ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନାଟକ ଏବେ ମଧ୍ୟ ବଞ୍ଚିଛି !

ନାଟକ ମନୋରଞ୍ଜନର ଏକ ବଳିଷ୍ଠ ମାଧ୍ୟମ। ନାଟକରେ ଲୋକସମ୍ପୃକ୍ତି ଥିବା ଯୋଗୁଁ ଆଚାର୍ଯ୍ୟ ଭରତ ମୁନି ଏହାକୁ ‘ଲୋକବୃତ୍ତାନୁ କରଣମ୍‌‌’ ବୋଲି ଆଖ୍ୟାୟିତ କରିଛନ୍ତି। ନାଟକକୁ ସୁଖଦୁଃଖ ସମନ୍ୱିତ ଲୋକ ସ୍ୱଭାବର ଅଭିନୟାତ୍ମକ ରୂପ ବୋଲି ଦର୍ଶାଇଛନ୍ତି। ତାଙ୍କ ମନରେ ଅଭିନୟ ଯୋଗ୍ୟ କାବ୍ୟ ହିଁ ନାଟକ।

ବ୍ରହ୍ମା ହିଁ ନାଟ୍ୟ ବେଦର ସ୍ରଷ୍ଟା। ଋଗ୍‌‌ ବେଦରୁ ପାଠ, ଯର୍ଜ୍ଜୁ ବେଦରୁ ଅଭିନୟ, ଅଥର୍ବ ବେଦରୁ ରସ ତଥା ସାମ ବେଦରୁ ଭଂଗୀକୁ ନେଇ ନାଟ୍ୟ ବେଦର ସୃଷ୍ଟି। ନାଟ୍ୟ ବେଦ ‘ପଞ୍ଚମ ବେଦ’ ଭାବରେ ମଧ୍ୟ କଥିତ।

ସାଧାରଣ ଭାବେ ଓଡ଼ିଶାରେ ପ୍ରଥମ ନାଟକ ରଚିତ ହୁଏ ୧୮୭୭ ମସିହାରେ। ଜଗନ୍ମୋହନ ଲାଲାଙ୍କ ଦ୍ୱାରା ରଚିତ ପ୍ରଥମ ଓଡ଼ିଆ ନାଟକ ‘ବାବାଜୀ’ର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ‘ବାବାଜୀ’ ପରେ ସେ ଲେଖିଲେ ‘ସତୀ’, ‘ପ୍ରୀତି’, ‘ବୃଦ୍ଧ ବିବାହ’ ଇତ୍ୟାଦି। ସାମାଜିକ ଦୋଷ ଦୁର୍ବଳତାକୁ କେନ୍ଦ୍ର କରି ନାଟ୍ୟକାର ଲାଲା ଏ ନାଟକଗୁଡ଼ିକ ଲେଖିଥିଲେ। ୧୮୭୭ରୁ ୧୯୩୯ ଯାଏ ୬୨ ବର୍ଷ ଧରି କେତେଗୁଡ଼ିଏ ପୌରାଣିକ ତଥା ଐତିହାସିକ ନାଟକ ମଧ୍ୟ ରଚନା ହୋଇଛି। ଅନେକ ସାମାଜିକ ନାଟକ ରଚନା ହୋଇଥିଲେ ହେଁ ଏହା ଏତେ ସୁଫଳ ଦେଇନାହିଁ। ପରବର୍ତ୍ତୀ କାଳରେ ନାଟ୍ୟକାର ରାମଶଙ୍କର ଜାତୀୟତା ପ୍ରାଣରେ ଉଦ୍‌‌ବୁଦ୍ଧ ହୋଇ ବଙ୍ଗଳା ତଥା ଅନ୍ୟାନ୍ୟ ଭାରତୀୟ ଭାଷାରେ ରଚିତ ନାଟକ ଅନୁସରଣରେ ଓଡ଼ିଆରେ ଲେଖିଲେ। ରାମଶଙ୍କରଙ୍କ ନାଟକଗୁଡ଼ିକ ଦୁଇ ଭାଗରେ ବିଭକ୍ତ ଥିଲା। ପ୍ରଥମଟି ହେଲା କାଳ୍ପନିକ ଓ ଅପରଟି ଐତିହାସିକ ପୁଣି ପୌରାଣିକ ବା ଧର୍ମମୂଳକ। ଐତିହାସିକ ନାଟକ ଭାବରେ ତାଙ୍କର ‘କାଞ୍ଚିକାବେରୀ’ କାଳଜୟୀ ନାଟକ ଭାବରେ ଓ କାଳ୍ପନିକ ନାଟକ ଭାବରେ ‘ବନବାଳା’ ବେଶ୍‌‌ ଲୋକପ୍ରିୟ। ଏହାପରେ ଭିକାରୀ ଚରଣ ପଟ୍ଟନାୟକ ଓ ଅଶ୍ୱୀନ କୁମାର ଓଡ଼ିଆ ନାଟ୍ୟ ଜଗତରେ ଏକ ନୂତନ ଆଭିମୁଖ୍ୟ ଓ ନୂତନ ଅଧ୍ୟାୟ ସୃଷ୍ଟି କଲେ। ଅଶ୍ୱୀନ କୁମାର କେବଳ ନାଟକ ଲେଖୁ ନଥିଲେ, ସଙ୍ଗୀତର ବିକାଶ କ୍ଷେତ୍ରରେ ଆପ୍ରାଣ ଉଦ୍ୟମ ମଧ୍ୟ କରିଥିଲେ। ସେ ବଙ୍ଗଳା ଥିଏଟର୍ସ ଗଠନ କରି କିଛି ଦର୍ଶକ ତିଆରି କରିବାରେ ସକ୍ଷମ ହୋଇଥିଲେ। ୧୯୧୫ ଠାରୁ ୧୯୫୭ ମଧ୍ୟରେ ସେ ଅନେକ ଭିନ୍ନଧର୍ମୀ ନାଟକ ରଚନା କରି ପରିବେଷଣ କରୁଥିଲେ। ଗୋଦାବରୀଶ ମିଶ୍ର, କୃପାସିନ୍ଧୁ ପଟ୍ଟନାୟକ, କାନ୍ତକବି ଲକ୍ଷ୍ମୀକାନ୍ତ, ବାଳକୃଷ୍ଣ କର, ମାୟାଧର ମାନସିଂ, ବୈକୁଣ୍ଠ ନାଥ ପଟ୍ଟନାୟକ, ଡ. ହରେକୃଷ୍ଣ ମହତାବ, ସଚ୍ଚିଦାନନ୍ଦ ରାଉତରାୟ, ପ୍ରମୁଖ ଅନେକ ଯଶସ୍ୱୀ ନାଟ୍ୟକାର ନାଟକମାନ ଲେଖି ଯଥେଷ୍ଟ ସୁନାମ ଅର୍ଜନ କରିଛନ୍ତି।

