ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜଳବାୟୁ ବିଭ୍ରାଟ ‘ଏଲ୍‌‌ ନିନୋ’ ଆଶଙ୍କା

ଚଳିତ ବର୍ଷ (୨୦୨୩) ‘ଏଲ୍‌‌ ନିନୋ’ର ପୁନରାଗମନ ଘଟିପାରେ ବୋଲି ପୂର୍ବାନୁମାନ କରିଛନ୍ତି ଆମେରିକାର ‘ନ୍ୟାସନାଲ୍‌‌ ଓସେନିକ୍‌‌ ଆଣ୍ଡ ଆଟମୋସ୍‌‌ଫେରିକ୍‌‌ ଆଡମିନିଷ୍ଟ୍ରେସନ’ ବା ‘ନୋଆ’ର ପାଣିପାଗ ବିଜ୍ଞାନୀମାନେ। ଗତ ୯ ତାରିଖ ଦିନ ସେମାନେ ଏ ବର୍ଷ ଦ୍ୱିତୀୟଥର ପାଇଁ ଏ ସମ୍ପର୍କରେ ଦେଇଥିବା ସୂଚନାରେ ଦର୍ଶାଇଛନ୍ତି ଯେ ଆଗାମୀ ଜୁନ୍‌‌-ଜୁଲାଇ-ଅଗଷ୍ଟ ମଧ୍ୟରେ ଏହା ଘଟିବାର ସମ୍ଭାବନା ୪୯ ଶତାଂଶ ଥିବାବେଳେ ଜୁଲାଇ-ଅଗଷ୍ଟ-ସେପ୍ଟେମ୍ବର ସମୟରେ ୫୭ ଶତାଂଶ। ଏହି ପୂର୍ବାନୁମାନ ସତ ହେଲେ ଆମ ଦେଶ ଉପରେ ତାହାର ପ୍ରଭାବ ପ୍ରକଟିତ ହେବ ସ୍ୱଳ୍ପ ବୃଷ୍ଟିପାତ ଓ ତଦ୍‌‌ଜନିତ ଫସଲହାନି ମାଧ୍ୟମରେ। ତେବେ ତାହା କେତେଦୂର ପ୍ରଭାବଶାଳୀ ହେବ ସେ କଥା ନିର୍ଭର କରିବ ଭାରତ ମହାସାଗରର ଅବସ୍ଥା, ୟୁରେସିଆର ବରଫ ଆସ୍ତରଣ, ଋତୁ-ଋତୁ ମଧ୍ୟରେ ଆସୁଥିବା ଜଳବାୟୁ ସମେତ ବିବିଧ ପରିବର୍ତ୍ତନ ଉପରେ।

ଦକ୍ଷିଣ ଆମେରିକାର ପୂର୍ବ-ଭୂମଧ୍ୟ ସାଗର ନିକଟରେ ରହିଛି ‘ପେରୁ’ ନାମକ ଦେଶ। ଏ ଅଞ୍ଚଳ ଗ୍ରୀଷ୍ମମଣ୍ଡଳୀୟ ହେଲେ ହେଁ ଏଠାରେ ସମୁଦ୍ରଜଳ ତୁଳନାତ୍ମକ ଭାବେ ଶୀତଳ ରହେ। କିନ୍ତୁ କିଛି କିଛି ବର୍ଷ ଅନ୍ତରାଳରେ ଡିସେମ୍ବର ମାସଠାରୁ ଏହି ଶୀତଳ ଜଳ ଏକ ଅଧିକ ଉଷ୍ମ ଏବଂ ଶକ୍ତିଶାଳୀ ଦକ୍ଷିଣ ଦିଗଗାମୀ ସାମୁଦ୍ରିକ ସ୍ରୋତରେ ରୂପାନ୍ତରିତ ହୋଇଥାଏ। ଏ ଘଟଣା ପ୍ରାୟ ବର୍ଷେ ପର୍ଯ୍ୟନ୍ତ ଲାଗି ରହେ। ସେତେବେଳେ ସମୁଦ୍ର ଅସ୍ୱାଭାବିକ ଭାବେ ଉଷ୍ମ ରହିବାର ଦେଖାଯାଏ। ଅନ୍ୟପକ୍ଷରେ, ସାମୁଦ୍ରିକ ସ୍ରୋତ ସମୁଦ୍ରର ଗଭୀର ପ୍ରଦେଶରେ ଶୀତଳ ଜଳକୁ ଅଶାନ୍ତ କରେ। ସାମୁଦ୍ରିକ ଜୀବନ, ଏହାର ପରିସଂସ୍ଥା ଏବଂ ଜଳବାୟୁ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼େ। ଏହାକୁ ‘ଏଲ୍‌‌ ନିନୋ’ କୁହାଯାଏ।

