ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

‘ଜୟ ହୋ’ – ‘ନାଟୁନାଟୁ’!!

ଏସ୍‌‌ଏସ୍‌‌ ରାଜମୌଳୀଙ୍କ ବ୍ଲକବଷ୍ଟର ‘ଆର୍‌‌ଆର୍‌‌ଆର୍‌‌’ର ଲୋକପ୍ରିୟ ଗୀତ ‘ନାଟୁନାଟୁ’ ଓ କାର୍ତ୍ତିକ ଗନ୍‌‌ସାଲ୍‌‌ଭେସ୍‌‌ ଏବଂ ଗୁନିତ ମୋଙ୍ଗାଙ୍କ ‘ଦି ଏଲିଫ୍ୟାଣ୍ଟ ହୁଇସ୍‌‌ପର’ ଲସ୍‌‌ ଆଞ୍ଜେଲସ୍‌‌ରେ ଅନୁଷ୍ଠିତ ୯୫ ତମ ଓସ୍କାର ପୁରସ୍କାର ଉତ୍ସବରେ ଭାରତ ପାଇଁ ଇତିହାସ ରଚନା କରିଛି। ‘ନାଟୁନାଟୁ’ ପ୍ରତିଯୋଗିତାର ଆଗରେ ଥିବା ଲେଡି ଗା ଗା ଓ ରିହାନାକୁ ପଛରେ ପକାଇ ମୌଳିକ ଗୀତ ବର୍ଗରେ ଓସ୍କାର ପୁରସ୍କାର ଜିତିଛି। ସେହିଭଳି ‘ଦି ଏଲିଫ୍ୟାଣ୍ଟ ହୁଇସ୍ପର’ ଶ୍ରେଷ୍ଠ ପ୍ରାମାଣିକ ‘ଡକୁମେଣ୍ଟାରୀ’ ଚିତ୍ର ବର୍ଗରେ ଓସ୍କାର ପୁରସ୍କାର ପାଇଛି। ଓସ୍କାର ପୁରସ୍କାର ଜିତିବା ସିନେମା ଜଗତର ବିଶ୍ୱସ୍ତରୀୟ ଉଚ୍ଚତମ ପୁରସ୍କାର। ଭାରତକୁ ଗୋଟିଏ ବର୍ଷରେ ଏଭଳି ଦ୍ୱୈତ ସଫଳତା ଆମ ପାଇଁ ନିଶ୍ଚିତ ଗର୍ବର ବିଷୟ। ଆମ ଚଳଚ୍ଚିତ୍ର ଶିଳ୍ପ ପାଇଁ ଏହା ଏକ ସ୍ୱର୍ଣ୍ଣିମ ମୁହୂର୍ତ୍ତ।

ଏହାପୂର୍ବରୁ ଚଳିତବର୍ଷ ଜାନୁଆରୀରେ ‘ନାଟୁନାଟୁ’ ମୌଳିକ ଗୀତ ବର୍ଗରେ ପ୍ରଥମ ଭାରତୀୟ ଗୀତ ଭାବେ ଗୋଲ୍‌‌ଡେନ୍‌‌ ଗ୍ଲୋବ୍‌‌ ପୁରସ୍କାର ମଧ୍ୟ ଲାଭ କରିଥିଲା। ୨୦୦୯ରେ ସଙ୍ଗୀତ ନିର୍ଦ୍ଦେଶକ ଏ ଆର୍‌‌ ରହମାନ ଓ ଗୀତିକାର ଗୁଲଜାର ମୌଳିକ ଶ୍ରେଷ୍ଠ ଗୀତ ‘ଜୟ ହୋ’ ପାଇଁ ପ୍ରଥମ ଭାରତୀୟ ଭାବେ ଓସ୍କାର ପୁରସ୍କାର ଲାଭ କରିଥିଲେ ହେଁ ଏହା ବ୍ରିଟିଶ୍‌‌ ଚଳଚ୍ଚିତ୍ର ‘ସ୍ଲମଡଗ୍‌‌ ମିଲିୟନର’ ପାଇଁ ମିଳିଥିଲା। ଅତଏବ ‘ନାଟୁନାଟୁ’ର ସଙ୍ଗୀତ ନିର୍ଦ୍ଦେଶକ ଏମ୍‌‌ଏମ୍‌‌ କିରବାଣି, ଗୀତିକାର ଚନ୍ଦ୍ରବୋସ୍‌‌ ଏବଂ ‘ଆର୍‌‌ଆର୍‌‌ଆର୍‌‌’ର ସମଗ୍ର ଟିମ୍‌‌ ଏଥିପାଇଁ ଧନ୍ୟବାଦର ଯୋଗ୍ୟ। କହିବା ବାହୁଲ୍ୟ ଯେ ‘ଆର୍‌‌ଆର୍‌‌ଆର୍‌‌’ ଏକ ସର୍ବାଧିକ ଲୋକପ୍ରିୟ ଓ ଆୟକାରୀ ଚଳଚ୍ଚିତ୍ର ଏବଂ ଏହାର ବକ୍ସ ଅଫିସ୍‌‌ ଆୟ ୧୨୦୦ କୋଟି ଟଙ୍କାରୁ ଅଧିକ। ‘ନାଟୁନାଟୁ’ ଗୀତର କୋରିଓଗ୍ରାଫି ବା ନୃତ୍ୟ ସଂଯୋଜନା ଅତ୍ୟନ୍ତ ଚମତ୍କାର। ଗୀତର ତାଳେ ତାଳେ ଅଭିନେତା ଜୁନିୟର ଏନ୍‌‌ଟିଆର୍‌‌ ଓ ରାମଚରଣ ଯେଉଁ ନୃତ୍ୟ ପ୍ରଦର୍ଶନ କରିଛନ୍ତି, ତାହା ଏହି ଚିତ୍ରକୁ ସ୍ମରଣୀୟ କରିପାରିଛି।

