ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବରିଷ୍ଠଙ୍କ ପାଇଁ ଅବସର ବିହାର

ବିକଶିତ ଓ ପାଶ୍ଚାତ୍ୟ ରାଷ୍ଟ୍ର ଏବଂ ଜାପାନ, ଚୀନ ଭଳି ପ୍ରାଚ୍ୟ ପରିବେଶରେ ବରିଷ୍ଠ ନାଗରିକଙ୍କ ମଧ୍ୟରୁ ଏକାଂଶ ବାର୍ଦ୍ଧକ୍ୟ ଜୀବନ ଅତିବାହିତ କରିବା ନିମନ୍ତେ ଅବସର ବିହାରରେ ବସବାସକୁ ଗୁରୁତ୍ୱ ଦେଇଥା’ନ୍ତି। ଦ୍ୱିତୀୟ ବିଶ୍ୱଯୁଦେ୍ଧାତ୍ତର ଅବସ୍ଥାରେ ପ୍ରସାରିତ ଅବସର ବିହାର ପରିକଳ୍ପନା କୋଭିଡ-୧୯ ମହାମାରୀ ପରବର୍ତ୍ତୀ ସମୟରେ ଅପେକ୍ଷାକୃତ ଅଧିକ ଲୋକପ୍ରିୟତା ହାସଲ କରିଛି। ବର୍ଦ୍ଧିତ ଜୀବଦ୍ଦଶା, ବୃଦ୍ଧ ଜନସଂଖ୍ୟା ବୃଦ୍ଧି ଓ ବୃତ୍ତିଗତ ବାର୍ଦ୍ଧକ୍ୟ ଯତ୍ନ ଆଦିର କ୍ରମୋନ୍ନତି ଅବସର ବିହାରଗୁଡ଼ିକରେ ଉତ୍ତର-ବାର୍ଦ୍ଧକ୍ୟରେ ଅପେକ୍ଷାକୃତ ସହଜ ଜୀବନଯାତ୍ରାର ପ୍ରତିଶ୍ରୁତି ବହନ କରୁଛି। ଏହି କାରଣରୁ ଅବସର ବିହାର ଧାରା ପ୍ରସାର ଯୁକ୍ତିଯୁକ୍ତ ମନେହୁଏ।

ଅବସର ବିହାର ସରକାରୀ ଅନୁଦାନରେ ସ୍ୱେଚ୍ଛାସେବୀ ସଂସ୍ଥାଗୁଡ଼ିକ ଦ୍ୱାରା ପରିଚାଳିତ ବୃଦ୍ଧାଶ୍ରମଠାରୁ ଭିନ୍ନ। ବୃଦ୍ଧାଶ୍ରମଗୁଡ଼ିକରେ ବିନାମୂଲ୍ୟ କିମ୍ୱା ସ୍ୱଳ୍ପମୂଲ୍ୟରେ ଅପେକ୍ଷାକୃତ ଅବହେଳିତ ବାର୍ଦ୍ଧକ୍ୟଗ୍ରସ୍ତଙ୍କ ବସବାସ, ଖାଦ୍ୟପେୟର ବ୍ୟବସ୍ଥା କରାଯାଇଥାଏ। ଅପରପକ୍ଷେ ବେସରକାରୀସ୍ତରରେ ପରିଚାଳିତ ଅବସର ବିହାରରେ ଆବାସ କ୍ରୟ ବା ଭଡ଼ାନେବା ନିମନ୍ତେ ବଜାର ଦରରେ ଅର୍ଥ ବିନିଯୋଗ କରିବାକୁ ପଡ଼ିଥାଏ। ଏଠାରେ ମୂଲ୍ୟସୂଚୀ ଅନୁଯାୟୀ ବିଭିନ୍ନ ବାର୍ଦ୍ଧକ୍ୟ ଉପଯୋଗୀ ସୁବିଧା ସୁଯୋଗ ସାଙ୍ଗକୁ ବରିଷ୍ଠ ନାଗରିକଙ୍କ ସାହଚର୍ଯ୍ୟରେ ଅବସର ଜୀବନ ଯାପନ କରିବା ପରିବେଶ ଉପଲବ୍ଧ।

ଅଧିକ ପଢନ୍ତୁ

ଅବସର ବିହାର ପ୍ରକଳ୍ପଗୁଡ଼ିକ ଚାରିବର୍ଗରେ ବିଭକ୍ତ। ଯଥା – ସ୍ୱାଧୀନ ଜୀବନଯାତ୍ରା(ଇଣ୍ଡିପେଣ୍ଡେଣ୍ଟ ଲିଭିଂ), ସହାୟତାଯୁକ୍ତ ଜୀବନଯାତ୍ରା(ଆସିଷ୍ଟେଡ୍‌‌ ଲିଭିଂ), ଚିକିତ୍ସା-ଉପଚାର ସହାୟତା(ନର୍ସିଂ କେୟାର) ଓ ସ୍ମୃତିହାନି ସହାୟତା(ମେମୋରି କେୟାର)। ବାର୍ଦ୍ଧକ୍ୟାବସ୍ଥାରେ ଯେଉଁମାନେ ସୁସ୍ଥ ଓ ସବଳ ଥିବେ ଏବଂ ଏକାକୀ ବା ସପତ୍ନୀକ ଦୈନନ୍ଦିନ ଜୀବନଯାପନ ନିମନ୍ତେ ସମର୍ଥ, ସେମାନେ ‘ସ୍ୱାଧୀନ ଜୀବନଯାତ୍ରା’ ଆବାସ ଚୟନ କରିଥା’ନ୍ତି। ଯେଉଁମାନେ ବାର୍ଦ୍ଧକ୍ୟାବସ୍ଥାରେ ଅନ୍ୟର ସହାୟତା ଉପରେ ନିର୍ଭରଶୀଳ ସେମାନଙ୍କ ନିମନ୍ତେ ‘ସହାୟତାଯୁକ୍ତ ଜୀବନଯାତ୍ରା’ ଆବଶ୍ୟକ। ସ୍ୱାସ୍ଥ୍ୟଗତ କାରଣରୁ କ୍ରମାଗତ ଚିକିତ୍ସିତ ହେଉଥିବା ତଥା ଉପଚାର ସହାୟତା ଲୋଡୁଥିବା ବରିଷ୍ଠ ନାଗରିକ ‘ଚିକିତ୍ସା-ଉପଚାର ସହାୟତା’ ଓ ମତିଭ୍ରମ ପୀଡ଼ିତଙ୍କ ନିମନ୍ତେ ‘ସ୍ମୃତିହାନି ସହାୟତା’ ସୁବିଧାସୁଯୋଗ ଆବଶ୍ୟକ ପଡ଼ିଥାଏ। ବିଭିନ୍ନ ଅବସର ବିହାର ଭିନ୍ନ ଭିନ୍ନ ସ୍ୱାତନ୍ତ୍ର୍ୟରେ ଦକ୍ଷତା ହାସଲ କରିଥା’ନ୍ତି।

ଅବସର ବିହାର ପ୍ରକଳ୍ପ ରୂପାୟନ କ୍ରମଶଃ ଏକ ଉଦ୍ୟୋଗ ରୂପେ ବିକଶିତ। କେନ୍ଦ୍ର ସରକାରଙ୍କ ଗୃହନିର୍ମାଣ ଓ ସହରୀକରଣ ବ୍ୟାପାର ମନ୍ତ୍ରଣାଳୟ ୨୦୧୯ରେ ଅବସର ବିହାର ନିର୍ମାଣ ନିମନ୍ତେ ଆଦର୍ଶ ଆଚରଣ ବିଧି(ମଡେଲ ଗାଇଡଲାଇନ୍ସ) ପ୍ରଣୟନ କରି ସମସ୍ତ ରାଜ୍ୟ ସରକାରଙ୍କୁ ତଦ୍‌‌ ଅନୁଯାୟୀ ନୀତିନିୟମ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆମଦେଶରେ କାର୍ଯ୍ୟକ୍ଷମ ଅବସର ବିହାର ପ୍ରକଳ୍ପଗୁଡ଼ିକ ମଧ୍ୟରୁ ୭୦ ପ୍ରତିଶତ ବେଙ୍ଗାଲୁରୁ, ଚେନ୍ନାଇ, ପୁଡୁଚେରୀ ଓ ହାଇଦରାବାଦରେ ରହିଛି। ଏହାପରକୁ ଦିଲ୍ଲୀ, ଚଣ୍ଡିଗଡ଼, ଡେରାଡୁନ, ମୁମ୍ୱାଇ, ପୁଣେ, ଅହମ୍ମଦାବାଦ, ସୁରାଟ, ପାନାଜୀରେ ଏଭଳି ଅନୁଷ୍ଠାନ କାର୍ଯ୍ୟକ୍ଷମ। ତେବେ ପୂର୍ବ-ଭାରତ ଅବସର ବିହାର ପରିକଳ୍ପନାରେ ଟିକିଏ ପଛୁଆ ରହିଛି।

