ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କେନ୍ଦ୍ର ବଜେଟରେ ଭିନ୍ନକ୍ଷମଙ୍କୁ ଉପେକ୍ଷା

କେନ୍ଦ୍ର ଅର୍ଥମନ୍ତ୍ରୀ ସଂସଦରେ ଉପସ୍ଥାପନ କରିଥିବା ୨୦୨୩-୨୪ ଆର୍ଥିକ ବର୍ଷର ବଜେଟକୁ ‘ଅମୃତ କାଳ’ର ପ୍ରଥମ ବଜେଟ ଭାବେ ଏକ ‘ସମୃଦ୍ଧ ଓ ଅନ୍ତର୍ଭୁକ୍ତ’ ଭାରତର ପରିକଳ୍ପନା ଭାବେ ଘୋଷଣା କରି ଉପସ୍ଥାପନା କରିଛନ୍ତି। କିନ୍ତୁ ଦଳିତ, ଆଦିବାସୀ, ମହିଳା, ଭିନ୍ନକ୍ଷମ ଓ ସଂଖ୍ୟାଲଘୁଙ୍କ ପାଇଁ ଏଥିରେ ଆବଣ୍ଟନ ଦେଖିଲେ ହତାଶ ହେବାକୁ ପଡ଼େ। ଏହି ବଜେଟ୍‌‌ରେ ସେମାନଙ୍କୁ ରୋଜଗାରକ୍ଷମ ଏବଂ ସଶକ୍ତ କରିବା ପାଇଁ କିଛି ବ୍ୟବସ୍ଥା ନାହିଁ କି ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଆଇନର କାର୍ଯ୍ୟକାରିତା ପାଇଁ କିଛି ସଂକଳ୍ପ ନାହିଁ। ସେମାନଙ୍କ ଭତ୍ତା ବୃଦ୍ଧି କରିବା ବା ସେମାନଙ୍କ ବିକାଶର ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ବ୍ୟବସ୍ଥା ବା ବ୍ୟୟବରାଦ ନାହିଁ।

୨୦୨୨-୨୩ ଆର୍ଥିକ ବର୍ଷ ତୁଳନାରେ ୨୦୨୩-୨୦୨୪ ଆର୍ଥିକ ବର୍ଷ ବଜେଟରେ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗକୁ ପ୍ରାୟ ୧ ପ୍ରତିଶତ ଆବଣ୍ଟନ ବୃଦ୍ଧି କରାଯାଇଛି। ୨୦୨୦-୨୦୨୧ ଆର୍ଥିକ ବର୍ଷରେ ୧୩୨୫.୩୯ କୋଟି ଟଙ୍କାର ଅଟକଳ ପର୍ଯ୍ୟାପ୍ତ ନ ଥିଲା, ୨୦୨୨- ୨୩ ଆର୍ଥିକ ବର୍ଷରେ ସେଥିରୁ ବି ପ୍ରାୟତଃ ୧୨ ପ୍ରତିଶତ ହ୍ରାସ କରି ୧୧୭୧.୭୭ କୋଟି ବ୍ୟୟ ବରାଦ କରାଯାଇଥିଲା। ଭିନ୍ନକ୍ଷମଙ୍କ ଅଧିକାର ଆଇନ କାର୍ଯ୍ୟକାରୀ କରିବା ପାଇଁ ଆବଣ୍ଟନ ଗତବର୍ଷ ୨୪୦.୩୯ କୋଟି ଟଙ୍କା ଆକଳନ ହୋଇଥିବା ବେଳେ ଚଳିତ ବର୍ଷ ଏହା ୯୦ କୋଟି ଟଙ୍କା ହ୍ରାସ ପାଇ ୧୫୦ କୋଟି ଟଙ୍କାରେ ପହଞ୍ଚିଛି। ବିଭିନ୍ନ ମନ୍ତ୍ରଣାଳୟରେ ଭିନ୍ନକ୍ଷମବ୍ୟକ୍ତିଙ୍କ ପାଇଁ ମୋଟ ନିର୍ଦ୍ଦିଷ୍ଟ ଆବଣ୍ଟନ ସମାନ ରହିଛି, ଯାହା ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୦.୦୦୮ ପ୍ରତିଶତ।

