ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆୟୁଷ୍ମାନ ଭାରତର ପରିକଳ୍ପନା

ସେପ୍ଟେମ୍ୱର ୮, ୨୦୨୨ରେ ଜାତିସଂଘ ପକ୍ଷରୁ ପ୍ରକାଶିତ ବିଶ୍ୱଭିତ୍ତିକ ସ୍ୱାସ୍ଥ୍ୟ ସୂଚକାଙ୍କରେ ସରକାରଙ୍କ ତରଫରୁ ମୌଳିକ ସ୍ୱାସ୍ଥ୍ୟ ସେବା ଯୋଗାଣରେ ୧୯୧ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ୧୩୨। ଆମ ସରକାର ଏହି ପରିସଂଖ୍ୟାନରେ ତ୍ରୁଟି ଥିବା କହିଛନ୍ତି। ସ୍ୱାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ଆମ ଦେଶକୁ ୧୦୧ତମ ସ୍ଥାନ ମିଳିଥିବା ବେଳେ ପଡ଼ୋଶୀ ଚୀନ୍‌‌କୁ ୫୪ ତମ ସ୍ଥାନ, ଋଣ ବୋଝରେ ବୁଡ଼ିଥିବା ଶ୍ରୀଲଙ୍କାକୁ ୮୪ତମ, ନେପାଳକୁ ୧୧୪ତମ, ବାଂଲାଦେଶକୁ ୧୨୫ତମ ଓ ପାକିସ୍ଥାନକୁ ୧୩୮ତମ ସ୍ଥାନ ମିଳିଛି। ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ପ୍ରାଥମିକ ଗୁରୁତ୍ୱ ଦେଇଥିବା ଦେଶ ଭିତରେ ଦକ୍ଷିଣ କୋରିଆ, ତାଇୱାନ, ଡେନମାର୍କ, ଅଷ୍ଟ୍ରିଆ, ଜାପାନ, ଅଷ୍ଟ୍ରେଲିଆ, ଫ୍ରାନ୍ସ, ସ୍ପେନ, ବେଲଜିୟମ ଓ ଯୁକେ ପ୍ରଥମ ଦଶଟି ସ୍ଥାନରେ ରହିଛନ୍ତି। ‘ସେବା ହିଁ ଧର୍ମ’ ଆଧାରରେ ମାଗଣା ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥିତ ଦେଶମାନଙ୍କ ଭିତରେ ଡେନମାର୍କ, ନରୱେ, ସୁଇଜରଲ୍ୟାଣ୍ଡ, ସୁଇଡେନ, ଫିନଲ୍ୟାଣ୍ଡ, ନେଦରଲ୍ୟାଣ୍ଡ, ନ୍ୟୁଜିଲ୍ୟାଣ୍ଡ, ଜର୍ମାନୀ ଓ ଲକ୍ସମବର୍ଗ ଆଦି ଅଛନ୍ତି।

