ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭ୍ରଷ୍ଟାଚାରର ଅନନ୍ତ ସ୍ରୋତ

ବୋଧହୁଏ ଭ୍ରଷ୍ଟାଚାର ଆମ ଦେହସୁହା ହୋଇଗଲାଣି। ମାନସିକ ସ୍ତରରେ ତାକୁ ସମସ୍ତେ ଗ୍ରହଣ କରିନେଇଛନ୍ତି ବୋଲି ପ୍ରତୀୟମାନ ହେଉଛି। କିଛି ଲୋକ ଲାଳସାର ବଶବର୍ତ୍ତୀ ହୋଇ ପର୍ଯ୍ୟାପ୍ତ ଅର୍ଥ ଉପାର୍ଜନ କରିବା ନିଶାରେ ଉଚିତ ଅନୁଚିତ ବିଚାର ନକରି ଭ୍ରଷ୍ଟାଚାର କରୁଛନ୍ତି। କିଛି ଲୋକ ଏହାକୁ ପ୍ରୋତ୍ସାହିତ କରୁଛନ୍ତି ଓ ଆଉ କିଛି ଲୋକ ଏହାକୁ ନିରବ ସମର୍ଥନ କରୁଛନ୍ତି। ଆଜିର ଦିନରେ ଏହାକୁ ରୋକାଯାଇ ପାରିବନି ବୋଲି ଧରିନେଇ ଚୁପ୍‌‌ ରହିବା ଶ୍ରେୟସ୍କର ମଣୁଥିବା ଲୋକଙ୍କୁ ମଧ୍ୟ ଦେଖିବାକୁ ମିଳୁଛି। ଅଳ୍ପ କିଛି ଲୋକ ଏହା ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି। ଏହି ସ୍ୱର କ୍ଷୀଣ ହୋଇଥିବାରୁ ବିଶେଷ ପ୍ରଭାବଶାଳୀ ହୋଇପାରୁନାହିଁ।

ଦୂଷିତ ବାୟୁ ମଣିଷର ରକ୍ତରେ ମିଶିଲେ କେବଳ ରକ୍ତକୁ ବିଷାକ୍ତ କରେନାହିଁ, ବରଂ ଶରୀରର ସମସ୍ତ ଅଙ୍ଗକୁ ସଂକ୍ରମିତ କରେ। ଠିକ୍‌‌ ସେମିତି ଦୁର୍ନୀତି କେବଳ ବ୍ୟକ୍ତିର ନୈତିକ ଅଧଃପତନ ଘଟାଏ ନାହିଁ, ବରଂ ଦେଶର ଅର୍ଥନୀତି ଓ ଭାବମୂର୍ତ୍ତିକୁ ମଧ୍ୟ ପ୍ରଭାବିତ କରେ। ଅନ୍ୟପକ୍ଷରେ ଭ୍ରଷ୍ଟାଚାରକୁ ନିୟନ୍ତ୍ରଣ କରିବା ପାଇଁ ଆମ ଦେଶରେ ଯେତେ ଆଇନ ଅଛି ବୋଧହୁଏ ବିଶ୍ୱର ଅନ୍ୟ କୌଣସି ଦେଶରେ ନାହିଁ। ଏହା ସତ୍ତ୍ବେ ଭ୍ରଷ୍ଟାଚାରର ସାମ୍ରାଜ୍ୟ ବିସ୍ତାର ହୋଇଚାଲିଛି।

