ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୃତ୍ରିମ ବୁଦ୍ଧିମତ୍ତାର ଚମତ୍କାର

ଭାଷା, ସାହିତ୍ୟ ଓ ଗଣମାଧ୍ୟମ ମଞ୍ଚ ସାମ୍ୱାଦିକତାର ବାହ୍ୟ ଆବରଣ। ଏହି ତିନିଗୋଟି କ୍ଷେତ୍ରରେ ଉନ୍ନତି ବା ଅବନତି ସମ୍ପୃକ୍ତ ସାମ୍ୱାଦିକତାର ଗୁଣବତ୍ତା ନିର୍ଦ୍ଧାରଣ କରିଥାଏ। ଭାଷା ସମୃଦ୍ଧ ନହେଲେ, ସାହିତ୍ୟଗତ ଶୈଳୀରେ ବିବିଧତା ପ୍ରସ୍ପୁଟିତ ନହେଲେ କିମ୍ୱା ଗଣମାଧ୍ୟମ ମଞ୍ଚଗୁଡ଼ିକ ସ୍ୱାଧୀନ, ସ୍ୱାବଲମ୍ୱୀ ଓ ଶକ୍ତିଶାଳୀ ନହୋଇପାରିଲେ ସାମ୍ୱାଦିକତାର ବିକାଶ ଅସମ୍ଭବ। ଆଧୁନିକ ଯୁଗରେ ପ୍ରତ୍ୟେକ ଲକ୍ଷ୍ୟ ସାଧନ ନିମନ୍ତେ ଯୋଜନାବଦ୍ଧ ଉଦ୍ୟମ ପ୍ରତି ଗୁରୁତ୍ୱାରୋପ କରାଯାଇଥାଏ। ଓଡ଼ିଆ ସାମ୍ୱାଦିକତାର ଉନ୍ନତିକଳ୍ପେ ସ୍ଥାନୀୟ ଭାଷା, ସାହିତ୍ୟ ଓ ଗଣମାଧ୍ୟମ ମଞ୍ଚ ବିକାଶ ଲାଗି ଲକ୍ଷ୍ୟବଦ୍ଧ ସମୟଭିତ୍ତିକ କାର୍ଯ୍ୟକ୍ରମ ପ୍ରଯୋଜନା ଆବଶ୍ୟକ। ଏଦିଗରେ ସର୍ଜନଶୀଳଙ୍କ ବ୍ୟକ୍ତିଗତ ଉଦ୍ୟମ ପ୍ରାଥମିକତା ଦାବି କରୁଥିବା ବେଳେ ଉଭୟ ନାଗରିକ ସମାଜ ଓ ସରକାରୀସ୍ତରରେ ପ୍ରୋତ୍ସାହନ ଅଭିଯାନର ସଫଳ ରୂପାୟନରେ ସହାୟକ ହୋଇପାରିବ।

