ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଶ୍ୱ ମାତୃଭାଷା ଦିବସର ଆହ୍ବାନ

ଓଡ଼ିଆ ଭାଷା ଏକ ପ୍ରାଚୀନ ଆର୍ଯ୍ୟଭାଷା। ଏହି ଭାଷା ସ୍ୱକୀୟ ପ୍ରବହମାନ ଧାରାରେ ଉଡ୍ର ବିଭାଷା, ଔଡ୍ରୀ ଅପଭ୍ରଂଶ, ପ୍ରତ୍ନ ଓଡ଼ିଆ, ପ୍ରାଚୀନ ଓଡ଼ିଆ, ମାନକ ଓଡ଼ିଆ ପ୍ରଭୃତି ସ୍ୱରୂପ ଧାରଣ କରି ପରିଶେଷରେ ଉତ୍କୃଷ୍ଟ ବା ଶାସ୍ତ୍ରୀୟ ଭାଷା ରୂପେ ଉଦ୍‌‌ଘୋଷିତ। ସ୍ୱକୀୟ ମୌଳିକତା, ରକ୍ଷଣଶୀଳତା, ଆହରଣ ଦକ୍ଷତା, ଉତ୍ପାଦନ ଦକ୍ଷତା ଓ ପ୍ରସାରଣଶୀଳତା ଯୋଗୁଁ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଥିଲେ ହେଁ ସମ୍ପ୍ରତି ଏହିସବୁ ସଦ୍‌‌ଗୁଣ ହରାଇ ବସିଥିବା ଅଭିଯୋଗ ହେଉଛି। ଏହାର କାରଣ ହେଉଛି, ସାମାଜିକ କ୍ଷେତ୍ର, ଶିକ୍ଷାକ୍ଷେତ୍ର ଓ ପ୍ରଶାସନିକ କ୍ଷେତ୍ର ଆଦିରେ ଓଡ଼ିଆ ଭାଷା ବ୍ୟବହାର ଆଶାତୀତ ଭାବରେ ହ୍ରାସ ପାଇଛି। ବର୍ତ୍ତମାନ ଯୋଜନାୟିତ ଭାଷାର ଯୁଗ ହୋଇଥିଲେ ହେଁ ଓଡ଼ିଆ ଭାଷାର ବିକାଶ ନିମିତ୍ତ କୌଣସି ଯୋଜନାୟିତ ପଦକ୍ଷେପ ନିଆଯାଇନାହିଁ।

ଭାଷା ନିମିତ୍ତ ସାମାଜିକ ଦିଗଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସମାଜର ପ୍ରବହମାନଧାରା ଭାଷାକୁ ବଞ୍ଚାଇ ରଖେ ଓ ବିକଶିତ କରିଥାଏ। ଦୁଃଖର ବିଷୟ, ସମ୍ପ୍ରତି ଓଡ଼ିଆ ଭାଷା ଧୀରେ ଧୀରେ ସାମାଜିକ ପରିସରରୁ ଅପସରି ଯିବାକୁ ବସିଲାଣି ଏବଂ ଏହାର ଜୀବନୀଶକ୍ତି କ୍ଷୀଣ ହେବାକୁ ବସିଲାଣି। ସମାଜର ପ୍ରତିଷ୍ଠିତ ବ୍ୟକ୍ତିଙ୍କର ଓଡ଼ିଆ ଭାଷା ପ୍ରତି ଆଉ ମମତା ନଥିବା ପରି ଲାଗୁଛି। ଉଚ୍ଚପଦସ୍ଥ ଓ ଉଚ୍ଚଶିକ୍ଷିତ ଓଡ଼ିଆମାନଙ୍କ ମଧ୍ୟରୁ ଅନେକ ଓଡ଼ିଆ ଭାଷାକୁ ଗୋଟିଏ ଅଯୋଗ୍ୟ ଭାଷା ବୋଲି ଭାବିଲେଣି। ସେମାନେ ବ୍ୟକ୍ତିଗତ, ପାରିବାରିକ ତଥା ସାମାଜିକ ଜୀବନରେ ଓଡ଼ିଆ ଭାଷା ବ୍ୟବହାରକୁ ପସନ୍ଦ କରୁନାହାନ୍ତି। ଅସଲ କଥାଟି ହେଉଛି, ଓଡ଼ିଆ ସାମାଜିକ ବିବିଧତାର ବୈଚିତ୍ର୍ୟ ଭିତରେ ଓଡ଼ିଆ ଭାଷା ଅଣନିଃଶ୍ୱାସୀ ହୋଇପଡ଼ିଛି।

