ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜିର ଗଣମାଧ୍ୟମ

ଆଜିକାଲି ସମସ୍ତ ରାଜନୈତିକ ଦଳ, ବଡ଼ ବଡ଼ ବ୍ୟବସାୟ ପ୍ରତିଷ୍ଠାନ ନିଜ ନିଜ ପକ୍ଷ ରଖିବା ପାଇଁ ଜନସମ୍ପର୍କ ଅଧିକାରୀ ବା ପ୍ରବକ୍ତା ନିଯୁକ୍ତି କରୁଛନ୍ତି। କିନ୍ତୁ ଜନଗଣଙ୍କ ପକ୍ଷ ରଖିବା ପାଇଁ ଥିବା ବିକଳ୍ପର ପରିସର ଦିନକୁ ଦିନ ସଂକୁଚିତ ହେବାରେ ଲାଗୁଥିବା ଅଭିଯୋଗ ହେଉଛି। ସରକାରଙ୍କ ପାଖରେ ଗଣମାନଙ୍କ ପ୍ରବକ୍ତା ହିସାବରେ ଗଣମାଧ୍ୟମ ହିଁ ଗଣତନ୍ତ୍ରରେ ଏକମାତ୍ର ବିକଳ୍ପ। କିନ୍ତୁ ଯେତେବେଳେ ଗଣମାଧ୍ୟମ ପକ୍ଷଧାର ହୋଇଯାଏ, ଗଣମାନଙ୍କ ସ୍ୱର ଚାପି ହୋଇ ରହିଯାଏ, ସେତେବେଳେ ଏଭଳି ଅଭିଯୋଗ ଉଠିବା ସ୍ୱାଭାବିକ।

ଗତ କିଛିମାସ ପୂର୍ବରୁ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିଠାରେ ଉଚ୍ଚ ନ୍ୟାୟାଳୟ ତରଫରୁ ଆୟୋଜିତ ‘ସତ୍ୟବ୍ରତ ସିହ୍ନା ‘ସ୍ମାରକୀ ବକ୍ତୃତା’ ଅବସରରେ ଭାରତର ତତ୍କାଳୀନ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଏନ୍‌‌ ଭେଙ୍କଟରାମନ୍ନା ସାମ୍ପ୍ରତିକ ଗଣମାଧ୍ୟମର କାର୍ଯ୍ୟଶୈଳୀ ଉପରେ ଗୁରୁତ୍ୱପୂର୍ଣ ଟିପ୍ପଣୀ ପ୍ରଦାନ କରିଥିଲେ। ସେ ଅତ୍ୟନ୍ତ କ୍ଷୋଭ ପ୍ରକାଶ କରି କହିଥିଲେ ଯେ, ବିଶେଷକରି ଡିଜିଟାଲ୍‌‌ ଓ ସାମାଜିକ ଗଣମାଧ୍ୟମଗୁଡ଼ିକ କୌଣସି ଖବରର ସତ୍ୟାସତ୍ୟ ଅନୁଧ୍ୟାନ ନ କରି, ନ ପରଖି ଏକପାଖିଆ ତଥା ଭ୍ରମାତ୍ମକ ସୂଚନା ପରିବେଷଣ କରୁଛନ୍ତି।

ଅନେକ ସମୟରେ ଡିଜିଟାଲ୍‌‌ ଓ ସାମାଜିକ ଗଣମାଧ୍ୟମର ନକାରାତ୍ମକ ଉପଯୋଗ ସମ୍ପର୍କରେ ଜନସାଧାରଣ ଅନେକ ଟାହି ଟାପରା କରିଆସୁଥିଲେ। ଭାରତର ପ୍ରାକ୍ତନ ମୁଖ୍ୟ ବିଚାରପତିଙ୍କ ମୁଖରୁ ଏଭଳି ଟିପ୍ପଣୀ ନିଶ୍ଚିତ ଭାବରେ ଗୁରୁତ୍ୱ ବହନ କରେ, ଯାହାକି ଏ ସମ୍ପର୍କିତ ବିତର୍କକୁ ଆହୁରି ଚର୍ଚ୍ଚା କରିବା ପାଇଁ ଖୋରାକ ଯୋଗାଇଛି। ତେବେ ମୁଦ୍ରିତ ଗଣମାଧ୍ୟମ ଏ କ୍ଷେତ୍ରରେ ତୁଳନାତ୍ମକ ଭାବେ ଦାୟିତ୍ୱସମ୍ପନ୍ନ ତଥା ସଂଯମୀ ବୋଲି ଶ୍ରୀରାମନ୍ନା କହିଥିଲେ।