ଆନ୍ତର୍ଜାତିକସ୍ତରରେ ମହାମାରୀ ପରବର୍ତ୍ତି ପରିବର୍ତ୍ତିତ ପରିବେଶ(ନ୍ୟୁନରମାଲ)ରେ କ୍ରମଉନ୍ମୋଚିତ ବିଭବଗୁଡ଼ିକ ମଧ୍ୟରେ ୨୦୨୨ ଶେଷ ପାଦରେ ପ୍ରଚଳିତ ଭାଷା ପ୍ରକ୍ରିୟାକରଣ(ନାଚୁରାଲ ଲାଙ୍ଗୁଏଜ ପ୍ରୋସେସିଂ) କ୍ଷେତ୍ରରେ ସୃଜନ କୃତ୍ରିମ ବୁଦ୍ଧିମତ୍ତା(ଜେନେରେଟିଭ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଭଳି ବୈଷୟିକ କୌଶଳ ଲୋକାର୍ପଣ ଯୁଗାନ୍ତକାରୀ ପରିବର୍ତ୍ତନର ସୂଚନା ଦେଇଛି। ୨୦୨୩ ଆରମ୍ଭରୁ ମାଇକ୍ରୋସଫଟ ସମର୍ଥିତ ଓପନ-ଏଆଇର ‘ଚାଟ-ଜିପିଟି’ ମଞ୍ଚର ପ୍ରସାର ଏବଂ ଗୁଗୁଲ ପକ୍ଷରୁ ତତସମ ‘ବାର୍ଡ’ ମଞ୍ଚ ଉନ୍ମୋଚନ ଘୋଷଣା ତଥା ବହୁ ଇଣ୍ଟରନେଟ ଉଦ୍ୟୋଗୀଙ୍କ ପକ୍ଷରୁ ନୂତନ ଉଦ୍ଭାବନ ପ୍ରକାଶନର ସମ୍ଭାବନା ସମଗ୍ର ଭାଷା, ସାହିତ୍ୟ ଓ ଗଣମାଧ୍ୟମ ମଞ୍ଚ ଉପତ୍ୟକାରେ ନବଜାଗରଣ ସୃଷ୍ଟି କରିଥିଲା।

‘ଜେନେରେଟିଭ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ’ ମାଧ୍ୟମରେ ସଫଟୱେର ଆପ୍ଳିକେସନ ଯୋଗେ ଇଣ୍ଟରନେଟରେ ଉପଲବ୍ଧ ତଥ୍ୟାବଳୀ ଆଧାରରେ ପ୍ରଶ୍ନର ଉତ୍ତର, ସାରାଂଶ ବା ବର୍ଣ୍ଣନା ସମ୍ପର୍କିତ ସ୍ୱୟଂକ୍ରିୟ ଧାରାରେ ରଚନା ପ୍ରସ୍ତୁତି ସମ୍ଭବ। ପାରମ୍ପରିକ ଭାବେ ସର୍ଚ୍ଚଇଞ୍ଜିନ ଯୋଗେ କୌଣସି ନିର୍ଦ୍ଦିଷ୍ଟ ବିଷୟରେ ଉପଲବ୍ଧ ରଚନାବଳୀର ତାଲିକା ପ୍ରସ୍ତୁତ ସୁବିଧା ବ୍ୟବହୃତ ହୋଇ ଆସିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ସେଗୁଡ଼ିକର ବିଶ୍ଳେଷଣାତ୍ମକ ରଚନା ପ୍ରସ୍ତୁତି ସମ୍ଭବ ହୋଇପାରିଛି। ଏହି ବୈଷୟିକ ଅଗ୍ରଗତି ଡିଜିଟାଲ ମଞ୍ଚରେ ଉପଭୋକ୍ତାଙ୍କ ତଥ୍ୟ ଅନ୍ୱେଷଣ ଓ ଆହରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ରୂପେ ବଦଳାଇଦେବା ନିଶ୍ଚିତ।

ସମ୍ପ୍ରତି ପରିବର୍ତ୍ତନ ଧାରାରେ ଭାରତ ମୂଳରୁ ଯୋଡ଼ି ହେବା ଉଲ୍ଲେଖନୀୟ ବିଷୟ। ଫେବୃୟାରୀ ୨୦୨୩ ପହିଲାରେ ଉପସ୍ଥାପିତ କେନ୍ଦ୍ର ବଜେଟରେ ଦେଶରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ତିନିଗୋଟି ବୈଷୟିକ ଶିକ୍ଷାନୁଷ୍ଠାନରେ ଗବେଷଣା ପ୍ରୋତ୍ସାହନ ନିମନ୍ତେ ଉତ୍କର୍ଷକେନ୍ଦ୍ର ପ୍ରତିଷ୍ଠା ଫଳରେ ନୂତନ ଜ୍ଞାନକୌଶଳ ପରିଚାଳନା ନିୟନ୍ତ୍ରଣ ଲାଗି ପରିବେଶ ସୃଷ୍ଟି ସମ୍ଭବ। ସରକାରଙ୍କ ଜାତୀୟ କୃତ୍ରିମ ବୁଦ୍ଧିମତ୍ତା କାର୍ଯ୍ୟକ୍ରମରେ କୃଷି, ଶିକ୍ଷା, ଭାରତୀୟ ଆଞ୍ଚଳିକ ଭାଷା, ସ୍ମାର୍ଟ ସିଟି, ସାଇବର ସିକ୍ୟୁରିଟି, ପରିବହନ ଓ ଆର୍ଥିକ କାରବାର ଇତ୍ୟାଦି ନଅ ଗୋଟି ବିଷୟକୁ ପ୍ରାଧାନ୍ୟ ଦିଆଯାଇଛି। ଏହିସବୁ କ୍ଷେତ୍ରରେ ବ୍ୟବହାର୍ଯ୍ୟ ଜ୍ଞାନକୌଶଳ ବିକାଶକୁ ପ୍ରୋତ୍ସାହିତ କରାଯିବ।