ଅଧିକ ପଢନ୍ତୁ

ଭାରତରେ ମୋଟ ଭିନ୍ନକ୍ଷମ ସଂଖ୍ୟା ଲୋକସଂଖ୍ୟାର ପାଖାପାଖି ୧୦ ପ୍ରତିଶତ ଓ ଭିନ୍ନକ୍ଷମଙ୍କ ଅଧିକାର ନିମନ୍ତେ ୨୦୧୬ ମସିହାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ‘ଭିନ୍ନକ୍ଷମ ଅଧିକାର ଆଇନ’ ରେ ୨୧ଟି ବର୍ଗର ଭିନ୍ନକ୍ଷମତାକୁ ଅନ୍ତର୍ଭୁକ୍ତ କରି ସେମାନଙ୍କ ପାଇଁ ସୁବିଧା ସୁଯୋଗ ସୃଷ୍ଟି କରିବାର ପ୍ରାବଧାନ ମଧ୍ୟ ରଖାଯାଇଛି। ଏହି ଆଇନର ୩୫ଟି ଧାରାରେ ସେମାନଙ୍କ ଜୀବନର ପ୍ରାୟ ପ୍ରତ୍ୟେକ ଦିଗ ଏବଂ ଏହାକୁ କିପରି ଅପେକ୍ଷାକୃତ ଭାବେ ଆରାମଦାୟକ କରାଯାଇପାରିବ ସେ ବିଷୟରେ ପ୍ରାବଧାନ କରାଯାଇଛି। କିନ୍ତୁ କାର୍ଯ୍ୟକାରୀ କରିବାରେ ବିଫଳତା ପଛରେ ଏହିପରି ନିଅଣ୍ଟିଆ ଆବଣ୍ଟନ ହିଁ ମୁଖ୍ୟତଃ ଦାୟୀ। ଏହି ବିଫଳତା ପାଇଁ କେନ୍ଦ୍ର ସରକାର ନୈତିକତା ଭାବେ ଉତ୍ତରଦାୟୀ। ଭିନ୍ନକ୍ଷମଙ୍କ ପାଇଁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ନୀତିଗତ ଯୋଜନାରେ ଆୟ ମାନଦଣ୍ଡ ହଟାଇବା ପାଇଁ ସରକାରଙ୍କ ପଦକ୍ଷେପ ମଧ୍ୟ ଗ୍ରହଣଯୋଗ୍ୟ ନୁହେଁ। ଇନ୍ଦିରା ଗାନ୍ଧୀ ଜାତୀୟ ଭିନ୍ନକ୍ଷମ ପେନସନ୍‌‌ ଯୋଜନା ପାଇଁ ଆବଣ୍ଟନ ଗତବର୍ଷ ତୁଳନାରେ ୨୯୦ କୋଟି ଟଙ୍କାରେ କିଛି ବି କ୍ଷତି ନାହିଁ। ଏକ ଦଶନ୍ଧିରୁ ଅଧିକ ସମୟ ଧରି ଏହି ରାଶି ବ୍ୟକ୍ତି ପିଛା ୩୦୦ ଟଙ୍କାରେ ଅପରିବର୍ତ୍ତିତ ରହିଛି।

ମନରେଗାରେ ମଜୁରି ଆୟ ଗ୍ରାମୀଣ ଶ୍ରମଶକ୍ତି ପାଇଁ ଜୀବନରେଖା ପାଲଟିଛି। ଅଥଚ ୨୦୨୩-୨୪ ବଜେଟରେ ମନରେଗାରେ ପାଣ୍ଠି ୩୩ ପ୍ରତଶତ ହ୍ରାସ ପାଇଛି। ଏହା ଗରିବ ଲୋକଙ୍କୁ ବିଶେଷକରି ନାମମାତ୍ର ଶ୍ରମିକ ଏବଂ ପ୍ରବାସୀ ଶ୍ରମିକ, ଗ୍ରାମାଞ୍ଚଳର ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ବହୁଳ ଭାବେ ପ୍ରଭାବିତ କରିବ। ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା, ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟକ୍ରମ ଏବଂ ଖାଦ୍ୟ ପାଇଁ ଆର୍ଥିକ ସାହାଯ୍ୟ ଆବଣ୍ଟନରେ ହ୍ରାସ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ମଧ୍ୟ ଗୁରୁତର ଭାବେ ପ୍ରଭାବିତ କରିବ।

