ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୁବର୍ଣ୍ଣପୁରର ତନ୍ତ୍ର ପରମ୍ପରା

ପଣ୍ଡିତ ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ର, ଢେଙ୍କାନାଳ, ମୋ: ୮୮୯୫୨୩୦୭୨୨

ପୁଣ୍ୟତୋୟା ମହାନଦୀ ଓ ଦିବ୍ୟସଲିଳା ତେଲ ନଦୀର ସଙ୍ଗମ ସ୍ଥଳରେ ଅବସ୍ଥିତ ସୁବର୍ଣ୍ଣପୁର ଏକ ପ୍ରାଚୀନ ମନ୍ଦିରମାଳିନୀ ନଗରୀ। ଏହି ନଗରୀରେ ଏକ ଶହ ଆଠ ଗୋଟି ମନ୍ଦିର ବିଦ୍ୟମାନ। ଏହି ପ୍ରାଚୀନ ନଗରୀ ସ୍ୱର୍ଣ୍ଣପୁର, ସୁବର୍ଣ୍ଣପୁର, ସୋନପୁର, ସୁନୁପୁର, ଲଙ୍କାପୁରୀ ଓ ପଶ୍ଚିମ ଲଙ୍କା ଆଦି ବହୁନାମରେ ଖ୍ୟାତ। ପ୍ରାଚୀନ ଯୁଗରୁ ଶାବରୀତନ୍ତ୍ର, ଉଡ୍‌‌ଡୀସ ତନ୍ତ୍ର, ଶୈବତନ୍ତ୍ର, ଶାକ୍ତତନ୍ତ୍ର ଓ ବୌଦ୍ଧତନ୍ତ୍ରର ମହାମିଳନ ଏହି ତନ୍ତ୍ରନଗରୀରେ ସଂଘଟିତ ହୋଇ ଏହା ତନ୍ତ୍ର ସମୟର ମହାପୀଠ ଭାବରେ ମହିମାମଣ୍ଡିତ।

ସ୍ତମ୍ଭେଶ୍ୱରୀ ଉପାସନା ନିମିତ୍ତ ସୁବର୍ଣ୍ଣପୁର ପଞ୍ଚମ ଶତାବ୍ଦୀରୁ ପ୍ରସିଦ୍ଧ। ଓଡ଼ିଶାର ପଶ୍ଚିମାଞ୍ଚଳ ଓ ମଧ୍ୟାଞ୍ଚଳରେ ବାସ କରୁଥିବା ଡୁମାଳମାନେ ସ୍ତମ୍ଭେଶ୍ୱରୀଙ୍କ ପୂଜକ। ଶୁକ୍ଳୀ, ଭଞ୍ଜ ଓ ଅନ୍ୟାନ୍ୟ ରାଜବଂଶ ସ୍ତମ୍ଭେଶ୍ୱରୀଙ୍କୁ ଈଷ୍ଟଦେବୀ ଭାବରେ ପୂଜା କରୁଥିଲେ ବୋଲି ସେମାନଙ୍କ ପ୍ରଦତ୍ତ ତାମ୍ରପତ୍ରରୁ ଉପଲବ୍ଧ ହୋଇଥାଏ। ସୁବର୍ଣ୍ଣପୁରର ଡୁମାଳ ଓ ବୌଦ୍ଦର କନ୍ଧ ଉଭୟ ସମ୍ପ୍ରଦାୟ ପାରମ୍ପରିକ ରୀତିରେ ସ୍ତମ୍ଭେଶ୍ୱରୀ ଓ ମାହେଶ୍ୱରୀଙ୍କ ପୂଜା କରିଥା’ନ୍ତି। ସେମାନେ ଗ୍ରାମ ସୀମାରେ ଦୁଇ ଗୋଟି ଖମ୍ବପୋତି ସ୍ତମ୍ଭେଶ୍ୱରୀଙ୍କ ପ୍ରତୀକ ଭାବରେ ଏହି ପୂଜା କରିଥା’ନ୍ତି। ରୋହିଣୀ ବୃକ୍ଷର ଖୁଣ୍ଟ ସ୍ତମ୍ଭେଶ୍ୱରୀଙ୍କ ପ୍ରତୀକ ଭାବରେ ଓ ମହୁଲବୃକ୍ଷର