ଏଥିସହିତ ପଢ଼ନ୍ତୁ

ଡିଜିଟାଲ ମଞ୍ଚରେ ଭାରତୀୟ ଆଞ୍ଚଳିକ ଭାଷାସମୂହ ମଧ୍ୟରେ ପାରସ୍ପରିକ ଅନୁବାଦ ନିମନ୍ତେ ଭିତ୍ତିଭୂମି ପ୍ରତିଷ୍ଠା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ଭାଷୀଣି’ ନାମକ ଏକ ସ୍ୱତନ୍ତ୍ର ପ୍ରକଳ୍ପ ଆରମ୍ଭ ହୋଇଥିବା ବେଳେ ‘ଚାଟ-ଜିପିଟି’ ଦ୍ୱାରା ବିକଶିତ ନୂତନ କାରିଗରୀ କୌଶଳ ସଂଯୁକ୍ତ କରାଯାଇଥିବା କୁହାଯାଉଛି। ଏହାଫଳରେ ଓଡ଼ିଆ ସମେତ ବିଭିନ୍ନ ଆଞ୍ଚଳିକ ଭାଷା ଉନ୍ନତ ଭାଷା ପ୍ରକ୍ରିୟାକରଣ ସୁବିଧା ସୁଯୋଗ ମୂଳରୁ ଉପଯୋଗ କରିବା ନିମନ୍ତେ ପଥ ଉନ୍ମୁକ୍ତ ରହିବ। ଭାରତରେ ପ୍ରଣୀତ କୃତ୍ରିମ ବୁଦ୍ଧିମତ୍ତା ବିକାଶ ନୀତି ସ୍ଥାନୀୟ ପ୍ରଦ୍ୟୋଗିକୀ ଶ୍ରମଶକ୍ତି ବିନିଯୋଗରେ ଦୀର୍ଘମିଆଦୀ ସଫଳତା ପାଇବା ଆଶା କରାଯାଇପାରେ।

