ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିବିସିରେ ଭାରତୀୟ ଆୟକର ତନାଘନା

କାର୍ଯ୍ୟାନୁଷ୍ଠାନର ନାମ ଓ ପରିଭାଷା ବଦଳିଲେ ଏହାର ଅସଲ ଉଦ୍ଦେଶ୍ୟ ବଦଳି ନଥାଏ। ଏଇ ଯେମିତି ଦିଲ୍ଲୀ ଓ ମୁମ୍ବଇରେ ଥିବା ବିବିସି ଅଫିସ୍‌‌ ଉପରେ ଆୟକର ବିଭାଗ ପକ୍ଷରୁ କରାଯାଇଥିବା ସର୍ଭେ ବା ଅନୁଧ୍ୟାନ କାର୍ଯ୍ୟାନୁଷ୍ଠାନ। ଏହା ଆୟକର ବିଭାଗର ଚଢ଼ାଉ ବା ‘ରେଡ୍‌‌’ ହୋଇ ନଥିଲେ ମଧ୍ୟ ଏହାର ଅସଲ ଉଦ୍ଦେଶ୍ୟ ସ୍ପଷ୍ଟ। କାର୍ଯ୍ୟାନୁଷ୍ଠାନର ବୈଷୟିକ ପାର୍ଥକ୍ୟ କେବଳ ଏକ ବାହାନା। ଜାନୁଆରୀ ୧୭ରେ ବିବିସି ଅପ୍ରତ୍ୟାଶିତ ଭାବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଦୁଇ ଭାଗ ବିଶିଷ୍ଟ ଏକ ବୃତ୍ତଚିତ୍ର ପ୍ରସାରଣ କରିଥିଲା। ଏଥିରେ ୨୦୦୨ର ଗୁଜରାଟ ଦଙ୍ଗା ଏବଂ ଭାରତରେ ମୁସଲମାନ ସମୁଦାୟ ସହିତ ମୋଦୀଙ୍କ ତିକ୍ତ ସମ୍ପର୍କର ତଥ୍ୟ ପ୍ରସାରିତ ହୋଇଥିଲା। ଏଥିରେ ଶାସକ ବିଜେପି ଏବଂ ଏହାର ନେତୃମଣ୍ଡଳୀ କ୍ଷୁବ୍ଧ ହେବା ସ୍ୱାଭାବିକ। ଶାସନ ଓ ଶାସକ ସର୍ବଦା ସମାଲୋଚନା ଓ ସତ୍ୟକୁ ଭୟ କରନ୍ତି। ମୋଦୀ ସରକାର ଓ ତାଙ୍କ ଦଳ ଏଭଳି ଏକ ଅପ୍ରତ୍ୟାଶିତ ଘଟଣାରେ ନିଜକୁ ବଞ୍ଚାଇବାକୁ କୂଟନୀତିକସ୍ତରରେ ବ୍ରିଟେନର ମତାମତ ଲୋଡ଼ିଥିଲେ ଏବଂ ଭାରତରେ ଏହାର ପ୍ରସାରଣକୁ ୟୁଟ୍ୟୁବ୍‌‌ ଏବଂ ଅନ୍ୟାନ୍ୟ ଚାନେଲ୍‌‌ରେ ନିଷିଦ୍ଧ କରିବାକୁ ପଦକ୍ଷେପ ନେଇଥିଲେ। ବିବିସି ବ୍ରିଟେନ୍‌ର ସଂପୂର୍ଣ୍ଣ ସ୍ବୟଂଶାସିତ ଗଣମାଧ୍ୟମ ସଂସ୍ଥା। ତେଣୁ ବ୍ରିଟେନ୍‌‌ ସରକାର ଏହି ବୃତ୍ତଚିତ୍ର ଘଟଣାରେ ଏକ ସ୍ୱୟଂଶାସିତ ଏବଂ ସ୍ୱାଧୀନ ପେସାଦାର ସଂସ୍ଥାର କାର୍ଯ୍ୟରେ ହସ୍ତକ୍ଷେପ କରିବାକୁ ମନା କରିଦେଲେ।