ଅଧିକ ପଢନ୍ତୁ

ବିଶ୍ୱ ସିନେମାରେ ମୌଳିକ କାହାଣୀ ଓ ସଙ୍ଗୀତ ସବୁ ସମୟରେ ପ୍ରଶଂସିତ ହୋଇଥାଏ। ଏହାର ଦୀର୍ଘସ୍ଥାୟୀ ମୂଲ୍ୟ ରହିଛି। ଭାରତୀୟ ସିନେମା ଇତିହାସରେ ପ୍ରଥମ ଥର ପାଇଁ ‘ଆର୍‌‌ଆର୍‌‌ଆର୍‌‌’ ଚଳଚ୍ଚିତ୍ରର ‘ନାଟୁନାଟୁ’ ଏହି ବର୍ଷରେ ଓସ୍କାର ଜିତିବା ଆମ ସିନେମା ଶିଳ୍ପର ପ୍ରତିଷ୍ଠା ବଢ଼଼ାଇବ ଏବଂ ପ୍ରେରଣାର ଉତ୍ସ ହେବ। ଏହି ଗୀତର ସୁଟିଂ ୟୁକ୍ରେନ୍‌‌ର ରାଷ୍ଟ୍ରପତି ଜେଲେସ୍କିଙ୍କ ସରକାରୀ ବାସଭବନ ଆଗରେ ଯୁଦ୍ଧ ପୂର୍ବରୁ ସୁଟିଂ ହୋଇଥିଲା ଏବଂ ଏଥିପାଇଁ ୧୯ ମାସ ସମୟ ଲାଗିଥିଲା। ଗୀତିକାର ମଧ୍ୟ ଗୀତ ରଚନା କରିବାକୁ ବେଶ୍‌‌ ଲମ୍ବା ସମୟ ନେଇଥିଲେ। ଏଥିରୁ ମନେହୁଏ ଶ୍ରେଷ୍ଠତ୍ୱ ହାସଲ ପାଇଁ ଦୀର୍ଘ ଓ ନିଷ୍ଠାପର ଅଧ୍ୟବସାୟ ଆବଶ୍ୟକ। ‘ନାଟୁନାଟୁ’ କେବଳ ଗୀତଟିଏ ନୁହେଁ, ବରଂ ଗୀତ ମାଧ୍ୟମରେ ସ୍ୱୟଂସମ୍ପୂର୍ଣ୍ଣ କ୍ଷୁଦ୍ର ଚଳଚ୍ଚିତ୍ରଟିଏ। ଯିଏ ଯେଉଁଠି ଏହାକୁ ଶୁଶୁଛି ବା ଦେଖୁଛି, ସେଠି ଗୀତ ଓ ବାଦ୍ୟର ତାଳେ ତାଳେ ତା’ର ପାଦ ଆପେ ଆପେ ନାଚି ଉଠୁଛି।

ଏ ତ ଗଲା ‘ନାଟୁନାଟୁ’ର ଆନନ୍ଦ ଓ ଉପଭୋଗର ଅଧ୍ୟାୟ, ଯେଉଁଠି ଆଖି ଦେଖୁଛି, କାନ ଶୁଣୁଛି ଓ ଅଙ୍ଗପ୍ରତ୍ୟଙ୍ଗ ନାଚୁଛି। ସେହିଭଳି ଯୁଗପତ୍‌‌ ଏକ ସମ୍ବେଦନଶୀଳ, ହୃଦୟସ୍ପର୍ଶୀ ଭାରତୀୟ ପ୍ରାମାଣିକ ଚିତ୍ର (ଡକୁମେଣ୍ଟାରୀ) ‘ଦି ଏଲିଫ୍ୟାଣ୍ଟସ ହୁଇସ୍ପରର୍ସ’ ଦେଶ ପାଇଁ ଆଉ ଏକ ଓସ୍କାର ଗୌରବ ଆଣିଛି। ଏହା କେବଳ ଓସ୍କାର ଜିଣିନାହିଁ ପ୍ରଥମ ଭାରତୀୟ ଫିଲ୍ମ ଭାବେ ଏହି ବିରଳ ଓ ସମ୍ମାନଜନକ ପୁରସ୍କାର ହାସଲ କରି ଇତିହାସ ରଚିଛି। ମାତ୍ର ୪୦ ମିନିଟ୍‌‌ ଅବଧିର ଏହି ତାମିଲ୍‌‌ ଫିଲ୍ମ ମୃଦୁମଲାଇ ଜାତୀୟ ଉଦ୍ୟାନରେ ମୁଖ୍ୟତଃ ସୁଟିଂ ହୋଇଛି। ଏହାର କଥାବସ୍ତୁ ଅତି ସରଳ। ଶିକାରୀଙ୍କ ଦ୍ୱାରା ଆହତ ଏକ ଦୁର୍ବଳ ହାତୀ ଛୁଆକୁ ଏକ ଦମ୍ପତି ଉଦ୍ଧାର କରି ତାକୁ ପାଳିଛନ୍ତି ଏବଂ ସେମାନଙ୍କ ମଧ୍ୟରେ ଏକ ଅନ୍ତରଙ୍ଗ ସମ୍ପର୍କ ଗଢ଼ିଉଠିଛି। ଏଥିରେ କାହାଣୀର ଧାରା ଅତି ସୂକ୍ଷ୍ମ ଏବଂ ସିନେମାଟୋଗ୍ରାଫି (ଚିତ୍ର ଉତ୍ତୋଳନ) ଅତ୍ୟନ୍ତ ଚମତ୍କାର ଓ ଆଶ୍ଚର୍ଯ୍ୟଜନକ। ଏହି ବୃତ୍ତଚିତ୍ରଟି ପ୍ରକୃତିକୋଳରେ ବିଭିନ୍ନ ଜୀବଜନ୍ତୁଙ୍କ ସହ ଗୋଟିଏ ସମୁଦାୟର ସଦସ୍ୟ ଭାବେ ମଣିଷ ବଞ୍ଚିବାର ବାର୍ତ୍ତା ଦେଉଛି। ସେହି ଚିତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ର କହୁଛି, ଆମେ ଜଙ୍ଗଲ ଉପରେ ଆଶ୍ରା କରି ବଞ୍ଚୁଛୁ, ତେଣୁ ଏହାକୁ ସୁରକ୍ଷିତ ରଖୁଛୁ। ଏହି ଚଳଚ୍ଚିତ୍ର ଦେଶକୁ ଏକ ଶକ୍ତିଶାଳୀ ବାର୍ତ୍ତା ଦେଉଛି ଏବଂ ଏହାର ପ୍ରଭାବ ଦର୍ଶକଙ୍କ ଉପରେ ନିଶ୍ଚିତ ପଡ଼ିବ।

ଭାରତରେ ବୃତ୍ତଚ୍ଚିତ୍ରର ନିର୍ମାଣ ଗୁଣାତ୍ମକ ଓ ସଂଖ୍ୟାତ୍ମକ ଦୃଷ୍ଟିରୁ କମ୍‌‌ ନୁହେଁ। ତେବେ ଏହା କାହିଁକି କେଜାଣି ଟିଭି ପରଦାର ବାହାରକୁ ବିଶେଷ ଯାଇପାରୁ ନାହିଁ। ଆନ୍ତର୍ଜାତିକ ମଞ୍ଚରେ ପହଞ୍ଚିବା ସେମାନଙ୍କ ପାଇଁ ଅସମ୍ଭବ ହୋଇପଡୁଛି। ‘ଦି ଏଲିଫ୍ୟାଣ୍ଟ ହୁଇସ୍ପରର୍ସ’କୁ ଓସ୍କାର ସ୍ୱୀକୃତି ମିଳିବା ପରେ ହୁଏତ ଭାରତୀୟ ଡକୁମେଣ୍ଟାରୀ ବର୍ଗର ଭାଗ୍ୟ ଖୋଲିବ।