‘ଚାଟ-ଜିପିଟି’ରେ ‘ଜେନେରିଟିଭ ପ୍ରି-ଟ୍ରେନଡ୍‌‌ ଟ୍ରାନ୍ସଫରମର’ ବୈଷୟିକ କୌଶଳ ସନ୍ନିବେଶିତ ହୋଇଛି। ସରଳରେ ବୁଝାଇ କହିଲେ ଏହା କମ୍ପ୍ୟୁଟର ବୁଦ୍ଧିମତ୍ତା ବା ‘ଆଲଗୋରିଥିମ’ଗୁଡ଼ିକୁ ଡିଜିଟାଲ ମଞ୍ଚରେ ସ୍ଥାନିତ ରଚନାଗୁଡ଼ିକରୁ ମାନବୀୟ ସୃଜନ ଶୈଳୀ ଅର୍ଥାତ ମନୁଷ୍ୟ କିପରି ଶବ୍ଦ ସଂଯୋଗରେ ବାକ୍ୟ ବା ଅନୁଚ୍ଛେଦ କରିଥାଏ ସେ ସମ୍ପର୍କରେ ପୂର୍ବ-ତାଲିମ ବ୍ୟବସ୍ଥା କରାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ପଚାରିବା ମତେ ଆଲଗୋରିଥିମଗୁଡ଼ିକ ପୂର୍ବ-ପ୍ରଶିକ୍ଷିତ ଧାରାରେ ଚିନ୍ତାଧାରା ଓ ଶବ୍ଦାବଳୀ ଏକତ୍ରିତକରି ରଚନା ପ୍ରସ୍ତୁତ କରିବାରେ ସକ୍ଷମ ହୋଇପାରୁଛି।
ଏହି ପ୍ରକ୍ରିୟା ଜଟିଳ, ସମୟସାପେକ୍ଷ ଏବଂ ଖର୍ଚ୍ଚବହୁଳ। କିନ୍ତୁ କୋଟି କୋଟି ସଂଖ୍ୟାରେ ଉପଭୋକ୍ତାଙ୍କ ଦ୍ୱାରା ବ୍ୟବହୃତ ହେଲେ ବିଜ୍ଞାପନ ସୂତ୍ରରୁ ଅର୍ଥ ଉପାର୍ଜନ ଦ୍ୱାରା ଉପଭୋକ୍ତାଙ୍କୁ ମାଗଣା ବା ସ୍ୱଳ୍ପ ମୂଲ୍ୟରେ ସେବା ଯୋଗାଇଦେବା ସମ୍ଭବ। ଉଦାହରଣରେ ୨୦୦୪ରୁ ଗୁଗୁଲ ସର୍ଚ୍ଚଇଞ୍ଜିନ ମାଗଣାରେ ସେବା ଯୋଗାଇ ଦେଉଥିଲେ ହେଁ ଆନ୍ତର୍ଜାତିକସ୍ତରରେ ବିଜ୍ଞାପନ ଡିଜିଟାଲ ମଞ୍ଚମୁହାଁ ହୋଇଥିବା ଏବଂ ସେଥିରୁ ସିଂହଭାଗ ‘ଗୁଗୁଲ’କୁ ଯାଉଥିବା ସର୍ବଜନବିଦିତ।

ସୃଜନ କୃତ୍ରିମ ବୁଦ୍ଧିମତ୍ତା ଅଭିଯାନ ଶିକ୍ଷା, ଆଇନ, ସ୍ୱାସ୍ଥ୍ୟସେବା, କମ୍ପ୍ୟୁଟର ପ୍ରୋଗ୍ରାମିଂ ଭଳି କେତେକ କ୍ଷେତ୍ରରେ ତୁରନ୍ତ ବ୍ୟାପକ ପରିବର୍ତ୍ତନ ଆଣିବା ଆକଳନ କରାଯାଉଛି। ଶିକ୍ଷାକ୍ଷେତ୍ରରେ ବିଦ୍ୟାଳୟରେ ହୋମୱାର୍କଠାରୁ ଆରମ୍ଭ କରି ଉଚ୍ଚତର ଉପାଧି ପରୀକ୍ଷା ନିମନ୍ତେ ସନ୍ଦର୍ଭ ପ୍ରସ୍ତୁତି ବିଭିନ୍ନ ପର୍ଯ୍ୟାୟରେ ପ୍ରଚଳିତ ଭାଷା ପ୍ରକ୍ରିୟାକରଣ ପଦ୍ଧତି ଉପଯୋଗ ପାଠ୍ୟକ୍ରମ, ଶିକ୍ଷାଦାନ ଓ ଶିକ୍ଷା ଗ୍ରହଣରେ ନୂତନ ଆଙ୍ଗିକ ସୃଷ୍ଟି ସୁସ୍ପଷ୍ଟ। ସେହିପରି ରୋଗୀର ସ୍ୱାସ୍ଥ୍ୟ ଇତିହାସ ଓ ନିଦାନ ବିବରଣୀ ଅନୁଶୀଳନରେ ଉନ୍ନତ ଚିକିତ୍ସା ପରାମର୍ଶ ଗ୍ରହଣ ନିମନ୍ତେ ପ୍ରଶସ୍ତ କ୍ଷେତ୍ର ପ୍ରସ୍ତୁତି ସମ୍ଭବ। ଜଟିଳ ଆଇନଗତ ସମସ୍ୟା ପୂର୍ବ-ପ୍ରଦତ୍ତ ଅଦାଲତ ରାୟଗୁଡ଼ିକ ଆଧାରରେ ସମୀକ୍ଷା ଓ ନିଷ୍ପତ୍ତି ଗ୍ରହଣକୁ ପ୍ରଭାବିତ କରିପାରିବ। ଭାରତୀୟ ଅଦାଲତଗୁଡ଼ିକରେ ବର୍ଷ ବର୍ଷ ଧରି ପଡ଼ି ରହିଥିବା ମମଲାଗୁଡ଼ିକର ଆପୋସ ସମାଧାନ ନିମନ୍ତେ ଏହିଭଳି ବୈଷୟିକ କୌଶଳ ଏକ ଉଜ୍ଜ୍ୱଳ ସମ୍ଭାବନାର କ୍ଷେତ୍ର ସୃଷ୍ଟି କରିବ ବୋଲି ଆଶା କରାଯାଇପାରେ।