ଅନୈତିକ, ଅନୁଚିତ, ଅନାଚାର ଓ ଅବୈଧ ବାଟକୁ ଭ୍ରଷ୍ଟାଚାର କୁହାଯାଏ। ହୋଇପାରେ ତାହା ଲାଞ୍ଚ ନେଇ କାମ କରିଦେବା କିମ୍ୱା ଲାଞ୍ଚ ଦେଇ କାମ କରାଇବା, ନିର୍ବାଚନରେ ଟଙ୍କା, ମଦ, ମାଂସ ଦେଇ ଭୋଟ ନେବା ବା ଭୋଟ ଦେବା ହେଉ, କଳାବଜାରୀ, ବ୍ଲାକମେଲିଂ, ଟିକସ ଚୋରି, ପଦବୀ ଓ କ୍ଷମତାର ଅପବ୍ୟବହାର, ପରୀକ୍ଷାରେ କପି କରିବା କିମ୍ୱା କରିବାକୁ ସୁଯୋଗ ଦେବା, ଏ ସମସ୍ତ ଅନ୍ୟାୟ ଓ ଅନୀତିପୂର୍ଣ୍ଣ କାର୍ଯ୍ୟ ‘ଭ୍ରଷ୍ଟାଚାର’ ପରିସରଭୁକ୍ତ। ରାଜନୈତିକ ଭ୍ରଷ୍ଟାଚାର ହେଉଛି ଏମିବା ସଦୃଶ। ଏମିବା ଏକକୋଷୀ ପ୍ରାଣୀ ହେଲେ ମଧ୍ୟ ତା’ ଭିତରେ ହିଁ ତା’ର ସମସ୍ତ ଜୈବିକକ୍ରିୟା ସମ୍ପାଦିତ ହୁଏ ଏବଂ ଅନୁକୂଳ ପରିବେଶରେ ଗୋଟିଏ ମାଆ ଏମିବା ନିଜର କୋଷକୁ ବିଭାଜିତ କରି ଏକାଧିକ ଏମିବା ଜନ୍ମ ଦିଏ। ଏପରିକି ପ୍ରତିକୂଳ ପରିବେଶରେ ନିଜ ଚତୁଃପାର୍ଶ୍ୱରେ ଏକ କୋଷ୍ଟିକା ତିଆରି କରି ବଞ୍ଚି ରହେ ଏବଂ ଉପଯୁକ୍ତ ସମୟ ଆସିଲେ ନିଜର ବଂଶ ବିସ୍ତାର କରେ। ସେମିତି ରାଜନୈତିକ ଭ୍ରଷ୍ଟାଚାରରୁ ଅନ୍ୟସମସ୍ତ ଭ୍ରଷ୍ଟାଚାରର ସୃଷ୍ଟି। ରାଜନୈତିକ ଭ୍ରଷ୍ଟାଚାର ନିଜର ସୁରକ୍ଷା ପାଇଁ ପ୍ରଶାସନକୁ କୋଷ୍ଟିକା ଭାବରେ ବ୍ୟବହାର କରେ ଏବଂ ଲୋକଙ୍କ ଦୃଷ୍ଟି ଆଢ଼ୁଆଳରେ ରହି ସ୍ୱାର୍ଥ ସାଧନ କରିଚାଲେ। ଆମ ଦେଶରେ ଆଜି ଯାଏଁ ଛୋଟ ବଡ଼ ଯେତେ ଦୁର୍ନୀତି ହୋଇଛି, ସବୁଥିରେ ରାଜନୈତିକ ଗନ୍ଧ ବାରିହୁଏ। ବୋଫର୍ସ, ହାୱଲା, ସତ୍ୟମ, ଆଇପିଏଲ, ଟୁ-ଜି ସେକ୍ଟ୍ରମ, ଆଦର୍ଶ ହାଉସିଂ ବୋର୍ଡ, ରାଜ୍ୟଗୋଷ୍ଠୀ ଖେଳ, କୋଇଲା ଦୁର୍ନୀତି ଆଦି ସବୁଠି ରାଜନୈତିକ ସମ୍ପୃକ୍ତି ଅଥବା ପୃଷ୍ଠପୋଷକତା ନାହିଁ ବୋଲି ଆମେ କହି ପାରିବା ନାହିଁ। ରାଜ୍ୟସ୍ତରରେ ମଧ୍ୟ ଏମିତି ବହୁ ଦୁର୍ନୀତିର ଅଭିଯୋଗ ଆସେ। କେବଳ ରାଜନୀତି ନୁହେଁ, ପ୍ରଶାସନସ୍ତରୀୟ ଭ୍ରଷ୍ଟାଚାର ମଧ୍ୟ ସବୁ ସୀମା ଲଂଘନ କରିସାରିଲାଣି।

