ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସଙ୍କଟରେ ପିଆଜ ଚାଷୀ

ଅଭାବୀ ବିକ୍ରି ଏବଂ ଆହୁରି ଅନେକ ଅସୁବିଧାର ସମ୍ମୁଖୀନ ହୋଇ ଚାଷୀ ରାସ୍ତାରେ ଓ ପାଣିରେ ଟମାଟୋ ଢାଳିଦେବା ବା ଫସଲଭର୍ତ୍ତି ବନ୍ଧାକୋବି କିଆରିରେ ଟ୍ରାକ୍ଟର ଚଳାଇଥିବା ବା ଦୁଗ୍ଧଚାଷୀମାନେ କ୍ଷୀରର ଉଚିତ୍‌‌ ମୂଲ୍ୟ ନପାଇ ରାସ୍ତାରେ ବା ପାଣିରେ ଢାଳିଦେବା ଆପଣମାନେ ନିଶ୍ଚୟ ଶୁଣିଥିବେ ଓ େଦଖିଥିବେ। ହାଡ଼ଭଙ୍ଗା ପରିଶ୍ରମ କରି ଫଳାଇଥିବା ଫସଲ ବା ଉତ୍ପାଦ ଉଜୁଡ଼େଇ ଦେବା ବେଳେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କେତେ କଷ୍ଟ ହେଉଥିବ ଚିନ୍ତା କରାଯାଇ ପାରେନା। ସେତିକି ବାଧିବାରୁ ସେ ବାଧ୍ୟ ହେଲା ସେପରି କରିବାକୁ। ଠିକ୍‌‌ ଏମିତି ହୋଇଛି ଏବର୍ଷ ମହାରାଷ୍ଟ୍ରର ପିଆଜ ଚାଷୀଙ୍କ କ୍ଷେତ୍ରରେ। ବିଶ୍ୱତାପନ ହେତୁ ଅସନ୍ତୁଳନ ପାଣିପାଗ(ଉତ୍ତାପ ବୃଦ୍ଧି) ଓ ଆସନ୍ନ ବର୍ଷାକୁ ଡରି ମହାରାଷ୍ଟ୍ର ପିଆଜ ଚାଷୀ ବିଳମ୍ୱ-ଖରିଫ ପିଆଜ ଫସଲକୁ ଶୀଘ୍ର ଅମଳ କରିଦେଲେ। ଏହି ସମୟରେ ଖରିଫ ପିଆଜ ଫସଲ ବଜାରରେ ଅଛି। ପିଆଜ କ୍ୱିଣ୍ଟାଲ ୧୦୦୦ ଟଙ୍କା ଥିଲା। ଦର କମି କ୍ୱିଣ୍ଟାଲ୍‌‌ ପିଛା ୫୦୦ ରୁ ୭୦୦ ଟଙ୍କା ହୋଇଗଲା। ବର୍ତ୍ତମାନ ସେଥିରେ ସାମାନ୍ୟ ବୃଦ୍ଧି ଘଟିଛି।