ନବ୍ୟସଭ୍ୟ ଓଡ଼ିଆ ସମାଜ ନିମିତ୍ତ ଓଡ଼ିଆ ଭାଷାର ବୈଭବ ଅପର୍ଯ୍ୟାପ୍ତ। ଜ୍ଞାନବିଜ୍ଞାନର କଥା ଦୂରରେ ଥାଉ, ସାଧାରଣ ଜୀବନଯାପନ ନିମିତ୍ତ ଓଡ଼ିଆ ଭାଷା ବିଭବର ଏକାନ୍ତ ଆବଶ୍ୟକତା ରହିଥିବା ସ୍ଥଳେ ସେହି ବିଭବ ଅର୍ଜନ କରିବା ନିମିତ୍ତ ଆମ ସମାଜର ପ୍ରଚେଷ୍ଟା ନାହିଁ କହିଲେ ଚଳେ। ଆମ କବି, ଲେଖକ, ପ୍ରାବନ୍ଧିକ, ଗବେଷକ, ବୈଜ୍ଞାନିକ, ସାମ୍ବାଦିକ, ଯାନ୍ତ୍ରିକ ଏପରିକି ସାଧାରଣ ବ୍ୟକ୍ତି ବହୁ ଭାଷା ଉପାଦାନ, ନୂତନ ଶବ୍ଦ ଓ ଶୈଳୀ ବ୍ୟବହାର କରୁଛନ୍ତି। ଏହିସବୁ ଭାଷାବିଭବ ଯେତେବେଳେ ସମାଜର ହୋଇଯିବ, ଅର୍ଥାତ୍‌‌ ଲୋକେ ଯେତେବେଳେ ଏହିସବୁ ଭାଷା ବିଭବକୁ ବ୍ୟବହାର କରିବେ, ସେଗୁଡ଼ିକ ଓଡ଼ିଆ ଭାଷା ବିଭବ ସ୍ୱରୂପରେ ବିବେଚିତ ହେବ। ନୂତନ ଭାବରେ ସୃଷ୍ଟ ଏହିସବୁ ଭାଷାବିଭବ ସମୂହକୁ ସଂଗ୍ରହ, ସଂରକ୍ଷଣ ଓ ସାମାଜିକ ସ୍ୱୀକୃତି ମିଳିବା ସକାଶେ ଯୋଜନାୟିତ ପ୍ରୟୋଗାତ୍ମକ ପ୍ରଚେଷ୍ଟାର ଆବଶ୍ୟକତା ରହିଛି। ଏହା ହୋଇପାରିଲେ ଓଡ଼ିଆ ଭାଷା ସାମାଜିକ ବିବିଧତାର ବୈଚିତ୍ର୍ୟ ଭିତରେ ଆତ୍ମିକ ସନନ୍ଦ ରୂପରେ ପ୍ରତିଭାତ ହୋଇପାରିବ।

ଭାଷାର ସୁରକ୍ଷା ଓ ସମୃଦ୍ଧି ନିମିତ୍ତ ଶିକ୍ଷାର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ବର୍ତ୍ତମାନ ପ୍ରାଥମିକ ଶିକ୍ଷାସ୍ତରଠାରୁ ସ୍ନାତକୋତ୍ତର ଶିକ୍ଷାସ୍ତର ପର୍ଯ୍ୟନ୍ତ ଭାଷାଶିକ୍ଷା ବିପର୍ଯ୍ୟସ୍ତ। ପ୍ରାଥମିକ ଶିକ୍ଷାକାଳରେ ଶିଶୁକୁ ନିଜେ କହୁଥିବା ମାତୃଭାଷାରେ ଶିକ୍ଷା ଦିଆନଯାଇ ଅନ୍ୟ ଭାଷାରେ ଶିକ୍ଷା ଦିଆଯିବା ଦ୍ୱାରା ତା’ର ମାନସିକ ଭାରସାମ୍ୟ ବିପନ୍ନ ହୋଇଥାଏ ଏବଂ ସେ ଭାବିଥାଏ ‘ମୋ ମାତୃଭାଷା ବୋଧହୁଏ ଶିକ୍ଷା ଗ୍ରହଣ ନିମିତ୍ତ ଅଯୋଗ୍ୟ ଭାଷା’। ଓଡ଼ିଶାରେ ବର୍ତ୍ତମାନ ବହୁ ପିଲାଙ୍କୁ ଓଡ଼ିଆ ଭାଷାରେ ଶିକ୍ଷା ଦିଆନଯାଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିକ୍ଷା ଦିଆଯାଉଛି। ଅନେକ ଭାବିପାରନ୍ତି, ପ୍ରାଥମିକ ଶିକ୍ଷାସ୍ତରରେ ମାତୃଭାଷାରେ ଶିକ୍ଷା ପ୍ରଦାନ କରିବାକୁ ହେଲେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଉଠାଇ ଦେବାକୁ ପଡ଼ିବ। ଦିନକୁ ଦିନ ଯେଉଁ ଭାବରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ସେ ସବୁକୁ ଉଠାଇଦେବା ଏତେ ସହଜ ନୁହେଁ। ତେଣୁ ଆମ ପିଲାମାନଙ୍କୁ ମାତୃଭାଷା ପ୍ରବୀଣ କରିବା ନିମିତ୍ତ ଆମକୁ ଉପାୟ ଖୋଜିବାକୁ ପଡ଼ିବ। ସୂଚନା ପ୍ରଯୁକ୍ତି ବିଦ୍ୟା, ଚିକିତ୍ସା ଶାସ୍ତ୍ର, ପଦାର୍ଥ ବିଜ୍ଞାନ, ରସାୟନ ବିଦ୍ୟା, ଅର୍ଥଶାସ୍ତ୍ର, ଗଣିତ, ଭୂଗୋଳ ତଥା ଜ୍ଞାନ ବିଜ୍ଞାନର ବିଭିନ୍ନ ପୁସ୍ତକ ଓଡ଼ିଆ ଭାଷାରେ ରଚନା କରିବାକୁ ପଡ଼ିବ ଏବଂ ପ୍ରାଥମିକ ଶିକ୍ଷାସ୍ତରରୁ ଏହିସବୁ ପୁସ୍ତକ ପ୍ରଚଳନ କରାଯାଇପାରିଲେ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଆଉ ପ୍ରାଧାନ୍ୟ ରହିବ ନାହିଁ। ମାଧ୍ୟମିକ ବିଦ୍ୟାଳୟରେ ଅଦ୍ୟାବଧି ଭାଷାଶିକ୍ଷକ ନିଯୁକ୍ତ ହୋଇନଥିବାରୁ ମାଧ୍ୟମିକ ଶିକ୍ଷାସ୍ତରରେ ଭାଷାଶିକ୍ଷା ବିପର୍ଯ୍ୟସ୍ତ। ମହାବିଦ୍ୟାଳୟସ୍ତରରେ ଓଡ଼ିଆ ଅଧ୍ୟାପକ ନିଯୁକ୍ତ ହୋଇଥିଲେ ହେଁ ସରକାର ନୀତି ନିର୍ଦ୍ଧାରଣ କରିଛନ୍ତି ଯେ ଜଣେ ଛାତ୍ର ବା ଛାତ୍ରୀ ଇଚ୍ଛାକଲେ ଓଡ଼ିଆ ପରିବର୍ତ୍ତେ ସଂସ୍କୃତ ପଢ଼଼ିପାରିବ। ଓଡ଼ିଆ ଅପେକ୍ଷା ସଂସ୍କୃତରେ ଅଧିକ ନମ୍ବର ମିଳୁଥିବାରୁ ଛାତ୍ରଛାତ୍ରୀ ସଂସ୍କୃତ ପଢ଼଼ିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ସ୍ନାତକୋତ୍ତର ଶିକ୍ଷାସ୍ତରରେ ଓଡ଼ିଆ ଭାଷାଶିକ୍ଷା କଥା ନ ଲେଖିବା ଭଲ। ଆମ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଯେଉଁ ସ୍ନାତକୋତ୍ତର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ରହିଛି, ତାହା ବସ୍ତୁତଃ ସାହିତ୍ୟ ବିଭାଗ। ୧୯୨୦ ମସିହାରୁ ଓଡ଼ିଆ ଏମ୍‌‌ଏ ଶିକ୍ଷା ଆରମ୍ଭ ହୋଇଥିଲେ ହେଁ ଶହେ ବର୍ଷ ପରେ ମଧ୍ୟ ଓଡ଼ିଆ ଭାଷା ବିଶ୍ୱବିଦ୍ୟାଳୟମାନଙ୍କର ଦ୍ୱାରଦେଶରେ ନବାଗତ ଅତିଥି ସଦୃଶ ଦଣ୍ଡାୟମାନ। ଏହି ଦୃଷ୍ଟିକୋଣରୁ ଓଡ଼ିଆ ଭାଷାଶିକ୍ଷାକୁ ପ୍ରାଥମିକସ୍ତରରୁ ସ୍ନାତକୋତ୍ତରସ୍ତର ପର୍ଯ୍ୟନ୍ତ ସୁଦୃଢ଼ କରି ଭାଷାଶିକ୍ଷାକୁ ହିତକାରୀ ଓ ଅର୍ଥକରୀ କରିବା ନିମିତ୍ତ ଭାଷାଶିକ୍ଷା ନୀତିରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ହେବ। ଏଥିନିମିତ୍ତ ସୁଚିନ୍ତିତ ଯୋଜନା ପ୍ରଣୟନ ହେବା ଜରୁରୀ ମନେହୁଏ।

ଏଥିସହିତ ପଢ଼ନ୍ତୁ

ଭାଷା ବିକାଶର ଗୋଟିଏ ଅଣସାହିତ୍ୟ ଧାରା ହେଉଛି ପାଠ୍ୟପୁସ୍ତକ। ପାଠ୍ୟପୁସ୍ତକ ହେଉଛି ତଥ୍ୟ ପ୍ରସାରର ଏକ ପ୍ରଶସ୍ତ ପଥ। ଏହା ମାଧ୍ୟମରେ ଭାଷାଭାଷୀମାନେ ଭାଷାର ବୌଦ୍ଧିକ ଦିଗ ସହିତ ପରିଚିତ ହୋଇଥାଆନ୍ତି। ପାଠ୍ୟପୁସ୍ତକ ମାଧ୍ୟମରେ ହଜାର ହଜାର ନୂତନ ଶବ୍ଦ ଭାଷାରେ ପ୍ରବେଶ କରିଥାଏ। ଭାଷା ବିଜ୍ଞାନୀଙ୍କ ମତରେ, ‘ଗୋଟିଏ ଆଧୁନିକ ଭାଷା କାବ୍ୟ, କବିତା ଓ ଗଳ୍ପ ଉପନ୍ୟାସକୁ ଆଶ୍ରୟ କରି ଅଗ୍ରସର ହୋଇପାରିବ ନାହିଁ। ଭାଷା ହେଉଛି ଜ୍ଞାନବିଜ୍ଞାନର ବସ୍ତୁ ଏବଂ ସାହିତ୍ୟ ହେଉଛି କଳ୍ପନାର ବସ୍ତୁ।’ ଅନେକଙ୍କର ଧାରଣା, ସାହିତ୍ୟ ଭାଷାକୁ ସମୃଦ୍ଧ କରିଥାଏ। ଆମକୁ ସ୍ମରଣ ରଖିବାକୁ ହେବ ଯେ, ବିଶାଳ ସାହିତ୍ୟ ଭଣ୍ଡାରର ଅଧିକାରୀ ମୈଥିଳୀ ଭାଷା ସମ୍ପ୍ରତି ହିନ୍ଦୀ ଭାଷାର ଗୋଟିଏ ଉପଭାଷା। ସୁବିଶାଳ ସାହିତ୍ୟ ଥାଇ ମଧ୍ୟ ସଂସ୍କୃତ ମାତୃଭାଷା ଗୌରବରୁ ବଞ୍ଚିତ। ପୃଥିବୀରେ ଅନେକ ଭାଷା ରହିଛି, ଯେଉଁସବୁ ଭାଷାରେ ସାହିତ୍ୟ ନାହିଁ, ତଥାପି ସେହି ଭାଷାଗୁଡ଼ିକ ଶହ ଶହ ବର୍ଷଧରି ବଞ୍ଚି ରହିଛି। ସାହିତ୍ୟ ନଥାଇ ଭାଷା ଅଛି, କିନ୍ତୁ ଭାଷା ନଥାଇ ସାହିତ୍ୟ ନାହିଁ। ସାହିତ୍ୟ ଭାଷାର ଅଳଙ୍କାର ସାଜି ଭାଷାକୁ ଗୌରବ ମଣ୍ଡିତ କରିଥାଏ, ଅଥଚ ଭାଷା ବିକାଶରେ ସାହିତ୍ୟର ଭୂମିକା ଗୌଣ। ତେଣୁ ପାଠ୍ୟପୁସ୍ତକ ମାଧ୍ୟମରେ ଓଡ଼ିଆ ଭାଷାର ବୌଦ୍ଧିକ ଦିଗକୁ ସମ୍ପ୍ରସାରିତ କରିବା ନିମିତ୍ତ ସ୍ୱତନ୍ତ୍ର ଯୋଜନା ପ୍ରଣୟନର ଆବଶ୍ୟକତା ରହିଛି।

ସମ୍ବାଦପତ୍ର କଳ୍ପନାର ପ୍ରସାର କରେ ନାହିଁ। ଏହା ଘଟଣା, ସମ୍ବାଦ ବା ତଥ୍ୟ ସମୂହକୁ ଭାଷା ଭିତରକୁ ଆଣିଥାଏ। ପ୍ରତିଦିନ ସମ୍ବାଦପତ୍ର ପୃଷ୍ଠାରେ ଶହ ଶହ ନୂଆ ଶବ୍ଦ, କଥା, ଭଙ୍ଗୀ, ଶୈଳୀ ଓ ଚିନ୍ତା ପ୍ରକାଶ ପାଉଛି। ଏହି ଶବ୍ଦଗୁଡ଼ିକ କେବଳ ସୃଷ୍ଟି ହେଉନାହାନ୍ତି, ଏଗୁଡ଼ିକ ପୁନଃ ପ୍ରଚାର ଓ ପ୍ରସାର ହେବା ଫଳରେ ଭାଷାର ସ୍ଥାୟୀ ବିଭବରେ ପରିଣତ ହୋଇଯାଉଛି। ଏକ ବୃହତ୍ତର ଜନସମାଜ ନିକଟରେ ଏଗୁଡ଼ିକ ଅନାୟାସରେ ପହଞ୍ଚିପାରୁଛି। ଯେ କୌଣସି ସାହିତ୍ୟ ଅପେକ୍ଷା ସମ୍ବାଦପତ୍ର ବେଶୀ ଲୋକଙ୍କ ନିକଟରେ ପହଞ୍ଚିଥାଏ, ଗୁରୁତ୍ୱର ସହ ପଢ଼଼ାଯାଇଥାଏ ଏବଂ ଏଥିରୁ ନୂଆ ନୂଆ କଥା ଶିଖିବା ପାଇଁ ବାତାବରଣ ସୃଷ୍ଟି ହୋଇଥାଏ। ସଠିକ ଶୈଳୀରେ ଓ ଢଙ୍ଗରେ ସମ୍ବାଦ ପରିବେଷଣ ମାଧ୍ୟମରେ ଭାଷାର ବିକାଶ ସମ୍ବାଦପତ୍ର ସମୂହର ଲକ୍ଷ୍ୟ ହୋଇପାରିଲେ ଓଡ଼ିଆ ଭାଷାର ସମୃଦ୍ଧି ସୁନିଶ୍ଚିତ।

ଭାଷା ବ୍ୟବହାର ଓ ବିକାଶର ବିସ୍ତୃତ କ୍ଷେତ୍ର ହେଉଛି ପ୍ରଶାସନ। ପ୍ରଶାସନିକ କ୍ଷେତ୍ରରେ ଓଡ଼ିଆ ଭାଷାର ବ୍ୟବହାର ନିମିତ୍ତ ଆଇନ ପ୍ରଣୟନ ହୋଇଛି, ଅଥଚ ଏହି ଆଇନ କଡ଼ାକଡ଼ି ପାଳନ ହେଉନାହିଁ। ସରକାରୀ କର୍ମଚାରୀ ଓ ପଦାଧିକାରୀଙ୍କୁ ଓଡ଼ିଆ ଭାଷା ବ୍ୟବହାର ନିମିତ୍ତ ପ୍ରଶିକ୍ଷଣ ଦେବା ଲାଗି ରାଜ୍ୟରେ ଭାଷାବିତ୍‌‌ ନିଯୁକ୍ତି ହେବା ବାଞ୍ଛନୀୟ। ଭାଷା