ସ୍ୱାଭାବିକ ଭାବେ କ୍ଷୁବ୍ଧ ଭାରତ ସରକାର ବିବିସିକୁ ପାନେ ଚଖାଇବା ପାଇଁ ଆୟକର ବିଭାଗକୁ ବ୍ୟବହାର କରିଥିବା ଜଳଜଳ ଦେଖାଯାଉଛି। କୁହାଯାଉଛି ବିବିସି ଅର୍ଥ ସ୍ଥାନାନ୍ତର ନୀତି ନିୟମ ଉଲ୍ଲଂଘନ କରି ଏହାର ଲାଭର ଏକ ବଡ଼ଭାଗ ଅନ୍ୟତ୍ର ସ୍ଥାନାନ୍ତର କରିଛି। ସତ କି ମିଛ ତାହା ତଦନ୍ତ ପରେ ଜଣାପଡ଼ିବ। ବେପାର / ବ୍ୟବସାୟରେ ଉଭୟ ଇଚ୍ଛାକୃତ ଏବଂ ଅନିଚ୍ଛାକୃତ ତ୍ରୁଟିଥାଏ। ଆୟକର ବିଭାଗ ଏବେ ଉଭୟକୁ ଖୋଜିବ ଏବଂ ବିବିସିକୁ ଘାଣ୍ଟିବ। ବିବିସି କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି ଯେ ଆୟକର ସର୍ଭେରେ ଏହାର କର୍ମଚାରୀମାନେ ପୂର୍ଣ୍ଣ ସହଯୋଗ କରୁଛନ୍ତି ଏବଂ ଭାରତରେ ଏହାର ପ୍ରସାରଣ ଓ ବ୍ୟାବସାୟିକ କାର୍ଯ୍ୟ ପ୍ରଭାବିତ ହୋଇନାହିଁ। ‘ସର୍ଭେ’ ଏବଂ ‘ରେଡ୍‌‌’ ଅଲଗା ଦୁଇଟି କଥା ହୋଇଥିଲେ ହେଁ ଭାରତରେ ବିରୋଧୀ ପକ୍ଷ ଏବଂ ବିଭିନ୍ନ ଗଣତନ୍ତ୍ର ସପକ୍ଷବାଦୀ ସଂଗଠନ ଏହାକୁ କେନ୍ଦ୍ର ସରକାରଙ୍କ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଭାବେ ଦେଖୁଛନ୍ତି ଏବଂ ସରକାରଙ୍କୁ ସମାଲୋଚନା କରିବା ସହିତ ସ୍ୱାଧୀନ ଗଣମାଧ୍ୟମର କଣ୍ଠରୋଧ ନ କରିବା ପାଇଁ ସତର୍କ କରାଉଛନ୍ତି। ବ୍ରିଟିଶ ସରକାର ମଧ୍ୟ ଏହି ଟିକସ ସର୍ଭେ ଘଟଣା ଉପରେ ତୀକ୍ଷଣ ନଜର ରଖିଛନ୍ତି। ଭାରତୀୟ ଏଡିଟର୍ସ ଗିଲ୍ଡ୍‌‌ ପ୍ରେସ୍‌‌ କାଉନ୍‌‌ସିଲ୍‌‌ ଏବଂ ପ୍ରେସ୍‌‌କ୍ଲବ ମଧ୍ୟ ବିବିସି ଉପରେ ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ଏବଂ ଗଣମାଧ୍ୟମର ସ୍ୱରକୁ ଚାପିଦେବା ଭଳି ଯେକୌଣସି କାର୍ଯ୍ୟରୁ ନିବୃତ ରହିବାକୁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। କଂଗ୍ରେସ ଏହି ଘଟଣାକୁ ଦେଶରେ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ଜାରି, ସରକାରୀ ସ୍ୱେଚ୍ଛାଚାର ଏବଂ ଗଣମାଧ୍ୟମର ମୁହଁବନ୍ଦ ପ୍ରୟାସ ଆଦି ଭାବେ ଅଭିହିତ କରିବା ବେଶ୍‌‌ ଆମୋଦୀୟ ମନେ ହୁଏ। ୧୯୭୫-୭୭ ଜରୁରୀକାଳୀନ ସ୍ଥିତିର ଅନୁଭବ ଭାରତ ତତ୍‌‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସମୟରେ ପାଇଥିଲା ଏବଂ କଂଗ୍ରେସ ତାହାକୁ ଏହି ପ୍ରସଙ୍ଗରେ ସ୍ମରଣ କରିବା ନିଶ୍ଚୟ ଏକ ବିଡ଼ମ୍ବନା ଭଳି ମନେହୁଏ। ବୋଧହୁଏ ଆଜିର କଂଗ୍ରେସ ଜରୁରୀକାଳୀନ ସ୍ଥିତି ସମୟର କୁଶାସନକୁ ଏବେ ଭଲ ଭାବେ ବୁଝି ପାରିଛି। ତାହା ଯଦି ହୋଇଥାଏ, ନିଶ୍ଚୟ ଭଲ କଥା। ତେବେ ସତ ହେଉଛି ଇନ୍ଦିରାଙ୍କ ଜରୁରୀକାଳର ପୀଡ଼ା ଥିଲା ଅତି ଦାରୁଣ।