ଆମ ଦେଶରେ ଗରିବମାନଙ୍କ ପାଇଁ କେନ୍ଦ୍ର ସରକାର ଆଣିଛନ୍ତି ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ କାର୍ଡ। ଏଥିରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ସେବା ସରକାରୀ ଅବା ବେସରକାରୀ ଚିକିତ୍ସାଳୟରେ ମିଳିବାର ନିର୍ଦ୍ଦେଶ ରହିଥିଲେ ମଧ୍ୟ ଚିକତ୍ସା ସୁବିଧା ଯୋଗାଣରେ ବେସରକାରୀ ଅନୁଷ୍ଠାନ ମାନେ ପଛଘୁଞ୍ଚା ଦେଉଥିବା ବହୁଳ ଅଭିଯୋଗ ହୋଇଆସୁଛି। ୧୪ ଲକ୍ଷ ଜନଜାତିଙ୍କ ପାଖରେ ସ୍ୱାସ୍ଥ୍ୟ ସେବାକୁ ଅଗ୍ରାଧିକାର ଭିତ୍ତିରେ ପହଞ୍ଚାଇବାକୁ ଯେଉଁ ସଷ୍ଟେନେବଲ ଡେଭେଲପମେଣ୍ଟ ଗୋଲ (ଏସଡିଜି) ବା ନିରନ୍ତର ବିକାଶ ଲକ୍ଷ୍ୟ -୨୦୩୦ ଧାର୍ଯ୍ୟ କରାଯାଇଛି ତାହା ପୂରଣ ହେବା ପରି ଲାଗୁନାହିଁ। କାରଣ ଜାତିସଂଘ ଦ୍ୱାରା ଜାରି ମାର୍ଗଦର୍ଶିକା ସଠିକ ପାଳନ ହୋଇ ନପାରିବାରୁ ପାଞ୍ଚ ବର୍ଷରୁ କମ ବୟସର ଶିଶୁ ଓ ମାତୃ ମୃତ୍ୟୁହାର ବଢ଼଼ିବାରେ ଲାଗିଛି। ୨୦୨୨ ଜୁଲାଇରେ ପ୍ରକାଶିତ ତଥ୍ୟ ଆଧାରରେ ଭାରତରେ ୫ ବର୍ଷରୁ କମ୍‌‌ ଶିଶୁ ମୃତ୍ୟୁହାର ଦୈନିକ ୫୦୦୦। ନବଜାତକ ମୃତ୍ୟୁ ସମୁଦାୟ ଶିଶୁ ମୃତ୍ୟୁ ସଂଖ୍ୟାର ୭୮ ପ୍ରତିଶତ। ଏହାର ପ୍ରମୁଖ କାରଣ ହେଲା ବିବାହ ବୟସ ପୂର୍ବରୁ ଗର୍ଭଧାରଣ, ଅସମୟ ଗର୍ଭପାତ ଓ ଶିଶୁର ଓଜନରେ ହ୍ରାସ ଇତ୍ୟାଦି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନବଜାତ ଶିଶୁର ଓଜନ ଅନ୍ୟୂନ ୩ କେଜି ହେବା ଉଚିତ ବୋଲି ଧାର୍ଯ୍ୟ କରିଥିବା ବେଳେ ଦେଢ଼ କିଲୋ କିମ୍ୱା ତହିଁରୁ କମ ଓଜନ ବିଶିଷ୍ଟ ଶିଶୁ ଜନ୍ମ ନେଉଛନ୍ତି। ସେମାନଙ୍କ ଶରୀର ଠିକ୍‌‌ ଭାବେ ଗଠନ ହେବା ସମୟସାପେକ୍ଷ ହେଉଥିବା କାରଣରୁ ଶିଶୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

ଅଧିକ ପଢନ୍ତୁ

୨୦୨୨ ୟୁନିସେଫ ତଥ୍ୟ ଅନୁସାରେ ଭାରତରେ ମାତୃ ମୃତ୍ୟୁହାର ସମୁଦାୟ ବିଶ୍ୱର ୧୨ ପ୍ରତିଶତ। ୪୫ ବର୍ଷରୁ ଊର୍ଦ୍ଧ୍ବ ମହିଳାଙ୍କ କ୍ଷେତ୍ରରେ ୨୧ ପ୍ରତିଶତ ସ୍ୱାଭାବିକଠାରୁ ଅଧିକ ଓଜନ, ୨୧ ପ୍ରତିଶତ କମ ଓଜନ ଆଉ ୭ ପ୍ରତିଶତ ପୃଥୁଳ କାରଣରୁ ଅସମୟ ମୃତ୍ୟୁର ଶିକାର ହେଉଛନ୍ତି। ଆମେରିକା ଭଳି ଆମ ଦେଶରେ ସ୍ୱାସ୍ଥ୍ୟ ବୀମା ବାଧ୍ୟତାମୂଳକ ହୋଇନଥିବାରୁ ସଙ୍କଟ ସମୟରେ ବିକଳ୍ପ ସେବା ମିଳିପାରୁନାହିଁ। ଆୟ ପନ୍ଥା ସ୍ଥିର ନହେବା ଯାଏ ଲୋକେ ବୀମା ପାଇଁ ଦେୟ ଦେବାକୁ କୁଣ୍ଠାବୋଧ କରିବା ସ୍ୱାଭାବିକ। ଭୋଟ ବ୍ୟାଙ୍କ ପାଇଁ ବିଭିନ୍ନ ଲୋଭନୀୟ ସାମଗ୍ରୀ ଦିଆଯାଉଥିବାବେଳେ ସ୍ୱାସ୍ଥ୍ୟ ସେବା ପାଇଁ ସରକାରୀ ପ୍ରୋତ୍ସାହନ ନଗଣ୍ୟ। ସରକାରୀ ଭାବେ ଯାହା ଦିଆଯାଉଛି ସେସବୁ ଘରୋଇ ପୁଞ୍ଜିପତିଙ୍କ ଖାତାକୁ ଯାଉଛି। ଘରୋଇ ହସ୍ପିଟାଲ ମାଲିକ, ଔଷଧ କାରଖାନା ମାଲିକ ଓ ଔଷଧ ଆମଦାନୀ-ରପ୍ତାନୀ ସେବା ଯୋଗାଣକାରୀ ସଂସ୍ଥାଙ୍କ ସମ୍ପତ୍ତି ଆହୁରି ବଢ଼଼ୁଛି।