ସୃଜନ କୃତ୍ରିମ ବୁଦ୍ଧିମତ୍ତା ଅଭିଯାନରେ ଓଡ଼ିଆ ମୂଳରୁ ସାମିଲ ହେବା ନିମନ୍ତେ ଉଭୟ କେନ୍ଦ୍ର ସରକାରଙ୍କ ପ୍ରଣୀତ ‘ଭାଷୀଣି’ ଓ ଗୁଗୁଲର ପ୍ରସ୍ତାବିତ ‘ଲାଙ୍ଗୁଏଜ ମଡେଲ ଫର ଡାଏଲଗ ଆପ୍ଳିକେସେନ୍ସ’ ବୈଷୟିକ କୌଶଳ ଉଚ୍ଚକୋଟୀର ଅନୁବାଦ ସୁବିଧା ୨୦୨୩ ବର୍ଷ ଶେଷ ସୁଦ୍ଧା ଉପଲବ୍ଧ ହେବା ଆଶା କରାଯାଏ। ଅର୍ଥାତ, ଇଂଲିଶ ଭାଷାରେ ଡିଜିଟାଲ ମଞ୍ଚରେ ପ୍ରସ୍ତୁତ ରଚନାବଳୀ ଅନାୟସରେ ଓଡ଼ିଆକୁ ଅନୁବାଦ କିମ୍ୱା ଓଡ଼ିଆରୁ ଇଂଲିଶ ବା ଅନ୍ୟାନ୍ୟ ଶହେ ସରିକି ଭାଷାକୁ ଅନୁବାଦ ସମ୍ଭବ ହୋଇପାରିବ। ପ୍ରଚଳିତ ଅନୁବାଦର ଗୁଣବତ୍ତା କୃତ୍ରିମ ବୁଦ୍ଧିମତ୍ତା ଉପଯୋଗରେ ବୃଦ୍ଧି ପାଇବ। ଏହି ପରିବେଶ ରାଜ୍ୟରେ ଜ୍ଞାନ ଆହରଣ ଓ ପ୍ରସାର କ୍ଷେତ୍ରରେ ଆନ୍ତର୍ଜାତିକସ୍ତରକୁ ଉନ୍ନୀତ ହେବା ପଥ ସୁଗମ କରିବ। ସବୁଠାରୁ ବଡ଼ କଥା ହେଲା ପାଠ୍ୟ ସାଙ୍ଗକୁ ଶ୍ରାବ୍ୟ(ଭଏସ)ଓ ଦୃଶ୍ୟ(ଭିଡ଼ିଓ)ରେ ମଧ୍ୟ ଏହି ଅନୁବାଦ ବ୍ୟବସ୍ଥା କ୍ରମବିକଶିତ ହେବା ଯୋଜନା ରହିଛି।

