ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡ଼ିଶାରେ ଲୋକାଭିମୁଖୀ ଶାସନ ସଂସ୍କାର- ୫-ଟି

ଗଣତାନ୍ତ୍ରିକ ସରକାରର ତିନୋଟି ଅଙ୍ଗ ହେଲା ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା। ନିର୍ବାଚିତ ସରକାରଙ୍କର ବିକାଶ ତଥା ଜନମଙ୍ଗଳ କାର୍ଯ୍ୟକ୍ରମଗୁଡ଼ିକୁ ଜନତାଙ୍କ ପାଖରେ ପହଞ୍ଚାଇବା ଦାୟିତ୍ୱ ବ୍ୟୁରୋକ୍ରାସି ବା ପ୍ରଶାସନିକ କଳର। କାର୍ଯ୍ୟପାଳିକାର ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବୃଦ୍ଧି ହେବା ପାଇଁ ପ୍ରଶାସନିକ ସଂସ୍କାର କ୍ରମାଗତ ଆବଶ୍ୟକ ହୋଇଥାଏ। ପ୍ରଶାସନିକ କଳକୁ ଆମ ଦେଶରେ ଅମଲାତନ୍ତ୍ର ବୋଲି ମଧ୍ୟ କୁହାଯାଇଥାଏ। ସାମାଜିକ ବିଜ୍ଞାନୀ ମ୍ୟାକ୍ସ ୱେବରଙ୍କ ମତରେ ବ୍ୟୁରୋକ୍ରାସି ବା ଅମଲାତନ୍ତ୍ର ହେଲା ଏକ ଆନୁଷ୍ଠାନିକ ବ୍ୟବସ୍ଥା, ଯାହାକି ଆଇନକାନୁନ ଏବଂ କ୍ଷମତାର ବିକେନ୍ଦ୍ରୀକରଣ ପ୍ରକ୍ରିୟା ଦ୍ୱାରା ପରିଚାଳିତ। ଭାରତର ପ୍ରଥମ ସ୍ୱରାଷ୍ଟ୍ରମନ୍ତ୍ରୀ ସ୍ୱର୍ଗତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଭାରତୀୟ ପ୍ରଶାସନିକ ସେବାକୁ ଦେଶର ସୁଶାସନର ଷ୍ଟିଲଫ୍ରେମ୍ ବା ଲୌହଢାଞ୍ଚା ଭାବେ ଅଭିହିତ କରିଥିଲେ। ତେବେ ୯୦ ଦଶକରେ ଭାରତରେ ଆର୍ଥିକ ସଂସ୍କାର କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ଦେଶରେ ପ୍ରଶାସନିକ ଢାଞ୍ଚା ଏବଂ ଅମଲାତନ୍ତ୍ର ବ୍ୟବସ୍ଥାରେ ଏକ ବିରାଟ ପରିବର୍ତ୍ତନ ଆସିଲା। ୨୦୦୫ରେ ସୂଚନା ଅଧିକାର ଆଇନ ଏବଂ ୨୦୧୩ରେ ଲୋକପାଳ ଓ ଲୋକାୟୁକ୍ତ ଆଇନ୍ ପ୍ରଚଳନ ଫଳରେ ଦେଶରେ କାର୍ଯ୍ୟନିର୍ବାହୀ ଏବଂ ଅମଲାତନ୍ତ୍ରର ଉତ୍ତରଦାୟିତ୍ୱ ଯଥେଷ୍ଟ ବୃଦ୍ଧି ପାଇଲା। ଏହିସବୁ କାରଣ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରରେ ପ୍ରଶାସନିକ ସଂସ୍କାର କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହେଲା।

୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଶାସନ ଦାୟିତ୍ୱ ଗ୍ରହଣ କରିବା ପରେ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ପ୍ରଥମ ଦଫା ପ୍ରଶାସନିକ ସଂସ୍କାର ଆରମ୍ଭ କଲେ। ମୁଖ୍ୟମନ୍ତ୍ରୀ ଭିଜିଲାନ୍ସ ବିଭାଗକୁ ଅଧିକ ସକ୍ରିୟ କଲେ ଏବଂ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କଲେ। ଫଳରେ ମନ୍ତ୍ରୀ ଏବଂ ବଡ଼ ବଡ଼ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଦୁର୍ନୀତି ନିବାରଣ ବିଭାଗର କାର୍ଯ୍ୟ ପରିସରକୁ ଆସିଲେ। ପରବର୍ତ୍ତୀ ସମୟରେ ସୂଚନା ଅଧିକାର ଆଇନ ଏବଂ ଲୋକାୟୁକ୍ତ ଆଇନ୍ ରାଜ୍ୟରେ ପ୍ରଚଳନ କରି ଆବଶ୍ୟକୀୟ ଅନୁଷ୍ଠାନ ସୃଷ୍ଟି କରିବା ଫଳରେ ମୁଖ୍ୟମନ୍ତ୍ରୀଙ୍କର ସ୍ୱଚ୍ଛ ଭାବମୂର୍ତ୍ତି ପ୍ରତିଷ୍ଠା ଲାଭ କଲା। ଦ୍ୱିତୀୟ ପର୍ଯ୍ୟାୟ ପ୍ରଶାସନିକ ସଂସ୍କାରରେ ମୁଖ୍ୟମନ୍ତ୍ରୀ ବିତ୍ତୀୟ ଉତ୍ତରଦାୟୀ ଓ ବଜେଟ୍ ପରିଚାଳନା ଆଇନ୍ ୨୦୦୫ ପ୍ରଚଳନ କଲେ ଏବଂ ସବୁ ବିଭାଗକୁ ଆର୍ଥିକ ସଂଯମ ରକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଲେ। ଫଳରେ ୨୦୦୫-୦୬ ଆର୍ଥିକ ବର୍ଷରୁ କ୍ରମାଗତ ଭାବେ ରାଜସ୍ୱ ବଳକା ବଜେଟ୍ ଆଗତ ହୋଇପାରିଲା। ୨୦୨୧-୨୨ରେ ରାଜ୍ୟର ଋଣ ଜିଏସଡିପିର ମାତ୍ର ୧୪.୭ ପ୍ରତିଶତରେ ସୀମିତ ରହିଲା। ଏହି ସମୟରେ ଅନ୍ୟ ରାଜ୍ୟମାନଙ୍କର ଋଣ ଭାର ଓଡ଼ିଶା ଠାରୁ ଅଧିକ ଥିଲା। ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପ୍ରଶାସନିକ ସଂସ୍କାର ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏବଂ ଚତୁର୍ଥ ପର୍ଯ୍ୟାୟ ପ୍ରଶାସନିକ ସଂସ୍କାର ‘ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍’ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଙ୍କ ନେତୃତ୍ୱରେ କରାଗଲା।

ତଥାପି ରାଜ୍ୟରେ ୨୦୧୪ ବେଳକୁ ପ୍ରଶାସନିକ କ୍ଷେତ୍ରରେ ୨ଟି ସମସ୍ୟା ଦେଖାଯାଉଥିଲା। ଉଚ୍ଚ ପ୍ରଶାସନିକ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିବାରେ ଅବହେଳା ପ୍ରଦର୍ଶନ କରୁଥିଲେ, ଯାହାଫଳରେ କାର୍ଯ୍ୟକ୍ରମ ରୂପାୟନରେ ଅହେତୁକ ବିଳମ୍ବ ହେଉଥିଲା। କାର୍ଯ୍ୟକ୍ରମଗୁଡ଼ିକର ଗୁଣାତ୍ମକ ମାନ ବୃଦ୍ଧି କରିବାରେ ମଧ୍ୟ ଅସୁବିଧା ଉପୁଜୁଥିଲା। ଦ୍ୱିତୀୟ ସମସ୍ୟା ଥିଲା ଉତ୍ତରଦାୟିତ୍ୱକୁ ନେଇ। ଯଦିଓ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଲୋକଙ୍କର ସମସ୍ୟା