ଗଣତନ୍ତ୍ରର ମାତା କୁହାଯାଉଥିବା ଭାରତରେ ଗଣମାଧ୍ୟମର ସ୍ୱାଧୀନତା, ସ୍ୱାଧୀନ ମତ ପ୍ରକାଶ, ବ୍ୟକ୍ତି ସ୍ୱାଧୀନତା ଓ ମାନବାଧିକାରର ସୁରକ୍ଷା ସହିତ କସ୍ମିନକାଳେ ବୁଝାମଣା କରାଯାଇ ନପାରେ। ଶାସକ ଯେତେ ଶକ୍ତିଶାଳୀ ହୁଅନ୍ତୁ ନା କାହିଁକି ସେ ସମ୍ବିଧାନକୁ କରାୟତ କରି ବ୍ୟବସ୍ଥାର ଗଳା ଚିପିପାରିବେ ନାହିଁ। କେନ୍ଦ୍ର ସରକାର ଯଦି ସେହି ଉଦ୍ଦେଶ୍ୟ ରଖି ଚତୁରତାର ସହିତ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥା’ନ୍ତି, ତାହା ନିନ୍ଦନୀୟ ଏବଂ ଅଗ୍ରହଣୀୟ। ଏଭଳି ପଦକ୍ଷେପକୁ ଆମେ ଦୃଢ଼ଭାବରେ ବିରୋଧ କରିବା ସହିତ ଗଣମାଧ୍ୟମର ସ୍ୱାଧୀନତାର ସୁରକ୍ଷା ଦାବି କରୁଛୁ। ଆମ ବିଚାର ବ୍ୟବସ୍ଥା ଏବେ ମଧ୍ୟ ତାହାର ନିରପେକ୍ଷତା ଓ ପ୍ରାସଙ୍ଗିକତା ସମ୍ପୂର୍ଣ୍ଣ ହରାଇ ନାହିଁ। ଏହା ଆମକୁ ସୁରକ୍ଷିତ କରିପାରିବ। ଏକଥା କହିଲାବେଳେ ଆମେ ମଧ୍ୟ ଗଣମାଧ୍ୟମର ଉତ୍ତରଦାୟିତ୍ୱ ଏବଂ ସତର୍କତା ସମ୍ପର୍କରେ ବେଶ୍‌‌ ସଚେତନ ଅଛୁ। ସତ କହିବା ଏବଂ ସତ୍ୟକୁ ପ୍ରମାଣ କରିବାର ପ୍ରୟାସରେ ଗୋଟିଏ ୨୦ ବର୍ଷ ତଳର ଘଟଣାକୁ ପୁନର୍ବାର ଉଖୁରାଇବା ଏବଂ ତାହାକୁ ନେଇ ଭାରତର ଏକ ଅତ୍ୟନ୍ତ ସମ୍ବେଦନଶୀଳ ସଂଖ୍ୟାଲଘୁ ସମ୍ପ୍ରଦାୟ ସହିତ ଦେଶର ପ୍ରଧାନମନ୍ତ୍ରୀଙ୍କ ତିକ୍ତ ସମ୍ପର୍କର ତଥ୍ୟ ପ୍ରମାଣ ଉପସ୍ଥାପନ କରିବାର ପ୍ରୟାସ ବିବିସିର କେଉଁ ଉଦ୍ଦେଶ୍ୟ ଏବେ ସାଧନ କରୁଛି, ତାହା ଜାଣିବାକୁ ପ୍ରଶ୍ନ ଉଠିବା ସ୍ୱାଭାବିକ। ବିବିସି ଭାରତୀୟ ଗଣମାଧ୍ୟମ ନୁହେଁ କିମ୍ବା ଏହା କେବେ ଭାରତର ହିତୈଷୀ ନଥିଲା। ସେ ଇନ୍ଦିରା ଗାନ୍ଧୀ ହୁଅନ୍ତୁ ଅଥବା ନରେନ୍ଦ୍ର ମୋଦୀ, ବିବିସି ଭାରତୀୟ ସମାଜ ଓ ବ୍ୟବସ୍ଥାକୁ ଯୋଡ଼ିବା ଏବଂ ଶାସନକୁ ଉପଯୁକ୍ତ ମର୍ଯ୍ୟାଦା ଦେବାରେ କେବେ ଆଗଭର ହୋଇନାହିଁ। ବୋଧହୁଏ ଅସ୍ଥିରତା, ଘୃଣା, ନକାରାତ୍ମକ ଓ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି କରିବା ଏହାର ଆଜେଣ୍ଡା। ଗଣମାଧ୍ୟମୀୟ ସ୍ୱାଧୀନତା ଆଳରେ ଏହା ଭାରତୀୟ ଜାତୀୟତା ଓ ସ୍ୱାଧୀନତାକୁ ବିପନ୍ନ କରି ପାରିବ ନାହିଁ। ଭାରତରେ ଏବେ ମଧ୍ୟ ଅନେକ ଗଣମାଧ୍ୟମ ସ୍ୱାଧୀନ ଏବଂ ସମସ୍ତେ କେନ୍ଦ୍ରର ଏନ୍‌‌ଡିଏ ସରକାରର ବଚସ୍କର ନୁହନ୍ତି। ସେମାନଙ୍କଠାରୁ ବିବିସି ଭାରତରେ ଅଧିକ ଦେଶପ୍ରେମୀ ହେବାର ପ୍ରୟାସ କରିବା ନିଶ୍ଚିତ ଏକ ବୃହତ୍ତର ଏଜେଣ୍ଡାର ବିଷୟବସ୍ତୁ। ବିବିସିକୁ ଭାରତରେ କେତେ ଲୋକ ଦେଖନ୍ତି ଓ ଶୁଣନ୍ତି? ସାଧାରଣ ଲୋକଙ୍କ ପାଖରେ ଏହାର ସ୍ଥାନ କେଉଁଠି?
ବିରୋଧୀଦଳଙ୍କ ସହିତ ହାତ ମିଳାଇ ସରକାରଙ୍କୁ ବିରୋଧ କରିବାରେ ଗଣମାଧ୍ୟମର କିଛି ଅସୁବିଧା ନାହିଁ। ତେବେ ବିବିସି ଯେଉଁ ଢଙ୍ଗରେ କାର୍ଯ୍ୟ କରୁଛି, ସେଥିରୁ ମନ୍ଦ ଉଦ୍ଦେଶ୍ୟ ବାରି ହୋଇପଡୁଛି। କେନ୍ଦ୍ରର ଏନ୍‌‌ଡିଏ ସରକାର ଅନୁରୂପ ଚତୁରତାର ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିବିସିର ପରୀକ୍ଷା ନେଉଛନ୍ତି। ପାଣିରେ ରହି କୁମ୍ଭୀର ସହିତ ବାଦ କଲେ, ପରିଣାମ ଭୟଙ୍କର ହୋଇଥାଏ। ଯଦି କୁହାଯାଏ ଯେ ଭାରତୀୟ ଗଣମାଧ୍ୟମ ତାହାର ସ୍ୱାଧୀନତା ଓ ନିରପେକ୍ଷତା ହରାଇଛି, ତା’ହେଲେ ବୁଝିବାକୁ ପଡ଼ିବ ଯେ ଦେଶରେ ଗଣତନ୍ତ୍ରର ସ୍ଥିତି ଭଲ ନାହିଁ। ଆଉ ଯଦି କୁହାଯାଏ ଯେ ବିବିସି ଏବେ ଭାରତୀୟ ଗଣତନ୍ତ୍ର ଓ ପ୍ରେସ୍‌‌ ସ୍ୱାଧୀନତାକୁ ବଞ୍ଚାଇବାକୁ ତ୍ୟାଗ ସ୍ୱୀକାର କରୁଛି, ତାହା ବୋଧହୁଏ ସବୁଠୁ ବଡ଼ ହାସ୍ୟାସ୍ପଦ ଘଟଣା। ରାଜନୀତିକ ଲଢ଼େଇ, ଶାସନରେ ଅସ୍ଥିରତା ସୃଷ୍ଟି ଓ ସରକାରକୁ ଅପଦସ୍ତ କଲା ଭଳି କାମ କରିବାବେଳେ ଗଣମାଧ୍ୟମ ପ୍ରଥମେ ଆପଣା ସ୍ଥିତି ଦେଖିବା ଉଚିତ। କେବଳ ପ୍ରେସ୍‌‌ ‘ସ୍ୱାଧୀନତା’ର ସ୍ଳୋଗାନ ଦେଇ ଏ କାମରେ ସଫଳ ହେବା କଷ୍ଟ। n

Leave A Reply

Your email address will not be published.