ଏଥିସହିତ ପଢ଼ନ୍ତୁ

ଓଡ଼ିଶାରେ ଅବସର ବିହାର ପ୍ରକଳ୍ପ ରୂପାୟନ ନିମନ୍ତେ ଅନ୍ତତଃପକ୍ଷେ ବିଗତ ଦୁଇ ଦଶନ୍ଧି ଧରି ଉଦ୍ୟମ ହୋଇଥିଲେ ହେଁ ଆଶାନୁରୂପ ସଫଳତା ମିଳିପାରି ନାହିଁ। ସ୍ଥାନୀୟ ଉଦ୍ୟୋଗୀମାନଙ୍କ ଉଦ୍ୟମ ମୌଳିକ ଭାବେ କ୍ରେତା ଅଭାବ କାରଣରୁ ସଫଳ ହୋଇପାରୁ ନାହିଁ। ଏହି କ୍ଷେତ୍ରରେ କେତେଗୋଟି ପ୍ରଶ୍ନ ଗୁରୁତ୍ୱପୂର୍ଣ୍ଣ। ପ୍ରଥମତଃ, ପାରମ୍ପରିକ ଓଡ଼ିଆ ସଭ୍ୟତାରେ ବାର୍ଦ୍ଧକ୍ୟରେ ଘରଦ୍ୱାର ଛାଡ଼ି ଅବସର ବିହାରକୁ ସ୍ଥାନାନ୍ତରିତ ହେବା ମାନସିକତା ସୃଷ୍ଟି ହେଲାଣି କି? ଦ୍ୱିତୀୟତଃ, ମହାମାରୀ ପରବର୍ତ୍ତୀ ସର୍ବଭାରତୀୟ ବଜାର ଦରରେ ଅବସର ବିହାରରେ ଆବାସ କ୍ରୟ ନିମନ୍ତେ ହାରାହାରି ୪୦ ଲକ୍ଷ ଏବଂ ରକ୍ଷଣାବେକ୍ଷଣ ଖର୍ଚ୍ଚ ସ୍ଥାୟୀ ଜମା ବାବଦରେ ୧୦ ଲକ୍ଷ, ମୋଟ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ଭରଣା କରିବାକୁ କେତେ ସଂଖ୍ୟାରେ ପରିବାର ସମର୍ଥ? ତୃତୀୟତଃ, ବାର୍ଦ୍ଧକ୍ୟ ଅନୁକୂଳ ଆସିଷ୍ଟେଡ ଲିଭିଂ, ନିର୍ସିଂ କେୟାର ବା ମେମୋରି କେୟାର ଭଳି ସୁବିଧା ନିମନ୍ତେ ଭିତ୍ତିଭୂମି ସୃଷ୍ଟି ନ ହୋଇପାରିଲେ କେବଳ ଛୋଟ ଆୟତନର ବାସଗୃହ ବରିଷ୍ଠ ନାଗରିକଙ୍କ କେଉଁ କାର୍ଯ୍ୟରେ ଲାଗିବ ନା ଆକୃଷ୍ଟ କରିବ?

