ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବସନ୍ତ ହଜିଛି!

ଅତୀତରେ ଫାଲ୍‌‌ଗୁୁନ ଏବଂ ଚୈତ୍ରର ମଧ୍ୟ ଭାଗ (ମାର୍ଚ୍ଚରୁ ଏପ୍ରିଲ୍‌‌ ମଧ୍ୟ ଭାଗ) ପଣାସଂକ୍ରାନ୍ତିରେ ବେଲପଣାର ବାସନା ନେଇ ଶାନ୍ତ ନିର୍ମଳ ସ୍ୱରୂପରେ ମଳୟ ପବନକୁ ସାଙ୍ଗରେ ଧରି କୋଇଲିର କୁହୁ ଆଉ ଆମ୍ୱ ବଉଳର ବାସ୍ନାରେ ଜନମନକୁ ମୋହିତ କରି ସବୁଜିମାର ମୁକୁଟ ପିନ୍ଧି ଆସୁଥିଲା ଋତୁରାଜ ବସନ୍ତ। ଧରିତ୍ରୀ ମାଟିରେ ବିରାଜୁଥିଲା ପ୍ରାୟ ୪୦ ରୁ ୪୫ ଦିନ। ଏବେ ବସନ୍ତରେ ଆଉ ସେ କୋମଳତା ନାହିଁ। ପୂର୍ବପିଢ଼ିର କିଛିଲୋକଙ୍କ ପାଇଁ ବସନ୍ତର ବାସ୍ନା ଏବେ ସ୍ମୃତି ପାଲଟିଛି। ଗତକିଛି ବର୍ଷ ହେଲା ଫେବୃଆରୀ ଶେଷବେଳକୁ ଶୀତକୁ ବିଦାୟ ଦେଇ ପ୍ରଖର ସୂର୍ଯ୍ୟକିରଣ ଧରଣୀ ମାଟିକୁ ଉତ୍ତପ୍ତ କରି ପାରଦର ଉଚ୍ଚତାକୁ ୩୫ ଡିଗ୍ରୀରୁ ଅଧିକ ଯାଏଁ ଗତିଶୀଳ କରୁଛି। ଓଡ଼ିଶାର ପାଣିପାଗ ମାନଚିତ୍ରରେ ଋତୁରାଜ ବସନ୍ତର ନିରୁଦ୍ଦିଷ୍ଟ ବିଶ୍ୱତାପନ ପ୍ରଭାବର ଏକ ସୂଚକ ବୋଲି କୁହାଯାଇପାରେ।

ପରିବର୍ତ୍ତନ ହେଉଛି ପ୍ରକୃତିର ନିୟମ। କିନ୍ତୁ ଜଳବାୟୁ ପରିବର୍ତ୍ତନ ହେତୁ ଋତୁଚକ୍ରରେ ଅନିୟମିତତା ତଥା ପରିବେଶ ଏବଂ ପରିସଂସ୍ଥାନରେ ପାରିପାର୍ଶ୍ବିକ ସ୍ଥିତିର ପରିବର୍ତ୍ତନ ଏବେ ଚିନ୍ତାଜନକ ହୋଇପଡ଼ିଛି। ବୈଜ୍ଞାନିକ ଗବେଷଣ କୁହେ ଋତୁ ସହ ଜଡ଼ିତ ତାପମାତ୍ରା ଏବଂ ସୂର୍ଯ୍ୟରୁ ଆସୁଥିବା ଆଲୋକର ପରିବର୍ତ୍ତନରେ ରହିଥାଏ ମନୁଷ୍ୟର ମନୋବଳ ଏବଂ ଆଚରଣ ଉପରେ ସିଧାସଳଖ ପ୍ରଭାବ। ଋତୁଗୁଡ଼ିକର ଅବଧି ତଥା ଅନୁଭୂତ ପାଣିପାଗ କ୍ରମାଗତ ବଦଳିବା ଫଳରେ ଅନିୟମିତ ଘଟଣା ସବୁ ଘଟୁଛି। ବସନ୍ତ ଋତୁ ସମୟ ପୂର୍ବରୁ ପତ୍ର କଅଁଳୁଛି। ସବୁକିଛି ଯେମିତି ଅସ୍ୱାଭାବିକ ଲାଗୁଛି।