ଶୁଣୁଥିଲା, ତଥାପି ସାଧାରଣ ଲୋକେ ଏଥିରେ ଅଂଶଗ୍ରହଣ କରି ପାରୁନଥିଲେ। ଏହି ଦୁଇ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘୫-ଟି’ ଓ ‘ମୋ ସରକାର’ ଭଳି ୨ଟି ପ୍ରଶାସନିକ ସଂସ୍କାର କାର୍ଯ୍ୟକ୍ରମ ରାଜ୍ୟରେ ଆରମ୍ଭ କଲେ। ‘୫-ଟି’ ନୀତି ଏକ ଆଦର୍ଶ କାର୍ଯ୍ୟ ପ୍ରଣୟନ ମାର୍ଗଦର୍ଶିକା ରୂପେ ଜାରି ହେଲା। ୨୦୧୯ ଗାନ୍ଧୀ ଜୟନ୍ତୀ ପରଠାରୁ ବରିଷ୍ଠ ଏବଂ କନିଷ୍ଠ କର୍ମଚାରୀମାନେ କେତେଦୂର ରାଜ୍ୟ ସରକାରଙ୍କର ଓ ନିଜ ବିଭାଗର ‘୫-ଟି’ ନୀତିକୁ ଅନୁସରଣ କରିଛନ୍ତି ଏବଂ କେତେଦୂର ‘ମୋ ସରକାର’ ପକ୍ରିୟାର ଅନୁସରଣ କରୁଛନ୍ତି ତାହାକୁ ଅଧିକାରୀ ମାନଙ୍କ କାର୍ଯ୍ୟର ମୂଲ୍ୟାଙ୍କନ ବେଳେ ବିଚାରକୁ ନିଆଯିବ ବୋଲି ରାଜ୍ୟ ସରକାର ମାର୍ଗଦର୍ଶିକା ଜାରି କଲେ।
‘୫-ଟି’ ପ୍ରଶାସନିକ ସଂସ୍କାର କାର୍ଯ୍ୟକ୍ରମର ୫ଟି ଉପାଦାନ ହେଲା ଟ୍ରାନ୍ସପରେନ୍ସି ବା ସ୍ୱଚ୍ଛତା, ଟେକ୍ନୋଲୋଜି ବା ପ୍ରଯୁକ୍ତିବିଦ୍ୟାର ବ୍ୟବହାର, ଟିମ୍ ୱାର୍କ ବା ବିଭାଗୀୟ କର୍ମଚାରୀମାନେ ଏକଜୁଟ ହୋଇ କାମ କରିବା, ଟାଇମ୍ ବା ଧାର୍ଯ୍ୟ ସମୟସୀମା ଭିତରେ କାର୍ଯ୍ୟ ଶେଷ କରିବା, ଟ୍ରାନ୍ସଫରମେସନ ବା କୌଣସି ଏକ ପ୍ରକଳ୍ପକୁ କେବଳ ଚିରାଚରିତ କାର୍ଯ୍ୟରୂପେ ବିଚାର ନକରି ଏହାଦ୍ୱାରା ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନ କିପରି ହୋଇପାରିବ ତାହା ନିଶ୍ଚିତ କରିବା। ଏହି ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହନ୍ତି ଯେ ‘୫-ଟି’ ନୀତି ଦ୍ୱାରା ଓଡ଼ିଶାକୁ ଏକ ‘ନୂଆ ଓଡ଼ିଶା’ରେ ପରିବର୍ତ୍ତନ କରିବା, ଯେଉଁଠି ଦାରିଦ୍ର୍ୟ ନ’ଥିବ, ମହିଳାମାନେ ଆର୍ଥିକ ପ୍ରଗତି ଏବଂ ବିକାଶର ଭାଗିଦାରୀ ହୋଇଥିବେ, ସମାଜର ଦୁର୍ବଳ ବର୍ଗ ବିକାଶରେ ଭାଗ ନେଉଥିବେ ଏବଂ ଯୁବବର୍ଗର ସ୍ୱପ୍ନ ପୂରଣ ହେଉଥିବ।

ଏହି ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ‘୫-ଟି’ ଓ ‘ମୋ ସରକାର’ ସଂସ୍କାର କାର୍ଯ୍ୟକ୍ରମ ଆଜି ରାଜ୍ୟ ସରକାରଙ୍କ ସବୁ ବିଭାଗରେ କାର୍ଯ୍ୟ କରୁଛି। ଏହାର ସୁଫଳ ମଧ୍ୟ ରାଜ୍ୟ ପ୍ରଶାସନକୁ ଏବଂ ରାଜ୍ୟବାସୀଙ୍କୁ ମିଳୁଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୨୧ରେ ପ୍ରସ୍ତୁତ କରାଯାଇଥିବା ଉତ୍ତମ ଶାସନ ସୂଚୀରେ (ଗୁଡ୍ ଗଭରନାନ୍ସ ଇଂଡ଼େକ୍ସ ରେ) ମାନବ ସମ୍ବଳ ବିକାଶ ଏବଂ ଆର୍ଥିକ ପରିଚାଳନା କ୍ଷେତ୍ରରେ, ଗ୍ରୁପ-ବି ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ୧ ନମ୍ବର ରାଜ୍ୟର ମାନ୍ୟତା ପାଇପାରିଛି। ଓଡ଼ିଶା ଜନସେବା ଅଧିକାର ଆଇନ୍ ଅଧୀନରେ ‘ଓଡ଼ିଶା ୱାନ’୍ ପୋର୍ଟାଲରେ ୪୪ ବିଭାଗର ୪୪୦ ସରକାରୀ ସେବାକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ସଂସ୍କାର ଯୋଗୁଁ ପୁଞ୍ଜି ଲଗାଣ କ୍ଷେତ୍ରରେ ଓଡ଼ିଶାକୁ ପ୍ରତିବର୍ଷ ଅଧିକରୁ ଅଧିକ ସଫଳତା ମିଳିବା ସହିତ କୋଭିଡ-୧୯ ମହାମାରୀ ସମୟରେ ଲୋକଙ୍କ ଧନଜୀବନ ମଧ୍ୟ ସୁରକ୍ଷିତ ହୋଇପାରିଛି। ଇ-ଗଭରନାନ୍ସ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ସହିତ ସବୁ ବିଭାଗରେ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ହୋଇପାରିଛି। ମାତ୍ର ୧୫ମାସ ଭିତରେ ବିଶ୍ୱର ବୃହତ୍ତମ ହକି ଷ୍ଟାଡିୟମ୍ ରାଉରକେଲାରେ ନିର୍ମାଣ, ଧାର୍ଯ୍ୟ ସମୟ ପୂର୍ବରୁ ଦକ୍ଷିଣ ଓ ପଶ୍ଚିମଓଡ଼ିଶାକୁ ସଂଯୋଗ କରୁଥିବା ବିଜୁ ଅର୍ଥନୈତିକ କରିଡର, ବିଜୁ ଏକ୍ସପ୍ରେସ ୱେ ନିର୍ମାଣ, ହଜାର ହଜାର ସରକାରୀ ବିଦ୍ୟାଳୟର ରୂପାନ୍ତରଣ, ବିଭିନ୍ନ ତୀର୍ଥ ଓ ଐତିହ୍ୟସ୍ଥଳିର ବିକାଶ, ଡାକ୍ତରଖାନା ଓ ଭେଷଜ ମହାବିଦ୍ୟାଳୟ ନିର୍ମାଣ ତଥା ବିକାଶ ଆଦି ଅନେକ ଆଖିଦୃଶିଆ କାମ ‘୫-ଟି’ ଏବଂ ‘ମୋ ସରକାର’ ଜରିଆରେ ସମ୍ଭବପର ହୋଇପାରିଛି। ଲୋକେ ଫେସବୁକ ଓ ଟ୍ୱିଟରରେ ନିଜର ସମସ୍ୟା ଉପସ୍ଥାପନ କରି ‘୫-ଟି’ ମାଧ୍ୟମରେ ତ୍ୱରିତ ସମାଧାନ ପାଇ ପାରୁଛନ୍ତି। ରାଜ୍ୟରେ ସ୍ୱଚ୍ଛ, ପ୍ରଭାବଶାଳୀ ଏବଂ ଉତ୍ତରଦାୟୀ ଶାସନ ର ଗଭୀର ମୂଳଦୁଆ ପଡିସାରିଛି।

ଜଣେ ସାଧାରଣ ବ୍ୟକ୍ତି ‘୫-ଟି’ ଉପକ୍ରମରେ ନିଜର ଅଭିଯୋଗ ସମ୍ପୃକ୍ତ ବିଭାଗ ନିକଟରେ ସହଜରେ ଦାଖଲ କରି ଏହାର ଅଗ୍ରଗତି ବିଷୟରେ ଏବେ ଜାଣିପାରୁଛନ୍ତି। ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ଅଧୀନରେ ଥିବା ଇ-ଅଭିଯୋଗ ବ୍ୟବସ୍ଥା ଏବେ ଡିଜିଟାଲ୍‌‌ରେ ପରିବର୍ତ୍ତନ ହୋଇ ଇ-ଅଭିଯୋଗ ପୋର୍ଟାଲରେ ଉପଲବ୍ଧ ହେଉଛି। ଏଠାରେ ଓଡ଼ିଆରେ ମଧ୍ୟ ମୋବାଇଲ୍‌‌ ସ୍ୱର ଦେଇ ଅଭିଯୋଗକାରୀ ପଞ୍ଜିକୃତ ହୋଇ ଯେକୌଣସି ବିଭାଗରେ ନିଜର ଅଭିଯୋଗ ଦାଖଲ କରି ସମାଧାନ କରିପାରୁଛନ୍ତି। ଏହାବ୍ୟତୀତ ନିଃଶୁଳ୍କ ଟେଲିଫୋନ୍‌‌ ନମ୍ବର ୧୪୫୪୫ରେ ଲୋକେ ଫୋନ୍‌‌ ଯୋଜେ ଅଭିଯୋଗ ଦାଖଲ କରିପାରୁଛନ୍ତି। ଅତି ଅସୁବିଧାରେ ପଡ଼ିଥିବା ବ୍ୟକ୍ତିବିଶେଷ, ‘ମୋ ସରକାର’ ଓ ‘୫-ଟି’ ଟ୍ୱିଟରେ ନିଜର ଅସୁବିଧା ‘୫-ଟି’ ସଚିବଙ୍କୁ ଜଣାଇ ସମାଧାନ କରିପାରୁଛନ୍ତି। ‘୫-ଟି’ ସଚିବଙ୍କ କ୍ଷେତ୍ର ପରିଦର୍ଶନ କାର୍ଯ୍ୟ ଯୋଗୁଁ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହେବା ସହିତ ପୁରୁଣା ସମସ୍ୟା ସମାଧାନ ହୋଇପାରୁଛି। ଗତ ୧୦-୧୨ ମାର୍ଚ୍ଚରେ ‘୫-ଟି’ ସଚିବଙ୍କର ସୁନ୍ଦରଗଡ଼ ଗସ୍ତ ସମୟରେ ସୁନ୍ଦରଗଡ଼ ମହିଳା ମହାବିଦ୍ୟାଳୟରେ ଅଧ୍ୟକ୍ଷ ପଦବୀ ଖାଲିପଡ଼ିଥିବା କଥା ଛାତ୍ରଛାତ୍ରୀମାନେ କହିଥିଲେ। ଏହି ସମସ୍ୟାକୁ ‘ମୋ ସରକାର’ ମାଧ୍ୟମରେ ୨୪ ଘଣ୍ଟା ମଧ୍ୟରେ ସମାଧାନ କରାଯାଇପାରିଥିଲା। ସେହିପରି ‘ମୋ ସରକାର’ ବ୍ୟବସ୍ଥା ଯୋଗୁଁ ଡାକ୍ତରଖାନାକୁ ଯାଉଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟ ଏବଂ ଥାନାକୁ ଯାଉଥିବା ଅଭିଯୋଗକାରୀମାନେ ନିଜର ମୋବାଇଲ୍‌‌ ନମ୍ବର ପଞ୍ଜିକୃତ କରିପାରୁଛନ୍ତି। ପରେ ସେମାନଙ୍କ ପାଖକୁ ପାଇଥିବା ସେବା ବାବଦରେ ମତାମତ ପାଇଁ ଫୋନ୍‌‌ କଲ୍‌‌ ଯାଉଛି। ଫଳରେ ସରକାରୀ କର୍ମଚାରୀମାନଙ୍କର ଦାୟିତ୍ୱ ବୃଦ୍ଧିପାଉଛି।

ଜୁନ୍ ୨୦୨୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ କଲେ। ନୂଆ ମନ୍ତ୍ରୀମାନଙ୍କୁ ଉଦବୋଧନ ଦେବାବେଳେ ସେ ‘୫-ଟି’ ସହିତ ଆଉ ଗୋଟିଏ ‘ଟି’ର ମନ୍ତ୍ର ମଧ୍ୟ ଦେଇଥିଲେ। ଏହି ଷଷ୍ଠ ‘ଟି’ ହେଲା ‘ଟୁର୍’ ବା ‘କ୍ଷେତ୍ର ପରିଦର୍ଶନ’। ମନ୍ତ୍ରୀମାନେ ଜିଲ୍ଲା, ବ୍ଲକ ଓ ଗ୍ରାମ ପଞ୍ଚାୟତ ପରିଦର୍ଶନ କରି ଲୋକଙ୍କ ସମସ୍ୟା ବୁଝିବା ସହିତ ସେଗୁଡ଼ିକର ସମାଧାନ ପାଇଁ ପ୍ରଚେଷ୍ଟା କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ସେ ପୁଣି କହିଥିଲେ ଯେ ଲୋକଙ୍କର ନେତୃତ୍ୱ ନେବାର ଅର୍ଥ ସେମାନଙ୍କ ସେବା କରିବା। ଓଡ଼ିଶାର ଅମଲାତନ୍ତ୍ର ମଧ୍ୟ ଏହି ଷଷ୍ଠ ‘ଟି’ ମନ୍ତ୍ର କୁ ପାଳନ କରିବାକୁ ପ୍ରତିଶ୍ରୁତିବଦ୍ଧ ହେଲା !