ଏଥିସହିତ ପଢ଼ନ୍ତୁ

ଚଳିତ ବଜେଟରେ ସ୍ୱାସ୍ଥ୍ୟସେବା ପାଇଁ ୮୯,୧୫୫ କୋଟି ଟଙ୍କା ବା ଦେଶର ଜିଡିପିର ୧.୯୮% ଆବଣ୍ଟନ କରାଯାଇଛି। ଗତବର୍ଷ ହୋଇଥିବା ୮୬୨୦୦ କୋଟି ଟଙ୍କାର ବାସ୍ତବ ବ୍ୟୟ ତୁଳନାରେ ଏହି ବ୍ୟୟ ବରାଦ ମାତ୍ର ୩.୪୩% ଅଧିକ। ଭାରତର ସ୍ୱାସ୍ଥ୍ୟ ଭିତ୍ତିଭୂମିର ସ୍ଥିତିକୁ ଦୃଷ୍ଟିରେ ରଖି ଏହି ବୃଦ୍ଧି ପର୍ଯ୍ୟାପ୍ତ ନୁହେଁ। ଜନସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ କରୁଥିବା ଦେଶମାନଙ୍କ ମଧ୍ୟରେ ଭାରତ ସର୍ବନିମ୍ନ ସ୍ଥାନରେ ରହିଛି। ଜୀବନ, ଜୀବିକା, ଗରିବ ଏବଂ ଧନୀଙ୍କ ମଧ୍ୟରେ ବଢ଼ୁଥିବା ଅସମାନତା ପ୍ରତି ସରକାରଙ୍କର ଉଦାସୀନତା ଏଥିରୁ ଜଣାପଡୁଛି।