ଆମେରିକାର ଲସ୍‌‌ ଆଞ୍ଜେଲସ୍‌‌ରେ ରବିବାର ରାତିରେ ଆୟୋଜିତ ବର୍ଣ୍ଣାଢ଼୍ୟ ଓସ୍କାର ପୁରସ୍କାରରେ ଭାରତର ଦ୍ୱୈତ ଓସ୍କାର ଲାଭ ଆମ ଦେଶସାରା ଆନନ୍ଦ ଉତ୍ସବର ପରିବେଶ ସୃଷ୍ଟି କରିବା ସ୍ୱାଭାବିକ। ଏଥିପାଇଁ ତ ସବୁ ମହଲରୁ ବିଜେତାଙ୍କୁ ଅଭିନନ୍ଦନର ସୁଅ ଛୁଟୁଛି। କିନ୍ତୁ ବିଶ୍ୱର ସର୍ବବୃହତ୍‌‌ ମନୋରଞ୍ଜନ ଉଦ୍ୟୋଗ ବଲିଉଡ୍‌‌, ଯେଉଁଠି ହିନ୍ଦୀ ଭାଷାର ପ୍ରଭାବ ଓ ପ୍ରତିଷ୍ଠା ଅଧିକ, ସେ ଭାଷାର କୌଣସି ଗୀତ, ସଙ୍ଗୀତ ଓ ଚିତ୍ର ଓସ୍କାର ପାଇଁ ମନୋନୀତ ନ ହେବା ଚିନ୍ତାଜନକ। ସେତିକିବେଳେ ପ୍ରାନ୍ତୀୟ ବା ଆଞ୍ଚଳିକ ଭାଷାର ଗୀତ ‘ନାଟୁନାଟୁ’ (ତେଲୁଗୁ) ଓ ‘ଦି ଏଲିଫ୍ୟାଣ୍ଟ ହୁଇସ୍ପରର୍ସ’ (ତାମିଲ) ଓସ୍କାର ଜିତିବା ଭାରତୀୟ ସିନେମାର ଉଜ୍ଜ୍ୱଳ ଭବିଷ୍ୟତର ବାର୍ତ୍ତା ବହନ କରୁଛି। ଓସ୍କାର ଓ କାନ୍ସ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ଆଦି ବିଶ୍ୱସ୍ତରୀୟ ଗୁଣାତ୍ମକ ଚଳଚ୍ଚିତ୍ରର ଚିହ୍ନଟ ପାଇଁ ଏକ ଶକ୍ତିଶାଳୀ କଷଟି ପ୍ରକ୍ରିୟା ଭାବେ ଖ୍ୟାତିଲାଭ କରି ଆସିଛି। ଏଥିରେ ପୁରସ୍କୃତ ବା ଏପରିକି ପ୍ରଦର୍ଶିତ ଚଳଚ୍ଚିତ୍ର ଓ ବୃତ୍ତଚିତ୍ର ଆଦି ସମଗ୍ର ବିଶ୍ୱ ପାଇଁ ଚଳଚ୍ଚିତ୍ର ଶିଳ୍ପର ଏକ ବିଶେଷ ମାନ ନିର୍ଦ୍ଧାରଣ କରିଥାଏ। ଏଥର ଓସ୍କାର ଉତ୍ସବରେ ଭାରତୀୟ ଚଳଚ୍ଚିତ୍ର ନିର୍ମାଣ କୌଶଳର ଦୁଇଟି ବିଶେଷ ମଡେଲ୍‌‌ କେବଳ ଉତ୍ସବ ହଲ୍‌‌ ଭିତରେ ନୁହେଁ, ବରଂ ସାରା ବିଶ୍ୱରେ ଟିଭି ପରଦାରେ ଯେଉଁଭଳି ଅନୁରଣନ ସୃଷ୍ଟି କରିଛି ତାହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ। ‘ଜୟ ହୋ’ ଓ ‘ନାଟୁନାଟୁ’!!

Leave A Reply

Your email address will not be published.