହକୁ ଗୋଟେ ରୋଚକ ମୋଡ଼ ଦେଇ ନୂଆ ପରମ୍ପରା ସୃଷ୍ଟି କରୁଥିଲା। ଆଇନ ବା ବ୍ୟବସ୍ଥାର କାମ ହେଲା ସମସ୍ତଙ୍କୁ ନ୍ୟାୟ ଦେବା। ତେବେ ଏଭଳି କିଛି ନ୍ୟାୟ ପ୍ରଦାନ କରି ଏକ କ୍ଷୁଦ୍ର ଗୋଷ୍ଠୀଙ୍କୁ ଉପକୃତ କରିବା ଅବସରରେ ବୃହତ୍ତର ସମାଜ, ପରମ୍ପରା ଓ ସଂସ୍କୃତି ପ୍ରତି ଯଦି ଆଘାତ ସୃଷ୍ଟି କରାଯାଏ, ତାହା ଠିକ୍‌‌ ହେବ ତ? ସମଲିଙ୍ଗୀ ବିବାହ କ୍ଷେତ୍ରରେ ସମ୍ପତ୍ତିଗତ ଓ ଉତ୍ତରାଧିକାର ନିୟମ କ’ଣ ହେବ ତାହା ମଧ୍ୟ ଏକ ଅସମାହିତ ଆଇନଗତ ପ୍ରଶ୍ନ। ସର୍ବୋପରି ଏଭଳି ବିବାହ ସାମାଜିକ ବିସଂହତି ଓ ବିକାର ସୃଷ୍ଟି କରିବ ବୋଲି ସମାଜର ଅଧିକାଂଶ ବର୍ଗଙ୍କ ଆଶଙ୍କା। ଏବେ ବିଭିନ୍ନ ପାଶ୍ଚାତ୍ୟ ଦେଶ ଭଳି ଭାରତରେ ମଧ୍ୟ ବିବାହ ନ କରି ଯୁବକ ଓ ଯୁବତୀମାନେ ‘ ଏକତ୍ର ସହାବସ୍ଥାନ’(ଲିଭ୍‌‌ ଇନ୍‌‌) କରୁଛନ୍ତି। ସ୍ଥଳବିଶେଷରେ ଦୁଇଜଣ ଯୁବକ ବା ଦୁଇଜଣ ଯୁବତୀ ମଧ୍ୟ ପରସ୍ପର ସହମତିରେ ଏହିଭଳି ଅପ୍ରାକୃତିକ ଯୌନ ସହାବସ୍ଥାନକୁ ଆଦରି ନେବାର ଦ୍ୱାହି ଦେଇ ଏବଂ ବ୍ୟକ୍ତିର ମୌଳିକ ଅଧିକାର ନାଁରେ ଏହାର ସପକ୍ଷରେ ଯୁକ୍ତି ବାଢ଼ୁଛନ୍ତି। ସମାଜରେ ଏହାର ବହୁଳ ଆଦୃତି ନଥିଲେ ମଧ୍ୟ ବିଦେଶୀ ଆଧୁନିକ ଚଳଣି ନାଁରେ ଅନେକ ସ୍ଥାନରେ ଏଭଳି ସମ୍ପର୍କ ବୃଦ୍ଧି ପାଇବାରେ ଲାଗିଛି। ମନୋରଞ୍ଜନ ଗଣମାଧ୍ୟମରେ, ବିଶେଷକରି ଡିଜିଟାଲ୍‌‌ ସୋସିଆଲ୍‌‌ ମିଡିଆରେ ମନୋରଞ୍ଜନ ନାଁରେ ଏହିଭଳି କାହାଣୀ ଓ ବୃତ୍ତଚିତ୍ର ପ୍ରସାର କରାଯାଉଥିବାରୁ ଏ ପ୍ରକାର ଅଣପାରମ୍ପରିକ ଚଳଣି ଦେଖିଲେ ବା ଶୁଣିଲେ ସାଧାରଣ ଲୋକ ବିସ୍ମୟ ପ୍ରକାଶ କରୁନାହାନ୍ତି। ରକ୍ଷଣଶୀଳ ଲୋକେ ଭାରତୀୟ ସମାଜର ଦୁର୍ଗତି ସମୟ ଆସିଗଲା ବୋଲି କପାଳରେ କେବଳ ହାତ ଦେଇ ଦୁଃଖ କରୁଛନ୍ତି।

