ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡ଼ିଶାର ଶତାବ୍ଦୀ-ସଙ୍କଳ୍ପ

ଉତ୍କଳ ଜନନୀର ବହୁ ବରପୁତ୍ରଙ୍କ ନିରବଚ୍ଛିନ୍ନ ଉଦ୍ୟମ ଫଳରେ ୧୯୩୬ ଏପ୍ରିଲ୍‌‌ ପହିଲାରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ଦେଶର ଭାଷାଭିତ୍ତିକ ପ୍ରଥମ ରାଜ୍ୟ ଭାବେ ଗଠିତ ହେଲା ଓଡ଼ିଶା ପ୍ରଦେଶ। ୨୦୩୬ରେ ଆମେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବାକୁ ଯାଉଛେ। ଏ ପରିପ୍ରେକ୍ଷୀରେ ଶତବାର୍ଷିକୀ ବେଳକୁ ଆମ ରାଜ୍ୟର ଚିତ୍ର ଓ ଚେହେରା କେତେ ସମୃଦ୍ଧ ହୋଇଥିବ ସେ ସଂକ୍ରାନ୍ତରେ ଓଡ଼ିଆମାନେ ଯଦି ଚିନ୍ତା ନ କରିବେ, ସ୍ୱପ୍ନ ନଦେଖିବେ, ଆମେ କେଉଁ କ୍ଷେତ୍ରରେ କେତେ ଆଗେଇଛୁ ଓ କେତେ ପଛେଇଛୁ ତାହାର କାରଣ ଖୋଜି ନିରାକରଣର ବାଟ ନକାଢ଼ିବେ, ବୁଦ୍ଧି ବିବେକ ଖଟାଇ ଉତ୍ସର୍ଗୀକୃତ ଉଦ୍ୟମ ନ କରିବେ ତେବେ ସମୃଦ୍ଧ ଓଡ଼ିଶାର ପରିକଳ୍ପନା କେବଳ ସ୍ୱପ୍ନରେ ରହିଯିବ। ତେଣୁ ଏବେଠାରୁ ଏ ପ୍ରସଙ୍ଗରେ ଆତ୍ମଚିନ୍ତନ ସହ ସକାରାତ୍ମକ ଦୃଷ୍ଟିଭଙ୍ଗୀ ନେଇ ଆମକୁ ସମୃଦ୍ଧିର ଶୀର୍ଷ ସ୍ଥାନରେ ପହଞ୍ଚିବା ପାଇଁ ଯୋଜନାବଦ୍ଧ ଉଦ୍ୟମ କରିବାକୁ ପଡ଼ିବ।