ସାଧାରଣତଃ ୩ ରୁ ୬ା୭ ବର୍ଷ ବ୍ୟବଧାନରେ ଏପରି ଘଟଣା ଘଟିଥାଏ। ଗ୍ରୀଷ୍ମମଣ୍ଡଳୀୟ ଭୂମଧ୍ୟସାଗରର ଅସାଧାରଣ ଉଷ୍ମତା ବୃଦ୍ଧି ଏବଂ ଦକ୍ଷିଣ ଆମେରିକାରୁ ଏସିଆ ଆଡ଼କୁ ପଶ୍ଚିମ ଦିଗରେ ପ୍ରବାହିତ ବାଣିଜ୍ୟବାୟୁ ଅଧିକ ମାତ୍ରାରେ ଦୁର୍ବଳ ହେବା ହେତୁ ଏପରି ଘଟେ। ବାଣିଜ୍ୟବାୟୁ ସାଧାରଣ ଭାବେ ବାଷ୍ପୀଭବନ ଏବଂ ସମୁଦ୍ର ପୃଷ୍ଠ ତଳୁ ଶୀତଳ ଜଳରାଶିକୁ ଊର୍ଦ୍ଧ୍ବଗମନ କରାଇବା ମାଧ୍ୟମରେ ପୂର୍ବ-ଭୂମଧ୍ୟ ସାଗରର ଉପରିଭାଗ ଜଳରାଶିକୁ ଶୀତଳ ଏବଂ ପଶ୍ଚିମ-ଭୂମଧ୍ୟ ସାଗରର ଜଳରାଶିକୁ ଉଷ୍ମ କରେ। କିନ୍ତୁ ଏହି ବାଣିଜ୍ୟବାୟୁ ଦୁର୍ବଳ ହୋଇଗଲେ ପଶ୍ଚିମରେ ଉଷ୍ମଜଳ ଧାରଣ କ୍ରିୟା ଏବଂ ପୂର୍ବରେ ଶୀତଳତା ଚାଲୁରହିବା ପ୍ରକ୍ରିୟା ମଧ୍ୟ ଦୁର୍ବଳ ହୋଇପଡ଼େ। ଫଳରେ ନିଉଗିନିଠାରୁ ଦକ୍ଷିଣ ଆମେରିକା ପର୍ଯ୍ୟନ୍ତ ସମଗ୍ର ଭୂମଧ୍ୟ ସାଗରରେ ଅପେକ୍ଷାକୃତ ଉଷ୍ମଜଳ ସର୍ବବ୍ୟାପୀ ହୋଇଯାଏ। ଯଦିଓ ବାଣିଜ୍ୟବାୟୁ ଏଭଳି ଦୁର୍ବଳ ହେବାର କାରଣ ଜଣାଅଛି ଏବଂ ବୈଜ୍ଞାନିକମାନେ ଏହିପରି ଘଟଣାଟି ବୁଝିବା ଦିଗରେ ଅନେକ ଦୂର ଅଗ୍ରସର ହେଲେଣି, ତଥାପି ଏହାର ପୌନଃପୁନିକ ଚକ୍ର କାହାଦ୍ୱାରା ପରିଚାଳିତ, ତାହା ସଠିକ ରୂପେ ଜଣାପଡ଼ିନାହିଁ।

