ଶିବଚେତନାର ତାତ୍ପର୍ଯ୍ୟ

ବେଦ-ଉପନିଷଦ୍‌‌-ପୁରାଣ-ସାହିତ୍ୟ ସବୁଠାରେ ଶିବଶବ୍ଦ ଓ ଶିବତତ୍ତ୍ୱର ଦୀପ୍ତି ଓ ବ୍ୟାପ୍ତି ପ୍ରଶସ୍ତଭାବେ ଦେଖାଯାଏ। ଶୁକ୍ଳଯଜୁର୍ବେଦ(୧୬/୪୧)ଅନ୍ତର୍ଗତ ଶତରୁଦ୍ରିୟପାଠରେ ଶିବଶବ୍ଦର ପ୍ରୟୋଗ ଦେଖାଯାଏ- ନମଃ ଶମ୍ଭବାୟ ଚ ମୟୋଭବାୟ ଚ ନମଃ ଶଂକରାୟ ଚ ମୟସ୍କରାୟ ଚ ନମଃ ଶିବାୟ ଚ ଶିବତରାୟ ଚ । ଅର୍ଥାତ୍‌‌ ସୁଖଶାନ୍ତିର ସୃଷ୍ଟିକାରୀଙ୍କୁ ନମସ୍କାର, ମଙ୍ଗଳକାରୀଙ୍କୁ ନମସ୍କାର, ଶିବଙ୍କୁ ନମସ୍କାର ଓ ପରମକଲ୍ୟାଣଙ୍କୁ ନମସ୍କାର। ଆମେ ନିତ୍ୟ ପାଠ କରୁଥିବା ମହାମୃତ୍ୟୁଞ୍ଜୟମନ୍ତ୍ରର ମଧ୍ୟ ଉତ୍ପତ୍ତି-ଉତ୍ସ ହେଉଛି ଶୁକ୍ଳଯଜୁର୍ବେଦ। ଏଥିରେ(୩/୬୦-୬୧)ଥିବା ମନ୍ତ୍ରରେ ସୁଗନ୍ଧମୟ ତଥା ଅନ୍ନାଦିର ପୁଷ୍ଟିକୁ ବୃଦ୍ଧି କରୁଥିବା ତ୍ରିନେତ୍ର ଶିବଙ୍କୁ ସ୍ତୁତି କରାଯାଇ ମୃତ୍ୟୁବନ୍ଧନରୁ ମୁକ୍ତ ହେବା ଓ ଅମୃତରୁ ବଞ୍ଚିତ ନ ହେବା ନିମନ୍ତେ ସ୍ତୁତି କରାଯାଇଛି। ବିଶେଷତଃ ଅନୂଢ଼ାକନ୍ୟା ଉତ୍ତମ-ବରପ୍ରାପ୍ତି ପରେ ପିତୃକୁଳରୁ ବିମୁକ୍ତି ଓ ପତିକୁଳରୁ ଅବିମୁକ୍ତି କାମନା କରି ଶିବସ୍ତୁତି କରିଥିବା ଏହି ମନ୍ତ୍ରରେ ପ୍ରକାଶିତ- ତ୍ର୍ୟମ୍ବକଂ ଯଜାମହେ ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନମ୍‌‌। ଉର୍ବାରୁକମିବ ବନ୍ଧନାନ୍‌‌ ମୃତ୍ୟୋର୍ମୁକ୍ଷୀୟ ମାଽମୃତାତ୍‌‌। ତ୍ର୍ୟମ୍ବକଂ ଯଜାମହେ ସୁଗନ୍ଧିଂ ପତିବେଦନମ୍‌‌। ଉର୍ବାରୁକମିବ ବନ୍ଧନାଦିତୋ ମୁକ୍ଷୀୟ ମାମୁତଃ।

ଉପନିଷତ୍‌‌ମାନଙ୍କ ଶୃଙ୍ଖଳାକ୍ରମରେ ଦେଖିଲେ, ଶ୍ୱେତାଶ୍ୱତର ଉପନିଷଦ୍‌‌(୩/୧୧)ରେ ଶିବଶବ୍ଦର ବ୍ୟାପକତା ପ୍ରକଟିତ ହୋଇଛି- ସର୍ବାନନଶିରୋଗ୍ରୀବଃ ସର୍ବଭୂତଗୁହାଶୟଃ। ସର୍ବବ୍ୟାପୀ ସ ଭଗବାଂସ୍ତସ୍ମାତ୍‌‌ ସର୍ବଗତଃ ଶିବଃ।। ଅର୍ଥାତ୍‌‌ ସମସ୍ତଙ୍କ ମୁଖ-ମସ୍ତକ-କଣ୍ଠ-ସ୍ୱରୂପ, ସମସ୍ତଙ୍କ ହୃଦୟସ୍ଥିତ, ସର୍ବବ୍ୟାପକ, ସର୍ବାନ୍ତରଗାମୀ, ମଙ୍ଗଳମୟ ହିଁ ଭଗବାନ୍‌‌ ପଦବାଚ୍ୟ। କୈବଲ୍ୟୋପନିଷଦ୍‌‌( ୧/୮) ମନ୍ତ୍ରରେ କୁହାଯାଇଛି- ସ ବ୍ରହ୍ମା ସ ଶିବଃ ସେନ୍ଦ୍ରଃ ସୋଽକ୍ଷରଃ ପରମଃ ସ୍ୱରାଟ୍‌‌। ସ ଏବ ବିଷ୍ଣୁଃ ସ ପ୍ରାଣଃ ସ କାଳୋଽଗ୍ନିଃ ସ ଚନ୍ଦ୍ରମାଃ।। ଅର୍ଥାତ୍‌‌-ପରଂବ୍ରହ୍ମ ହେଉଛନ୍ତି ଏକାଧାରରେ ବ୍ରହ୍ମା-ଶିବ-ଇନ୍ଦ୍ରାଦିଦେବଗଣ-ବିଷ୍ଣୁ-ପ୍ରାଣ-କାଳ-ଅଗ୍ନି-ଚନ୍ଦ୍ରସ୍ୱରୂପ। ସେହିପରି ରୁଦ୍ରହୃଦୟ, ଦକ୍ଷିଣାମୂର୍ତ୍ତି, ନୀଳରୁଦ୍ରାଦି ଉପନିଷତ୍‌‌ସମୂହରେ ଶିବଶବ୍ଦର ବ୍ୟବହାର ସହିତ ଶିବମହିମା ସୁବର୍ଣ୍ଣିତ ହୋଇଛି। ଶିବଶବ୍ଦର ଆଭିଧାନିକ ଅର୍ଥ ହେଉଛି-ମଙ୍ଗଳ ବା କଲ୍ୟାଣ। ଏହି ଶବ୍ଦ ଉଭୟ ବିଶେଷ୍ୟ ଓ ବିଶେଷଣଭାବରେ ବ୍ୟବହୃତ। ପାଣିନିକୃତ ଉଣାଦିକୋଷର ସୂତ୍ର(୧/୧୫୩)-ସର୍ବନିଘୃଷ୍ୱରିଷ୍ୱଳଷ୍ୱଶିବପଟ୍‌‌ବପ୍ରହ୍ୱେଷ୍ୱା ଅତନ୍ତ୍ରେ-ମତରେ ଶୀଙ୍‌‌ (ସ୍ୱପ୍ନେ) ଧାତୁରୁ ନିଷ୍ପନ୍ନ ଶବ୍ଦ ହେଉଛି ଶିବ, ଯାହାର ବ୍ୟୁତ୍ପତ୍ତିବାକ୍ୟ ହେଉଛି-ଶେତେ ଇତି ଶିବଃ। ଅର୍ଥାତ୍‌‌ ଶିବ ସର୍ବଦା ସମାଧିସ୍ଥ ଥାଆନ୍ତି ଓ ମହାପ୍ରଳୟସମୟରେ ତମୋଗୁଣଯୁକ୍ତ ହୋଇ ବିନାଶକ୍ରିୟା ନିର୍ବାହ କରନ୍ତି। ପରମପୁରୁଷଙ୍କ ସୁପ୍ତିତତ୍ତ୍ୱ ହିଁ ପ୍ରଳୟର କାରଣ ଓ କାରକ ମଧ୍ୟ। ପୁନଶ୍ଚ ଅନ୍ୟମତରେ-ଶେରତେ ପ୍ରାଣିନୋ ଯତ୍ର ସ ଶିବଃ। ଅର୍ଥତଃ ଅଶେଷ-ପାପତାପରେ ଉଦ୍‌‌ବିଗ୍ନ ହୋଇ ପ୍ରାଣିମାନେ ବିଶ୍ରାମ ନିମନ୍ତେ ଯେଉଁଠି ଶୟନ କରନ୍ତି, ସେହି ସର୍ବାଶ୍ରୟ ହିଁ ଶିବ। ଆହୁରି ମଧ୍ୟ ଭରତକୃତ ଅମରକୋଷ-ଟୀକାମତରେ- ଶିବଂ କଲ୍ୟାଣଂ ବିଦ୍ୟତେଽସ୍ୟ-ଅର୍ଥାତ୍‌‌ ମଙ୍ଗଳ ଯାହାଠାରେ ସନ୍ନିବିଷ୍ଟ, ସେ ଶିବ। ପୁନଶ୍ଚ ଶ୍ୟତି ନାଶୟତି ଅଶୁଭମିତି ଶିବଃ – ଅର୍ଥାତ୍‌‌ ଅଶୁଭର ବିନାଶକ ହିଁ ଶିବ। ଅନ୍ୟ ଏକ ମତରେ- ଶେରତେଽବତିଷ୍ଠନ୍ତେଽଣିମାଦ୍ୟାଷ୍ଟଗୁଣା ଅସ୍ମିନ୍ନିତି ଶିବଃ। ଏହାର ଅର୍ଥ ହେଉଛି ଅଣିମାଦି ଅଷ୍ଟସିଦ୍ଧିମୟ ଗୁଣାବଳୀ ଯାହାଠାରେ ପରିପୂର୍ଣ୍ଣ ଅଛି, ସେ ଶିବ ନାମବାଚ୍ୟ। ଶିବୋପନିଷତ୍‌‌ (୧/୧୦)ମତରେ- ଅଶିବାଃ ପାଶସଂଯୁକ୍ତାଃ ପଶବଃ ସର୍ବଚେତନାଃ। ଯସ୍ମାଦ୍‌‌ ବିଲକ୍ଷଣାସ୍ତେଭ୍ୟସ୍ତସ୍ମାଦୀଶଃ ଶିବଃ ସ୍ମୃତଃ।। ଅର୍ଥାତ୍‌‌ ଜାଗତିକ-ମାୟା-ପାଶରେ ବଦ୍ଧ ହୋଇଥିବା ତଥା ଚେତନା ଥାଇ ସୁଦ୍ଧା ଅଚେତନ-ପଶୁ ଭାବରେ ବ୍ୟବହାର କରୁଥିବା ଜୀବମାନଙ୍କୁ ପାଶମୁକ୍ତ କରୁଥିବା ଈଶ୍ୱର ହିଁ ଶିବ। ସେହିପରି ଶିବମହାପୁରାଣାନ୍ତର୍ଗତ ବିଦ୍ୟେଶ୍ୱରସଂହିତା(୧୮ଶ୍ଳୋକ)ମତରେ- ଶଂ ନିତ୍ୟସୁଖମାନନ୍ଦମିକାରଃ ପୁରୁଷଃ ସ୍ମୃତଃ। ବକାରଃ ଶକ୍ତିରମୃତଂ ମେଳନଂ ଶିବ ଉଚ୍ୟତେ।ା ତସ୍ମାଦେବଂ ସ୍ୱମାତ୍ମାନଂ ଶିବଂ କୃତ୍ୱାଽର୍ଚୟେଚ୍ଛିବମ୍‌‌।।। ଅର୍ଥାତ୍‌‌ ଶିବଶବ୍ଦରେ ଥିବା ‘ଶ’କାର ଆନନ୍ଦବାଚକ, ‘ଇ’କାର ପୁରୁଷବାଚକ ତଥା ‘ବ’କାର ଅମୃତଶକ୍ତିବାଚକ ଓ ଏହି ତିନିତତ୍ତ୍ୱର ମିଳନରେ ଶିବଶବ୍ଦ ନିଷ୍ପାଦିତ। ଏଣୁ ପ୍ରତି ଜୀବ ଭଗବାନ୍‌‌ ଶିବଙ୍କୁ ଏହିପରି ଆତ୍ମସ୍ୱରୂପ ଜାଣି ଅର୍ଚ୍ଚନା କରିବା ଉଚିତ। ଆହୁରିମଧ୍ୟ ସୂତସଂହିତା(୪/୨୭-୨୮)ମତରେ- ଶିବ ଏବ ସ୍ୱୟଂ ଲିଙ୍ଗଂ ଲିଙ୍ଗଂ ଗମକମେବ ହି। ଅର୍ଥାତ୍‌‌ ଶିବ ହେଉଛନ୍ତି ସ୍ୱୟଂ ଜ୍ଞାନ(ଶିବଃ ପ୍ରଜ୍ଞାନେ) ଓ ଏହି ଜ୍ଞାନରୂପର ପ୍ରକାଶ ହେଉଛି ଲିଙ୍ଗ। ଏହି ଲିଙ୍ଗ ସତ୍‌‌-ଚିତ୍‌‌-ଆନନ୍ଦର ସମାହାର ଓ ଅଚଳପ୍ରତିଷ୍ଠ। ମହାପ୍ରଳୟ ସମୟରେ ସମସ୍ତଶକ୍ତି ଏହିଠାରେ ଲୟପ୍ରାପ୍ତ ହୋଇଥାନ୍ତି ସତ, ମାତ୍ର ଏହି ଲିଙ୍ଗର କଦାପି ଲୟ ନାହିଁ। ପୁନଶ୍ଚ ବିଦ୍ୟେଶ୍ୱରସଂହିତାମତରେ- ଲୀନାର୍ଥଗମକଂ ଚିହ୍ନଂ ଲିଙ୍ଗମିତ୍ୟଭିଧୀୟତେ। ମୁଖ୍ୟୋ ଭଗସ୍ତୁ ପ୍ରକୃତିର୍ଭଗବାନ୍‌‌ ଶିବ ଉଚ୍ୟତେ। । ଅର୍ଥାତ୍‌‌ ଅବ୍ୟକ୍ତଶକ୍ତିର ପ୍ରକାଶକ ଲିଙ୍ଗ, ଭଗଶବ୍ଦର ଅର୍ଥ ପ୍ରକୃତି ଓ ଏହି ଦୁଇଟିର ଆଧାରରେ ଶିବ ଏକାଧାରରେ ଲିଙ୍ଗ ଓ ଭଗବାନ୍‌‌। ଏହି ଶିବଙ୍କର ସହସ୍ରନାମାବଳୀ ବ୍ୟାସକୃତ ମହାଭାରତର ଅନୁଶାସନ ପର୍ବର ୧୭ଅଧ୍ୟାୟରେ ବର୍ଣ୍ଣିତ ହୋଇଛି।

ତେବେ ନିଜର ଉଚ୍ଚାଙ୍ଗ ଆଦର୍ଶ ଓ ଆଚରଣଗତ ଚରମଶୁଦ୍ଧିରେ ଜଣେ ଗୃହୀ ବି ପରମଯୋଗୀ ହୋଇପାରେ, ଏହା ଶୈବଦର୍ଶନରୁ ସ୍ପଷ୍ଟ ପ୍ରମାଣିତ ଓ ପ୍ରତିଭାତ ହୋଇଛି। ଏହି ପ୍ରମାଣର ମୂଳ ଆଧାର ହେଉଛି ସମତା ବା ସମଦର୍ଶିତା। ଶ୍ରୀମଦ୍ଭଗବଦ୍‌ଗୀତା(୨/୪୮)ରେ ଦୁଇଟି ଉପଦେଶ ଶ୍ରୀଭଗବାନ୍‌‌ ଅର୍ଜୁନଙ୍କୁ ଦେଇଛନ୍ତି। ପ୍ରଥମଟି ହେଉଛି- ‘ଯୋଗସ୍ଥଃ କୁରୁ କର୍ମାଣି’ ଓ ଦ୍ୱିତୀୟଟି- ‘ସମୋ ଭୂତ୍ୱା ସମତ୍ୱଂ ଯୋଗ ଉଚ୍ୟତେ’। ଭଗବାନ୍‌‌ ଶଙ୍କରଙ୍କ ଚରିତ୍ରରେ ଏହି ଦୁଇଟିଯାକ ତତ୍ତ୍ୱର ସୁଷ୍ଠୁ ପ୍ରତିଫଳନ ପରିଲକ୍ଷିତ ହୋଇଥାଏ। ପ୍ରତିସମୟରେ ଶିବ ଧ୍ୟାନସ୍ଥ। ଏହାର ସୂକ୍ଷ୍ମଦର୍ଶନଟି ହେଉଛି ଅନ୍ତର୍ମୁଖୀ ହେବା ବା ଅନ୍ତଶ୍ଚେତନାକୁ ବିକଶିତ କରିବା। କାରଣ, ଶ୍ରୀମଦ୍‌‌ଭଗବଦ୍‌ଗୀତା (୧୨/୧୨)ଙ୍କ ଆଉ ଗୋଟିଏ ବାକ୍ୟ ହେଉଛି-‘ଜ୍ଞାନାଦ୍‌‌ ଧ୍ୟାନଂ ବିଶିଷ୍ୟତେ’। ଅର୍ଥାତ୍‌‌ କେବଳମାତ୍ର ଜ୍ଞାନଲାଭ କରିବା ଶ୍ରେୟସ୍କର ନୁହେଁ, ବରଂ ଲବ୍ଧଜ୍ଞାନକୁ ଅନ୍ତର୍ଦୃଷ୍ଟିରେ ବିଶ୍ଳେଷିତ କରି ମନନପୂର୍ବକ କର୍ମକରିବା ହିଁ ସାଧୁ ବା ଯୋଗିସୁଲଭ ଲକ୍ଷଣ। ନାସାଗ୍ରଦୃଷ୍ଟି ସହିତ ଅର୍ଦ୍ଧନିମୀଳିତ ନେତ୍ରରେ ଅନ୍ତଃସ୍ଥ ବିବେକର ଉତ୍ତରଣକୁ ଉଦ୍ଭାସିତ କରୁଥିବା ଭଗବାନ୍‌‌ ଶଙ୍କର ଯେ ପ୍ରତିକ୍ଷଣ ଯୋଗସ୍ଥ, ଏଥିରେ ମତାନ୍ତର ନାହିଁ। ଏହିପରି କର୍ମ ସମ୍ପାଦନ ଦ୍ୱାରା କର୍ତ୍ତା ସର୍ବଦା ସନ୍ତୋଷ ଲାଭ କରିଥାଏ। ସନ୍ତୋଷ ହିଁ ସଂସାରଜୀବନ କ୍ଷେତ୍ରରେ ସର୍ବଶ୍ରେଷ୍ଠ ଉପଲବ୍ଧି। ଯାହା ପାଖରେ ସନ୍ତୋଷରୂପକ ଧନ ନାହିଁ, ତା’ପାଖରେ ଯେତେ ଭୌତିକ ଧନର ପ୍ରାଚୁର୍ଯ୍ୟ ଥିଲେ ମଧ୍ୟ ସେ ନିତାନ୍ତ ଦୀନ ଓ ଦରିଦ୍ର। ଶ୍ରୀମଦ୍ଭଗବଦ୍‌ଗୀତା(୧୨/୧୪)ମତରେ-‘ସନ୍ତୁଷ୍ଟଃ ସତତଂ ଯୋଗୀ’। ଶିବ ସଦା ସନ୍ତୁଷ୍ଟ। ସେ ଭୂତି ବା ଧନର ପତି ନ ହୋଇ ହୋଇଛନ୍ତି ଭୂତ ବା ସାଧାରଣଜୀବର ପତି। ସେ ବସୁ ବା ସମ୍ପତ୍ତିର ପତି ନ ହୋଇ ହୋଇଛନ୍ତି ପଶୁ ବା ଅଶକ୍ତ ଜୀବର ପତି। ବରଂ ପୁରାଣମତରେ ସେ ସ୍ୱୟଂ ନିର୍ଧନ ହୋଇ କୁବେରଙ୍କୁ ବିଭବମୟ-ଅଳକାପୁରୀ ବିତରଣରେ କରିଛନ୍ତି ଧନପତି (ଟଙ୍କାପତି) ଓ ରାବଣକୁ ସ୍ୱର୍ଣ୍ଣମୟନଗରୀ ପ୍ରଦାନ କରି କରିଛନ୍ତି ଲଙ୍କାପତି। ଜଣେ ଯୋଗିର ଦୈନ୍ୟରେ ହିଁ ତାଙ୍କର ଅସୀମ ସନ୍ତୋଷ। ଗଜଚର୍ମର ବସ୍ତ୍ର, ଶ୍ମଶାନର ଚିତାରେ ଅଙ୍ଗରାଗ, କୈଳାସର ପ୍ରସ୍ତରଶଯ୍ୟାରେ ଆସ୍ଥାନ, ବୃଦ୍ଧବୃଷଭ ପୃଷ୍ଠରେ ଯାତ୍ରା, ପୁଣି ଗୃହ ସାମଗ୍ରୀ କହିଲେ- ଗୋଟିଏ ଖଟ୍ୱାଙ୍ଗ(ଧ୍ୟାନ ସମୟରେ ମାଳା ଜପିବା ପାଇଁ ବ୍ୟବହୃତ ଆଶା ବାଡ଼ି), କପାଳାକୃତି ଭିକ୍ଷାପାତ୍ର, ପରଶୁ, ବିଷଧର ସର୍ପସମୂହକୁ ଅବଲମ୍ବି ଥିବା ଶଙ୍କର କଦାପି ଅସନ୍ତୋଷର ବଶବର୍ତ୍ତୀ ନୁହନ୍ତି। ଅଳ୍ପରେ ସନ୍ତୋଷ ଯୋଗାଶ୍ରୟୀ ଯତିର ପ୍ରମୁଖ ଲକ୍ଷଣ ନିଶ୍ଚୟ। ଯୋଗସ୍ଥ ହେଉଥିବା ବ୍ୟକ୍ତି ହିଁ ସନ୍ତୋଷର ଅଧିକାରୀ ହୋଇପାରେ ଏବଂ ଏହି ସନ୍ତୋଷଶକ୍ତି ବଳରେ ତା’ ଦୃଷ୍ଟିରେ ତୃଣତଳ୍ପ ଓ ତୂଳୀତଳ୍ପ ସମାନ ଭାବରେ ଗୃହୀତ ହୁଅନ୍ତି। ଯୋଗସ୍ଥବ୍ୟକ୍ତି ସନ୍ତୋଷ ପ୍ରଭାବରେ ହୋଇଯାଏ ଆତ୍ମାରାମ ଓ ତାକୁ ବିଷୟରୂପକ ମୃଗତୃଷ୍ଣା ଆଦୌ ଭ୍ରମିତ କରିପାରେ ନାହିଁ। ଏହା ହିଁ ସ୍ପଷ୍ଟ ବାରିହୁଏ ଶଙ୍କର ଭଗବାନ୍‌‌ଙ୍କ ଚରିତରେ। ଏହି ସାରମର୍ମକୁ ପରମ ଶିବଭକ୍ତ ଗନ୍ଧର୍ବରାଜ ପୁଷ୍ପଦନ୍ତାଚାର୍ଯ୍ୟ ଶିବମହିମ୍ନସ୍ତୋତ୍ର(ଶ୍ଳୋକ-୮)ରେ ମାର୍ମିକ-ଶୈଳୀରେ ଉପସ୍ଥାପିତ କରି କହିଛନ୍ତି-‘ନ ହି ସ୍ୱାତ୍ମାରାମଂ ବିଷୟ ମୃଗତୃଷ୍ଣା ଭ୍ରମୟତି’।