ରାଜ୍ୟରେ ବାର୍ଦ୍ଧକ୍ୟ ଯତ୍ନ ଦିଗରେ ବିଗତ ଦଶ ବର୍ଷ ଧରି ଚିନ୍ତନ ମଞ୍ଚ ଆୟୋଜନ କରିଥିବା ‘ଗ୍ରେ- ଓଡ଼ିଶା’ ପକ୍ଷରୁ ଓଡ଼ିଶାରେ ଅବସର ବିହାର ପ୍ରକଳ୍ପ ରୂପାୟନ ନିମନ୍ତେ ଏକ ମଡେଲ ବିକଶିତ କରାଯାଇଥିଲା। ଏ ସମ୍ପର୍କରେ ବିଶଦ ବିବରଣୀ ’ଗ୍ରେ ଓଡ଼ିଶା ଡଟ ଇନ’ ୱେବସାଇଟରେ ଉପଲବ୍ଧ। ପ୍ରସ୍ତାବର ମୁଖ୍ୟାଂଶରେ ଉଲ୍ଲେଖଥିଲା ଯେ ପ୍ରଥମତଃ, କେଉଁ ବର୍ଗ ପ୍ରାଥମିକ ଉଦ୍ୟମରେ ସାମିଲ ହୋଇପାରିବେ ତାହା ବିଚାରକୁ ନିଆଯାଉ। ଭୁବନେଶ୍ୱର ରାଜ୍ୟର ସ୍ୱସ୍ଥ୍ୟ କେନ୍ଦ୍ର ଭାବେ ବିକଶିତ ହୋଇଥିବା ଏବଂ ରାଜ୍ୟର ପ୍ରତ୍ୟେକ ପ୍ରାନ୍ତରୁ ଆର୍ଥିକ ଦିଗରୁ ସ୍ୱଚ୍ଛଳ ବରିଷ୍ଠ ନାଗରିକମାନେ ଚିକିତ୍ସା ଉଦ୍ଦେଶ୍ୟରେ ଭୁବନେଶ୍ୱର ଆସୁଥିବା ହେତୁ ସେହି ବର୍ଗଙ୍କ ସାମୟିକ ରହଣି ନିମନ୍ତେ ଆବାସ ନିର୍ମାଣ କରାଗଲେ ୫୦ ଲକ୍ଷ ଟଙ୍କା ମୂଲ୍ୟ ନିବେଶରେ କ୍ରେତା ସଂଗ୍ରହ ସମ୍ଭବ। ଏ ଦିଗରେ ବିଧିବଦ୍ଧ ସର୍ବେକ୍ଷଣ ନିମନ୍ତେ ହାଉସିଂ ବୋର୍ଡ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିପାରନ୍ତି। ଏହି ଆବାସ ପ୍ରକଳ୍ପ ଅବସର ବିହାର ପର୍ଯ୍ୟାୟଭୁକ୍ତ ନହେଲେ ମଧ୍ୟ ସେହି ଅନୁରୂପ ‘ହାଇବ୍ରିଡ ମଡେଲ’ ସୁବିଧା ସୁଯୋଗ ସୃଷ୍ଟି କରିପାରିବ। ଏହା ଭବିଷ୍ୟତରେ ରାଜ୍ୟରେ ଅବସର ବିହାର ନିର୍ମାଣ ଲାଗି ଉଭୟ ସରକାର ଓ ବେସରକାରୀସ୍ତରରେ ଉଦ୍ୟମକୁ ଉତ୍ସାହିତ କରିବ।

ଦ୍ୱିତୀୟତଃ, ହାଇବ୍ରିଡ ମଡେଲରେ ଭୁବନେଶ୍ୱର ବାହାରେ ବସବାସ କରୁଥିବା ବରିଷ୍ଠ ନାଗରିକଙ୍କ ପାଇଁ ସାମୟିକ ରହଣି ନିମନ୍ତେ ଆବାସ ନିର୍ମାଣ କାଳରେ କେବଳ ଏକ କୋଠରି ଓ ତତ୍‌‌ସଂଲଗ୍ନ ସ୍ନାନାଗାର, ବାଲକୋନି, ପ୍ରଶସ୍ତ ବାରଣ୍ଡା ସନ୍ନିବେଶିତ ହେବା ଉଚିତ। ଏଗୁଡ଼ିକର ଦୈନନ୍ଦିନ ରକ୍ଷଣାବେକ୍ଷଣ, ସାଧାରଣ ଖାଦ୍ୟପେୟ ଯୋଗାଣ ଓ ସୁରକ୍ଷା ଭଳି ମୌଳିକ ସୁବିଧାସୁଯୋଗ ଅନ୍ତେବାସୀଙ୍କ ସୋସାଇଟି ମାଧ୍ୟମରେ ତତ୍ତ୍ୱାବଧାନ ଲାଗି ମୂଳରୁ ଆବାସ କ୍ରେତାଙ୍କଠାରୁ ଦଶ ଲକ୍ଷ ଟଙ୍କା ଯାଏଁ ଅଗ୍ରୀମ ରାଶି ସଂଗ୍ରହ କରି ସ୍ଥାୟୀ ଜମା ରଖି ତାହାର ସୁଧରେ ପରିଚାଳନା ପ୍ରତି ଧ୍ୟାନ ଦିଆଯିବା ଆବଶ୍ୟକ। ନଚେତ ମୌଳିକ ରକ୍ଷାଣବେକ୍ଷଣ ବ୍ୟବସ୍ଥା ସ୍ୱାବଲମ୍ୱୀ ହୋଇପାରିବ ନାହିଁ। ତୃତୀୟତଃ, ହାଇବ୍ରିଡ଼ ପ୍ରକଳ୍ପ ସହରର ମଧ୍ୟଭାଗରେ ଜନାକୀର୍ଣ୍ଣ ଅଞ୍ଚଳରେ ହେବା ଆବଶ୍ୟକ। ନଚେତ ଏଭଳି ନିବେଶ ପ୍ରତି ସମର୍ଥନ ମିଳିବ ନାହିଁ। ଚତୁର୍ଥତଃ, ପଚାଶ ଶହେ ସରିକି ବାର୍ଦ୍ଧକ୍ୟଗ୍ରସ୍ତ ସହରର କେନ୍ଦ୍ରସ୍ଥଳୀରେ ଏକତ୍ର ବସବାସ କଲେ ବେସରକାରୀସ୍ତରରେ ସେବା ପ୍ରଦାନକାରୀଙ୍କ ଅଭାବ ରହିବ ନାହିଁ। ପଞ୍ଚମତଃ, ରାଜ୍ୟରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ବୃଦ୍ଧି ପାଇଚାଲିଥିବା, ପରିବର୍ତ୍ତିତ ପରିବେଶରେ ବାର୍ଦ୍ଧକ୍ୟ ଅନୁକୂଳ ଯତ୍ନ ଓ ଚିକିତ୍ସା ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ଉପଲବ୍ଧ କରାଇବା ଦିଗରେ ସମ୍ୱଳ ଅଭାବ ତଥା ରାଜଧାନୀରେ ବାସ୍ତବାଭିମୁଖୀ ମଡେଲ ବିକଶିତ କରାଯାଇପାରିଲେ ଅନ୍ୟତ୍ର ଉପଯୋଗର ପଥ ଉନ୍ମୁକ୍ତ ହେବା ଆଶା କରାଯାଇପାରେ।