ଅନେକ ସମୟରେ ଦେଖାଯାଉଛି ଯେ କତିପୟ ବୈଦ୍ୟୁତିକ ଓ ଡିଜିଟାଲ୍‌‌ ଗଣମାଧ୍ୟମ ନ୍ୟାୟପାଳିକାରେ ବିଚାରାଧୀନ ବିଷୟମାନଙ୍କ ଉପରେ ‘ଚାଞ୍ଚଲ୍ୟକର ତଥା ଉତ୍ତେଜନାମୂଳକ ଖବର ପରିବେଷଣ ପୂର୍ବକ ନ୍ୟାୟାଳୟର ସ୍ୱାଧୀନତା କ୍ଷୁଣ୍ଣ କରୁଛନ୍ତି। ଅଦାଲତରେ ଶୁଣାଣିକୁ ଏହାଦ୍ୱାରା ପ୍ରଭାବିତ କରିବା ପାଇଁ ଏକପ୍ରକାର ପ୍ରଚେଷ୍ଟା କରାଯାଉଛି ବୋଲି ବୁଦ୍ଧିଜୀବୀମାନେ ମତ ଦେଉଛନ୍ତି। ବୈଦ୍ୟୁତିକ ଗଣମାଧ୍ୟମମାନେ ପ୍ରକୃତରେ ପ୍ରତି ପ୍ରସଙ୍ଗକୁ ନେଇ ଆପଣାଛାଏଁ ନିଜସ୍ୱ ରାୟ ଦେବା ଭଳି ଅବାଞ୍ଛିତ ନିଷ୍ପତ୍ତି ଜନସାଧାରଣଙ୍କ ଉପରେ ଲଦି ଦେଉଛନ୍ତି। ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ତଥା ସ୍ୱାର୍ଥ ସମ୍ୱଳିତ ବିଷୟ ଉପରେ ବିତର୍କ ଆୟୋଜନ କରି ଦେଶରେ ବିଭିନ୍ନ ସମୟରେ ବିବାଦ ସୃଷ୍ଟି କରାଯାଉଥିବା ମଧ୍ୟ ଅଭିଯୋଗ ହେଉଛି। ଅନେକ ସମୟରେ ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମ ଆଲୋଚନାର ଉଷ୍ମତାକୁ ବଜାୟ ରଖି ଦର୍ଶକମାନଙ୍କୁ ବାନ୍ଧି ରଖିବା ପାଇଁ କ’ଣ କରଣୀୟ ଓ ଅକରଣୀୟ ସେ ସମ୍ପର୍କରେ ବିତର୍କକୁ କ୍ରମାଗତ ଭାବେ ବଜାୟ ରଖୁଛନ୍ତି। ବାକଚାତୁରୀ ଥିବା ଲୋକଙ୍କ ପାଇଁ ବୈଦ୍ୟୁତିକ ଗଣମାଧ୍ୟମର ଏଭଳି କାର୍ଯ୍ୟକ୍ରମ ବିରାଡ଼ି କପାଳକୁ ଶିକା ଛିଣ୍ଡିବା ସଦୃଶ ହୋଇଛି। ଏହା ମଧ୍ୟ ଦେଖାଯାଉଛି ଯେ ଗୋଟିଏ ନିର୍ଦ୍ଦିଷ୍ଟ ବିଷୟ ଉପରେ କୌଣସି ଜ୍ଞାନ ନ ଥାଇ କେବଳ ବାକ୍‌‌ଚାତୁରୀ ଯୋଗୁଁ ଆଲୋଚକ ହିସାବରେ ଯୋଗ ଦେଇ ଆଲୋଚନାକୁ ସରଗରମ କରିବାରେ କିଛି ଲୋକ କିଛି ବୈଦ୍ୟୁତିକ ଗଣମାଧ୍ୟମ ପାଇଁ ସହାୟକ ହୋଇଥା’ନ୍ତି। କିନ୍ତୁ ଏଥିରେ ଅସଲ ଲକ୍ଷ୍ୟ ଦିଗଭ୍ରଷ୍ଟ ହୋଇଥାଏ।