ଏକଥା ସତ ଯେ କୌଣସି ଗୋଟିଏ ବିବାଦୀୟ ବିଷୟକୁ ସମାଜ ସହଜରେ ଗ୍ରହଣ କରେ ନାହିଁ। ଏଥିପାଇଁ ଲମ୍ବା ସମୟ ଦରକାର ପଡ଼େ। ଆମ ଲୋକପ୍ରତିନିଧି ଓ ଆଇନ ପ୍ରଣେତାମାନେ ମଧ୍ୟ ପ୍ରାୟତଃ ସାମାଜିକ ଚଳଣି, ପରମ୍ପରା ଓ ସଂସ୍କୃତିକୁ ଅଧିକ ଗୁରୁତ୍ୱ ଦିଅନ୍ତି। ସମଲିଙ୍ଗୀ ବିବାହ ପ୍ରସଙ୍ଗରେ ସେମାନଙ୍କ ମଧ୍ୟରୁ ଅନେକ ଅସନ୍ତୁଷ୍ଟ। ତେବେ ଆମେ ଅତୀତରେ ଦେଖିଛୁ ଯେ ଆମ ଆଇନ ପ୍ରଣେତା / ଲୋକ ପ୍ରତିନିଧିମାନେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଇନକୁ ସାମାଜିକ ନୀତି ନିୟମର ଊର୍ଦ୍ଧ୍ବରେ ରଖିଛନ୍ତି। ଯେତେବେଳେ ଯଥାର୍ଥତା ଉପୁଜିଛି ସେତେବେଳେ ସେମାନେ ନୂଆ ଆଇନ ଦ୍ୱାରା ସାମାଜିକ ବିଚାର ଓ ଧାରଣାକୁ ବଦଳାଇବାକୁ ଚେଷ୍ଟା କରିଛନ୍ତି। ତେବେ ବର୍ତ୍ତମାନର ସମଲିଙ୍ଗୀ ବିବାହ ପ୍ରସଙ୍ଗରେ କେନ୍ଦ୍ର ସରକାର ନିଜର ବିରୋଧ ପ୍ରକଟ କରିସାରିଲେଣି। ଅଧିକାଂଶ ସାଂସଦ ଏହି ନୂତନ ଚଳଣି ସପକ୍ଷରେ ଆଇନ ପ୍ରଣୟନ ପାଇଁ ଯେ ସମର୍ଥନ ଦେବେ ନାହିଁ, ଏହା ନିଶ୍ଚିତ।

ଏବେ ବିବାହର ସଂଜ୍ଞା ଓ ସ୍ୱରୂପ ବଦଳିଗଲାଣି। ଆଧୁନିକ ଭାରତ ବିବାହରେ ମଧ୍ୟ ନବୀକରଣ ଆଣୁଛି ଏବଂ ପାଶ୍ଚାତ୍ୟ ସଂସ୍କୃତି ଧସେଇ ପଶୁଛି। କିଏ କାହାକୁ କେମିତି, କେଉଁଠି ବାହାହେଲା ସହରୀ ଭାରତରେ ତାହାର ଆଉ ଚର୍ଚ୍ଚା ନାହିଁ। ତଥାପି ମାନବାଧିକାରର ଦ୍ୱାହି ଦେଇ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦିଆଗଲେ, ଭାରତୀୟ ସମାଜ ଓ ଏହାର ପବିତ୍ର ବିବାହ ଅନୁଷ୍ଠାନ ଯେ ଭୁଶୁଡ଼ି ପଡ଼ିବ ନାହିଁ ଏହା ଠିକ୍‌‌। ତେବେ ପବିତ୍ର ପରମ୍ପରାକୁ ନିଶ୍ଚୟ ଧକ୍ମା ଲାଗିବ। ମୁଷ୍ଟିମେୟ ବ୍ୟକ୍ତିଙ୍କ ମୌଳିକ ବ୍ୟକ୍ତିଗତ ଅଧିକାର ଓ ବୃହତ୍ତର ଭାରତୀୟ ନାଗରିକ ସମାଜର ନୈତିକ ଓ ସାମାଜିକ ସଂରଚନାର ଅବଧାରଣା ମଧ୍ୟରେ କୃତ୍ରିମ ପ୍ରଚେଷ୍ଟାରେ ଆରମ୍ଭ କରାଯାଇଥିବା ଏହି ବିବାଦକୁ ମୂଳରୁ ହିଁ ସମାପ୍ତ କରିଦେବା କଥା। ନଚେତ୍‌‌ ‘ବଂଶନାଶ ବେଳେ ଘୋଡ଼ାମୁହାଁ ପୁତ୍ର ଜାତ’ ଭଳି ଅଘଟଣ ନ ହେଉ।

Leave A Reply

Your email address will not be published.