ପୃଥିବୀର ବିଷୁବରେଖା ଅଞ୍ଚଳର ଚତୁଃପାର୍ଶ୍ବରେ ପଟି ପଟି ହୋଇ ରହିଥିବା ବାୟୁର ଏକ ଢାଞ୍ଚାକୁ ବାଣିଜ୍ୟବାୟୁ ବୋଲି କୁହାଯାଏ। ଏହା ହେଲା ଉଷ୍ମମଣ୍ଡଳର ପ୍ରଭାବଶାଳୀ ବାୟୁ, ଯାହାକି ଅଶ୍ୱ-ଅକ୍ଷାଂଶମାନଙ୍କ ଉଚ୍ଚଚାପରୁ ବିଷୁବରେଖା ଚତୁଃପାର୍ଶ୍ବର ନିମ୍ନଚାପ ଅଞ୍ଚଳକୁ ପ୍ରବାହିତ ହୁଏ। ଉତ୍ତର ଗୋଲାର୍ଦ୍ଧରେ ଦକ୍ଷିଣ-ପୂର୍ବରୁ ଏବଂ ଦକ୍ଷିଣ ଗୋଲାର୍ଦ୍ଧରେ ଉତ୍ତର-ପୂର୍ବରୁ ଏ ବାୟୁ ପ୍ରବାହ ଶକ୍ତିଶାଳୀ ହୋଇଥାଏ। ଏହା ମହାସମୁଦ୍ର ମଧ୍ୟରେ ଆଗେ ବାଣିଜ୍ୟ ବ୍ୟବସାୟ କରୁଥିବା ପାଲଟଣା ଜାହାଜଗୁଡ଼ିକୁ ଖୁବ୍‌‌ ବେଗରେ ପରିଚାଳିତ କରି ନେଉଥିବାରୁ ଏହାର ନାମ ବାଣିଜ୍ୟ ବାୟୁ ହୋଇଛି। ଏଲ୍‌‌ ନିନୋକୁ ପୃଥିବୀର ଗ୍ରୀଷ୍ମ ଅଞ୍ଚଳରୁ ମେରୁ ଅଞ୍ଚଳକୁ ତାପ ପ୍ରବାହ ଘଟାଇବାର ମାନନିର୍ଦ୍ଧାରକ କ୍ରିୟାବିଧି ବୋଲି କୁହାଯାଇପାରେ। କାରଣ, ଗ୍ରୀଷ୍ମାଞ୍ଚଳରେ ଅଧିକ ମାତ୍ରାରେ ଏହାର ଠିକ୍‌‌ ବିପରୀତ ଘଟେ। ସାଧାରଣ ଶୀତକାଳୀନ ବାୟୁ ମଧ୍ୟ ଏହା କରିଥାଏ। ଏପରି ଘଟୁନଥିଲେ ଗ୍ରୀଷ୍ମାଞ୍ଚଳ ଅତ୍ୟଧିକ ଉଷ୍ମ ଏବଂ ମେରୁ ଅଞ୍ଚଳ ଅତ୍ୟଧିକ ଶୀତଳ ହୋଇପଡ଼ନ୍ତା। ଏଲ୍‌‌ ନିନୋ ଘଟୁଥିବା ବର୍ଷମାନଙ୍କରେ ଗ୍ରୀଷ୍ମାଞ୍ଚଳ ଖୁବ୍‌‌ ଅଧିକ ତାପ ସଞ୍ଚୟ କରି ରଖେ, ଯାହାକି ପରବର୍ତ୍ତୀ ସମୟରେ ମେରୁ ଅଞ୍ଚଳକୁ ଉଷ୍ମ ବାୟୁ ପ୍ରବାହିତ ହୁଏ। ସେହି କାରଣରୁ ଏଲ୍‌‌ ନିନୋ ସହିତ ସଂଯୋଜନରେ କାଲିଫର୍ଣ୍ଣିଆ, ଚିଲି ଭଳି ସ୍ଥାନରେ ଶୀତକାଳ ଅତି କର୍କଶ ହୁଏ।

ଏଥିସହିତ ପଢ଼ନ୍ତୁ

ଗୋଟିଏ ଦୃଷ୍ଟିରୁ ଉଦ୍‌‌ଭିଦ ଓ ପ୍ରାଣୀ ଜଗତରେ ଉତ୍ତମ ବିବିଧତା ପାଇଁ ମଧ୍ୟ ଏଲ୍‌‌ ନିନୋ ସହାୟକ ହୁଏ। କାରଣ ଏହା ଜୈବିକ ବ୍ୟବସ୍ଥା ଉପରେ ସମୟକୁ ସମୟ ଦେଉଥିବା ଚାପ ବିବର୍ତ୍ତନ ପାଇଁ ଏକ ଉତ୍ତେଜକ ରୂପେ କାର୍ଯ୍ୟକରେ। ପୁନଶ୍ଚ ଏହାଦ୍ୱାରା ପ୍ରଭାବିତ ଉଭୟ ସ୍ଥଳ ଓ ଜଳ ଉପରିସ୍ଥ ଜୈବ- ପରିବେଶରେ ଏଇ ସମୟକୁ ସମୁଦ୍ରର ଆନ୍ଦୋଳନ ମଧ୍ୟରେ ବଞ୍ଚିରହିବା ପାଇଁ ସେମାନେ ଖୁବ୍‌‌ ସହନଶୀଳ ହୋଇଯାଆନ୍ତି।