ବିକାଶର ଦାୟିତ୍ୱ ବେସରକାରୀ ସଂସ୍ଥାକୁ ଦିଆନଯାଇ ରାଜ୍ୟରେ ଥିବା ହଜାର ହଜାର ଜ୍ଞାନୀଗୁଣୀ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାଙ୍କୁ ପ୍ରଦାନ କରାଗଲେ ସୁଫଳ ମିଳିପାରିବ। ଓଡ଼ିଆ ଭାଷା ପ୍ରତିଷ୍ଠାନରେ ଅଭିଜ୍ଞ ଭାଷାବିତ ନିଯୁକ୍ତ କରାଗଲେ ସେମାନେ ସୁଚିନ୍ତିତ ଭାଷା ଯୋଜନା, ପରିକଳ୍ପନା ଓ କାର୍ଯ୍ୟକାରୀ କରିପାରିବେ। କେବଳ ଆଲୋଚନାଚକ୍ର ବା ୱେବିନାର କଲେ କିଛି ସୁଫଳ ମିଳିବ ନାହିଁ ବା ପୁରୁଣା ଗ୍ରନ୍ଥଗୁଡ଼ିକ ପୁନର୍ମୁଦ୍ରଣ କଲେ କେହି ପଢ଼଼ିବେ ନାହିଁ। ସରକାରଙ୍କର ଚେତନା ରହିବା ଉଚିତ ଯେ, ‘ଭାଷା ହେଉଛି ଗୋଟିଏ ଜାତିର ପ୍ରାଣସ୍ପନ୍ଦନ ଓ ପରିଚୟ’। ତେଣୁ ଭାଷାକୁ ନେଇ ସରକାରୀସ୍ତରରେ ରାଜନୀତି କରିବା ଆଦୌ ଶୋଭନୀୟ ଓ ସ୍ପୃହଣୀୟ ନୁହେଁ। ଆମର ଜଣେ ଲବ୍ଧପ୍ରତିଷ୍ଠ ଭାଷା ବିଜ୍ଞାନୀ କହିଥିଲେ, ‘ଓଡ଼ିଆ ଭାଷାକୁ ଦିଗ୍‌‌ଦର୍ଶନ ଦେବାର ଗୁରୁଦାୟିତ୍ୱ ରାଜନୈତିକ ନେତାମାନଙ୍କୁ ଦିଆଯାଇପାରିବ ନାହିଁ, ସେ ଯେତେ ସଂସ୍କୃତିପ୍ରେମୀ ହୋଇଥାଆନ୍ତୁ ପଛେ। ରାଜନୈତିକ ନେତାମାନେ ନାନାଦି ଧୂଆଁବାଣ ମାରି ଓଡ଼ିଆ ଭାଷାକୁ ଧ୍ୱଂସ କରିବାରେ ଲାଗିଛନ୍ତି ଏବଂ ଏହାକୁ ଆହୁରି ଦିଗ୍‌‌ଭ୍ରାନ୍ତ କରୁଛନ୍ତି।’ ଏହି ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଭାଷାବିଜ୍ଞାନୀଙ୍କ ଚେତାବନୀ ସତ୍ତ୍ବେ ଓଡ଼ିଆ ଭାଷା ବିକାଶର ଦାୟିତ୍ୱ କିଛି ରାଜନୈତିକ ବ୍ୟକ୍ତି ଗଠନ କରିଥିବା ସଂସ୍ଥାକୁ ଦିଆଯାଇଛି ତଥା ଦୀର୍ଘବର୍ଷ ପରେ କୌଣସି ସୁଫଳ ମିଳିନାହିଁ। ସରକାରଙ୍କୁ ବିନମ୍ର ଅନୁରୋଧ, ତୁରନ୍ତ ଓଡ଼ିଆ ଭାଷା ବିଶାରଦମାନଙ୍କୁ ଏକତ୍ର କରି ଓଡ଼ିଆ ଭାଷାର ସୁରକ୍ଷା ଓ ସମୃଦ୍ଧି ନିମିତ୍ତ ସୁପରିକଳ୍ପିତ ଓ ସୁଚିନ୍ତିତ ଯୋଜନା କାର୍ଯ୍ୟକାରୀ କରନ୍ତୁ। ଅବିଳମ୍ବେ ଭାଷା କମିଶନ ନିଯୁକ୍ତି ଓଡ଼ିଆ ଭାଷା ନିମିତ୍ତ ମଙ୍ଗଳପ୍ରଦ ହେବ। କିନ୍ତୁ ଅଭିଜ୍ଞ ଭାଷା ବିଶାରଦ ଭାଷା କମିଶନ ଭାବରେ ନିଯୁକ୍ତ ହେବା ସମୀଚୀନ।

ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷାର ମର୍ଯ୍ୟାଦା ଲାଭ କଲାଣି। ଏହି ପ୍ରାଚୀନ ଆର୍ଯ୍ୟ ଭାଷାକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ କରିବାର ସମୁଦାୟ ଉପଗତ। ଏହାର ସୁରକ୍ଷା ଓ ସମୃଦ୍ଧି ନିମିତ୍ତ ଯୋଜନାୟିତ ଭାବରେ ଚାରିଗୋଟି ଦିଗରୁ ପୁଷ୍ଟ କରିବାକୁ ପଡ଼ିବ। ପ୍ରଥମେ ଜନସାଂଖିକ, ଦ୍ୱିତୀୟରେ ସାମାଜିକ, ତୃତୀୟରେ ଭାଷାତାତ୍ତ୍ୱିତ ଏବଂ ଚତୁର୍ଥରେ ଆଇନଗତ ଦିଗରୁ ଏହାକୁ ପୁଷ୍ଟ କରିବାକୁ ପଡ଼ିବ। ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ଭାଷାର ବ୍ୟାପକ ପ୍ରଚଳନ ଓ ପ୍ରାଧାନ୍ୟ ବୃଦ୍ଧି କରିବା ନିମିତ୍ତ ଆମକୁ ଭାଷା ସ୍ୱାଭିମାନୀ ହେବାକୁ ପଡ଼ିବ। ଭାଷାର ବିକାଶ ନିମିତ୍ତ ଆମ ଶିକ୍ଷାନୀତିରେ ପରିବର୍ତ୍ତନ ଆଣିବାକୁ ପଡ଼ିବ। ପ୍ରଶାସନିକ କ୍ଷେତ୍ରରେ ଓଡ଼ିଆ ଭାଷାର ସୁରକ୍ଷା ଓ ସମୃଦ୍ଧି ନିମିତ୍ତ ଆମକୁ ବିଶେଷ କୌଶଳ ଓ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଓଡ଼ିଆ ଶବ୍ଦକୋଷର ମାନକୀକରଣ, ସକଳ ଇଂରାଜୀରେ ଉଲ୍ଲିଖିତ ଆଇନ ଓ ନିୟମାବଳୀର ଓଡ଼ିଆ ଅନୁବାଦ, ଆଦର୍ଶ ରଚନା, ପତ୍ରଲିଖନ ଓ ଟିପ୍ପଣୀର ସଙ୍କଳନ, ତ୍ରିଭାଷୀ ଭାଷାକୋଷ ସଙ୍କଳନ ଏବଂ ଓଡ଼ିଆ ଭାଷାର କମ୍ପ୍ୟୁଟରୀକରଣ ପ୍ରଭୃତି କାର୍ଯ୍ୟକ୍ରମ ନିମିତ୍ତ ଆଶୁ ପଦକ୍ଷେପ ନେବାକୁ ପଡ଼ିବ। ଏହା ହିଁ ବିଶ୍ୱ ମାତୃଭାଷା ଦିବସର ଆହ୍ବାନ।

ପଣ୍ଡିତ ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ର
ଢେଙ୍କାନାଳ, ମୋ: ୮୮୯୫୨୩୦୭୨୨

Leave A Reply

Your email address will not be published.