ଅଧିକ ପଢନ୍ତୁ

ପାଣିପାଗ ପରିବର୍ତ୍ତନଗୁଡ଼ିକ ଅନେକ ଜୀବନଚକ୍ର ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ। ଯେପରିକି କେତେବେଳେ ଫୁଲ ଫୁଟିଥାଏ କିମ୍ୱା କେତେବେେଳ ପରାଗସଙ୍ଗମ ପାଇଁ ପରାଗ ଉତ୍ପନ୍ନ ହୁଏ ଇତ୍ୟାଦି। ଏହି ପ୍ରକ୍ରିୟାରେ ଏବେ ଅସ୍ୱାଭାବିକ ଭାବେ ପରିବର୍ତ୍ତନ ଘଟୁଥିବା ଦେଖାଯାଉଛି। ବସନ୍ତ ପ୍ରାରମ୍ଭରେ ବରଫ ତରଳିବା ହେଉ କିମ୍ୱା ପକ୍ଷୀମାନଙ୍କର ଦେଶାନ୍ତର – ଏସବୁ ପରିସଂସ୍ଥାନ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ଏହାର ପ୍ରତ୍ୟକ୍ଷ ପ୍ରଭାବ ବିଭିନ୍ନ ଜୈବ ପ୍ରଜାତି ଓ ପ୍ରାଣିଜଗତ ଉପରେ ପଡ଼ୁଛି। କେତେକ ପ୍ରଜାତି ଲୋପ ପାଇସାରିଥିବା ବେଳେ କେତେକ ପ୍ରଜାତି ଅବଲୁପ୍ତପ୍ରାୟ। ତାପମାତ୍ରା ବୃଦ୍ଧି ହେତୁ ଗଛଲତାରେ ସମୟ ପୂର୍ବରୁ ଫୁଲ ଧରୁଛି। ଏହି କାରଣରୁ ପନିପରିବାରେ ନିୟମିତ ଭାବେ ଉତ୍ପାଦନ କମିବା ସହ ତାହାକୁ ଖାଉଥିବା ପ୍ରାଣୀ ଅଧିକ ରୋଗଗ୍ରସ୍ତ ହେଉଛନ୍ତି। କାରଣ ଉପଯୁକ୍ତ ପାଣିପାଗ ଓ ପ୍ରାକୃତିକ କୀଟନାଶକ ଅଭାବରେ ବୃକ୍ଷଲତା ଫଳ ଏବଂ ମଞ୍ଜି ବହନ କରିବାକୁ ଚେଷ୍ଟା କରିବାରେ ବିଫଳ ହୁଅନ୍ତି। ଅର୍ଥାତ ଏସବୁ ଘଟଣା ସହିତ ଉଦ୍ଭିଦ ତଥା ପ୍ରାଣିଜଗତରେ ସ୍ୱଳ୍ପମିଆଦୀ ଓ ଦୀର୍ଘମିଆଦୀ ଅସ୍ୱାଭାବିକତା ପରିଲକ୍ଷିତ ହେଉଛି।

ଏବେ ବସନ୍ତ ସମୟପୂର୍ବରୁ ଆସୁଛି, ଶୀତର ଅବଧି କମିଯାଉଛି, ବରଫ ସୃଷ୍ଟି ହେବା ତାପମାତ୍ରାର ଦିନ ସଂଖ୍ୟା ମଧ୍ୟ ହ୍ରାସ ପାଉଛି। ଏହି ପରିବର୍ତ୍ତନଗୁଡ଼ିକ ଅନେକ ଜୀବନଚକ୍ର ପ୍ରକ୍ରିୟାକୁ ପ୍ରଭାବିତ କରୁଛି। ଶୀତରେ ସୂର୍ଯ୍ୟ କିରଣର ଅଭାବ ଋତୁକାଳୀନ ବ୍ୟାଧିକୁ ଜନ୍ମ ଦେଉଛି। ଥକାପଣ, ଭୋକ ବୃଦ୍ଧି, ଅନାଗ୍ରହ ପରି ଲକ୍ଷଣମାନ ଦେଖଦେଉଛି। ବୈଜ୍ଞାନିକମାନଙ୍କର ଦୃଢ଼ ବିଶ୍ୱାସ ରହିଛି ଯେ ବସନ୍ତ ଋତୁର ପ୍ରଭାବ ଓ ଲକ୍ଷଣଗୁଡ଼ିକର ସଅଳ ଆଗମନ ବିଶ୍ୱ ଜଳବାୟୁରେ ସମ୍ପ୍ରତି ଉଷ୍ମତା ଧାରା ସହିତ ଜଡ଼ିତ। ଏହି ଘଟଣାଗୁଡ଼ିକ ପରିସଂସ୍ଥାନ ଏବଂ ମାନବ ସମାଜ ଉପରେ ବିଭିନ୍ନ ପ୍ରଭାବ ପକାଇପାରେ। ଅଧିକ ଆକ୍ରମଣକାରୀ ରୋଗ ପୋକର ସମ୍ମୁଖୀନ ହେବାକୁ ପଡ଼େ ଏବଂ ସେଥିପାଇଁ ଅଧିକ ପ୍ରକାରର କୀଟନାଶକର ଆବଶ୍ୟକତା ପଡ଼ିଥାଏ। ଶୀତର ବିଳମ୍ୱରେ ଅସ୍ୱାଭାବିକ ଉଷ୍ମ ପାଗ ଏକ ‘ମିଛ ବସନ୍ତ’ ସୃଷ୍ଟି କରିଥାଏ, ଯାହା ଉଦ୍ଭିଦଗୁଡ଼ିକର ଅଭିବୃଦ୍ଧିକୁ ଶୀଘ୍ର ଆରମ୍ଭ କରିବା ସହ ସେମାନଙ୍କ ପାଇଁ ଶୀତକାଳୀନ ପାଣିପାଗରେ ଅଧିକ ଅସୁରକ୍ଷା ପରିବେଶ ସୃଷ୍ଟି କରିଥାଏ।