ସହର ଓ ଗ୍ରାମାଞ୍ଚଳରେ ୫୦୦୦ ଜନସଂଖ୍ୟାକୁ ନେଇ ଉପକେନ୍ଦ୍ର ଓ ଜଙ୍ଗଲ ଏବଂ ପାର୍ବତ୍ୟାଞ୍ଚଳରେ ୩୦୦୦ ଜନସଂଖ୍ୟାରେ ଗୋଟିଏ ଉପକେନ୍ଦ୍ର ବ୍ୟବସ୍ଥା, ଡାକ୍ତରଙ୍କ ଅଧିକାଂଶରେ ଅନୁପସ୍ଥାନ କାରଣରୁ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଆମ ଦେଶରେ ବହୁ ପଛରେ ପଡ଼ିଯାଇଛି। ସେହିଭଳି ୩୦୦୦୦ ଜନସଂଖ୍ୟା ବିଶିଷ୍ଟ ସହର ଓ ଗ୍ରାମାଞ୍ଚଳ ଏବଂ ୨୦୦୦୦ ଜନସଂଖ୍ୟା ବିଶିଷ୍ଟ ଦୁର୍ଗମ, ଜଙ୍ଗଲ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସାଧାରଣ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉନ୍ନତ ମାନର ସେବା ଯୋଗାଣ କେବଳ ପ୍ରଚାରରେ ରହିଯାଇଛି। ଡାକ୍ତରଙ୍କ ଅନୁପସ୍ଥିତି, ପାରା ମେଡିକାଲ କର୍ମଚାରୀ, ଇଞ୍ଜେକସନ୍‌‌, ଔଷଧ, ଆଲୋକ, ପାଣି କିମ୍ୱା ଖଟିଆ ଆଦି ଅତ୍ୟାବଶ୍ୟକ ଭିତ୍ତିଭୂମି ଅବ୍ୟବସ୍ଥା କାରଣରୁ ରୋଗୀ ପ୍ରାଥମିକ ଚିକିତ୍ସା ପାଇଁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର ଯିବାକୁ ନାରାଜ। ରୋଗ ବଢ଼଼ିଲେ ଧାର-କରଜ କରି ବଡ଼ ଡାକ୍ତରଖାନାକୁ ଯାଇ ରୋଗୀ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି।

