ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡ଼ିଶାରେ କୃଷକ ସଶକ୍ତୀକରଣ

କୃଷି ଏବଂ ଆନୁଷଙ୍ଗିକ କାର୍ଯ୍ୟକଳାପ ଯେପରିକି ମତ୍ସ୍ୟ ଚାଷ ଓ ପଶୁପାଳନ ଓଡ଼ିଶାର ଆର୍ଥିକ ମେରୁଦଣ୍ଡ। ସଦ୍ୟତମ ଉପଲବ୍ଧ ପରିସଂଖ୍ୟାନ ଅନୁସାରେ ରାଜ୍ୟର ଦୁଇ-ତୃତୀୟାଂଶ ଜନସାଧାରଣ ଏହି ଆର୍ଥିକ କାର୍ଯ୍ୟକଳାପରେ ନିୟୋଜିତ ହୋଇ ନିଜର ଜୀବନ ଜୀବିକା ନିର୍ବାହ କରିଥା’ନ୍ତି। ସ୍ୱାଧୀନତା ପରବର୍ତ୍ତୀ ସ୍ଥିତିକୁ ପର୍ଯ୍ୟାଲୋଚନା କଲେ ଜଣାପଡ଼େ ଯେ ଅର୍ଦ୍ଧଶତାବ୍ଦୀରୁ ଅଧିକ ସମୟ ପର୍ଯ୍ୟନ୍ତ ଆମ ରାଜ୍ୟ ପ୍ରଧାନ ଖାଦ୍ୟ ଚାଉଳ ଉତ୍ପାଦନରେ ମଧ୍ୟ ଆତ୍ମନିର୍ଭର ହୋଇପାରିନଥିଲା। ଆମକୁ ବାହାର ରାଜ୍ୟରୁ ଚାଉଳ ଆଣି ଲୋକଙ୍କୁ ଯୋଗାଇବାକୁ ପଡୁଥିଲା। ଅନ୍ୟାନ୍ୟ ଫସଲ, ଅଣ୍ଡା, ମାଛ ଇତ୍ୟାଦି ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ପଦାର୍ଥ କ୍ଷେତ୍ରରେ ମଧ୍ୟ ସମାନ ପରିସ୍ଥିତି ଥିଲା। କିନ୍ତୁ ଗତ ଦୁଇ ଦଶନ୍ଧି ହେଲା ଭାରତୀୟ କୃଷି ଏବଂ ଆନୁଷଙ୍ଗିକ ମାନଚିତ୍ରରେ ଓଡ଼ିଶା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଆଜି ଧାନ ଉତ୍ପାଦନରେ ଓଡ଼ିଶା ଯେ କେବଳ ଆତ୍ମନିର୍ଭରଶୀଳ ହୋଇପାରିଛି ତାହା ନୁହେଁ, ଆମ ରାଜ୍ୟ ନିଜର ଚାହିଦା ପୂରଣ କରିସାରିବା ପରେ ଅନ୍ୟ ରାଜ୍ୟକୁ ରପ୍ତାନି ମଧ୍ୟ କରୁଛି। ଧାନ ବ୍ୟତୀତ ଅନେକ ପନିପରିବା, ଅଣ୍ଡା ତଥା ମାଛ ଉତ୍ପାଦନରେ ମଧ୍ୟ ଆତ୍ମନିର୍ଭରଶୀଳ କିମ୍ୱା ପ୍ରାୟ ଆତ୍ମନିର୍ଭରଶୀଳ ହୋଇପାରିଛି।