ଖୁଣ୍ଟ ମାହେଶ୍ୱରୀଙ୍କ ପ୍ରତୀକ ଭାବରେ ପୂଜା କରାଯାଏ। ଡୁମାଳ ଓ କନ୍ଧମାନେ ତାନ୍ତ୍ରିକ ରୀତିରେ ଏହି ପୂଜା କରିଥା’ନ୍ତି। କେତେକ ଗ୍ରାମରେ ମନ୍ଦିରରେ ମାହେଶ୍ୱରୀ ଓ ମନ୍ଦିର ସମ୍ମୁଖରେ ସ୍ତମ୍ଭେଶ୍ୱରୀ ପୂଜା ପାଇଥା’ନ୍ତି। ସ୍ଥଳବିଶେଷରେ କେବଳ ଡୁମାଳମାନେ ତନ୍ତ୍ରବିଧିରେ ଉଭୟ ଦେବୀଙ୍କର ପୂଜା କରିଥା’ନ୍ତି। ଡୁମାଳମାନେ ମହୁଲ ବୃକ୍ଷକୁ ପବିତ୍ର ବୃକ୍ଷ ବିଚାର କରିଥା’ନ୍ତି। କେତେକ ସ୍ଥଳରେ ବ୍ରାହ୍ମଣମାନେ ମାହେଶ୍ୱରୀଙ୍କୁ ଶାକ୍ତତନ୍ତ୍ର ବିଧିରେ ପୂଜା କରିଥା’ନ୍ତି। ସୁବର୍ଣ୍ଣପୁରରେ ସ୍ତମ୍ଭେଶ୍ୱରୀଙ୍କ ମନ୍ଦିର ରହିଛି। ଏହି ମନ୍ଦିର ସମ୍ମୁଖରେ ମଧ୍ୟ ଖମ୍ବ ପୋତାଯାଇଛି। ପୂର୍ବରୁ ମନ୍ଦିରରେ ମାହେଶ୍ୱରୀ ପୂଜା ପାଉଥିଲେ, କିନ୍ତୁ ସମ୍ପ୍ରତି ସ୍ତମ୍ଭେଶ୍ୱରୀ ପୂଜା ପାଉଛନ୍ତି।

ସୁବର୍ଣ୍ଣପୁରରେ ସ୍ତମ୍ଭେଶ୍ୱରୀଙ୍କ ମନ୍ଦିର ବ୍ୟତୀତ ସୁରେଶ୍ୱରୀ, ସମଲେଶ୍ୱରୀ, ଭଗବତୀ, ବୁଢ଼ୀମା, ଶୀତଳା ଓ ମଙ୍ଗଳା ପ୍ରଭୃତି ଦେବୀଙ୍କର ମନ୍ଦିର ରହିଛି। ଏହି ସବୁ ମନ୍ଦିରରେ ଶାକ୍ତତନ୍ତ୍ର ଧାରାରେ ପୂଜା ସମ୍ପନ୍ନ ହୋଇଥାଏ। ସୁବର୍ଣ୍ଣପୁରର ପ୍ରସିଦ୍ଧ ଦେବୀ ହେଉଛନ୍ତି ସୁରେଶ୍ୱରୀ। କୁଣ୍ଡଳିନୀ ଯନ୍ତ୍ର ଉପରେ ଦେବୀ ସୁରେଶ୍ୱରୀ ଦଣ୍ଡାୟମାନା। ଦେବୀ ସୁରେଶ୍ୱରୀ ଅଷ୍ଟଭୂଜା ଓ ଶିବାରୂଢ଼ା। ଶିବଙ୍କ ଉପରେ ପାଦଦେଇ ଠିଆ ହୋଇଥିବାରୁ ସୁରେଶ୍ୱରୀଙ୍କୁ ଦକ୍ଷିଣକାଳୀ ସ୍ୱରୂପରେ ପୂଜା କରାଯାଏ। ଦଶହରା ପୂର୍ବ ମହାନବମୀରେ ମହାଖଳା ଯନ୍ତ୍ରରେ ଦେବୀଙ୍କ ପୂଜା କରାଯାଇ ଚାରିଗୋଟି ଲେମ୍ବୁ ବଳି ଦିଆଯାଏ। ପୂର୍ବରୁ ସୁରେଶ୍ୱରୀଙ୍କ ନିକଟରେ ନରବଳି ଦେବାର ପରମ୍ପରା ଥିଲା ବୋଲି କୁହାଯାଏ, କିନ୍ତୁ ବର୍ତ୍ତମାନ ତାହା ବନ୍ଦ ହୋଇଯାଇଛି। ଦେବୀଙ୍କୁ ପ୍ରତ୍ୟହ ମାଛ ଭୋଗ ଦିଆଯାଏ। ମାଳୀ ଓ ଛନାପତିମାନେ ଦେବୀଙ୍କ ପୂଜକ। ତନ୍ତ୍ରାରାଧ୍ୟା ସୁରେଶ୍ୱରୀଙ୍କ ନିତ୍ୟନୈମିତ୍ତିକ ପୂଜା ତନ୍ତ୍ରର ବାମାଚାର ପଦ୍ଧତିରେ ସମ୍ପନ୍ନ ହୋଇଥାଏ। ସୁରେଶ୍ୱରୀଙ୍କ ପୀଠ ଓଡ଼ିଶାର ଏକ ପ୍ରସିଦ୍ଧ ତନ୍ତ୍ରପୀଠ। ସୁରେଶ୍ୱରୀ ପ୍ରତ୍ୟକ୍ଷ ଦେବୀ ବୋଲି ହଜାର ହଜାର ଲୋକଙ୍କର ବିଶ୍ୱାସ। ବହୁ ସାଧକ ଏହି ପୀଠରେ ସାଧନା କରି ତନ୍ତ୍ରସିଦ୍ଧ ହୋଇପାରିଛନ୍ତି। ସୁରେଶ୍ୱରୀ ପୀଠକୁ ରେଣୁକା ପୀଠ ମଧ୍ୟ କୁହାଯାଏ। ପର୍ଶୁରାମଙ୍କ ମାତା ରେଣୁକା ସୁରେଶ୍ୱରୀଙ୍କୁ ପୂଜା କରିଥିଲେ ବୋଲି ପ୍ରବାଦ ରହିଛି। ଏହି ପ୍ରସିଦ୍ଧ ତନ୍ତ୍ରପୀଠର ତଥ୍ୟ ଓ ତତ୍ତ୍ୱ ସ୍ୱତନ୍ତ୍ର ଆଲୋଚନା ପ୍ରତୀକ୍ଷା କରିଥାଏ।

ଏଥିସହିତ ପଢ଼ନ୍ତୁ

ସୁବର୍ଣ୍ଣପୁରରେ ଦୁଇଗୋଟି ସମଲେଶ୍ୱରୀ ମନ୍ଦିର ରହିଛି। ଗୋଟିଏ ମନ୍ଦିରରେ ବୁଢ଼ୀ ସମଲେଇ ଓ ଅନ୍ୟଟିରେ ସମଲେଇ ପୂଜିତା। ବୁଢ଼ୀ ସମଲେଇ ବୃଦ୍ଧାଙ୍କ ମୂର୍ତ୍ତି ସଦୃଶା। ପ୍ରତିବର୍ଷ ଦଶହରାରେ ବୁଢ଼ୀ ସମଲେଇ ନିକଟସ୍ଥ ବୁଢ଼ାରାଜା ମନ୍ଦିରକୁ ବିଜେ କରିଥା’ନ୍ତି। ପଶ୍ଚିମ ଓଡ଼ିଶାରେ ଶିବଙ୍କୁ ବୁଢ଼ାରାଜା କୁହାଯାଏ। ଦୁଇଟି ଯାକ ସମଲେଇ ମନ୍ଦିରରେ ତାନ୍ତ୍ରିକ ବିଧିରେ ପୂଜା ହୋଇଥାଏ। ଶାରଦୀୟ ଓ ବାସନ୍ତୀକ ପୂଜା ମଧ୍ୟ ଶାକ୍ତତନ୍ତ୍ର ଧାରାରେ ହୋଇଥାଏ। ଦେବୀ ଭଗବତୀ ସୁବର୍ଣ୍ଣପୁର ରାଜବଂଶର ଇଷ୍ଟଦେବୀ। ତାଙ୍କ ନିତ୍ୟନୈମିତ୍ତିକ ପୂଜା ଶାକ୍ତତନ୍ତ୍ର ଧାରାରେ ହୋଇଥାଏ। ମେହେରପଡ଼ା (ଘୋଡ଼ାରପଡ଼ା)ରେ ଶୀତଳାଦେବୀଙ୍କ ମନ୍ଦିର ରହିଛି। ଏହି ଶୀତଳା ଦେବୀଙ୍କୁ ମେହେରମାନେ ପୂଜା କରନ୍ତି। ଡେରା ସମ୍ପ୍ରଦାୟ ସୁବର୍ଣ୍ଣପୁରରେ ବୁଢ଼ୀମା ଦେବୀଙ୍କୁ ପୂଜା କରନ୍ତି। ଏହି ଦେବୀ କଳାମୁଗୁନି ପଥରରେ ନିର୍ମିତ ତଥା ତାରାତାରିଣୀଙ୍କ ପ୍ରତିରୂପ। ପ୍ରତି ତିନିବର୍ଷରେ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଅନୁଷ୍ଠିତ ହୋଇଥାଏ।

ମହାନଦୀ ଗର୍ଭରେ ଗଣ୍ଡ ମଧ୍ୟରେ ପଥରକୁଦରେ ଦେବୀ ଲଙ୍କେଶ୍ୱରୀ ବିରାଜିତା। କୁହାଯାଏ, ଏହି ପଥରତଳେ ମନ୍ଦିରଟିଏ ଅଛି। କୈବର୍ତ୍ତମାନେ ଲଙ୍କେଶ୍ୱରୀଙ୍କୁ ପୂଜା କରନ୍ତି। ଲଙ୍କେଶ୍ୱରୀଙ୍କ ନାମରେ ସୁବର୍ଣ୍ଣପୁରର ଅନ୍ୟନାମ ଲଙ୍କାପୁରୀ। କିମ୍ବଦନ୍ତୀ ଅନୁସାରେ ପଥରତଳେ ମନ୍ଦିରରେ ପୂର୍ବେ ପୂଜକମାନେ ପୂଜା କରୁଥିଲେ। ଏକଦା ପୂଜକ ମନ୍ଦିରରେ ଗଡ଼ୁଟିକୁ ଛାଡ଼ି ଆସିଲେ। ଗଡ଼ୁ ଆଣିବାକୁ ଯାଇ ପୂଜକ ଦେଖିଲେ ମନ୍ଦିରରେ ସାତଜଣ ଦେବୀ ବିରାଜିତା। ପୂଜକ ସସ୍ତଦେବୀଙ୍କୁ ଦଣ୍ଡ ପ୍ରଣାମ କରିବା ପରେ ସେମାନେ ଗଡ଼ୁଟିକୁ ଫିଙ୍ଗିଦେଲେ ଏବଂ କହିଲେ ଗଡ଼ୁ ଯେଉଁଠି ପଡ଼ିବ, ସେହିଠାରେ ନିତି ପୂଜା କରିବୁ। ଲୋକଙ୍କ ବିଶ୍ୱସ ଯେ ସେହି ସପ୍ତଦେବୀ ହେଉଛନ୍ତି କୁଆଁରୀ ପାଟଣାର ସପ୍ତସାଧିକା। ସେହି ଦିନଠାରୁ ପଥରକୁଦରେ ଲଙ୍କେଶ୍ୱରୀ ପୂଜା ପାଉଛନ୍ତି। ମହାନଦୀରେ ନୌଯାତ୍ରା କଲାବେଳେ ନାବିକମାନେ ଲଙ୍କେଶ୍ୱରୀଙ୍କୁ ସ୍ମରଣ ପୂର୍ବକ ମୁଣ୍ଡିଆ ମାରିଥା’ନ୍ତି। ସପ୍ତସାଧିକା ଲଙ୍କେଶ୍ୱରୀଙ୍କ ଗୁପ୍ତପୂଜା କରିବା ନିମିତ୍ତ ମନ୍ଦିରକୁ ତନ୍ତ୍ର ଶକ୍ତିବଳରେ ପାତାଳଗାମୀ କରାଇ ଦେଇଛନ୍ତି। ସୁବର୍ଣ୍ଣପୁର ନଗରୀର ଦକ୍ଷିଣ ଦିଗରେ ସେହି ସପ୍ତସାଧିକାଙ୍କ ନାମରେ ସାତଗୋଟି ବନ୍ଧ ବା ପୋଖରୀ ରହିଛି। ଲୋକଙ୍କର ବିଶ୍ୱାସ ଏହି ସାତଗୋଟି ପୋଖରୀରେ ସପ୍ତସାଧିକା ନିବାସ କରିଥା’ନ୍ତି। ଏହି ପୋଖରୀଗୁଡ଼ିକୁ ‘ସାତ୍‌‌ବହେନ୍‌‌’ କୁହାଯାଏ।

