ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆମର ଅବହେଳିତ କୀର୍ତ୍ତିରାଜି

ଭାରତ ଐତିହାସିକ ଆଉ ସାଂସ୍କୃତିକ ଦୃଷ୍ଟିରୁ ଅତ୍ୟନ୍ତ ସମୃଦ୍ଧଶାଳୀ ରାଷ୍ଟ୍ର। ଯେଉଁଠି ସାମାଜିକ ସାଂସ୍କୃତିକ ଧାରା ବହୁ ପ୍ରାଚୀନକାଳରୁ ଅବିରତ ଚାଲିଆସିଛି। ଆମର କୀର୍ତ୍ତିରାଜି ଅନେକତାରେ ଏକତାର ପ୍ରକୃତ ଅର୍ଥରେ ପ୍ରତିବିମ୍ବିତ ଆଉ ପ୍ରଦର୍ଶିତ କରୁଛି। ଏହାକୁ ଦେଖି ଭାରତର ସମନ୍ୱୟବାଦୀ ସଂସ୍କୃତି ଆଉ ଅସ୍ତିତ୍ୱବାଦୀ ଜୀବନ ଦୃଷ୍ଟିର ଗଭୀରତା ଉପଲବ୍ଧି କରି ହୁଏ।

ବର୍ତ୍ତମାନ ସମୟରେ ଐତିହାସିକ ଆଉ ପ୍ରତ୍ନତାତ୍ତ୍ୱିକ ମହତ୍ତ୍ୱର ୩୬୯୩ ସ୍ମାରକ ଅଛି, ଯାହାକୁ କେନ୍ଦ୍ର ସରକାର ସଂରକ୍ଷିତ କରିଛନ୍ତି। ଏଥିମଧ୍ୟରୁ ୫୦ ସ୍ମାରକ ଅପ୍ରାପ୍ୟ ରହିଛି। ଗତ ଡିସେମ୍ବର ମାସ ୮ ତାରିଖରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ସଂଯୁକ୍ତ ସଂସଦୀୟ ସ୍ଥାୟୀ ସମିତି ପ୍ରସ୍ତୁତ କରିଥିବା ରିପୋର୍ଟରେ ଏହା କୁହାଯାଇଛି। ରାଷ୍ଟ୍ରୀୟ ମହତ୍ତ୍ୱ ଧାରଣ କରୁଥିବା କେତେକ ସ୍ମାରକ ନିଶ୍ଚିହ୍ନ ହେବାରେ ଲାଗିଛି। ଏହି ସ୍ମାରକମଧ୍ୟରୁ କେତେକ ସହରୀକରଣ, ଜଳାଶୟ ଓ ନଦୀବନ୍ଧ ନିର୍ମାଣ ସମୟରେ ବିଲୁପ୍ତ ହୋଇଥିବାବେଳେ ଆଉ କେତେକ ଘଞ୍ଚଜଙ୍ଗଲ ମଧ୍ୟରେ ଚିହ୍ନଟ ହୋଇ ପାରିନଥିବା ଯୋଗୁଁ ଲୁପ୍ତ ହୋଇଯାଉଛନ୍ତି। ଦିଲ୍ଲୀ ଓ ହରିଆନାରେ ଦୁଇ ଦୁଇଟି ସ୍ମାରକ ଏଭଳି ଲୁପ୍ତ ହୋଇଥିବା ଜଣାପଡ଼ିଛି। ସେହିପରି ଆସାମ, ପଶ୍ଚିମବଙ୍ଗ, ଅରୁଣାଚଳ ପ୍ରଦେଶ, ଉତ୍ତରାଖଣ୍ଡର ଅନେକ ସ୍ମାରକ ଉପରୋକ୍ତ କାରଣ ଯୋଗୁଁ ହଜି ଯାଇଛି।

ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ବିଭାଗ ଅନୁସାରେ ଏହି ସ୍ମାରକଗୁଡ଼ିକ ମଧ୍ୟରୁ ୧୪ଗୋଟି ସ୍ମାରକ ଦ୍ରୁତ ସହରୀକରଣ କାରଣରୁ ହଜିଯାଇଛି। ସେହିପରି ୧୨ଗୋଟି ସ୍ମାରକ ଜଳାଶୟମାନଙ୍କରେ ଆଉ ନଦୀବନ୍ଧ ଯୋଜନାରେ ପାଣିରେ ବୁଡ଼ିଯାଇଛି। ଅନ୍ୟ ୨୪ଟି ଗୋଟି ସ୍ମାରକ ଖୋଜିବା ପ୍ରାୟ ଅସମ୍ଭବ ବୋଲି ଜଣାପଡ଼ିଛି। ଏହି ରିପୋର୍ଟ ଅନୁସାରେ ୧୯୩୦, ୧୯୪୦, ୧୯୫୦ ଦଶକରେ ବହୁସଂଖ୍ୟାରେ ସଂରକ୍ଷିତ ସ୍ମାରକଗୁଡ଼ିକର ଚିହ୍ନଟ କରାଯାଇଥିଲା। ସ୍ୱାଧୀନତା ପ୍ରାପ୍ତି ପରେ ସେଗୁଡ଼ିକର ସଂରକ୍ଷଣ କରିବା ପରିବର୍ତ୍ତେ ନୂଆ ସ୍ମାରକଗୁଡ଼ିକର ସନ୍ଧାନ କରିବାରେ ଧ୍ୟାନ କେନ୍ଦ୍ରିତ କରାଗଲା।

ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗର ଅଧିକାରୀମାନଙ୍କ କହିବା କଥା ଯେ ସ୍ୱାଧୀନତା ପ୍ରାପ୍ତି ପରେ ସରକାରଙ୍କ ପ୍ରାଥମିକତା ସ୍ୱାସ୍ଥ୍ୟ ଆଉ ବିକାଶ ଉପରେ ଥିଲା। ଏଥିଯୋଗୁଁ ଛୋଟ ଛୋଟ ସ୍ମାରକ ମଧ୍ୟରୁ ଅନେକ ରକ୍ଷଣାବେକ୍ଷଣ ଅଭାବରୁ ବିଲୁପ୍ତ ହେବାକୁ ବସିଲାଣି। ସୋମନଙ୍କ କହିବା ଅନୁସାରେ ସଂସ୍ଥା ନିକଟରେ ପର୍ଯ୍ୟାପ୍ତ ପରିମାଣରେ ଧନରାଶି ଆଉ କର୍ମଚାରୀମାନଙ୍କ ଅଭାବ ରହିଛି। କମ୍‌‌ ବଜେଟ ଯୋଗୁଁ ବର୍ତ୍ତମାନ ସମୟରେ ୩୬୯୩ ସଂରକ୍ଷିତ ସ୍ଥଳ ମଧ୍ୟରୁ କେବଳ ୨୪୮ଗୋଟି ସ୍ଥଳରେ ସୁରକ୍ଷାକର୍ମୀ ମୁତୟନ ଅଛନ୍ତି। ଉଲ୍ଲେଖନୀୟ, ୨୦୧୩ରେ ସିଏଜି ୯୨ଗୋଟି ସ୍ମାରକସ୍ଥଳ ଲୁପ୍ତ ହେବାର ଉଲ୍ଲେଖ କରିଥିଲେ। ଏ ବିଷୟକୁ ନେଇ ୨୦୧୭ରେ ଲୋକସଭାରେ ପ୍ରଶ୍ନ ଉଠିଥିଲା। ତତ୍‌‌କାଳୀନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଐତିହାସିକ ଏବଂ ସଂରକ୍ଷିତ କୀର୍ତ୍ତିରାଜିର ବିଲୁପ୍ତ ତଥା ଅତିକ୍ରମଣର ପ୍ରଶ୍ନର ଉତ୍ତର ଦେଇ କହିଥିଲେ ‘ଅରୁଣାଚଳ ପ୍ରଦେଶରେ କାପର ଟେମ୍ପୁଲ, ଆସାମର ତିନିସୁକିଆରେ ଶେରଶାହାଙ୍କ ଅସ୍ତ୍ର, ଦିଲ୍ଲୀର ବାରାଖମ୍ବା ଏବଂ ପଶ୍ଚିମବଙ୍ଗର ନଦିଆ ଜିଲ୍ଲାର ବମନପୁକୁର ଦୁର୍ଗର ଖଣ୍ଡହର ଆଦିର ଖୋଜ ଖବର ମିଳୁନାହିଁ। ସେସବୁ ଖୋଜିବା ପାଇଁ ପୁରୁଣା ଦସ୍ତାବିଜ, ସତ୍ୟପାଠ, ରାଜସ୍ୱ ମାନଚିତ୍ର, ପ୍ରକାଶିତ ରିପୋର୍ଟ, ଭୌଗୋଳିକ ନିରୀକ୍ଷଣ କରାଯାଉଛି।