ଗୋଟିଏ ଜାତିର ପୁଞ୍ଜି ହେଉଛି ତାହାର ଭାଷା, ସାହିତ୍ୟ, ସଂସ୍କୃତି, ଶୃଙ୍ଖଳା, ସ୍ୱଚ୍ଛତା ଓ କର୍ମପ୍ରବଣତା। ଏହା ଦୁର୍ବଳ ହୋଇଗଲେ ଜାତିର ମୂଳଦୁଆ ଦୋହଲିଯାଏ। ତେବେ ବିଭିନ୍ନ କାରଣରୁ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଏବଂ ଓଡ଼ିଆମାନଙ୍କ କର୍ମପ୍ରବଣତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆମ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଅଧିକ ରୁଦ୍ଧିମନ୍ତ କରିବା ସହ ପୁଣି କର୍ମସଂସ୍କୃତିକୁ ବ୍ୟାପକ କରିବାକୁ ପଡ଼ିବ। ଓଡ଼ିଆକୁ ଜୀବନ ଜୀବିକାର ଭାଷା କରିବାକୁ ହେବ। ଏଥିସହିତ ସ୍ୱାଭିମାନ, ସ୍ୱାବଲମ୍ବନ ଓ ସ୍ୱରୋଜଗାରକୁ ଜୀବନର ମନ୍ତ୍ର ଭାବେ ଗ୍ରହଣ କରିନେଲେ ବ୍ୟକ୍ତି, ପରିବାର, ସମାଜ ଓ ଜାତିର ଜୀବନ ପୁଲକିତ ହୋଇଉଠିବ। ପ୍ରତି ସବଳ ହାତକୁ କାମ ଓ ପ୍ରତି କ୍ଷେତକୁ ପାଣିର ବ୍ୟବସ୍ଥା କରି ଆମେ ଆମ ରାଜ୍ୟକୁ ସୀମିତ ସମୟସୀମା ମଧ୍ୟରେ ସମୃଦ୍ଧ କରିପାରିବା। ବେକାରୀ ଓ ବେରୋଜଗାରୀ ବ୍ୟାଧିରୁ ମୁକ୍ତ ହେବା ପାଇଁ କେବଳ ସରକାରୀ ଚାକିରି ପଛରେ ନଗୋଡ଼ାଇ ସ୍ଥିର ନେତୃତ୍ୱରେ ଆମକୁ ଏଭଳି ବ୍ୟବସ୍ଥା ଆପଣାଇବାକୁ ପଡ଼ିବ. ଯେଉଁଥିରେ ଆମେ ଅନ୍ୟମାନଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରିପାରିବା। ଶ୍ରୀଜଗନ୍ନାଥ ସଂସ୍କୃତିର ମୃଦୁ ମଳୟ ଯୋଗୁଁ ଏକ ପବିତ୍ର ବାତାବରଣରେ ଆମେ ଗଢ଼ା। ଏଠି ଛୋଟବଡ଼ ଭେଦଭାବ ନାହିଁ, ଅସ୍ମୃଶ୍ୟତା ଓ ସାମ୍ପ୍ରଦାୟିକତାର କଳଙ୍କ ନାହିଁ ଏବଂ ଲିଙ୍ଗଗତ ବୈଷମ୍ୟ ନାହିଁ ବୋଲି ଆମକୁ ପୁଣି ପ୍ରମାଣିତ କରିବାକୁ ହେବ। ସମସ୍ତଙ୍କୁ ଯେଭଳି ଉନ୍ନତମାନର ଶିକ୍ଷା ଓ ସ୍ୱାସ୍ଥ୍ୟସେବା ମିଳେ ସେ ଦିଗରେ ବି ଆମକୁ ଅଧିକ ପ୍ରଯତ୍ନ କରିବାର ଆବଶ୍ୟକତା ରହିଛି। ଜନସଂଖ୍ୟାର ପ୍ରାୟ ଅଧା ମହିଳା ଥିବାରୁ ବିକାଶ କ୍ଷେତ୍ରରେ ସେମାନଙ୍କ ସଶକ୍ତୀକରଣ ଏକାନ୍ତ ପ୍ରୟୋଜନ।