ଏଥିସହିତ ପଢ଼ନ୍ତୁ

ଚଳଚ୍ଚିତ୍ର ତାରକାଙ୍କ ପରି ଏବେ ‘ଆଲୋଚକ ତାରକା’ ଓ ‘ଆଙ୍କର ତାରକା’ ମାନେ ଉଭା ହେଲେଣି। ଖବର ପ୍ରସାରଣ ବାସ୍ତବ ତଥ୍ୟ ସାମ୍ୱଳିତ ନ ହୋଇ ଏବେ ମନୋରଞ୍ଜନର ମଞ୍ଚ ହେବାରେ ଲାଗିଲାଣି, ଯାହାକୁ ଗଣମାଧ୍ୟମ ଭାଷାରେ ‘ଇନ୍‌‌ଫୋର୍ଟେନମେଣ୍ଟ’ ଆଖ୍ୟା ଦିଆଯାଉଛି। ଗଣମାଧ୍ୟମର ଏଭଳି ଆଭିମୁଖ୍ୟ ଗଣତନ୍ତ୍ରକୁ ଦୁର୍ବଳ କରିବା ସହିତ ସମଗ୍ର ନ୍ୟାୟିକ ବ୍ୟବସ୍ଥାକୁ କ୍ଷତି ପହଞ୍ଚାଉଛି ବୋଲି ମତ ପ୍ରକାଶ ପାଉଛି। ଅନେକ ସମୟରେ ବିଚାରପତିମାନଙ୍କ ରାୟ ବିରୋଧରେ ସାମାଜିକ ଗଣମାଧ୍ୟମରେ ପ୍ରଚାର କରି ଅଭିଜ୍ଞ ବିଚାରପତିଙ୍କ ଦ୍ୱାରା ନିଆଯାଉଥିବା ନିଷ୍ପତ୍ତି ମଧ୍ୟ ଭୁଲ୍‌‌ ପ୍ରମାଣିତ କରିବାକୁ ଅପଚେଷ୍ଟା ହେଉଥିବା ଦେଖାଯାଉଛି। ଏହାକୁ ପ୍ରକାରାନ୍ତରେ ‘କଙ୍ଗାରୁ କୋର୍ଟ’ ବୋଲି ପ୍ରାକ୍ତନ ବିଚାରପତି ଆଖ୍ୟା ଦେଇଛନ୍ତି। ‘ଡିଜିଟାଲ ଗଣମାଧ୍ୟମରେ ଲୋକେ ବିଚାରକ ସାଜିବା ନ୍ୟାୟ କ୍ଷେତ୍ରରେ ଏକ ଅବାଞ୍ଛିତ ହସ୍ତକ୍ଷେପ’ ବୋଲି ଏକଦା ସୁପ୍ରିମକୋର୍ଟର ଜଷ୍ଟିସ ଜେ.ଡି ପାରଦିୱାଲା କ୍ଷୋଭ ପ୍ରକାଶ କରି କରିଥିଲେ।