ମୋଟାମୋଟି ଭାବେ ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପଞ୍ଚମ ଶାସନ ପାଳିରେ ପ୍ରଣୀତ ‘୫-ଟି’, ‘୬-ଟି’ ଏବଂ ‘ମୋ ସରକାର’ ପ୍ରଶାସନିକ ସଂସ୍କାର କାର୍ଯ୍ୟକ୍ରମ, ଓଡ଼ିଶାକୁ ଓ ଓଡ଼ିଶାବାସୀଙ୍କୁ ବିଭିନ୍ନ ବିକାଶ, ସରକାରୀ ସେବା ଓ ସମାଜମଙ୍ଗଳ କ୍ଷେତ୍ରରେ ଅଧିକ ଲାଭ ପହଞ୍ଚାଇବା ସହିତ ରାଜ୍ୟ ପ୍ରଶାସନକୁ ଅଧିକ ଲୋକାଭିମୁଖୀ ଏବଂ ସ୍ୱଚ୍ଛ କରିପାରିିଛି। ମୁଖ୍ୟମନ୍ତ୍ରୀ କୌଣସି ପ୍ରଶାସନିକ ସଂସ୍କାରକୁ ଏକ ସ୍ୱତନ୍ତ୍ର ବିଭାଗ କରିବେ ବା ଅଯଥା ବିଭାଗ କରି ଅର୍ଥ ଅପଚୟ ନକରି ଏହାକୁ ଏକ ସ୍ୱତନ୍ତ୍ର ସଚିବଙ୍କ ଅଧୀନରେ କାର୍ଯ୍ୟକ୍ଷମ କରାଇବେ ତାହା ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଧୀନ ଓ ଅଭିଜ୍ଞତାର ବିଷୟ। ତେବେ ସାଧାରଣ ଲୋକେ ପୂର୍ବରୁ ରାଜ୍ୟ ପ୍ରଶାସନିକ ଅଧିକାରୀଙ୍କୁୁ କ୍ଷେତ୍ରରେ ଦେଖିପାରୁନଥିବା ବେଳେ ଏବେ ‘୫-ଟି’ ସଚିବଙ୍କୁ ବିଭିନ୍ନ କ୍ଷେତ୍ର ପରିଦର୍ଶନ ବେଳେ ଦେଖି ଏବଂ ଅସୁବିଧା ବେଳେ ତାଙ୍କୁ ନିଜର ସମସ୍ୟା ଜଣାଇ ସମାଧାନ କରିପାରିବା ଯୋଗୁଁ ରାଜ୍ୟ ପ୍ରଶାସନ ଉପରେ ଅଧିକ ଆଶା ଓ ବିଶ୍ୱାସ ବଢ଼଼ିବାରେ ଲାଗିଛି। ରାଜ୍ୟ ସରକାରଙ୍କର ଲୋକାଭିମୁଖୀକରଣ ଲକ୍ଷ୍ୟ ଏହି ପ୍ରଶାସନିକ ସଂସ୍କାର ଯୋଗୁଁ ପୂରଣ ହୋଇପାରୁଛି। ଲଳିତ ମୋହନ ମିଶ୍ର, ଭୁବନେଶ୍ୱର, ମୋ:୯୪୩୯୧୭୮୫୮୮

Leave A Reply

Your email address will not be published.