୧୯୩୯ ମସିହାରେ ନାଟ୍ୟକାର କାଳିଚରଣ ପଟ୍ଟନାୟକଙ୍କ ଦ୍ୱାରା ଗଠିତ ‘ଓଡ଼ିଶା ଥିଏଟର୍ସ’ ଓଡ଼ିଶା ସାମାଜିକ ନାଟକକୁ ଯଥେଷ୍ଟ ପରିଚୟ ପ୍ରଦାନ କରିଛି। ପୂର୍ବରୁ କଟକରେ ବାସନ୍ତୀ ଥିଏଟର୍ସ, ପୁରୀର ହଜୁରୀ ପେଣ୍ଡାଲ୍‌‌ ବେଶ ନାଁ କରିଥିଲା। କିନ୍ତୁ ବାଙ୍କାବଜାରରେ ‘ଓଡ଼ିଶା ଥିଏଟର୍ସ’ ଓ ବକ୍ସିବଜାରରେ ‘ଅନ୍ନପୂର୍ଣ୍ଣା ଥିଏଟର୍ସ’ ପ୍ରତିସଂଧ୍ୟାରେ ନାଟକମାନ ମଞ୍ଚସ୍ଥ କରୁଥିଲେ। କାଳିଚରଣଙ୍କର ‘ଓଡ଼ିଶା ଥିଏଟର୍ସ’ରେ ତାଙ୍କ ଲିଖିତ ‘ଗାର୍ଲସ ସ୍କୁଲ୍‌‌’, ‘ପରିବର୍ତ୍ତନ ଚକ୍ରୀ’, ‘ଚୁମ୍ବନ’, ‘ଜଗନ୍ନାଥ ଦାସ’, ‘ଦଶଭୁଜା’, ‘ଜୟଦେବ’, ‘ଅଭିଯାନ’, ‘ଫଟାଭୂଇଁ’, ‘ଭାତ’ ପ୍ରଭୃତି ନାଟକ ପରିବେଷଣ କରାଯାଇ ବେଶ୍‌‌ ଲୋକପ୍ରିୟ ହୋଇପାରିଥିଲା। ପରବର୍ତ୍ତୀ ସମୟରେ ନୂତନ ନାଟ୍ୟକାର ଭାବରେ ମନୋରଞ୍ଜନ ଦାସଙ୍କର ଲିଖିତ ନାଟକ ମଞ୍ଚସ୍ଥ କରାଯିବା ଫଳରେ ବହୁ ଯୁବ ନାଟ୍ୟକାର ଉତ୍ସାହିତ ହୋଇ ନାଟକ ରଚନା କ୍ଷେତ୍ରରେ ମନୋନିବେଶ କଲେ। ଅନେକ ନାଟକ ମଞ୍ଚସ୍ଥ ହେଲା ଓ ଦର୍ଶକମାନଙ୍କର ଭିଡ଼ ଜମିଲା। ପୂର୍ବରୁ ପୁରୁଷମାନେ ନାରୀ ଚରିତ୍ରରେ ଅଭିନୟ କରୁଥିବାବେଳେ କ୍ରମେ ନାରୀମାନେ ଅଭିନୟ କ୍ଷେତ୍ରରେ ପାଦଦେଲେ। କେବଳ ଗୋଟିଏ ରାତି ନୁହେଁ, ଶହ ଶହ ରାତି ଗୋଟିଏ ନାଟକ ମଞ୍ଚସ୍ଥ ହେଉଥିଲା। ଏପରିକି ଭ୍ରାମ୍ୟମାଣ ଥିଏଟର ଭାବରେ ‘ଅନ୍ନପୂର୍ଣ୍ଣା ଥିଏଟର୍ସ’ ନାଟକ ମଞ୍ଚସ୍ଥ କରିବା ଆରମ୍ଭ କରିଦେଇଥିଲା।