ବିଭିନ୍ନ ସମୟରେ ପ୍ରକାଶ ପାଉଥିବା ରିପୋର୍ଟ ଅନୁଯାୟୀ, ଦେଶରେ ଚାକିରି ପାଉଥିବା ୬୨ ପ୍ରତିଶତରୁ ଅଧିକ ଉତ୍କଚ ଦେଇ ଏ ସୁବିଧା ହାତେଇଛନ୍ତି। ୫୦ ପ୍ରତିଶତରୁ ଊର୍ଦ୍ଧ୍ବ ଲୋକଙ୍କୁ କୌଣସି ଛୋଟ ବଡ଼ କାମ ହାସଲ କରିବା ପାଇଁ ସରକାରୀ ଦପ୍ତରରେ ଲାଞ୍ଚ ଦେବାକୁ ପଡ଼ିଥାଏ। ଯିଏ ଉତ୍କୋଚ ଦେଇ ଚାକିରି ପାଇବ ସେ ପରେ ଉତ୍କୋଚ ନେବା ଏକ ସ୍ୱାଭାବିକ ଧାରା। ଦୁର୍ନୀତି କରି ଗିରଫ ହେଉଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଦୁଇପ୍ରତିଶତରୁ କମ ଲୋକଙ୍କୁ ଦୋଷୀ ପ୍ରମାଣିତ କରାଯାଇ ପାରୁଛି। ଏହି କୋହଳ ଆଇନ ବ୍ୟବସ୍ଥା ଭ୍ରଷ୍ଟାଚାରୀଙ୍କୁ ପ୍ରୋତ୍ସାହନ ଯୋଗାଇଛି – ଏଥିରେ ସନ୍ଦେହ ନାହିଁ।

ଏଥିସହିତ ପଢ଼ନ୍ତୁ

ଭାରତ ଭଳି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣତନ୍ତ୍ରର ଗର୍ଭଦ୍ୱାର ନିର୍ବାଚନ ହିଁ ଭ୍ରଷ୍ଟାଚାରର ଏନ୍ତୁଡ଼ିଶାଳ। ଯେଉଁ ଢଙ୍ଗରେ ନିର୍ବାଚନ ହେଉଛି ଏବଂ ଯେଉଁ ପରିମାଣରେ ଅର୍ଥ ବ୍ୟୟ ହେଉଛି ତା’କୁ କିଏ କରୁଛି, କେମିତି କରୁଛି, କାହିଁକି କରୁଛି ତା’ର ଉତ୍ତର ସମସ୍ତେ ଜାଣନ୍ତି। ‘ନୋଟ ନିଅ ଭୋଟ ଦିଅ’ର ନାରା ଆଉ ଲୁଚାଛପା ହୋଇ ରହିନାହିଁ। ବିଧାୟକ ହେବା ପାଇଁ ହେଲେ ଅତିକମରେ ଦୁଇ ତିନି କୋଟି ଟଙ୍କା ଯୋଗାଡ଼ କରିବାକୁ ପଡ଼ୁଛି। ଲୋକସଭା ନିର୍ବାଚନ ବୈତରଣୀ ପାରି ହେବାକୁ ହେଲେ ଅତିକମ୍‌‌ରେ ଦଶ ବାର କୋଟି ଟଙ୍କା ଆବଶ୍ୟକ। ସତୁରି ଭାଗରୁ ଅଧିକ ଲୋକଙ୍କୁ ଯେଉଁ ଦେଶରେ ମାଗଣା ଚାଉଳ ଯୋଗାଇବାକୁ ପଡ଼େ ସେମାନଙ୍କ ଭିତରୁ କେହି ଏ ମାପକାଠି ଛୁଇଁ ପାରିବେନି ଏହା ସୁନିଶ୍ଚିତ। ଯେଉଁମାନେ ଏ ଦେଶର ସରକାରୀ ଚାକିରି କରନ୍ତି ସେମାନଙ୍କ ସମ୍ପୂର୍ଣ୍ଣ ଚାକିରି କାଳର ଦରମାକୁ ଯଦି ହିସାବ କରାଯାଏ, ତେବେ ମଧ୍ୟ ଏତେ ବଡ଼ଧରଣର ଅଙ୍କ ପାଖକୁ ଯିବା ଏମାନଙ୍କ ପାଇଁ ଦିବାସ୍ୱପ୍ନ ନିଶ୍ଚୟ। ତେବେ ପ୍ରଶ୍ନ ହେଲା ଯେଉଁମାନେ ନିର୍ବାଚନରେ ଏତେ ଟଙ୍କା ଖର୍ଚ୍ଚ କରୁଛନ୍ତି ସେମାନଙ୍କ ମାସିକ ଆୟ କେତେ ଏବଂ ଆୟର ଉତ୍ସ କ’ଣ? ନିର୍ବାଚିତ ଅଧିକାଂଶ ବିଧାୟକ ଓ ସାଂସଦ କୋଟିପତି। ସେମାନେ ପ୍ରାର୍ଥିପତ୍ର ଦାଖଲ କଲାବେଳେ ଯେଉଁ ସମ୍ପତ୍ତି ତାଲିକା ଦିଅନ୍ତି, ଯଦି ତା’କୁ ଭଲକରି ଯାଞ୍ଚ କରି ଦେଖାଯିବ, ତେବେ ଅଧିକାଂଶ ପ୍ରାର୍ଥୀ ନିର୍ବାଚନରେ ଯେତିକି ଟଙ୍କା ଖର୍ଚ୍ଚ କରନ୍ତି ତାହା ତାଙ୍କ ମୋଟ ସମ୍ପତ୍ତି ମୂଲ୍ୟଠାରୁ ଢେର ବେଶୀ। ତେବେ ଏତେ ଟଙ୍କା ଆସୁଛି କୁଆଡୁ? ଏଭଳି ସ୍ଥଳେ ଏତେ ଅର୍ଥ ଚାନ୍ଦା ଦେଉଛି କିଏ ଏବଂ କେଉଁ ସ୍ୱାର୍ଥରେ ଦେଉଛି? ଯେଉଁମାନେ ଏତେ ଗୁଡ଼ାଏ ଟଙ୍କା ଦେଉଛନ୍ତି ସେମାନେ ପରବର୍ତ୍ତୀ ସମୟରେ ଅସୁଲ କରିବାକୁ ଚାହିଁବେ ହିଁ ଚାହିଁବେ। ତା’ପରେ ସେଇଠୁ ଆରମ୍ଭ ହୁଏ ଲାଞ୍ଚ, କଳାବଜାରୀ, ଟିକସ ଫାଙ୍କି, ଋଣ ଛାଡ଼ ଆଦି ଜରିଆରେ ଭ୍ରଷ୍ଟାଚାରର ଜୟଯାତ୍ରା। ସତରେ ରାଜନୀତି ଏବେ ଏକ ବିନିଯୋଗ କ୍ଷେତ୍ରରେ ପରିଣତ ହୋଇଛି। ଅର୍ଥ ବିନିଯୋଗ କରି କ୍ଷମତା ହାସଲ କରିବା ଏବଂ ତା’ପରେ ବିନିଯୋଗ ଅର୍ଥର ଦଶ ଗୁଣ ଉଠାଇବା ରାଜନୈତିକ ତତ୍ତ୍ୱ ପାଲଟି ଗଲାଣି। ଆଉ ଯେଉଁମାନେ ଆଦର୍ଶକୁ ମୂଳଧନ କରି ରାଜନୀତି କରୁଛନ୍ତି ସେମାନଙ୍କ ବିଜୟ ସମ୍ଭାବନା ପ୍ରାୟତଃ କ୍ଷୀଣ।