ମହାରାଷ୍ଟ୍ର ନାସିକ ଜିଲ୍ଲାର ୟେଓଲା ତାଲୁକର ମାଥୁଲଥାନ ଗାଁର ଚାଷୀ କ୍ରିଷ୍ଣା ଭଗବାନ ଡୋଙ୍ଗ୍ରେ ୧.୫ ଏକର ଜମିରେ ୪ମାସ ପରିଶ୍ରମ କରି ପିଆଜ ଚାଷ କରିଥିଲେ। ଅମଳ ମଧ୍ୟ ଭଲ ହୋଇଥିଲା। ସେ ସେଥିରେ ୧.୫ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ଓ ମଣ୍ଡି ପର୍ଯ୍ୟନ୍ତ ପରିବହନ ନିମନ୍ତେ ଆଉ ୩୦,୦୦୦ ଟଙ୍କା ରଖିଥିଲେ। ଯେତେବେଳେ ସିଏ ଦେଖିଲେ ସମୁଦାୟ ପିଆଜ ବିକିଲେ ତାଙ୍କୁ ୨୫,୦୦୦ ଟଙ୍କା ମାତ୍ର ମିଳିବ ସେ କୌଣସି ଆଡ଼େ ବିକିବାକୁ ନ ଯାଇ ପିଆଜ କ୍ଷେତରେ ନିଅାଁ ଲଗାଇବାକୁ ଚିନ୍ତା କଲେ। ଏତେ ପରିଶ୍ରମ କରି ଏତେ ପଇସା ଖର୍ଚ୍ଚ କରି କରିଥିବା ଫସଲକୁ ଜଳାଇବା, ଆତ୍ମାକୁ ସେତିକି ନବାଧିଲେ କରିହେବନି। ତଦନୁଯାୟୀ କ୍ରିଷ୍ଣା ନିଜ ରକ୍ତରେ ଏକ ଚିଠି ଲେଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ସେଥିରେ ସେ ଲେଖିଥିଲେ – ‘୧୫ ଦିନ ପରେ ଅନୁଷ୍ଠିତ ହେବାକୁ ଥିବା ଏହି ପିଆଜ ଫସଲ ଜ୍ୱଳନ କାର୍ଯ୍ୟକ୍ରମ(ହୋଲିକା ଦହନ ଦିନ- ବନ ଅଗ୍ନି ସହ ତୁଳନୀୟ)କୁ ଆଖିରେ ଦେଖି ଯାଆନ୍ତୁ। ତା’ହେଲେ ଯାଇ ଆପଣ ଅନୁଭବ କରିପାରିବେ ମୁଣ୍ଡଝାଳ ତୁଣ୍ଡରେ ମାରି, ପେଟରୁ କାଟି, ଏତେ ପଇସା ଖର୍ଚ୍ଚ କଲାପରେ ମଧ୍ୟ ଚାଷୀର ଅବସ୍ଥା(ଦୁରବସ୍ଥା)କ’ଣ?’ ମାର୍ଚ୍ଚ ୪ତାରିଖରେ ସେ ତାଙ୍କ ପିଆଜ କିଆରିରେ ଅଗ୍ନି ସଂଯୋଗ କଲାବେଳେ ଶହ ଶହ ଅନ୍ୟ ଚାଷୀ ଦେଖୁଥିଲେ। ସମସ୍ତଙ୍କର ଅବସ୍ଥା ପ୍ରାୟ ସମାନ। କିଏ କାହାକୁ ଆଶ୍ୱାସନା ଦେବ? ଗଣମାଧ୍ୟମକୁ ସାକ୍ଷାତକାର ଦେଇ କ୍ରିଷ୍ଣା କହିଛନ୍ତି, ୧୫ ଦିନ ସମୟ ଥିଲା। ମାତ୍ର ନା କେନ୍ଦ୍ର ନା ରାଜ୍ୟସରକାର କେହି ହେଲେ ଏଦିଗରେ କୌଣସି ପଦକ୍ଷେପ ନେଲେ ନାହିଁ କି ଏତେ ବଡ଼ ପଦକ୍ଷେପ କାହିଁକି ନେବ ବୋଲି କେହି ପଚାରିଲେ ନାହିଁ।

ସେହିଭଳି ମହାରାଷ୍ଟ୍ର ସୋଲାପୁର ଜିଲ୍ଲାର ବରଗାଁଓ ଗ୍ରାମର ପିଆଜ ଚାଷୀ ରାଜେନ୍ଦ୍ର ତୁକାରାମ ଚମନ(୫୮), ତାଙ୍କର ଅମଳ ୫୧୨ କେଜି ପିଆଜ ବିକିବାକୁ ୭୦କି.ମି. ଦୂର ସୋଲାପୁର ଗଲେ ୨୪ ଫେବୃଆରୀରେ। ସବୁ ଫସଲ ବିକି ସାରିବା ପରେ ତାଙ୍କୁ ୨ ଟଙ୍କା ୪୯ପଇସାର ଏକ ଚେକ୍‌‌ ମିଳିଛି। ଚେକ ବିଷୟ ବୁଝାଇବାକୁ ଯାଇ ସୋଲାପୁର କୃଷିଜାତ ଦ୍ରବ୍ୟ ବିପଣନ କମିଟି କହିଛନ୍ତି, ବର୍ତ୍ତମାନର ଦର ଅନୁସାରେ ତାଙ୍କର ମୋଟ ପ୍ରାପ୍ୟ ହେଲା ୫୧୨ ଟଙ୍କା। ସେଥିରୁ ପରିବହନ, ମୁଣ୍ଡରେ ଚଢ଼ାଇବା, ଲଦିବା ବାବଦକୁ ୫୦୯ ଟଙ୍କା ୫୦ ପଇସା କଟିବା ପରେ ତାଙ୍କୁ ୨ଟଙ୍କା ୪୯ପଇସାର ଚେକ୍‌‌ ଦିଆଯାଇଛି। ଡିଜିଟାଇଜେସନ ପରେ ଅନେକଙ୍କୁ ଏମିତି କମ୍‌‌ ପରିମାଣର ଚେକ୍‌‌ ଦିଆଯାଇଛି। ଏ ଘଟଣାପରେ ପ୍ରତିକ୍ରିୟା ପ୍ରକାଶ କରି ମହାରାଷ୍ଟ୍ରର ଅନେକ ଚାଷୀ ପ୍ରଶ୍ନ କରିଛନ୍ତି, ଆମ ପାଖରେ ଆତ୍ମହତ୍ୟା ବ୍ୟତୀତ ଆଉ କ’ଣ ବିକଳ୍ପ ଅଛି କି?