ଦ୍ୱିତୀୟତତ୍ତ୍ୱଟିର ପରିପୁଷ୍ଟିରେ ଦେଖାଯାଏ ଯେ, ଶିବ ଏକାଧାରରେ ଧରିଛନ୍ତି ସର୍ପ ଓ ଚନ୍ଦ୍ରମା, ଗଙ୍ଗା ଓ କପାଳମାଳା, ଗୌରୀ ଓ ବିଭୂତି। ପ୍ରକୃତିତଃ ଏସବୁ ପରସ୍ପରର ବିରୋଧାତ୍ମକ ବସ୍ତୁ ହେଲେ ମଧ୍ୟ ଶୈବସଂସର୍ଗରେ ଏକତ୍ର ଏକତ୍ୱ ଲାଭ କରିଛନ୍ତି। ଶିବଙ୍କର ନା ଅଛି ସର୍ପବିଷରେ ଭୀତି, ନା ଅଛି ଚନ୍ଦ୍ର-ଅମୃତରେ ପ୍ରୀତି, ନା ଅଛି କପାଳମାଳା ପରିଧାନଜନିତ ଅଶୌଚ ନା ଅଛି ଗଙ୍ଗାଜଳଧାରଣପ୍ରସୂତ ଶୌଚଭାବ, ନା ଅଛି ଗୌରୀଙ୍କ ଆଲିଙ୍ଗନରେ ସୁଖ, ନା ଅଛି ଚିତାଭସ୍ମ ବିଲେପନରେ ଦୁଃଖ। ବରଂ ପ୍ରତିସ୍ତରରେ ପ୍ରତିସମୟରେ ପ୍ରତିବସ୍ତୁରେ ସୁସ୍ଥ-ସମଦୃଷ୍ଟିର ସାବଲୀଳ-ସଞ୍ଚରଣରେ ସମରସ ତାଙ୍କର ସାଧୂଚିତ ସମର୍ଥ ସତ୍ତାର ଉଦ୍ଭାସ। ସମସ୍ତ ଅଶୁଭକୁ ବହନ କରି ବି ଶୁଭ ବା ମଙ୍ଗଳର ମୂର୍ତ୍ତିମାନ୍‌‌ ବିଗ୍ରହ ହେଉଛନ୍ତି ଶିବ। ପୁଷ୍ପଦନ୍ତକୃତ ଶିବମହିମ୍ନସ୍ତୋତ୍ର(ଶ୍ଳୋକ-୨୪)ରେ ଏହି ବାକ୍ୟର ସମର୍ଥନରେ ଉଲ୍ଲେଖ ରହିଛି-‘ଅମଙ୍ଗଲ୍ୟଂ ଶୀଳଂ ତବ ଭବତୁ ନାମୈବମଖିଳଂ, ତଥାପି ସ୍ମର୍ତ୍ତୃ ୃଣାଂ ବରଦ ପରମଂ ମଙ୍ଗଳମସି’। ଏହିମତେ ସବୁ ଅମଙ୍ଗଳରେ ମଙ୍ଗଳର ସନ୍ଧାନ ପାଇବା ବା ଅଶୁଭଶୁଭର ଦ୍ୱନ୍ଦ୍ୱରୁ ଊର୍ଦ୍ଧ୍ବରେ ରହିବାର ଅସାଧାରଣ ସାମର୍ଥ୍ୟ କେବଳମାତ୍ର ସମଦର୍ଶୀ ନିକଟରେ ସମ୍ଭବ ବୋଲି ଶ୍ରୀମଦ୍ଭଗବଦ୍‌ଗୀତା(୧୨/୧୭-୧୮)ରେ ଶ୍ରୀଭଗବାନ୍‌‌ ପ୍ରମାଣ ଦିଅନ୍ତି-‘ଶୁଭାଶୁଭପରିତ୍ୟାଗୀ ଭକ୍ତିମାନ୍‌‌ ଯଃ ସ ମେ ପ୍ରିୟଃ’ ଓ ‘ଶୀତୋଷ୍ଣସୁଖଦୁଃଖେଷୁ ସମଃ ସଙ୍ଗବିବର୍ଜିତଃ’। ତେବେ ଏହି ସମଦୃଷ୍ଟିର ଆଧାର ହେଉଛି ନିଃସ୍ୱାର୍ଥପରତା ବା