ଅର୍ଥମନ୍ତ୍ରୀଙ୍କ ବଜେଟ୍‌‌ ଅଭିଭାଷଣରେ ଭିନ୍ନକ୍ଷମଙ୍କୁ ଏକ ଅବହେଳିତ ଗୋଷ୍ଠୀ ଭାବେ ମାନ୍ୟତା ଦିଆଯାଇଛି, ଯାହାକୁ ଅନ୍ତର୍ଭୁକ୍ତ ବିକାଶ ପାଇଁ ପ୍ରାଥମିକତା ଦେବାକୁ ପଡ଼ିବ ବୋଲି କହିଛନ୍ତି। ୨୦୪୭ ସୁଦ୍ଧା ରକ୍ତକଣିକାକୁ (ଭିନ୍ନକ୍ଷମ ଅଧିକାର ଆଇନ ଅଧୀନରେ ଭିନ୍ନକ୍ଷମ ଭାବରେ ସ୍ୱୀକୃତିପ୍ରାପ୍ତ) ପ୍ରଭାବିତ କରୁଥିବା ଏକ ରୋଗ ସିକଲ୍‌‌ ସେଲ୍‌ଫ ଆନିମିଆକୁ ଦୂର କରିବାର ଲକ୍ଷ୍ୟ ବିଷୟରେ ମଧ୍ୟ ବଜେଟ୍‌‌ ଭାଷଣରେ ଉଲ୍ଲେଖ କରାଯାଇଥିଲା। ଏହା କେବଳ ବିଭ୍ରାନ୍ତିକର। ଭିନ୍ନକ୍ଷମ ବ୍ୟକ୍ତିମାନେ ଅନୁଭବ କରୁଥିବା ଅନ୍ତର୍ନିହିତ ଅବହେଳା ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ କଥା କୁହାଯାଇ ନଥିଲା। ବିଶେଷ କରି ୨୦୪୭ ସୁଦ୍ଧା ସିକଲ୍‌‌ ସେଲ୍‌ଫ ରକ୍ତକଣିକା ଉଚ୍ଛେଦ ଲକ୍ଷ୍ୟ ରଖି ରୋଗୀଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ ଆବଣ୍ଟନ କରାଯାଇନାହିଁ। ଏହା ଏକ ବ୍ୟୟବହୁଳ ଚିକିତ୍ସା। ଆଦିବାସୀ ସମ୍ପ୍ରଦାୟର ଅନେକ ଲୋକ ଏହି ରୋଗରେ ପୀଡ଼ିତ। ତେଣୁ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ୭ କୋଟିରୁ ଅଧିକ ଲୋକଙ୍କୁ ସ୍କ୍ରିନିଂ କରିବା ପାଇଁ ଏକ ମିଶନ ଆରମ୍ଭ କରିବାର ପ୍ରତିଶ୍ରୁତି ଏବଂ ଅର୍ଥମନ୍ତ୍ରୀଙ୍କ ବଜେଟ୍‌‌ ଭାଷଣରେ ଭିନ୍ନକ୍ଷମଙ୍କ ବିଷୟରେ ନାମମାତ୍ର ଉଲ୍ଲେଖ ବ୍ୟତୀତ ଏହି ବର୍ଗର ଲୋକଙ୍କ ପାଇଁ କିଛି କରାଯାଇନାହିଁ। ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାରକୁ ସମ୍ମାନ, ସୁରକ୍ଷିତ ଓ ପ୍ରୋତ୍ସାହିତ କରିବା ପାଇଁ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ହେଉଛି ପ୍ରମୁଖ କର୍ମସ୍ଥଳୀ। କିନ୍ତୁ ୨୦୨୩-୨୪ରେ ଏହି ବିଭାଗକୁ ଜିଡିପିର ମାତ୍ର ୦.୦୪ ପ୍ରତିଶତ ଆବଣ୍ଟନ କରାଯାଇଛି। ଏହାର ଆବଣ୍ଟନକୁ ସମ୍ପୂର୍ଣ୍ଣ ରୂପେ ଉପଯୋଗ କରିବା ପାଇଁ ବିଭାଗର ସୀମିତ କ୍ଷମତା ଭିନ୍ନକ୍ଷମ ବ୍ୟକ୍ତିଙ୍କ ପ୍ରତି ଏହାର ଦାୟିତ୍ୱ ନିର୍ବାହ କରିବାର କ୍ଷମତାକୁ କ୍ଷୁଣ୍ଣ କରୁଛି।