ଏଥିସହିତ ପଢ଼ନ୍ତୁ

ବିଶ୍ୱ ନାଟ୍ୟ ଦିବସର ଅୟମାରମ୍ଭ ହୋଇଥିଲା ୧୯୬୪ ମସିହାରେ। ପ୍ରତିବର୍ଷ ମାର୍ଚ୍ଚ ମାସ ୨୭ ତାରିଖ ସାରା ବିଶ୍ୱରେ ‘ବିଶ୍ୱ ନାଟ୍ୟଦିବସ’ ପାଳିତ ହେଉଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମଞ୍ଚ ନାଟକକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା। ମଞ୍ଚନାଟକର ବିଶେଷତ୍ତ୍ୱ ଓ ସମାଜର ପରିବର୍ତ୍ତନ କ୍ଷେତ୍ରରେ ଏହାର ପ୍ରମୁଖ ଭୂମିକାକୁ ପ୍ରଚାର କରିବା। ମଞ୍ଚନାଟକକୁ ଜନସାଧାରଣରେ ଆଦୃତ କରିବା ନିମନ୍ତେ ବିଭିନ୍ନ ସ୍ଥାନରେ ମଞ୍ଚନାଟକ ପ୍ରଦର୍ଶନ ମଧ୍ୟ ‘ବିଶ୍ୱ ନାଟ୍ୟଦିବସ’ର ଅନ୍ୟତମ ଲକ୍ଷ୍ୟ।

ବର୍ତ୍ତମାନ ବୈଦ୍ୟୁତିକ ଗଣମାଧ୍ୟମ ସକ୍ରିୟ ହେଲାବେଳେ ମଞ୍ଚର ପାଦ ପ୍ରଦୀପ ଆସ୍ତେ ଆସ୍ତେ ଲିଭି ଲିଭି ଆସୁଛି। ବିଶେଷତଃ ଓଡ଼ିଶାରେ ଏବେ ଏକ ଅଭିଯାନ ଆରମ୍ଭ ହୋଇଥିଲେ ହେଁ ତାହା ଗୋଟିଏ ଦୁଇଟି ସହର ଭିତରେ ସୀମିତ ହୋଇ ରହିଯାଉଛି। ଓଡ଼ିଶାର ପ୍ରାଚୀନ ରାଜଧାନୀ ତଥା ସାଂସ୍କୃତିକ ପୀଠ କଟକ ସହର ଥିଲା ମଞ୍ଚନାଟକ ପ୍ରଦର୍ଶନରେ ପ୍ରକୃଷ୍ଟ କ୍ଷେତ୍ର। ଆଜି ସେଇ ସାଂସ୍କୃତିକ ପୀଠରେ ସ୍ଥାୟୀ ପେସାଦାର ରଙ୍ଗମଞ୍ଚ ଭଗ୍ନ ପ୍ରାୟ। ତା’ର ରକ୍ଷଣାବେକ୍ଷଣ ତଥା ନାଟକ ପ୍ରଦର୍ଶନ ପାଇଁ ଆଗଭର ନ ହେବା ଚିନ୍ତାର ବିଷୟ। ଏବେ ମଞ୍ଚ ନାଟକ ସ୍ଥାନରେ ଯାତ୍ରା ଆସ୍ଥାନ ଜମେଇ ବସିଛି। ଲୋକଙ୍କ ରୁଚି ବଦଳିଛି। ଯାତ୍ରା ସୁଲଭ ଓ ହାତ ପାହନ୍ତାରେ ମିଳିଯାଉଛି। ମନୋରଞ୍ଜନକୁ କିଣିବା ପାଇଁ ଆମ ଭିତରେ ଜୋର୍‌‌ସୋର୍‌‌ରେ ପ୍ରତିଯୋଗିତା ଚାଲିଛି। ଚାନେଲ୍‌‌ମାନଙ୍କର ଭିଡ଼। ଏପରିସ୍ଥଳେ ଓଡ଼ିଶାରେ ମଞ୍ଚନାଟକର ପ୍ରଚାର ପ୍ରସାର ପାଇଁ ସାମୂହିକ ଉଦ୍ୟମ ଲୋଡ଼ା।

ଡ. କିଶୋର ମହାନ୍ତି
କଟକ, ମୋ: ୯୪୩୭୭୨୮୪୭୫

Leave A Reply

Your email address will not be published.