ଏଥିସହିତ ପଢ଼ନ୍ତୁ

ଖୁସିର କଥା ଯେ ସିଏଜି ଦ୍ୱାରା ନିଖୋଜ ଘୋଷିତ ସ୍ମାରକମାନଙ୍କ ମଧ୍ୟରୁ ୪୨ ଗୋଟି ସ୍ମାରକକୁ ଖୋଜି ବାହାର କରାଯାଉଛି। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ଗତ ୮ବର୍ଷରେ ୮,୪୭୮ ଗ୍ରାମକୁ ସର୍ବେକ୍ଷଣ କରିଥିଲେ। ସ୍ୱାଧୀନତା ପ୍ରାପ୍ତି ପରେ ୧୯ରାଜ୍ୟ ଆଉ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକରେ ଥିବା କେନ୍ଦ୍ର ସଂରକ୍ଷିତ ସ୍ମାରକ ସ୍ଥଳରୁ ୨୧୦ ଚୋରି ଘଟଣା ସାମନାକୁ ଆସିଛି, ଯେଉଁଥିରେ ୪୮୬ ବସ୍ତୁଗୁଡ଼ିକ ନିଜସ୍ଥାନରୁ ଗାଏବ ହୋଇଯାଇଛି। ସେଥିମଧ୍ୟରୁ ୯୧ଗୋଟି ବସ୍ତୁ ଠାବ କରାଯାଇଛି।

ପ୍ରାଚୀନ ଶିଶୁପାଳଗଡ଼ର ୨୩୦୦ ବର୍ଷର ପୁରୁଣା ପ୍ରାଚୀରକୁ ଜମି ମାଫିଆମାନେ ଭାଙ୍ଗିଦେଇଥିବା ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଧିକାରୀମାନେ କହିଛନ୍ତି। ଏହାଦ୍ୱାରା ପ୍ରାଚୀନ କୀର୍ତ୍ତିରାଜିର ରକ୍ଷଣାବେକ୍ଷଣ ଦିଗରେ ବହୁତ କ୍ଷତି ପହଞ୍ଚିଛି। ରାଜସ୍ଥାନର ଅଧିକାଂଶ କୀର୍ତ୍ତିରାଜି ପ୍ରଶାସନ ସ୍ତରରେ ଉପେକ୍ଷିତ ରହିଛି। ଭରତପୁରରେ ୧୭୦୨ରେ ନିର୍ମିତ ମହଲ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ପ୍ରକୃତ ରକ୍ଷଣାବେକ୍ଷଣ ହେଉନଥିବାର ଅଭିଯୋଗ ହେଉଛି। ଭରତପୁରର ସଂସ୍ଥାପକ ମହାରାଜା ସୁରଜମଲଙ୍କ କକା ଅତିରାମ ହଲୌନା ଗ୍ରାମରେ ୧୭୦୭ରେ ଏହି ମହଲ ନିର୍ମାଣ କରିଥିଲେ। ୧୯୯୨ରେ ଏହାକୁ ସ୍କୁଲ ପାଇଁ ଦାନ କରାଯାଇଥିଲା। ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ଥିବାରୁ ସେହି କୋଠାକୁ ଛାତ୍ରଛାତ୍ରୀମାନଙ୍କୁ ଯିବାକୁ ନିଷେଧ କରାଯାଇଛି।

ବିଶ୍ୱ ପ୍ରସିଦ୍ଧ ବୌଦ୍ଧପୀଠ ରତ୍ନଗିରି, ଉଦୟଗିରି ଓ ଲଳିତଗିରି ପରିବେଷ୍ଟନୀ ମଧ୍ୟରେ ଆଉ ଏକ ବୌଦ୍ଧ କୀର୍ତ୍ତିରାଜି ଆବିଷ୍କୃତ ହୋଇଛି। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ପଲଇ ମୌଜାର ଶୁଖୁଆପଡ଼ା ପାହାଡ଼ ଶୀର୍ଷରେ ‘ପାରାଭାଡ଼ି‘ (ପଥରସ୍ତୂପ)କୁ ଖନନ କରାଗଲା ବେଳେ ପଦ୍ମପାଣି ମୁଦ୍ରାରେ ବୁଦ୍ଧଙ୍କ ଭଗ୍ନପ୍ରତିମୂର୍ତ୍ତି ଓ ବହୁ ଐତିହାସିକ ବିରଳମୂର୍ତ୍ତି ଭଗ୍ନ ଅବସ୍ଥାରେ ବାହାରୁଛି।

ଯାଜପୁର ଜିଲ୍ଲାର ବିଭିନ୍ନ ମନ୍ଦିରରୁ ଚୋରି ହୋଇଥିବା ୩୧ଟି ମୂର୍ତ୍ତି ଇତିମଧ୍ୟରେ ଉଦ୍ଧାର ହୋଇଛି। ୧୯୭୧ରେ ତାମିଲନାଡ଼ୁରୁ ଏକ ଦୁର୍ଲ୍ଲଭ ଦେବୀ ମୂର୍ତ୍ତି ଚୋରି ହୋଇଥିଲା। ପ୍ରାୟ ୫୧ ବର୍ଷ ପରେ ଏବେ ଏହା ଆମେରିକାର ନ୍ୟୁୟର୍କ ସହରରେ ଠାବ ହୋଇଛି। ଦ୍ୱାଦଶ ଶତାଦ୍ଦୀର ଏହି ମୂର୍ତ୍ତି ମାଆ ପାର୍ବତୀଙ୍କର। ଏହା ଲଣ୍ଡନସ୍ଥିତ ଏକ ଅନ୍ତର୍ଜାତୀୟ ନିଲାମ ପରିଚାଳନାକାରୀ ଘରୋଇ ସଂସ୍ଥା ହାତକୁ ଯାଇଥିଲା। ତାମିଲନାଡ଼ୁରେ ୧୯୭୧ରେ ନଦନାପୁରେଶ୍ୱର ଶିବମନ୍ଦିରରୁ ୫ଟି ମୂର୍ତ୍ତି ଚୋରି ହୋଇଥିଲା। ଏଥିରେ ପାର୍ବତୀଙ୍କ ମୂର୍ତ୍ତି ମଧ୍ୟ ଥିଲା। ୨୦୦୯ରେ ମନ୍ଦିର ଟ୍ରଷ୍ଟ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ମୂର୍ତ୍ତିର ଉଚ୍ଚତା ୫୨ ସେ.ମି. ଏବଂ ଏହାର ମୂଲ୍ୟ ୨,୧୨,୫୭୫ ଡଲାର ବୋଲି ପୁଲିସ କହିଛି। ୨୦୧୪ ପରଠାରୁ ଭାରତକୁ ସଫଳତା ପୂର୍ବକ ୨୦୦ରୁ ଅଧିକ ମୂଲ୍ୟବାନ ମୂର୍ତ୍ତି ଫେରାଇ ଅଣାଯାଇଥିବା ସୂଚନା ମିଳିଛି। ଓଡ଼ିଶାର ସୋନପୁର ଜିଲ୍ଲାର ମହାନଦୀ କୂଳରେ ଅନେକ ପ୍ରାଚୀନ ମନ୍ଦିର ରହିଛି। ରକ୍ଷଣାବେକ୍ଷଣ ନହେଲେ ବନ୍ୟାରେ ତାହା ନଦୀଗର୍ଭରେ ବିଲୀନ ହେବାର ଆଶଙ୍କା ରହିଛି। ଭାରତର କୀର୍ତ୍ତିରାଜିର ପ୍ରକୃତ ରକ୍ଷଣାବେକ୍ଷଣ ଦିଗରେ ରାଜ୍ୟ ଆଉ କେନ୍ଦ୍ର ସରକାର ଆନ୍ତରିକତା ସହ ଉଦ୍ୟମ କରିବା ଦରକାର।

ପଞ୍ଚାନନ ଅଗ୍ରୱାଲା
ଭୁବନେଶ୍ୱର, ମୋ: ୯୭୭୭୭୪୪୦୭୧

Leave A Reply

Your email address will not be published.