ଭ୍ରଷ୍ଟାଚାରର ମହାମାରୀ ଆମ ଦେଶରେ ଯେମିତି ଦ୍ରୁତଗତିରେ ବ୍ୟାପୁଛି, ମନେହେଉଛି ଦିନ ଆସିବ ନୀତି, ଆଦର୍ଶ, ସତ୍ୟ, ନ୍ୟାୟ ପଥରେ ଯିଏ ଚାଲିବ, ସିଏ ସବୁଥିରୁ ବଞ୍ଚିତ ହେବ। ଯୋଗ୍ୟତା ଥାଇ ଅଯୋଗ୍ୟ ଘୋଷିତ ହେବ। ତଥାପି ସମସ୍ତେ ବୁଝି ଅବୁଝା। ନିଜର ସ୍ୱାର୍ଥ ଓ ସୁବିଧା ହାତେଇବା ପାଇଁ ସୁବିଧାବାଦୀ ଚରିତ୍ରରେ ରହୁଛନ୍ତି ଲୋକମାନେ। ବାହାରେ ଭ୍ରଷ୍ଟାଚାର ବିରୋଧରେ କହୁଛନ୍ତି, କିନ୍ତୁ ଭିତରେ ଭ୍ରଷ୍ଟାଚାରର ଅଂଶୀଦାର ସାଜୁଛନ୍ତି। ଲାଞ୍ଚ ଦେଇ କୌଣସି ପ୍ରକାରେ କାମ ହାସଲ କରି ନେବାକୁ ଚାହୁଁଛନ୍ତି। ଏମିତି ପରିସ୍ଥିତି ଓ ପରିବେଶ ସୃଷ୍ଟି କରାଯାଉଛି, ଯେମିତି ସାଧାରଣ ଲୋକଟି ବାଧ୍ୟ ହେବ ଲାଞ୍ଚ ଦେବାକୁ। ଏହାସତ୍ତ୍ବେ ଯେଉଁଦିନ ଲୋକେ ଭ୍ରଷ୍ଟାଚାର କରିବେ ନାହିଁ କି କରିବାକୁ ଦେବେ ନାହିଁ, ସେହିଦିନ ଅନେକାଂଶରେ ଏହା କମିଯିବ ନିଶ୍ଚୟ।

ସମ୍ପ୍ରତି ଆମ ଦେଶରେ ଏକ ବ୍ୟତିକ୍ରମ ଦୃଷ୍ଟିଗୋଚର ହେଉଛି। ଭ୍ରଷ୍ଟାଚାର ବିରୋଧରେ କହିବା ଓ ଭ୍ରଷ୍ଟାଚାରୀଙ୍କୁ କୋଳେଇ ନେବା। ବିଶେଷକରି ରାଜନୀତି କ୍ଷେତ୍ରରେ ଏହା ସର୍ବାଧିକ ଦେଖିବାକୁ ମିଳୁଛି। ଯଦି କେହି ରାଜନୈତିକ ବ୍ୟକ୍ତି ବିରୋଧରେ ଭ୍ରଷ୍ଟାଚାରର ସଙ୍ଗିନ ଅଭିଯୋଗ ଉଠିଲା, ଜନଅସନ୍ତୋଷ ଦେଖାଦେଲା, ଅନ୍ୟ ରାଜନୈତିକ ଦଳମାନେ ହୋହୋଲ୍ଲା କଲେ, ଗଣମାଧ୍ୟମଗୁଡ଼ିକ ଲେଖାଲେଖି କଲେ, ଗିରଫ ହେବାର ସମ୍ଭାବନା ଉପୁଜିଲା ତେବେ ଅନିଚ୍ଛା ସତ୍ତ୍ବେ ବଦନାମ ହେବାରୁ ରକ୍ଷା ପାଇବା ପାଇଁ ଦଳ ସେହି ବ୍ୟକ୍ତିକୁ ବହିଷ୍କାର କରୁଛି। ଅଥଚ ଯେଉଁ ରାଜନୈତିକ ଦଳମାନେ ଦୁର୍ନୀତି କଥା କହି ଏକଦା ତୀବ୍ର ସମାଲୋଚନା କରୁଥିଲେ ସୁଯୋଗ ଆସିଲେ ସେହି ଭ୍ରଷ୍ଟାଚାରୀଙ୍କ ଗଳାରେ ଓଜନିଆ ଫୁଲମାଳ ପକାଇ ନିଜ ଦଳକୁ ପାଛୋଟି ନେବା ପାଇଁ ବ୍ୟଗ୍ର ହୋଇ ଉଠୁଛନ୍ତି।

କେତେକ ସ୍ଥାନରେ ଭ୍ରଷ୍ଟାଚାରୀଙ୍କ ପାଇଁ ଫାଟକ ବନ୍ଦ କରିଦେଇ ବୁଝାମଣା ଭିତ୍ତିରେ ତାଙ୍କ ସ୍ତ୍ରୀ ଅଥବା ପୁତ୍ର କିମ୍ୱା କନ୍ୟାଙ୍କ ନିମନ୍ତେ ଦ୍ୱାର ଉନ୍ମୁକ୍ତ କରାଯାଉଛି। ଭ୍ରଷ୍ଟାଚାରୀଙ୍କୁ କୋଳେଇ ନେବାର ଚିଠା ଏଠାରେ ବହୁତ ଲମ୍ୱା। ସତ କହିବାକୁ ଗଲେ ଭ୍ରଷ୍ଟାଚାରୀଙ୍କୁ କୋଳେଇ ନେଇ ଯଦି ଭ୍ରଷ୍ଟାଚାରର ବିଲୋପ କଥା କୁହାଯାଏ, ତେବେ ଏହା କୁମ୍ଭୀର କାନ୍ଦଣା ଛଡ଼ା ଆଊ କିଛି ନୁହେଁ। ଏହି ଛଳନାପୂର୍ଣ୍ଣ କ୍ରନ୍ଦନ ବନ୍ଦ ହେବ, ଯେଉଁଦିନ ଜନତା ଜାଗିବେ। କେବଳ ଜନତାଙ୍କ ଜାଗରଣ ଓ ଜନାଦେଶ ଭ୍ରଷ୍ଟାଚାରୀଙ୍କୁ ପଥଭ୍ରଷ୍ଟ କରିପାରିବ ଏଥିରେ ସନ୍ଦେହ ନାହିଁ। ଅକ୍ଷୟ କୁମାର ମିଶ୍ର, କଟକ, ମୋ: ୭୦୦୮୦୭୩୫୯୯

Leave A Reply

Your email address will not be published.