ଏଥିସହିତ ପଢ଼ନ୍ତୁ

୨୦୦୫ରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଉପକେନ୍ଦ୍ରରେ ୧୭.୪୯ ପ୍ରତିଶତ ଡାକ୍ତର ଓ ପାରାମେଡିକାଲ କର୍ମଚାରୀ ଅନୁପସ୍ଥିତ ଥିବାବେଳେ ୨୦୨୧ ବେଳକୁ ଏହା ବୃଦ୍ଧି ପାଇ ୨୧.୮୩ ପ୍ରତିଶତରେ ପହଞ୍ଚି ଯାଇଛି। କେଉଁଠି ସୁଇପର ଛୋଟମୋଟ ଅସ୍ତ୍ରୋପଚାର କରୁଥିବା ଅନେକ ସମୟରେ ଦେଖାଯାଉଛି। ଅପରପକ୍ଷେ ଡାକ୍ତର ରୋଗୀ ଚିକିତ୍ସା କରନ୍ତି ଜିଲ୍ଲା ସଦର ମହକୁମାରେ କିମ୍ୱା ବଡ଼ ସହରରେ ରହି। ୨୦୧୭ରେ ସମୁଦାୟ ଜନସଂଖ୍ୟା ୧୩୩ କୋଟି ଲୋକଙ୍କ ପାଇଁ ମୋଟ ପଞ୍ଜିକୃତ ଡାକ୍ତର ଥିଲେ ୧୦ ଲକ୍ଷ ୮୦ ହଜାର। ଅର୍ଥାତ୍‌‌ ପ୍ରତି ୧ ହଜାର ରୋଗୀଙ୍କ ପାଇଁ ୧.୩୪ ଡାକ୍ତର। ୨୦୨୧ ଶେଷ ସୁଦ୍ଧା ଏହି ଅନୁପାତ ପ୍ରତି ୧ ହଜାରରେ ୧. ୮୩ କୁ ବୃଦ୍ଧିପାଇଛି।

ଏଭଳି ସ୍ଥିତିରେ ଭାରତ ଆୟୁଷ୍ମାନ ହେବ ନାହିଁ। ଔଷଧ କମ୍ପାନୀ ମାନେ ବଡ଼ ବଡ଼ ରୋଗ ପାଇଁ ନିଜସ୍ୱ ଗବେଷଣାଲବ୍ଧ ଔଷଧ ପ୍ରସ୍ତୁତି କରୁଥିଲେ ଏବଂ ଦେଶରେ କମ ମୂଲ୍ୟରେ ବିକ୍ରି କରୁଥିଲେ ସେମାନଙ୍କୁ କେବଳ ଋଣ, ରିହାତି କିମ୍ବା ଅନୁଗ୍ରହ(ଭିତ୍ତିଭୂମି ସୁବିଧା) ଦିଆଯାଇପାରେ। ପ୍ରାଥମିକ ଅବସ୍ଥାରେ ରୋଗ ନିରୂପଣ ଓ ନିଦାନ ହେଲେ ୮୦ ପ୍ରତିଶତ ରୋଗୀଙ୍କୁ ସର୍ବହରା ହେବାରୁ ସୁରକ୍ଷା ଦିଆଯାଇପାରେ। ବିକଳ୍ପ ହେଲା ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ସହିତ ଘରକୁ ଘର ଯାଇ ସଚେତନତା କାର୍ଯ୍ୟକ୍ରମ ବୃଦ୍ଧି କରିବା ଆବଶ୍ୟକ। ଭାରତର ଜନସମ୍ୱଳ ପ୍ରତ୍ୟକ୍ଷ କର ଦେଇ ଦେଶ ସମୃଦ୍ଧ କରୁଥିବା ବେଳେ ସେମାନଙ୍କୁ ନିରାମୟ ରଖିବା ଦାୟିତ୍ୱ ସରକାରଙ୍କ। ଜନସ୍ୱାସ୍ଥ୍ୟରେ ଧନୀ-ଗରିବ ପାତରଅନ୍ତର ସାମ୍ୱିଧାନିକ ବ୍ୟବସ୍ଥା ବିରୋଧୀ। ଯେଉଁଦିନ ଦେଶର ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତି ଚିକିତ୍ସା ପାଉଥିବା ପରିବେଶରେ ସାଧାରଣ ରୋଗୀଟି କେବଳ ନିଜ ଭୋଟର କାର୍ଡ ଖଣ୍ଡକ ଦେଖାଇ ଅନୁରୂପ ଚିକିତ୍ସା ପାଇବ, ଜାଣିବାକୁ ହେବ ଭାରତ ଆୟୁଷ୍ମାନ ହେଇଛି।

ସାରଦା ପ୍ରସାଦ କର
ଭୁବନେଶ୍ୱର, ମୋ: ୮୨୪୯୮୨୭୧୪୮

Leave A Reply

Your email address will not be published.