ଅଧିକ ପଢନ୍ତୁ

ଓଡ଼ିଶାର ହସ୍ତଶିଳ୍ପ, ହସ୍ତତନ୍ତ, କଳାସ୍ଥାପତ୍ୟ ଆଦିର ଯେଉଁ ସୁନାମ ଓ ସୁଦୀର୍ଘ ଇତିହାସ ରହିଛି ତାହାକୁ ଅଧିକ ସମୃଦ୍ଧ କରିବାକୁ ପଡ଼ିବ। ପ୍ରକୃତିମାତା ଆମକୁ ଆଶୀର୍ବାଦ ସ୍ୱରୂପ ଯେତେ ସମ୍ପଦ ଦେଇଛନ୍ତି, ତାହାର ସୁରକ୍ଷା ସହିତ ଆବଶ୍ୟକତାଭିତ୍ତିକ ବିନିଯୋଗ ଲାଗି ଆମ ପାଖରେ ଯେତେସବୁ ସୁଯୋଗ ରହିଛି, ତାହାର ବି ଉପଯୋଗ କରିବାକୁ ପଡ଼ିବ। ରାଜ୍ୟକୁ ପ୍ରଦୂଷଣମୁକ୍ତ କରିବା ଲାଗି ବି ଆମ ପାଇଁ ବଡ଼ ଆହ୍ୱାନ ରହିଛି। ସମଗ୍ର ବିଶ୍ୱ ଜଳବାୟୁ ପରିବର୍ତ୍ତନ ଘେନି ଆତଙ୍କିତ ହୋଇପଡ଼ିଥିବାବେଳେ ଆମର ଜଳ, ଜମି, ପବନ, ଜଙ୍ଗଲ, ଖଣିଜସମ୍ପଦ ଆଦିର ଆବଶ୍ୟକତା ଭିତ୍ତିକ ଉପଯୋଗ କରିବାକୁ ହେବ। ଆମ ରାଜ୍ୟ ଜନସଂଖ୍ୟାର ପାଖାପାଖି ୪୦ ପ୍ରତିଶତ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ହୋଇଥିବାରୁ ସେମାନଙ୍କର ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ବିକାଶ ନଘଟିଲେ ଆମକୁ ବହୁମୂଲ୍ୟ ଦେବାକୁ ପଡ଼ିବ। ବିଭିନ୍ନ କ୍ଷେତ୍ରରେ ବିକାଶ ସତ୍ତ୍ବେ ଆମ ରାଜ୍ୟ ଜନସଂଖ୍ୟାର ୮୦ ପ୍ରତିଶତରୁ ଅଧିକ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ଚାଉଳ ଉପରେ ନିର୍ଭରଶୀଳ। ଏହାସତ୍ତ୍ବେ ଅପପୁଷ୍ଟି, ରକ୍ତହୀନତା ଆଜି ବି ଆମ ପାଇଁ ବଡ଼ ଆହ୍ୱାନ ହୋଇ ରହିଛି। ଏଥିରୁ ମୁକ୍ତି ଲାଗି ‘ଗ୍ରାମସ୍ୱରାଜ’ ରାସ୍ତାରେ ଓଡ଼ିଶାକୁ ଆଗେଇ ନେଇ ପ୍ରତି ଗାଁକୁ ସ୍ୱାବଲମ୍ବୀ କରିବାକୁ ପଡ଼ିବ। ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଲାଗି ଗାଁର ବିବାଦ ଗାଁରେ ମେଣ୍ଟାଇ ଅଦାଲତ, ପୁଲିସ ଓ ସରକାରଙ୍କ ଉପରୁ ଚାପ କମାଇବାକୁ ହେବ। ହିଂସା, ନିଶା, ଘୃଣା, ଦ୍ୱେଷ, ଭୟ, ପରଶ୍ରୀକାତରତା, ଅପରାଧ, ହୀନମନ୍ୟତା, କୁତ୍ସାରଟନା ଆଦି ଆମ ବିକାଶ ପଥରେ ବଡ଼ ବାଧକ ହୋଇଥିବାରୁ ଏଥିରୁ ମୁକ୍ତି ପାଇଁ ଆମକୁ କଠୋର ପଦକ୍ଷେପ ନେବାକୁ ପଡ଼ିବ।