ନ୍ୟାସନାଲ ୟୁନିଭର୍ସିଟି ଅଫ୍‌‌ ରିହାବିଲିଟେସନ୍‌‌ ସାଇନ୍ସ ଆଣ୍ଡ ଡିସେବିଲିଟି ଷ୍ଟଡିଜ୍‌‌, ରିହାବିଲିଟେସନ୍‌‌ କାଉନସିଲ୍‌‌ ଅଫ୍‌‌ ଇଣ୍ଡିଆ, ସେଣ୍ଟର ଫର୍‌‌ ଡିସେବିଲିଟି ସ୍ପୋର୍ଟସ୍‌‌, ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌‌ ଅଫ୍‌‌ ଇନକ୍ଲୁସିଭ୍‌‌ ଆଣ୍ଡ ୟୁନିଭର୍ସାଲ୍‌‌ ଡିଜାଇନ୍‌‌ ଏବଂ ନ୍ୟାସନାଲ୍‌‌ ଟ୍ରଷ୍ଟ ଭିନ୍ନକ୍ଷମ ବ୍ୟକ୍ତିଙ୍କର ଆୟ ସମ୍ମାନ ସହ ଜୀବନର ଅଧିକାର ସାବ୍ୟସ୍ତ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରେ। ସେଥିମଧ୍ୟରୁ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌‌ ଅଫ୍‌‌ ରିହାବିଲିଟେସନ୍‌‌ ସାଇନ୍ସ ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌‌ ଅଫ୍‌‌ ଇନକ୍ଲୁସିଭ୍‌‌ ଆଣ୍ଡ ୟୁନିଭର୍ସାଲ ଡିଜାଇନ୍‌‌ ପାଇଁ କୌଣସି ଆବଣ୍ଟନ ନାହିଁ। ତେବେ ଜାତୀୟ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ଯାହା ପୂର୍ବରୁ ବଜେଟ୍‌‌ ଦସ୍ତାବିଜରେ ଏକ ସ୍ୱତନ୍ତ୍ର ବିଷୟ ଥିଲା, ଚଳିତ ବଜେଟରେ ତୃତୀୟ ସ୍ତରୀୟ ସ୍ୱାସ୍ଥ୍ୟ ସେବା ଅଧୀନରେ ଅନ୍ତର୍ଭୁକ୍ତ ହୋଇଛି। ଇତିମଧ୍ୟରେ ଟେଲି-ମେଣ୍ଟାଲ ହେଲ୍‌‌ଥ ନାମକ ଏକ ନୂଆ କାର୍ଯ୍ୟକ୍ରମର ଅବତାରଣା କରାଯାଇଛି। ଏହାର ରୂପରେଖ, ଗୋଷ୍ଠୀଭିତ୍ତିକ ଥଇଥାନ ସେବା, ପସନ୍ଦଭିତ୍ତିକ, ବ୍ୟକ୍ତିଗତ ଗୁଣାତ୍ମକ ସହାୟକ ଉପକରଣ ଏବଂ ସ୍ୱାସ୍ଥ୍ୟସେବା ଉତ୍ପାଦ ଭଳି ନିର୍ଦ୍ଦିଷ୍ଟ ସେବା ସମେତ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରିବା ପାଇଁ ଦୀର୍ଘଦିନର ଭିନ୍ନକ୍ଷମଙ୍କର ଆନ୍ଦୋଳନର ଦାବି ଉପରେ କୌଣସି ବିଚାର କରାଯାଇନାହିଁ।
ଭିନ୍ନକ୍ଷମ ମହିଳାଙ୍କ ପାଇଁ ଆବଣ୍ଟନ ଲିଙ୍ଗଗତ ବଜେଟ୍‌‌ ବିବରଣୀରେ ଯଦିଓ ଉଲ୍ଲେଖ ହେଇଛି, କିନ୍ତୁ ଏହି ଅବହେଳିତ ଗୋଷ୍ଠୀ ପାଇଁ କୌଣସି ନିର୍ଦ୍ଦିଷ୍ଟ ଆକଳନ ନାହିଁ। ମିଳିତ ଜାତିସଂଘର ଭିନ୍ନକ୍ଷମ ଅଧିକାର ସନନ୍ଦ (ୟୁଏନସିଆରପିଡି) ଅନୁଯାୟୀ ଭିନ୍ନକ୍ଷମ ମହିଳାଙ୍କ ସମ୍ପୂର୍ଣ୍ଣ ଏବଂ ଉତ୍କୃଷ୍ଟ ଅଂଶଗ୍ରହଣ ଏବଂ ସେମାନଙ୍କ ଦ୍ୱାରା ସମସ୍ତ ମାନବିକ ଅଧିକାର ଏବଂ ମୌଳିକ ସ୍ୱାଧୀନତାର ପୂର୍ଣ୍ଣ ଉପଭୋଗ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମଗୁଡ଼ିକର ବିକାଶ ସୁନିଶ୍ଚିତ କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମର୍ଥନ ନାହିଁ।

‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ’ ଭଳି ଓଜନଦାର ଶବ୍ଦ ମଧ୍ୟରେ ଭିନ୍ନକ୍ଷମମାନେ କେଉଁଠି ହଜିଗଲା ପରି ଲାଗୁଛି। ଏହି ଅବହେଳିତ ଗୋଷ୍ଠୀମାନଙ୍କର ବ୍ୟବସ୍ଥାଗତ ଅନ୍ୟାୟ ଏବଂ ଅସମାନତାକୁ ଦୂର କରିବା ପାଇଁ ନିର୍ଦିଷ୍ଟ ଜନକଲ୍ୟାଣକାରୀ ଯୋଜନାର ଆବଶ୍ୟକତା ଥିବା ସତ୍ତ୍ବେ, ଆବଣ୍ଟିତ ପାଣ୍ଠିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅପ୍ରାସଙ୍ଗିକ ଏବଂ ସାଧାରଣ ଯୋଜନା ପ୍ରତି ନିର୍ଦ୍ଦେଶିତ ହୋଇଥିବା ଜଣାପଡ଼ୁଛି, ଯେଉଁଥିରେ ଏହି ସମ୍ପ୍ରଦାୟର ଜରୁରୀ ଏବଂ ନିର୍ଦ୍ଦିଷ୍ଟ ଆବଶ୍ୟକତାକୁ ଅଣଦେଖା କରାଯାଇଛି।