ଆମ ଓଡ଼ିଶା ପରିପ୍ରେକ୍ଷୀରେ ଢେଙ୍କାନାଳ ଜିଲ୍ଲାର ଜନୈକ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଉଚ୍ଚ ଅଧିକାରୀଙ୍କ ଅନୁମତି ବିନା ଗଣମାଧ୍ୟମ ପ୍ରତିନିଧିଙ୍କୁ ବିଦ୍ୟାଳୟ ହତାକୁ ପ୍ରବେଶରୁ ବାରଣ ସମ୍ପର୍କିତ ସମସ୍ତ ପ୍ରଧାନ ଶିକ୍ଷକମାନଙ୍କୁ ଜାରି କରାଯାଇଥିବା ନିର୍ଦ୍ଦେଶନାମା ଖବର ସେତେବେଳେ ଅନେକ ତମ୍ବିତୋଫାନ ସୃଷ୍ଟି କରିଥିଲା। ଶେଷରେ ଗଣମାଧ୍ୟମର ଚାପରେ ସରକାରଙ୍କ ତରଫରୁ ଉକ୍ତ ନୋଟିସକୁ ଅପସାରଣ ମଧ୍ୟ କରାଯାଇଥିଲା। ଉକ୍ତ ଚିଠିରେ ଶିକ୍ଷା ଅଧିକାରୀ ମହୋଦୟ ଦର୍ଶାଇଥିଲେ ଯେ, ବିଦ୍ୟାଳୟମାନଙ୍କରେ ଗଣମାଧ୍ୟମର ପରିଚୟ ଦେଇ କିଛି ବ୍ୟକ୍ତିବିଶେଷ କ୍ୟାମେରା ଧରି ଛାତ୍ର, ଛାତ୍ରୀ ଓ ଶିକ୍ଷକମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ନାନା ଅବାନ୍ତର ପ୍ରଶ୍ନ ପଚାରିବା ଓ ବେଳେ ବେଳେ ସମ୍ପୃକ୍ତ କୋମଳମତି ଛାତ୍ରଛାତ୍ରୀଙ୍କ ପରିଚୟ ବିଭିନ୍ନ ଗଣମାଧ୍ୟମରେ ପ୍ରସାର କରିବା ଦ୍ୱାରା ସେମାନଙ୍କ ଅବେଗିକ ଓ ସାମାଜିକ ସୁରକ୍ଷା କ୍ଷୁଣ୍ଣ ହେଉଥିବା ଅଭିଯୋଗ ଆସିବାରେ ଲାଗିଛି। ତେବେ ପରବର୍ତ୍ତୀ ସମୟରେ ଏ ପ୍ରସଙ୍ଗରେ ଓଡ଼ିଶା ଶିଶୁ ସୁରକ୍ଷା ଆୟୋଗ ଗଣମାଧ୍ୟମ ପ୍ରସାର ନାମରେ ଶିକ୍ଷଣ ପ୍ରକ୍ରିୟା ବାଧା ଦେବା ଭଳି ଯେମିତି ସମସ୍ୟା ନ ଉପୁଜେ ଓ କୋମଳମତି ଛାତ୍ରଛାତ୍ରୀ ନିର୍ଯାତନାର ଶିକାର ନ ହୁଅନ୍ତି ତାହା ନିଶ୍ଚିତ କରିବା ସମ୍ପର୍କରେ ଅନୁଷ୍ଠାନମାନଙ୍କୁ ନିର୍ଦ୍ଦେଶାବଳୀ ଜାରି କରିବା ପାଇଁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ସେହିପରି ଜୁଭେନାଇଲ ଜଷ୍ଟିସ ଆଇନର ଧାରା ୭୪ (ଶିଶୁମାନଙ୍କ ସୁରକ୍ଷା ଓ ଯତ୍ନ )ର ପ୍ରାବଧାନ ସମ୍ପର୍କରେ ଗଣମାଧ୍ୟମ ସହିତ ଜଡ଼ିତ କର୍ମଚାରୀମାନଙ୍କୁ ଅବଗତ କରିବା ପାଇଁ ଗଣମାଧ୍ୟମର ମାଲିକ ଓ ସମ୍ପାଦକମାନଙ୍କୁ ଅନୁରୋଧ କରିଛନ୍ତି।

ବ୍ରିଟିଶ ଐତିହାସିକ ଲର୍ଡ଼ ଆକଟନ କହିଥିଲେ ଯେ କ୍ଷମତା ନୀତିଭ୍ରଷ୍ଟ କରେ ଏବଂ ନିରଙ୍କୁଶ କ୍ଷମତା ନିରଙ୍କୁଶ ଭାବେ ଭ୍ରଷ୍ଟ କରିଥାଏ। କୌଣସି କ୍ଷେତ୍ରରେ ନିରଙ୍କୁଶ କ୍ଷମତା ଆଦୌ ଗ୍ରହଣୀୟ ନୁହେଁ। ଗଣମାଧ୍ୟମ(ଅବଶ୍ୟ ବ୍ୟତିକ୍ରମ ଅଛି) କ’ଣ ଆଜି ସମାଜର ବୃହତ ସ୍ୱାର୍ଥକୁ ଆଖିଆଗରେ ରଖି ଖବର ପରିବେଷଣ କରୁଛି? ଯଦି କୌଣସି ବିଦ୍ୟାଳୟରେ ଛାତ୍ର ବା ଛାତ୍ରୀଟିଏ ଗଛରେ ପାଣି ଦେଉଛି, ତେବେ ତା’କୁ ଶିଶୁଶ୍ରମିକ ଭାବରେ ପ୍ରଦର୍ଶନ କରିବା କେତେଦୂର ସମୀଚୀନ? ଗବେଷଣା କହୁଛି ଯେ ଅନୁଭୂତିରୁ ଶିକ୍ଷା ବା ସକ୍ରିୟ କାର୍ଯ୍ୟ ମାଧ୍ୟମରେ ଶିକ୍ଷଣ ଉତ୍କୃଷ୍ଟ ତଥା ଦୀର୍ଘସ୍ଥାୟୀ ହୁଏ। ତେବେ ଆମ ଶିକ୍ଷାର୍ଥୀ କ’ଣ କେବଳ ସିଦ୍ଧାନ୍ତ ପଢ଼଼ି ସବୁକିଛି ଶିଖିଯିବ? ବିଦ୍ୟାଳୟରେ ଅନୁଭୂତି ପ୍ରସୂତ ଜ୍ଞାନର କ’ଣ କିଛି ସୁଯୋଗ ନାହିଁ?