ରାଜ୍ୟକୁ ସ୍ୱାବଲମ୍ବୀ କରିବା ଲାଗି କେତେଗୁଡ଼ିଏ କ୍ଷେତ୍ର ଉପରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଶହେ ବର୍ଷ ପୂର୍ତ୍ତି ପୂର୍ବରୁ ଏ ଦିଗରେ ଆମେ ସମୟଭିତ୍ତିକ କାର୍ଯ୍ୟକ୍ରମ ଗ୍ରହଣ କରିବା ଆବଶ୍ୟକ। ଓଡ଼ିଶାର ୪୮୦କିମି ଦୈର୍ଘ୍ୟର ସାମୁଦ୍ରିକ ବେଳାଭୂମି ଓ ୧୧ଶହ ବର୍ଗକିଲୋମିଟର ପରିବ୍ୟାପ୍ତ ଲବଣାକ୍ତ ହ୍ରଦ ଚିଲିକା ଥିବାରୁ ଲୁଣ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାକୁ ସ୍ୱାବଲମ୍ବୀ କରାଯିବା ସହ ବାର୍ଷିକ ଅନ୍ୟୂନ ୫୦ଲକ୍ଷ ମେଟ୍ରିକ୍‌‌ଟନ୍‌‌ ଲୁଣ ରପ୍ତାନୀ କରାଯାଇପାରିଲେ ଲକ୍ଷାଧିକ କର୍ମନିଯୁକ୍ତି ସହିତ ରାଜ୍ୟର ଆର୍ଥିକ ସମୃଦ୍ଧି ଆସିପାରିବ। ସେହିଭଳି କପଡ଼ା, ଚିନି, ତେଲ, ପନିପରିବା, ଫଳ, ମାଛ, ଅଣ୍ଡା, ଫୁଲ, ଡାଲି, ଗହମ ଆଦି କ୍ଷେତ୍ରରେ ରାଜ୍ୟକୁ ସ୍ୱାବଲମ୍ବୀ କରାଯିବା ସହ ବଳକାସାମଗ୍ରୀ ରପ୍ତାନୀ ଲାଗି ବ୍ୟବସ୍ଥା କରାଯାଇପାରିଲେ ଓଡ଼ିଶାର ବିକାଶ ବାରି ହୋଇଯିବ। କେବଳ ଧାନ ଉପରେ ନିର୍ଭର ନକରି ବିଭିନ୍ନ ପ୍ରକାର ଅର୍ଥକରୀ ଫସଲ ଉତ୍ପାଦନ ସହ ସଂରକ୍ଷଣ ଲାଗି ଆମକୁ ପର୍ଯ୍ୟାପ୍ତ ସଂଖ୍ୟକ ଶୀତଳ ଭଣ୍ଡାର, କୃଷିଶିଳ୍ପ ଓ କୃଷି ବଜାରର ବ୍ୟବସ୍ଥା କରିବାକୁ ହେବ। ଜଙ୍ଗଲ ସଂରକ୍ଷଣ ଓ ଉଜୁଡ଼ା ଜଙ୍ଗଲର ବିକାଶ ସହ ଜଙ୍ଗଲଜାତ ସାମଗ୍ରୀର ଉପଯୁକ୍ତ ବିନିଯୋଗ ଓ ବଜାର ପାଇଁ ମଧ୍ୟ ସୁଯୋଗ ସୃଷ୍ଟି କରିବାକୁ ପଡ଼ିବ। ବଢ଼଼ି ଚାଲିଥିବା ଆର୍ଥିକ ତାରତମ୍ୟର ଅନ୍ତ ଘଟାଇ ରାଜ୍ୟକୁ ସମବିକାଶ କ୍ଷେତ୍ରରେ ଆଗେଇ ନେବାକୁ ହେବ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶହେବର୍ଷ ପୂର୍ତ୍ତି ବେଳକୁ ରାଜ୍ୟରେ ଖାଦ୍ୟ, ବସ୍ତ୍ର ଓ ବାସଗୃହର ଯେପରି ଅଭାବ ନଥିବ, ଶିକ୍ଷା ଓ ସ୍ୱାସ୍ଥ୍ୟସେବାରୁ ଯେପରି କେହି ବଞ୍ଚିତ ନ ରୁହନ୍ତି ଏବଂ ବାଣିଜ୍ୟିକ କ୍ଷେତ୍ରରେ ଆମେ ବଳକା ହେବା ସେ ଦିଗରେ ମଧ୍ୟ ଆମକୁ ସଙ୍କଳ୍ପବଦ୍ଧ ସାଧନା କରିବାକୁ ହେବ। ରାଜ୍ୟର ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବାକୁ ପଡ଼ିବ। ସବୁଘରେ ଏବଂ ବିଶେଷକରି କୃଷି ଓ କୁଟୀରଶିଳ୍ପ କ୍ଷେତ୍ରରେ ବିଦ୍ୟୁତ୍‌‌ ଶକ୍ତି ଓ ଆଧୁନିକ ଜ୍ଞାନକୌଶଳର ଉପଯୋଗକୁ ଆଖିରେ ରଖି ଆମକୁ ତାପଜ ବିଦ୍ୟୁତ୍‌‌ ପରିବର୍ତ୍ତେ ସୌରଶକ୍ତି ଓ ସାମୁଦ୍ରିକ ଶକ୍ତିରୁ ବିଦ୍ୟୁତ୍‌‌ ସଂଗ୍ରହ କରିବାକୁ ପଡ଼ିବ। ପ୍ରତି ଗାଁକୁ ସଂଯୋଗ ବ୍ୟବସ୍ଥାର ସୁଦୃଢ଼ୀକରଣ କରିବାକୁ ହେବ। ରାଜନୈତିକ, ପ୍ରଶାସନିକ, ବିଜ୍ଞାନ ଓ ବୈଷୟିକ ଆଦି କ୍ଷେତ୍ରରେ ଓଡ଼ିଆମାନେ ଦେଶ ବିଦେଶରେ ଯେପରି ନେତୃତ୍ୱ ନେବେ, ସେଥିପାଇଁ କ୍ଷେତ୍ର ପ୍ରସ୍ତୁତ କରିବାକୁ ହେବ। କ୍ରୀଡ଼ା, ସଙ୍ଗୀତ, ନୃତ୍ୟ ଓ ଅନ୍ୟାନ୍ୟ ଲୋକକଳାର ବିକାଶ ଘଟାଇ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଆମ ପାଇଁ ଆହ୍ୱାନ। କ୍ଷୁଧା, ଦାରିଦ୍ର୍ୟ, ବେକାରୀ ଓ ଦାଦନରୁ ମୁକ୍ତି ସହ ନାରୀ, ଯୁବକ, କୃଷକ, ଶ୍ରମିକ ଓ ଶିଳ୍ପୀମାନଙ୍କୁ ଅଧିକ ସଶକ୍ତ କରିବାକୁ ହେବ। ନୀତି, ନୈତିକତା ଓ ଆଧ୍ୟାତ୍ମିକତାର ବିକାଶ ବ୍ୟକ୍ତି ଜୀବନରେ ଘଟାଇବା ପାଇଁ ଅହିଂସା, ସତ୍ୟ, ଅଚୌର୍ଯ୍ୟ, ବ୍ରହ୍ମଚର୍ଯ୍ୟ, ମିତବ୍ୟୟତା, ଶରୀରଶ୍ରମ, ନିର୍ଭୀକତା, ସର୍ବଧର୍ମ ସମଭାବ, ଭାଇଚାରା ଆଦିକୁ ବ୍ରତ ଭାବେ ବରିନେବାକୁ ପଡ଼ିବ।