ଗତିଶୀଳତାରୁ ବଞ୍ଚିତ ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଜୀବନ ଆହ୍ୱାନପୂର୍ଣ୍ଣ। ଘରଠାରୁ ଆରମ୍ଭ କରି ଶିକ୍ଷା, ବୃତ୍ତିଗତ ଓ ଅନ୍ୟାନ୍ୟ କ୍ଷେତ୍ର ପର୍ଯ୍ୟନ୍ତ ସେମାନଙ୍କର ସମଗ୍ର ପରିବେଶ ପ୍ରତିବନ୍ଧକରେ ଭରପୂର ହୋଇ ନୈତିକ, ମାନସିକ, ଅର୍ଥନୈତିକ ଓ ସାମାଜିକ ଅସୁବିଧା ସୃଷ୍ଟି କରେ। ୧୦ ପ୍ରତିଶତରୁ ଊର୍ଦ୍ଧ୍ବ ଭାରତୀୟ ନାଗରିକଙ୍କର ଦେଶର ମୂଳ ସ୍ରୋତରେ ମିଶାଇବା ସରକାରଙ୍କର ଏକ ସାମ୍ୱିଧାନିକ ଦାୟିତ୍ୱ ଓ ଅର୍ଥନୈତିକ ଆବଶ୍ୟକତା। ତେଣୁ ବଜେଟରେ ଏସବୁ ଉପରେ ବିଚାର କରାଯିବା ଉଚିତ ଏବଂ ଭିନ୍ନକ୍ଷମ ସମାଜର ସାମଗ୍ରିକ ଉନ୍ନତି ସୁନିଶ୍ଚିତ କରିବା ପାଇଁ ପର୍ଯ୍ୟାପ୍ତ ଆର୍ଥିକ ବ୍ୟୟବରାଦ କରାଯିବା ଉଚିତ।

ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି) ପାଇଁ ମଧ୍ୟ ଭାରତ ପ୍ରତିଶ୍ରୁତିବଦ୍ଧ, ଯାହା ୨୦୩୦ ସୁଦ୍ଧା ହାସଲ ହେବ। ଏସଡିଜିର ସଫଳତାରେ ଅବହେଳିତ ବ୍ୟକ୍ତି ଏବଂ ସମ୍ପ୍ରଦାୟକୁ ଅନ୍ତର୍ଭୁକ୍ତ କରିବାର ଆବଶ୍ୟକତାକୁ ସୂଚାଇଥାଏ। ଏକ ‘ସମୃଦ୍ଧ ଓ ଅନ୍ତର୍ଭୁକ୍ତ’ ଭାରତର ପରିକଳ୍ପନା ଏମାନଙ୍କ ବିନା ସମ୍ଭବ ନୁହେଁ। ଭିନ୍ନକ୍ଷମ ବ୍ୟକ୍ତିମାନଙ୍କର ସାମର୍ଥ୍ୟକୁ ସ୍ୱୀକୃତି ଦେବା ଏବଂ ସେମାନଙ୍କ ଆବଶ୍ୟକତା, ଅଧିକାର ଏବଂ ଦୃଷ୍ଟିକୋଣକୁ ସମସ୍ତ ସ୍ତରରେ ଲକ୍ଷ୍ୟ ହାସଲ ପ୍ରକ୍ରିୟାରେ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ବର୍ତ୍ତମାନର ପ୍ରୟାସକୁ ବୃଦ୍ଧି କରିବା ଆବଶ୍ୟକ।

କସ୍ତୁରୀ ମହାପାତ୍ର
ଭୁବନେଶ୍ୱର

Leave A Reply

Your email address will not be published.