ଶୈବତନ୍ତ୍ର ନିମିତ୍ତ ସୁବର୍ଣ୍ଣପୁର ମଧ୍ୟ ପ୍ରସିଦ୍ଧ। ଏହି ନଗରୀରେ ପୂର୍ବେ ବହୁ ଶୈବତନ୍ତ୍ର ସାଧକ ସାଧନା କରୁଥିଲେ। ସେମାନେ ସୁବର୍ଣ୍ଣମେରୁ ମନ୍ଦିରରେ ସାଧନା କରୁଥିଲେ। ସେମାନଙ୍କ ତନ୍ତ୍ରପୂଜା ସିଦ୍ଧିହେବା ପରେ ଏହି ନଗରୀରେ ଅଢ଼େଇଦଣ୍ଡ ସୁବର୍ଣ୍ଣ ବର୍ଷା ହେବାରୁ ନଗରୀର ନାମ ସୁବର୍ଣ୍ଣପୁର ଓ ଶିବଲିଙ୍ଗଙ୍କ ନାମ ସୁବର୍ଣ୍ଣମେରୁ ହୋଇଛି। ସୁବର୍ଣ୍ଣମେରୁ ମନ୍ଦିର ପରିସରରେ ବିରାଜିତ ସନ୍ଥେଶ୍ୱର ଶିବ ମଧ୍ୟ ତନ୍ତ୍ରାରାଧ୍ୟ ଶିବଲିଙ୍ଗ। ମତ୍ତମୟୂର ଶୈବ ସମ୍ପ୍ରଦାୟର ଶୈବସନ୍ଥଗଣ ଏଠାରେ ସାଧନା କରିଥିବାରୁ ଶିବଲିଙ୍ଗଙ୍କ ନାମ ସନ୍ଥେଶ୍ୱର ହୋଇଛି। ମହାକବି ଭବଭୂତି ସ୍ୱରଚିତ ନାଟକରେ ସୁବର୍ଣ୍ଣମେରୁଙ୍କ ସମ୍ପର୍କରେ ଉଲ୍ଲେଖ କରିଥିବାରୁ ପ୍ରମାଣିତ ହୁଏ ଅଷ୍ଟମ ଶତାବ୍ଦୀ ପୂର୍ବରୁ ଏହି ପୀଠ ପ୍ରସିଦ୍ଧି ଲାଭ କରିସାରିଥିଲା। ଶୈବତନ୍ତ୍ରର ଉତ୍ତରଣରେ ସୁବର୍ଣ୍ଣପୁରରେ ତନ୍ତ୍ରର ଅଷ୍ଟପୂଜା ଅନୁଯାୟୀ ଅଷ୍ଟଚକ୍ରୀ ଅଷ୍ଟଶମ୍ଭୁ ଓ ଅଷ୍ଟବିଷ୍ଣୁଙ୍କର ଆରାଧନା ଶାକ୍ତତନ୍ତ୍ର, ଶୈବତନ୍ତ୍ର ଓ ବୈଷ୍ଣବତନ୍ତ୍ର ମତରେ ବହୁପ୍ରାଚୀନ କାଳରୁ ହୋଇ ତନ୍ତ୍ର ସମନ୍ୱୟ ସଂଘଟିତ ହୋଇଥିଲା। ଏହା ତନ୍ତ୍ର ଉପାସନାର ଏକ ବିରଳ ଓ ଉଚ୍ଚାଙ୍ଗ ପରମ୍ପରା।

ସୁବର୍ଣ୍ଣପୁର ଏକ ପ୍ରାଚୀନ ବୌଦ୍ଧ ତନ୍ତ୍ରପୀଠ। ଲାମା ତାରାନାଥଙ୍କ ମତରେ ଉଡ୍ଡୀୟାନ ରାଜ୍ୟ ଦୁଇଭାଗରେ ବିଭକ୍ତ ଥିଲା। ଏହାର ଉତ୍ତରାଂଶ ସମ୍ବଳକ ଓ ଦକ୍ଷିଣାଂଶ ଲଙ୍କାପୁରୀ। କେତେକ ସମ୍ବଲପୁରକୁ ସମ୍ବଳକ ବିବେଚନା କରିଥା’ନ୍ତି। କିନ୍ତୁ ତାଳଚେର ସନ୍ନିକଟ ସମଲ ହେଉଛି ବଜ୍ରଯାନୀ ଇନ୍ଦ୍ରଭୂତିଙ୍କ ରାଜଧାନୀ ଓ ବଜ୍ରକୋଟ ହେଉଛି ବଜ୍ରଯାନ ସାଧନାର ପୀଠ। ସମଲ ଓ ବଜ୍ରକୋଟ ଉଭୟ ସୁବର୍ଣ୍ଣପୁରୀର ଉତ୍ତରରେ ଓ ସୁବର୍ଣ୍ଣପୁର ତଥା କେନ୍ଦୁଝରର ମଧ୍ୟସ୍ଥଳରେ ଅବସ୍ଥିତ ଥିବାରୁ ସମଲକୁ ସମ୍ବଳକ ବିବେଚନା କରିବା ଯୁକ୍ତିଯୁକ୍ତ। ସୁବର୍ଣ୍ଣପୁର ବା ଲଙ୍କାପୁରୀର ରାଜା ଜଳେନ୍ଦ୍ରଙ୍କ ପୁତ୍ର ସମ୍ବଳକ ରାଜା ଇନ୍ଦ୍ରଭୂତିଙ୍କ ଭଉଣୀ ଲକ୍ଷ୍ମୀଙ୍କରାଙ୍କୁ ବିବାହ କରିଥିଲେ। ଲକ୍ଷ୍ମୀଙ୍କରା ନିଜ ଭାଇ ଇନ୍ଦ୍ରଭୂତିଙ୍କ ଦ୍ୱାରା ବଜ୍ରଯାନରେ ଦୀକ୍ଷିତା ହୋଇଥିଲେ ତଥା ସ୍ୱୀୟ ସାଧନା ବଳରେ ସହଜଯାନର ସଂବୋଧି ଲାଭ କରିଥିଲେ। ଏହି ଦୃଷ୍ଟିକୋଣରୁ ଲଙ୍କାପୁରୀ ବା ସୁବର୍ଣ୍ଣପୁର ହେଉଛି ସହଜଯାନ ପ୍ରବର୍ତ୍ତିକା ଲକ୍ଷ୍ମୀଙ୍କରାଙ୍କ ସାଧନା ପୀଠ। ସହଜଯାନ ସାଧନାରେ ସେ ସୁବର୍ଣ୍ଣପୁରରେ ସିଦ୍ଧିଲାଭ କରିବା ପରେ ତାଳଚେର ସନ୍ନିକଟ ଜୟାଶ୍ରମ ବୌଦ୍ଧ ବିହାରରେ ଦଶହଜାର ସାଧକ ସାଧିକାଙ୍କୁ ସହଜଯାନ ଶିକ୍ଷା ପ୍ରଦାନ କରିଥିଲେ। ଜୟାଶ୍ରମ ବୌଦ୍ଧବିହାରର ପ୍ରତିଷ୍ଠାତା ବୌଦ୍ଧ ତନ୍ତ୍ରସାଧକ ଜୟଦ୍ରଥ ସୁବର୍ଣ୍ଣପୁରରେ ସାଧନା ପୂର୍ବକ ବହୁ ଶାସ୍ତ୍ର ରଚନା ଓ ଅନୁବାଦ କରିଥିଲେ। ଏ ସମ୍ପର୍କରେ ଅଧିକରୁ ଅଧିକ ଗବେଷଣାର ଆବଶ୍ୟକତା ରହିଛି। ଉପକୂଳ ଅଞ୍ଚଳରେ ଥିବା ରତ୍ନଗିରି, ଉଦୟଗିରି, ଲଳିତଗିରି, ବଜ୍ରଗିରି, ଅଳତିଗିରି, କାଏମା ଓ ତାରାପୁର ପ୍ରଭୃତି ବୌଦ୍ଧପୀଠ ସମ୍ପର୍କରେ ପର୍ଯ୍ୟାପ୍ତ ଗବେଷଣା ହୋଇପାରିନାହିଁ। ଏପରିକି ବିଧ୍ୱସ୍ତପ୍ରାୟ ଜୟାଶ୍ରମ ବୌଦ୍ଧବିହାର ସମ୍ପର୍କରେ ତାଳଚେର ନିକଟରୁ ତାମ୍ରପତ୍ର ମିଳିଥିଲେ ହେଁ କୌଣସି ଗବେଷକ ଗବେଷଣା କରିନାହାନ୍ତି। ଜୟଦ୍ରଥ ସୁବର୍ଣ୍ଣପୁରରେ ରହି ଯେଉଁ ବୌଦ୍ଧଗ୍ରନ୍ଥ ରଚନା ଓ ଅନୁବାଦ କରିଥିଲେ, ତହିଁର ସୂଚନା ଲାମାତାରାନାଥ ଓ ଅନ୍ୟାନ୍ୟ ଗବେଷକଙ୍କ ତଥ୍ୟରୁ ଉପଲବ୍ଧ ହେଲେ ହେଁ ସେ ସବୁର ଅନୁଧ୍ୟାନ ଓ ଅନୁଶୀଳନ ହୋଇନାହିଁ। ଫଳରେ ସୁବର୍ଣ୍ଣପୁରର ବୌଦ୍ଧତନ୍ତ୍ର ସମ୍ବନ୍ଧରେ ଅନେକ ତଥ୍ୟ ଲୋକଲୋଚନକୁ ଆସିପାରିନାହିଁ। ତଥାପି ବୌଦ୍ଧତନ୍ତ୍ରର ସହଜଯାନର ଜନ୍ମସ୍ଥଳୀ ଭାବରେ ସୁବର୍ଣ୍ଣପୁର ବିଶ୍ୱବିଖ୍ୟାତ। ସୁବର୍ଣ୍ଣପୁର ମଧ୍ୟ ଚୌରାଶୀ ସିଦ୍ଧଙ୍କ ଚାରଣ ଭୂମି ଥିଲା। ସେହି ଚୌରାଣୀ ସିଦ୍ଧଙ୍କର ଇତିହାସ ନିର୍ଣ୍ଣୟ କରିବା ନିମିତ୍ତ ଲାମା ତାରାନାଥ ଓଡ୍ରଦେଶ ସମ୍ପର୍କରେ ସୂଚନା ଦେଇଛନ୍ତି।

ଓଡ଼ିଶାର ତନ୍ତ୍ର ଇତିହାସରେ ସୁବର୍ଣ୍ଣପୁରର ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ। ଦୁଇଗୋଟି ନଦୀର ସଙ୍ଗମ ସ୍ଥଳରେ ଅବସ୍ଥିତ ଏହି ନଗରୀ ବହୁ ପ୍ରାଚୀନ ଯୁଗରୁ ତନ୍ତ୍ରଭୂମି ଓ ତନ୍ତ୍ରାଚାର୍ଯ୍ୟଙ୍କ ସାଧନାସ୍ଥଳୀ ଭାବରେ ମହିମାମଣ୍ଡିତ। ମହନୀୟତା ହେଉଛି ଏହି ତନ୍ତ୍ର ନଗରୀରେ ଶାବରତନ୍ତ୍ର, ଉଡ୍ଡୀଶ ତନ୍ତ୍ର, ଶାକ୍ତ ତନ୍ତ୍ର, ଶୈବତନ୍ତ୍ର, ବୈଷ୍ଣବତନ୍ତ୍ର ଓ ବୌଦ୍ଧତନ୍ତ୍ରର ଉତ୍ତରୋତ୍ତର ବିକାଶ ଘଟି ସମନ୍ୱୟ ସଂଘଟିତ ହୋଇଛି। ସମ୍ପ୍ରତି ଏହି ତନ୍ତ୍ରନଗରୀରେ ଉଚ୍ଚକୋଟୀର ସାଧକ ନଥିଲେ ହେଁ କୌଣସି ତନ୍ତ୍ରପୀଠ ଔଜ୍ଜଲ୍ୟ ହରାଇନାହିଁ। ଦୁଃଖର ବିଷୟ, ତନ୍ତ୍ରନଗରୀ ସୁବର୍ଣ୍ଣପୁରର ବିଭିନ୍ନ ତନ୍ତ୍ରଧାରା ସମ୍ପର୍କରେ ଗବେଷଣାତ୍ମକ ଗ୍ରନ୍ଥଟିଏ ପ୍ରକାଶ ପାଇ ପାରିନାହିଁ। ଏହା ହୋଇପାରିଲେ ଭାରତୀୟ ତନ୍ତ୍ର ସଂସ୍କୃତିର ଦିଗଦିଗନ୍ତ ଉନ୍ମୋଚିତ ହୋଇପାରିବ।

Leave A Reply

Your email address will not be published.