କୃଷି ତଥା ଆନୁଷଙ୍ଗିକ ଆର୍ଥିକ କାର୍ଯ୍ୟକ୍ରମରେ ଏହି ଉଲ୍ଲେଖନୀୟ ଅଗ୍ରଗତି ସମ୍ଭବ ହୋଇପାରିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିସମ୍ପନ୍ନ ନୀତି କାରଣରୁ। କୃଷି କ୍ଷେତ୍ରରେ ଅଧିକ ବିନିଯୋଗ, ବିଭିନ୍ନ ସୁବିଧାର ସରଳୀକରଣ, ନୂତନ ଜ୍ଞାନକୌଶଳର ପ୍ରୟୋଗ, ପ୍ରଶିକ୍ଷଣ, ସମୟାନୁଯାୟୀ କୃଷି ଇନ୍‌‌ପୁଟ୍‌‌ ପ୍ରଦାନ ପରି ଆବଶ୍ୟକ କାର୍ଯ୍ୟକ୍ରମ କରାଯାଉଛି। ଉଦାହରଣ ସ୍ୱରୂପ ଆଜି ଓଡ଼ିଶାରେ ଏକ ସ୍ୱତନ୍ତ୍ର କୃଷି ବଜେଟ ୨୦୧୩ ମସିହା ପରଠାରୁ କାର୍ଯ୍ୟକାରୀ ହେଉଛି। ୨୦୧୩-୧୪ ଆର୍ଥିକ ବର୍ଷରେ ୭,୧୬୨ କୋଟି ଟଙ୍କା ବ୍ୟୟରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର କୃଷି ବଜେଟର କଳେବର ଆଜି ୨୧, ୧୬୬ କୋଟି ଟଙ୍କାରେ ପହଞ୍ଚିଛି। ଏହାଦ୍ୱାରା କୃଷି କ୍ଷେତ୍ରରେ ବିନିଯୋଗ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। ଚାଷକାର୍ଯ୍ୟରେ ପୁଞ୍ଜି ସବୁଠାରୁ ବଡ଼ ଆବଶ୍ୟକତା। ଏହା ପୂରଣ କରିବା ପାଇଁ ରାଜ୍ୟ ସରକାର ଶୂନ ପ୍ରତିଶତ ସୁଧ ହାରରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ପ୍ରଦାନ କରୁଛନ୍ତି, ଯାହା ସାରା ଦେଶରେ ବୋଧହୁଏ ପ୍ରଥମ। ଏହାଦ୍ୱାରା ରାଜ୍ୟର ୯୨ ପ୍ରତିଶତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେଉଛନ୍ତି। ସବୁଠାରୁ ମହତ୍ୱପୂର୍ଣ୍ଣ ହେଉଛି ଏହି କୃଷିଋଣର ସିଂହଭାଗ ସମବାୟ ବ୍ୟାଙ୍କଗୁଡ଼ିକ ତରଫରୁ ପ୍ରଦାନ କରାଯାଉଛି। କୃଷକମାନଙ୍କୁ ଠିକ ସମୟରେ ବିହନ, ସାର, କୀଟନାଶକ, କୃଷି ଉପକରଣ, ଅମଳ ପରବର୍ତ୍ତୀ ସୁବିଧା ଇତ୍ୟାଦି ସେବା ଯୋଗାଇ ଦିଆଯାଉଛି। ଏହିସବୁ କୃଷି ଅନୁକୂଳ ନୀତି ଯୋଗୁଁ ନିରନ୍ତର ଭାବେ ରାଜ୍ୟରେ କୃଷି ଅଭିବୃଦ୍ଧିରେ ଉଲ୍ଲେଖନୀୟ ଅଗ୍ରଗତି ସମ୍ଭବ ହୋଇଛି।

ଅଧିକ ପଢନ୍ତୁ

ଚାଷୀ ଭାଇ ଓ ଭଉଣୀମାନଙ୍କୁ ଆବଶ୍ୟକ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରିବା ସହିତ ସେମାନଙ୍କୁ ସଶକ୍ତୀକରଣ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ। ତେଣୁ କୃଷି ବିଭାଗର ନାମରେ ‘କୃଷକ ସଶକ୍ତୀକରଣ’ ସଂଲଗ୍ନ କରାଯାଇଛି। ଏଦିଗରେ ରାଜ୍ୟ ସରକାର ନିରନ୍ତର କାର୍ଯ୍ୟରତ। କାରଣ କୃଷକ ସଶକ୍ତ ହେଲେ କୃଷି ଏକ ଅର୍ଥନୈତିକ କାର୍ଯ୍ୟକ୍ରମ ଭାବେ ଆକର୍ଷଣୀୟ ହୋଇପାରିବ। ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ଚାଷୀଭାଇ ଓ ଭଉଣୀମାନଙ୍କୁ ପ୍ରଶିକ୍ଷଣ, ସମ୍ପ୍ରସାରଣ ମାଧ୍ୟମରେ ଶିକ୍ଷା, ଡେମୋନଷ୍ଟ୍ରେସନ ଇତ୍ୟାଦି ବହୁଳ ଭାବେ କରାଯାଉଛି।

ଏହି କ୍ରମରେ କୃଷିବିଭାଗ ପକ୍ଷରୁ ‘କୃଷି ଓଡ଼ିଶା’ ପ୍ରତିବର୍ଷ ଆୟୋଜନ କରାଯାଉଛି, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଲୋକଙ୍କୁ ଅବଗତ କରାଇବା, ନୂତନ ଜ୍ଞାନକୌଶଳ ସମ୍ପର୍କରେ ସୂଚନା ଦେବା, ସରକାରୀ ଯୋଜନାକୁ ଲୋକାଭିମୁଖୀ କରାଇବା ପ୍ରଭୃତି। ଆଜିଠାରୁ ତିନିଦିନ ବ୍ୟାପୀ ଆରମ୍ଭ ହେଉଥିବା ‘କୃଷି ଓଡ଼ିଶା’ର ମୁଖ୍ୟ ପ୍ରସଙ୍ଗ ହେଉଛି, ‘କୃଷି ବିକାଶରେ ନୂତନ ଜ୍ଞାନକୌଶଳ’। ସାରା ରାଜ୍ୟରୁ ସାଢ଼େ ସାତ ହଜାରରୁ ଅଧିକ ଚାଷୀ ଭାଇ ଓ ଭଉଣୀମାନଙ୍କୁ ଏଥିରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରାଯାଇଛି।

ଏଥିସହିତ ପଢ଼ନ୍ତୁ

ଗତ କିଛିବର୍ଷ ହେବ, କୃଷି କ୍ଷେତ୍ରରେ ଉତ୍ପାଦନ ଖର୍ଚ୍ଚ ଅନେକ ପରିମାଣରେ ବୃଦ୍ଧିପାଇଛି। ତେଣୁ ଏହି ଖର୍ଚ୍ଚକୁ କମ କରିବା ପାଇଁ ଗୋଟିଏ ବଡ଼ ଉପାୟ ହେଉଛି ନୂତନ ଜ୍ଞାନକୌଶଳକୁ ଆଦୃତ କରିବା ସହିତ କୃଷିକାର୍ଯ୍ୟରେ ଯାନ୍ତ୍ରିକୀକରଣକୁ ତ୍ୱରାନ୍ୱିତ କରିବା। ଯାନ୍ତ୍ରିକୀକରଣ ଦ୍ୱାରା ଖର୍ଚ୍ଚକୁ କମ କରାଇବା ସହିତ ବହୁ ସମୟ ସଞ୍ଚିତ ହୋଇପାରିବ, ଯାହାକୁ ଅନ୍ୟ କାମରେ ବିନିଯୋଗ କରାଯାଇପାରିବ। ଏହାକୁ ଦୃଷ୍ଟିରେ ରଖି ଚାରିଗୋଟି ଆଞ୍ଚଳିକ କୃଷି ମେଳା ଆୟୋଜନ କରିବା ସହିତ ଜିଲ୍ଲାସ୍ତରୀୟ କୃଷିମେଳାର ଆୟୋଜନ କରାଯାଇଛି। ଏହି ଆୟୋଜନ କରିବାବେଳେ କୃଷି ଯାନ୍ତ୍ରିକୀକରଣକୁ ଆଦୃତ କରିବା ପାଇଁ ‘କୃଷି ଯନ୍ତ୍ରପାତି ମେଳା’ର ଆୟୋଜନ କରାଯାଉଛି, ଯେଉଁଠି ଚାଷୀ ଭାଇ ଓ ଭଉଣୀମାନେ ନିଜେ ଯନ୍ତ୍ରପାତି ଦେଖିବା ସହିତ ଚାହିଁଲେ ସେହିଠାରେ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ଯନ୍ତ୍ରପାତି କିଣିବା ପାଇଁ ପ୍ରି-ବୁକିଂ କରିପାରୁଛନ୍ତି। ଖୁସିର କଥା, ସାରା ରାଜ୍ୟରେ ଏହି କାର୍ଯ୍ୟକ୍ରମ ଜରିଆରେ ଆଶାତୀତ ଭାବେ କୃଷି ଉପକରଣ ବିକ୍ରୟ ହୋଇଛି, ଯାହା ଆଗାମୀ ଦିନରେ ବ୍ୟବହୃତ ହେବ ଏବଂ ଚାଷୀକୁଳ ଏହାର ଲାଭ ନିଶ୍ଚିତ ଭାବେ ପାଇପାରିବେ।