ଅପରପକ୍ଷରେ କେବଳ ଗଣମାଧ୍ୟମକୁ ଦୋଷାରୋପ ଠିକ ହେବ କି? ବରଂ ଏହି ବିଷୟର ସାମଗ୍ରିକ ଦିଗକୁ ବିଚାରକୁ ନେବାକୁ ପଡ଼ିବ। ତା’ର କାରଣ ଜାଣିବା ପାଇଁ ଆମେ ଦୁଇଦଶନ୍ଧି ପଛକୁ ଫେରିବାକୁ ପଡ଼ିବ। ସେତେବେଳେ କେନ୍ଦ୍ରରେ ପ୍ରାୟ ସମୟ ମିଳିତ ସାମ୍ମୁଖ୍ୟ ବା ମେଣ୍ଟ ସରକାର ଚାଲିଥିଲା। ନ୍ୟାୟାଳୟ କୌଣସି ବିଷୟରେ ମନ୍ତବ୍ୟ ଦେଲେ,‘ନ୍ୟାୟାଳୟର ଅତ୍ୟଧିକ ସକ୍ରିୟତା’ ବୋଲି ଅଭିହିତ କରାଯାଇ ସମାଲୋଚନା କରାଯାଉଥିଲା। ଅନୁରୂପ ଭାବରେ ଏବେ ଗଣମାଧ୍ୟମର ଚର୍ଚ୍ଚାକୁ ଆମେ ‘ମିଡିଆ ଟ୍ରାଏଲ’ ଆଖ୍ୟା ଦେଉନାହୁଁ ତ? ଏ ପ୍ରଶ୍ନ ଉପରେ ମଧ୍ୟ ବିଜ୍ଞ ଲୋକମାନେ ତର୍ଜମା କରିବା ଦରକାର।

ଗଣମାଧ୍ୟମ ଏକ ନିୟାମକ ସଂସ୍ଥା ନୁହେଁ। ସମାଜର କୌଣସି ନକାରାତ୍ମକ ବିଷୟ ଉପରେ ଲଗାମ ଲଗାଇପାରିବାର ଅଧିକାର ଏହାର ନାହିଁ। କୁହାଯାଏ ଯେ ସମାଜର ପ୍ରତିଛବି ଗଣମାଧ୍ୟମରେ ପ୍ରତିଫଳିତ ହୁଏ। ବର୍ତ୍ତମାନ ସୂଚନା ବଜାର ଉଭୟ ଆର୍ଥିକ ଓ ସାମାଜିକ ଦୃଷ୍ଟିରୁ ସବୁଠାରୁ ବିଶାଳ। ତଥ୍ୟ ଯଦି ବଜାରର ବିଷୟବସ୍ତୁ ହୁଏ, ଆମେ କିଭଳି ଆଶା ପୋଷଣ କରିବା ଯେ ପ୍ରକୃତ ତଥ୍ୟ ଉପଲବ୍ଧ ହେବ? ଟି.ଆର.ପି ସର୍ବସ୍ୱ ଗଣମାଧ୍ୟମ କେଉଁ ସୂଚନା ଅଧିକ ବିକ୍ରି ହେବ ତା’କୁ ହିଁ ଗୁରୁତ୍ୱ ଦେବେ। କିନ୍ତୁ କଥା ହେଲା ଏହିସବୁର ଗ୍ରାହକ କିଏ ? ଏହାର ଗ୍ରାହକ ଆମେସବୁ। କ୍ରୟ ବିକ୍ରୟ ସୂଚନା ବଜାରରେ ଉପଭୋକ୍ତା ଚାହୁଁଥିବା ଖବର ପରିବେଷଣ ଛଡ଼ା ଆଉ ଉପାୟ କ’ଣ?

ଅମାତ୍ୟ ପ୍ରଧାନ
ସୁନ୍ଦରଗଡ, ମୋ: ୯୪୩୭୨୧୯୬୧୩

Leave A Reply

Your email address will not be published.