ଏଥିସହିତ ପଢ଼ନ୍ତୁ

ପ୍ରତିଟି ଓଡ଼ିଆ ମା’, ମାତୃଭୂମି, ମାତୃଭାଷା ପ୍ରତି ନିଜର ଅଙ୍ଗୀକାରବଦ୍ଧତା ପ୍ରଦର୍ଶନ କରିବା ସହ ପ୍ରତିଦିନ ଏ ପ୍ରସଙ୍ଗରେ ଅନ୍ତତଃ କିଛି ସମୟ ଚିନ୍ତା ଓ କାମ କରନ୍ତୁ। ସଫଳତାର ଶିଡ଼ି ଚଢ଼ିବା କ୍ଷେତ୍ରରେ ବିଫଳତାକୁ ପାହାଚ ଭାବେ ବ୍ୟବହାର କରିବାର ମାନସିକତା ଆମର ରହିବା ଦରକାର। ସେବା, ସାଧନା, ଶୃଙ୍ଖଳା, ସଙ୍କଳ୍ପର ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ଆସନ୍ତୁ ଦଳ-ମତ ନିର୍ବିଶେଷରେ ଆମେ ସମୃଦ୍ଧ ଓଡ଼ିଶା ଗଠନର ସଙ୍କଳ୍ପକୁ ୨୦୩୬ ସୁଦ୍ଧା ସାକାର କରିବାକୁ ନିଜଆଡ଼ୁ ନିଜେ ଦାୟିତ୍ୱ ନେଇ କାମ କରିବା। ୧,୫୫,୭୦୭ ବର୍ଗକିମି କ୍ଷେତ୍ରଫଳ ବିଶିଷ୍ଟ ଆମ ରାଜ୍ୟର ପ୍ରତି ଇଞ୍ଚ ଜମିର ସୁରକ୍ଷା ଓ ବିକାଶ ଲାଗି ପ୍ରତିଟି ଓଡ଼ିଆ ଗାଁରୁ ରାଜଧାନୀ ପର୍ଯ୍ୟନ୍ତ ଏମିତି ସମର୍ପିତ ହୋଇ କାମ କରନ୍ତୁ, ଯେପରି ଅନୁଭୂତ ହେବ ଯେ ଗାଁରେ ସେମାନେ ସରକାର ଏବଂ ଭୁବନେଶ୍ୱର ଓ ଦିଲ୍ଲୀରେ ରହିଛି ସେମାନଙ୍କର ସରକାର। ଏହାହେଉ ଓଡ଼ିଶା ପ୍ରଦେଶ ଗଠନର ଶହେବର୍ଷ ପୂର୍ତ୍ତିର ଆହ୍ୱାନ।

ପ୍ରହଲାଦ କୁମାର ସିଂହ
ଭୁବନେଶ୍ୱର, ମୋ: ୯୪୩୭୦୧୭୩୯୫

Leave A Reply

Your email address will not be published.