ଅନାସକ୍ତି। ଇନ୍ଦ୍ରିୟସୁଖକୁ ତୁଚ୍ଛବିଚାର କରି ଅତୀନ୍ଦ୍ରିୟ-ଆନନ୍ଦରେ ଲୀନ ହେବା ଅନାସକ୍ତିର ଦ୍ୟୋତକ। ପଦ୍ମପତ୍ରରେ ଜଳ ଭଳି ଜଗତର ଜମ୍ବାଳରେ ରହି ସୁଦ୍ଧା ନିରଞ୍ଜନ-ନିରୀହ ଭାବରେ ଜୀବନଯାପନପୂର୍ବକ ସକଳ ଜୀବଜଗତର ହିତସାଧନ କରିବା ନିଃସ୍ୱାର୍ଥପରକ-ସମଦର୍ଶନର ପ୍ରକାଶକ। ଏହାର ବଳିଷ୍ଠପ୍ରମାଣରେ ପୁନଶ୍ଚ ଶ୍ରୀମଦ୍ଭଗବଦ୍‌ଗୀତା(୧୨/୪)ରେ ଶ୍ରୀଭଗବାନ୍‌‌ କୁହନ୍ତି- ‘ସନ୍ନିୟମ୍ୟେନ୍ଦ୍ରିୟଗ୍ରାମଂ ସର୍ବତ୍ର ସମବୁଦ୍ଧୟଃ। ତେ ପ୍ରାପ୍ନୁବନ୍ତି ମାମେବ ସର୍ବଭୂତହିତେ ରତାଃ। ।’ ଭଗବାନ୍‌‌ ଶଙ୍କର ସ୍ୱୟଂ ଗରଳପାନ କରି ସକଳଜଗତର ହିତରେ ବ୍ରତୀ ହେବାର ଯେଉଁ ଅଦ୍ଭୁତ ଆଦର୍ଶ ସ୍ଥାପନ କରିଛନ୍ତି, ତାହାର ପଟାନ୍ତର ନାହିଁ। ସମଦ୍ରଷ୍ଟା ସୁପ୍ତିରେ ବି ଜାଗରଣକୁ ପ୍ରାପ୍ତ ହୋଇଥାଏ ଓ ନିଃସଙ୍ଗତାରେ ବି ସତ୍‌‌ସଙ୍ଗକୁ ଲାଭ କରିଥାଏ।

ଏହି ପରମସତ୍ତାଙ୍କ ଜ୍ୟୋତିର୍ମୟସ୍ୱରୂପର ପ୍ରକଟପର୍ବ ହେଉଛି ଶିବରାତ୍ରି; ଯାହାକୁ ମହାରାତ୍ରି କୁହାଯାଏ ଓ ଏହାର ପାଳନ ମଧ୍ୟ ବ୍ରତଭିତ୍ତିକ ଷଡ୍‌‌ଜୟନ୍ତୀ ଅନ୍ତର୍ଗତ। ବୈଦିକଦର୍ଶନରେ ‘ଦିବସ’କୁ ନିତ୍ୟ-ସୃଷ୍ଟି ଓ ‘ରାତ୍ରି’କୁ ନିତ୍ୟ-ପ୍ରଳୟର ରୂପ ଦିଆଯାଇଛି। ଏକରୁ ଅନେକ ଆଡ଼କୁ ଓ କାରଣରୁ କାର୍ଯ୍ୟ ଆଡ଼କୁ ଗତି ହିଁ ସୃଷ୍ଟି ଓ ଏହାର ବିପରୀତକ୍ରମରେ ଅନେକରୁ ଏକ ତଥା କାର୍ଯ୍ୟରୁ କାରଣ ପ୍ରତି ଚଳନ ହେଉଛି ପ୍ରଳୟ। ‘ଦିନ’ସମୟରେ ଜୀବର ମନ-ପ୍ରାଣ-ଇନ୍ଦ୍ରିୟମାନେ ବହିର୍ମୁଖ ହୋଇଥିବା ବେଳେ ‘ରାତ୍ରି’କାଳରେ ପୁନଃ ପ୍ରତ୍ୟାହୃତ ହୋଇ ଶୟନ-ନାମକ ଆତ୍ମସ୍ଥ-ସମାଧିରେ ଲୀନ ହୋଇଥା’ନ୍ତି। ତେଣୁ ଋଗ୍‌‌ବେଦୋକ୍ତ-ରାତ୍ରିସୂକ୍ତମ୍‌‌ରେ ‘ରାତ୍ରି’ର ପ୍ରଶଂସା କରାଯାଇ କୁହାଯାଇଛି- ‘ଓଁ ରାତ୍ରୀ ବ୍ୟଖ୍ୟଦୟତୀ ପୁରୁତ୍ରା ଦେବ୍ୟକ୍ଷଭିଃ ବିଶ୍ୱା