ଅନ୍ୟପକ୍ଷରେ ପେରୁ ଅଞ୍ଚଳରେ ଏଲ୍‌‌ ନିନୋର ବିପରୀତ ପରି ଘଟଣାଟିଏ ମଧ୍ୟ ଘଟିବାର ଦେଖାଯାଏ। କିଛି କିଛି ବର୍ଷ ଅନ୍ତରାଳରେ ଏହି ମହାସାଗର ତଟବର୍ତ୍ତୀ ଅଞ୍ଚଳର ଜଳରାଶି ଅସ୍ୱାଭାବିକ ଭାବେ ଶୀତଳ ମଧ୍ୟ ହୁଏ। ଏହାକୁ କହନ୍ତି ‘ଲା ନିନୋ’। ଏଲ୍‌‌ ନିନୋର ପ୍ରଭାବ ପେରୁ ବା ଏହା ଆଖ ପାଖ ଅଞ୍ଚଳ ମଧ୍ୟରେ ସୀମାବଦ୍ଧ ରହେ ନାହିଁ। ସମଗ୍ର ଭୂମଧ୍ୟସାଗର ପ୍ରାନ୍ତଠାରୁ ଭାରତ, ଆଫ୍ରିକା ଏବଂ ଏହାଠାରୁ ଦୂରବର୍ତ୍ତୀ ଅଞ୍ଚଳ ପର୍ଯ୍ୟନ୍ତ ତାହା ବ୍ୟାପ୍ତ ହୁଏ। ଅତଏବ ଆମ ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା କମ୍‌‌ ହୁଏ। ଭାରତରେ ନିକଟ ଅତୀତରେ ୧୯୮୩, ୧୯୯୨, ୧୯୯୪, ୧୯୯୮, ୨୦୦୪, ୨୦୦୯ ଏବଂ ୨୦୧୪ ମସିହାରେ ଏହାର ବେଶ୍‌‌ ପ୍ରଭାବ ପଡ଼ିଥିଲା। ତନ୍ମଧ୍ୟରୁ ୧୯୯୨ ମସିହାରେ ଏହା ସର୍ବାଧିକ ଅନାବୃଷ୍ଟିର କାରଣ ହେଲାବେଳେ ୨୦୧୪ ମସିହା ଏ ପ୍ରଭାବ ବିଶେଷ ନକାରାତ୍ମକ ହୋଇନଥିଲା। ତଥାପି ସେହି ବର୍ଷ ବୃଷ୍ଟିପାତ ପ୍ରାୟ ୧୦ ପ୍ରତିଶତ କମ୍‌‌ ହେବା ଫଳରେ କିଛିମାତ୍ରାରେ ଫସଲହାନି ଘଟିଥିଲା। ତେବେ ଚଳିତ ବର୍ଷ ଏହା କେତେଦୂର କ୍ଷତିକାରକ ହେବ, ତାହା ସେ ସମୟର ଜଳବାୟୁର ବିଭିନ୍ନ କାରକ ଉପରେ ନିର୍ଭର କରିବ। ଏ ସମ୍ପର୍କରେ କିଛିଟା ନିର୍ଦ୍ଦିଷ୍ଟ ସୂଚନା ହୁଏତ ଆଉ କେତେମାସ ପରେ ମିଳିପାରେ। ପାଣିପାଗ ବିଜ୍ଞାନୀମାନେ ଏବେ ସେଥିପ୍ରତି ଧ୍ୟାନ ରଖିଛନ୍ତି।

ପ୍ରଫେସର ରମେଶଚନ୍ଦ୍ର ପରିଡା
ଭୁବନେଶ୍ୱର, ମୋ: ୯୯୩୭୯୮୫୭୬୭

Leave A Reply

Your email address will not be published.