ମହାମାରୀ ପରବର୍ତ୍ତୀ କମ୍ପ୍ୟୁଟିଂ ପରିବେଶରେ ସୃଜନ କୃତ୍ରିମ ବୁଦ୍ଧିମତ୍ତା ଅଭିଯାନ ଯୁଗାନ୍ତକାରୀ ପରିବର୍ତ୍ତନର ପ୍ରତିଶ୍ରୁତି ବହନ କରୁଥିବା ସମ୍ପର୍କରେ ଦେଶବିଦେଶରେ ବିଶେଷଜ୍ଞମାନେ ଏକମତ। ତେବେ ଓଡ଼ିଶାର ସାଂସ୍କୃତିକ ପରିଧିରେ ପାରମ୍ପରିକ ବିଶ୍ୱାସ ଏଭଳି ନୂତନ ବୈଷୟିକ କୌଶଳକୁ ଗ୍ରହଣ କରିବା ନିମନ୍ତେ କେତେଦୂର ପ୍ରସ୍ତୁତ ତାହା ଏକ ପ୍ରଶ୍ନ। ଭାଷା, ସାହିତ୍ୟ ଓ ଗଣମାଧ୍ୟମରେ ନୂତନତ୍ୱ ପରିପ୍ରକାଶ ନିମନ୍ତେ ସରକାରୀସ୍ତରରେ ପରିଚାଳିତ ଓଡ଼ିଆ ସାହିତ୍ୟ ଏକାଡେମୀ, ଓଡ଼ିଆ ଭାଷା ପ୍ରତିଷ୍ଠାନ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଓଡ଼ିଶା ଲଳିତକଳା ଏକାଡେମୀ, ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ, ବିଶ୍ୱବିଦ୍ୟାଳୟସ୍ତରର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ, କମ୍ପ୍ୟୁଟର ଓ ଗଣଯୋଗାଯୋଗ ବିଭାଗ ସମୂହରେ ଏଥିନେଇ ଯେଉଁ ଉନ୍ମାଦନା ଆଶା କରାଯିବା କଥା ତାହା ପ୍ରାୟତଃ ଶୂନ୍ୟ। ଓଡ଼ିଶା ଭର୍ଚୁଆଲ ଏକାଡେମୀର ସତ୍ତା ଖୋଜି ପାଇ ହୁଏନି।

ରାଜନୈତିକସ୍ତରରେ ଆଞ୍ଚଳିକ ଭାଷା ଭିତ୍ତିରେ ସ୍ୱାତନ୍ତ୍ର୍ୟ ଦାବି ଅନୁବାଦ ବୈଷୟିକ କୌଶଳ ବିକାଶରେ ଅର୍ଥହୀନ ହୋଇପଡ଼ିବା ସୁସ୍ପଷ୍ଟ। ଅବଶ୍ୟ ପ୍ରଦ୍ୟୋଗିକୀ ବିକାଶର ପ୍ରାକୃତିକ ଧାରା ଯେ ଅନମନୀୟ ଏବଂ ଓଡ଼ିଆ ଭାଷା ସେହି ପ୍ରବାହରେ ସମୃଦ୍ଧ ଭବିଷ୍ୟତ ଦ୍ୱାରଦେଶରେ ଉପନୀତ, ଏଥିରେ ସନ୍ଦେହ ନାହିଁ।

ଡକ୍ଟର ପ୍ରଦୀପ ମହାପାତ୍ର
ବ୍ରହ୍ମପୁର, ମୋ: ୯୪୩୭୦୯୬୯୪୪

Leave A Reply

Your email address will not be published.