ଭାରତ ସରକାରଙ୍କ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଜନସଂଖ୍ୟାର ୧୦.୧ ପ୍ରତିଶତ ୨୦୨୧ରେ ବରିଷ୍ଠ ନାଗରିକ ଥିବା ସ୍ଥଳେ ୨୦୩୧ରେ ସେମାନଙ୍କ ସଂଖ୍ୟା ଆମ ଦେଶର ମୋଟ ଜନସଂଖ୍ୟାର ୧୩.୧ ପ୍ରତିଶତକୁ ବୃଦ୍ଧି ପାଇବା ଆକଳନ କରାଯାଏ। ବିକାଶୋନ୍ମୁଖୀ ଅର୍ଥନୀତିରେ ସ୍ୱଚ୍ଛଳ ପରିବାରବର୍ଗଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଇ ଚାଲିଥିବା ହେତୁ ଏହି ବିଶାଳ ଜନସଂଖ୍ୟାର ଏକାଂଶ ଅବସର ବିହାର ମୁହାଁ ହେବାର ସମ୍ଭାବନା ରହିଛି। ବିଭିନ୍ନ ହିସାବ ଅନୁଯାୟୀ ମହାମାରୀ ପୂର୍ବାବସ୍ଥା ସୁଦ୍ଧା ଭାରତରେ ୫୫ ଗୋଟି ପ୍ରକଳ୍ପ ମାଧ୍ୟମରେ ଅବସର ବିହାରଗୁଡ଼ିକରେ ୨୦ ହଜାର ଆବାସରେ ବରିଷ୍ଠ ନାଗରିକମାନେ ବସବାସ କରୁଥିବା ବେଳେ ୪୫୦୦ ଆବାସ ବିକ୍ରୀ ନିମନ୍ତେ ଉପଲବ୍ଧ ଥିଲା। ମିଳିତ ଜାତିସଂଘ ପକ୍ଷରୁ ୨୦୨୧ରୁ ୨୦୩୦ ‘ସୁସ୍ଥ ବାର୍ଦ୍ଧକ୍ୟ ଦଶନ୍ଧି’ ପାଳନ କରାଯାଉଥିବା ତଥା ବାର୍ଦ୍ଧକ୍ୟ ଅନୁକୂଳ ଆବାସ ନିର୍ମାଣ ଏହାର ଚାରିଗୋଟି ମୁଖ୍ୟ କାର୍ଯ୍ୟକ୍ରମରେ ସ୍ଥାନିତ ହୋଇଥିବା ହେତୁ ଏଦିଗରେ ବିଚାରବିମର୍ଶ ଉପଯୋଗୀ ମନେ ହୁଏ।

ଡକ୍ଟର ପ୍ରଦୀପ ମହାପାତ୍ର
ବ୍ରହ୍ମପୁର, ମୋ: ୯୪୩୭୦୯୬୯୪୪

Leave A Reply

Your email address will not be published.