ଚଳିତବର୍ଷ କେବଳ ମହାରାଷ୍ଟ୍ର ନୁହେଁ ଅନ୍ୟ ପିଆଜ ଉତ୍ପାଦିତ ରାଜ୍ୟଗୁଡ଼ିକରେ ମଧ୍ୟ ଭଲ ଅମଳ ହୋଇଛି। ମହାରାଷ୍ଟ୍ରର ଲସଲଗାଁଓ(ରସୁଣର ଗାଁ) ଏସିଆର ସର୍ବବୃହତ ପିଆଜ/ରସୁଣ ମଣ୍ଡିକୁ ପ୍ରତ୍ୟହ ୧୫,୦୦୦ କ୍ୱିଣ୍ଟାଲ ବଦଳରେ ବର୍ତ୍ତମାନ ୩୦,୦୦୦ କ୍ୱିଣ୍ଟାଲ ଆସୁଛି। ଫଳରେ କ୍ୱିଣ୍ଟାଲ ପ୍ରତି ୧,୮୫୦ ଟଙ୍କାରୁ ଖସି ଆସିଛି ୫୫୦ ଟଙ୍କା ପର୍ଯ୍ୟନ୍ତ। ଏହାର ପ୍ରତିବାଦ ସ୍ୱରୂପ ମହାରାଷ୍ଟ୍ର ରାଜ୍ୟ କାନ୍ଦା(ପିଆଜ)ଉତ୍ପାଦକ ସଂଗଠନର ପିଆଜ ଚାଷୀମାନେ ଏକତ୍ର ହୋଇ ଲସଲଗାଁଓ(ନାସିକ)କୃଷିଜାତ ଦ୍ରବ୍ୟ ବିପଣନ ସମିତି ମଣ୍ଡିରେ ନିଲାମ ପ୍ରକ୍ରିୟା ବନ୍ଦ କରିଦେଇଥିଲେ।

ଏଥିସହିତ ପଢ଼ନ୍ତୁ

ଅନ୍ୟପକ୍ଷରେ ପିଆଜର ସର୍ବନିମ୍ନ ଦର ପ୍ରତିବାଦରେ ଗତ ଫେବୃଆରୀ ୨୮ ତାରିଖରେ ମହାରାଷ୍ଟ୍ର ବିଧାୟକମାନେ ମୁଣ୍ଡରେ ପିଆଜ ରଖି ବିଧାନସଭା ଆସିଥିଲେ। ପିଆଜର ସର୍ବନିମ୍ନ ଦର ବୃଦ୍ଧି ଦାବିରେ ପ୍ରଧାନମନ୍ତ୍ରୀଙ୍କୁ ପିଆଜ ପଠାଇଯାଇଛି ଡାକରେ।