ଏଥିସହିତ ପଢ଼ନ୍ତୁ

ଆଗାମୀ ଦିନରେ ହୁଏତ ବର୍ତ୍ତମାନର ପିଢ଼ି ପାଇଁ ବସନ୍ତ ଋତୁ କେବଳ ଶବ୍ଦର ପ୍ରାଚୁର୍ଯ୍ୟଭରା ଏକ ମରୀଚିକା। କାରଣ ସମୟ ଥିଲା। ଆମେ ଲଣ୍ଠନକୁ ଛାଡ଼ି ବୈଦ୍ୟୁତିକ ଜୀବନକୁ ଆପଣାଇଲେ। ଜଙ୍ଗଲ କାଟି ଜନବସତି ସ୍ଥାପନ କଲେ। ମୌଳିକ ଆବଶ୍ୟକତା ଖାଦ୍ୟ, ବସ୍ତ୍ର ବାସଗୃହ ପାଇଁ କଳକାରଖାନା ସ୍ଥାପନ କଲେ। ଧୀରେ ଧୀରେ କୀଟନାଶକ ତଥା ବିଭିନ୍ନ ସାର ପ୍ରୟୋଗ କରି ଅଧିକ ଫସଲ ଅମଳ କଲେ। ହେଲେ ସମୟ ବର୍ତ୍ତମାନ ଆମକୁ ଚେତାବନୀ ଦେଉଛି – ପ୍ରକୃତି ସହ ଖେଳିଲେ କିପରି କେବଳ ଋତୁଚକ୍ର ନୁହେଁ, ସମଗ୍ର ମାନବ ସଭ୍ୟତା ଡାଇନୋସର ପରି ଲୋପ ପାଇବ। ଦୁର୍ବିସହ ହେବ। ଜଳବାୟୁ ପରିବର୍ତ୍ତନ ଆଗାମୀ ଦିନରେ ବିପର୍ଯ୍ୟୟ ପରିଚାଳନା ପାଇଁ ଏବଂ ଜଳ, ପାଣିପାଗ ଏବଂ ଜଳବାୟୁ ପୂର୍ବାନୁମାନ ଲାଗି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସୁପର କମ୍ପ୍ୟୁଟର, ସାଟେଲାଇଟ୍‌‌ ଏବଂ ରିମୋଟ ସେନ୍ସିଂ ବୈଷୟିକ ବିଜ୍ଞାନ, ସ୍ମାର୍ଟ ମୋବାଇଲ୍‌‌ ଉପକରଣ, ବୈଜ୍ଞାନିକ ଅଗ୍ରଗତି ଏବଂ ଅନ୍ତର୍ଜାତୀୟ ସହଯୋଗ ଦ୍ୱାରା ପାଣିପାଗ, ଜଳବାୟୁ ଏବଂ ଜଳବିଜ୍ଞାନ ସେବାଗୁଡ଼ିକର ଉତ୍ପାଦନ ଏବଂ ଯୋଗାଣରେ ପରିବର୍ତ୍ତନ ଆସିଛି। କିନ୍ତୁ ସେହି ଉଚ୍ଚପ୍ରଭାବୀ ଘଟଣାରେ ଆମେ ଛନ୍ଦିହୋଇ ଚକ୍ରବ୍ୟୂହରେ ଘୂରି ଘୂରି ଶେଷରେ ବସନ୍ତ ଋତୁର ବାସ୍ନା ପରି ସବୁକିଛି ହରେଇବା। ଏବେ ବି ସମୟ ଅଛି, ପ୍ରକୃତିକୁ ରକ୍ଷା କରି ଆଗାମୀ ବିପଦର ମୁକାବିଲା ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ। ନହେଲେ ଉତ୍ତପ୍ତ ବସନ୍ତ ପରି ମାନବ ସମାଜ ଆଗାମୀ ଦିନରେ ନିଜର ଅବସ୍ଥିତି ହରାଇବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ଉମାକାନ୍ତ ଦାସ ଭୁବନେଶ୍ୱର, ମୋ: ୯୬୧୧୩୯୫୩୯୧

Leave A Reply

Your email address will not be published.