ଅଧିଶ୍ରୟୋଽଧିତ’। କେତେକ ଜ୍ୟୋତିର୍ବିତ୍‌‌ଙ୍କ ମତରେ ଫାଲ୍‌‌ଗୁନ-କୃଷ୍ଣ-ଚତୁର୍ଦ୍ଦଶୀରେ ଚନ୍ଦ୍ର ସୂର୍ଯ୍ୟଙ୍କ ନିକଟବର୍ତ୍ତୀ ହୋଇଥା’ନ୍ତି। ଏହାର ତାତ୍ତ୍ୱିକଦିଗଟି ହେଉଛି- ଜୀବରୂପୀ ଚନ୍ଦ୍ରମାଙ୍କ ପରମାତ୍ମାସ୍ୱରୂପ ସୂର୍ଯ୍ୟଙ୍କ ସହିତ ଯୋଗ। ଏହି ଯୋଗ ହେଉଛି ଜ୍ୟୋତିଃସମ୍ବନ୍ଧୀୟ-ସମନ୍ୱୟ। ତେଣୁ ଗୋଟିଏ ବାକ୍ୟରେ କହିଲେ ଉକ୍ତ ତିଥି ହେଉଛି ଚନ୍ଦ୍ର-ସୂର୍ଯ୍ୟ-ଅଗ୍ନିଙ୍କ ସମ୍ମେଳନର ପ୍ରଶସ୍ତକାଳ। ଅନ୍ୟପକ୍ଷରେ ତ୍ରିଲୋଚନ ଶିବ ମଧ୍ୟ ଶକ୍ତ୍ୟାତ୍ମକଦୃଷ୍ଟିରୁ ଏହି ଜ୍ୟୋତିସ୍ତ୍ରୟର ଏକମାତ୍ର-ଆଧାର। ତାଙ୍କର ପ୍ରକଟ-ଜ୍ୟୋତିର୍ମୟସ୍ୱରୂପର ସଂକେତରେ ପ୍ରତ୍ୟେକ ଶିବମନ୍ଦିରରେ ‘ମହାଦୀପ’ ଉଠିବାର ବିଧି ଏହି ଶିବରାତ୍ରିରେ ଯଥେଷ୍ଟ ଗୁରୁତ୍ୱ ବହନ କରେ। ଏହି ଦୀପ ଉଭୟ ଅବିଦ୍ୟା-ଅନ୍ଧକାରକୁ ଏଡ଼ାଇବା ସହିତ ପରମ-ବିଦ୍ୟାଲୋକକୁ ବିତରଣ କରିବାର ତତ୍ତ୍ୱଟିକୁ ସ୍ପଷ୍ଟ କରିଥାଏ। କାରଣ, ବେଦ ସହିତ ବହୁପୁରାଣରେ ମଧ୍ୟ କୁହାଯାଇଛି- ‘ଈଶାନଃ ସର୍ବବିଦ୍ୟାନାମୀଶ୍ୱରଃ ସର୍ବଭୂତାନାମ୍‌‌’। ଅର୍ଥାତ୍‌‌ ଈଶାନ ବା ଶିବ ହେଉଛନ୍ତି ସର୍ବବିଦ୍ୟା ଓ ସର୍ବଭୂତଙ୍କ ଅଧୀଶ୍ୱର। ଏହିଦୃଷ୍ଟିରୁ ‘ଶିବରାତ୍ରି’ରେ ଜାଗର ବା ଜାଗରଣକୁ ଆଦରି ଜ୍ଞାନଯୋଗରେ ଯୁକ୍ତ ହେବା ମାଧ୍ୟମରେ ପରମଶିବତ୍ୱର ପ୍ରାପ୍ତି ପ୍ରତ୍ୟେକ ଜୀବର ଧ୍ୟେୟ ହେବା ସମୁଚିତ। କାରଣ, ଜଗଦ୍‌‌ଗୁରୁ ଆଦିଶଙ୍କରଙ୍କ ଭାଷାରେ- ‘ଚିଦାନନ୍ଦରୂପଃ ଶିବୋଽହଂ ଶିବୋଽହମ୍‌‌’। ଅର୍ଥାତ୍‌‌ ମୁଁ ହେଉଛି ଚିଦାନନ୍ଦରୂପୀ ଶିବ। ଏହି ମୁଁ ବା ପ୍ରତିଜୀବ ଭିତରେ ଶିବତ୍ୱର ସମ୍ୟକ୍‌‌ ସମ୍ଭାବନା ସନ୍ନିହିତ ରହିଛି। ସେହି ଚିନ୍ମୟ-ସଦାଶିବଙ୍କୁ ସଭକ୍ତି-ପ୍ରଣାମ।

ଡାକ୍ତର କୃଷ୍ଣକେଶବ ଷଡ଼ଙ୍ଗୀ
ଭୁବନେଶ୍ୱର, ମୋ: ୯୪୩୭୫୬୬୩୨୪

Leave a comment