ପିଆଜ ଉତ୍ପାଦନରେ ଆମ ରାଜ୍ୟ ଓଡ଼ିଶା ସେତେଟା ସଫଳ ନହେଲେ ମଧ୍ୟ ଆଧୁନିକ ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରି ବିଶ୍ୱ ପନିପରିବା କେନ୍ଦ୍ର ଓ ଉଦ୍ୟାନ କୃଷି ବିଭାଗର ସାହାଯ୍ୟରେ ଏଥିରେ ଢେର ଉନ୍ନତି ଆସିପାରିଛି। ଅଧୁନା ଆମ ରାଜ୍ୟରେ ବାର୍ଷିକ ଯେତିକି ପିଆଜ ଉତ୍ପାଦନ ହେଉଛି ଆମର ଚାହିଦାକୁ ଚାହିଁ ଯଥେଷ୍ଟ। ପ୍ରାୟ ସବୁ ଓଡ଼ିଆ ଖାଦ୍ୟରେ ପିଆଜ ରଖିବା ଏକ ନିତିଦିନିଆ ଅଭ୍ୟାସ। ତଥାପି ଆମର ବାର୍ଷିକ ଚାହିଦା ୨.୩୨ ଲକ୍ଷ ଟନ ଥିବାବେଳେ ଆମର ପ୍ରାୟ ୪ ଲକ୍ଷ ଟନ ପିଆଜ ଉତ୍ପାଦିତ ହେଉଛି। ପ୍ରତିବର୍ଷ ପିଆଜ ଚାଷଜମିର ପରିମାଣ ବଢ଼଼ି ବଢ଼଼ି ଚାଲିଛି। ମାତ୍ର ଶେଷରେ ଚାଷୀ ସେଇ ଅଭାବୀ ବିକ୍ରିର ସାମ୍ନା କରୁଛି। ଆମ ରାଜ୍ୟରେ ବର୍ତ୍ତମାନ ୧୩୦ଟି ଶୀତଳଭଣ୍ଡାର ଥିବାର ସରକାର କହୁଥିଲେ ମଧ୍ୟ ପ୍ରକୃତରେ ୪୯ଟି କାର୍ଯ୍ୟକ୍ଷମ। ସେଥିରେ ପୁଣି ସବୁ ଶୀତଳଭଣ୍ଡାରରେ ସବୁପ୍ରକାର ଉତ୍ପାଦ ରଖିହେବ ନାହିଁ। ଏବେ ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକରେ ସୌରଶକ୍ତିଚାଳିତ ଶୀତଳଭଣ୍ଡାର ପ୍ରତିଷ୍ଠା କଥା ଘୋଷଣା କରିଛନ୍ତି। ଚଳିତବର୍ଷ ବଜେଟରେ କୃଷିର ଉନ୍ନତି ସକାଶେ ଅର୍ଥରାଶିକୁ ବଢ଼଼ାଇ ଦିଆଯାଇଛି।

ବର୍ତ୍ତମାନ ପିଆଜ ଅମଳହୋଇ ବଜାରକୁ ଆସିନାହିଁ। ମାତ୍ର ମୁଖ୍ୟତଃ ମହାରାଷ୍ଟ୍ର ନାସିକ ଓ ପଶ୍ଚିମବଙ୍ଗ ଶିବସାଗର ଜିଲ୍ଲାରୁ ପ୍ରତ୍ୟହ ପ୍ରଚୁର ପିଆଜ ଟ୍ରକ୍‌‌ ଭୁବନେଶ୍ୱର କୁବେରପୁରୀ ଆଳୁ/ପିଆଜ ମଣ୍ଡିକୁ ଆସୁଛି। ଚଳିତବର୍ଷ ଅମଳ ଭଲ ହୋଇଥିବାରୁ କୁବେରପୁରୀରେ ବଡ଼ପିଆଜ(ଉଲି)ର ପାଇକାରୀ ଦର କେଜି ପିଛା ୧୨ ଟଙ୍କା ଥିବା ବେଳେ ଖୁଚୁରା ବଜାରରେ ଦର ୨୫ ରୁ ୩୦ ଟଙ୍କା ରହୁଛି। ଖାଉଟି ଲାଭ ପାଉନାହିଁ। ତିରୋଟ ସମୟରେ ସେଇ ଚାଷୀ ଏବଂ ଆମେମାନେ କିଲୋ ପିଛା ୮୦ ଟଙ୍କା ଦରରେ କିଣିବା। ଅଭାବୀ ବିକ୍ରୀ ପିଆଜ ଚାଷୀର ମେରୁଦଣ୍ଡ ଭାଙ୍ଗିଦେଇ ତା’ ଆଖିରୁ ଲୁହ ନିଗାଡ଼ି ଦିଏ। ଯୋଗାଣ ବିଭାଗର ଉଦାସୀନତା, ପଡ଼ୋଶୀ ବେପାରୀମାନଙ୍କ ଦୌରାତ୍ମ୍ୟ କାରଣରୁ ଖାଉଟି ଆଖିରୁ ମଧ୍ୟ ଲୁହ ଝରୁଛି।

ଜୟନ୍ତ ପଟ୍ଟନାୟକ
ଭୁବନେଶ୍ୱର, ମୋ: ୯୦୯୦୧୯୦୦୬୯

Leave A Reply

Your email address will not be published.