କୃଷି ଯନ୍ତ୍ରପାତି ଆଦୃତ କରାଇବା କାର୍ଯ୍ୟକ୍ରମରେ ଏକ ନୀତିଗତ ନିଷ୍ପତ୍ତି ନିଆଯାଇଥିଲା ଯେ ମହିଳା ଚାଷୀଙ୍କ ପାଇଁ କ୍ଷୁଦ୍ର ଓ ମହିଳା ଉପଯୋଗୀ କୃଷି ଉପକରଣକୁ ଉତ୍ସାହିତ କରାଯିବ। ଫଳସ୍ୱରୂପ ଅନେକ ନୂତନ ମହିଳା ଉପଯୋଗୀ ଉପକରଣ ପ୍ରଥମ ଥର ପାଇଁ ପ୍ରଚଳିତ କରାଯାଇଛି। ଏହା ସମୟ ଓ ଖର୍ଚ୍ଚ ସଞ୍ଚୟ ସହିତ ମହିଳା ଚାଷୀଙ୍କ ଶ୍ରମ ଲାଘବ କରିବାରେ ସହାୟକ ହେବ। ରାଜ୍ୟର ମୁଖ୍ୟ ଫସଲ ଧାନ ସହିତ ଅନ୍ୟାନ୍ୟ ଅର୍ଥକରୀ ଫସଲ ଚାଷ ଉପରେ ଗୁରୁତ୍ୱ ଦିଆଯାଉଛି। ଫଳରେ ରାଜ୍ୟ ଡାଲି, ତୈଳବୀଜ ଜାତୀୟ ଫସଲରେ ସ୍ୱାବଲମ୍ୱୀ ହେବା ସହିତ ଆମ ଚାଷୀଭାଇମାନେ ଭଲ ରୋଜଗାର କରିପାରିବେ। ଏହିକ୍ରମରେ ‘ଓଡ଼ିଶା ମିଲେଟ ମିଶନ’କୁ ବିଚାର କରାଯାଇପାରେ। ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆରମ୍ଭ ହୋଇଥିବା ମାଣ୍ଡିଆ ଚାଷ ଆଜି ସାରା ଭାରତବର୍ଷରେ ଏକ ଉଦାହରଣ ଭାବେ ଉଭା ହୋଇଛି, ଯାହାଦ୍ୱାରା ଏଥିରେ ସମ୍ପୃକ୍ତ ଥିବା ଚାଷୀମାନେ ବେଶ ଭଲ ରୋଜଗାର କରୁଛନ୍ତି। ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଉଛି, ମାଣ୍ଡିଆ ଚାଷରେ ମୁଖ୍ୟତଃ ମହିଳା ଚାଷୀମାନେ ସଂଶ୍ଲିଷ୍ଟ ଅଛନ୍ତି। ଏହାର ସଫଳତା ପରେ ଓଡ଼ିଶାର ପ୍ରତି ଜିଲ୍ଲାରେ ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରାଯାଉଛି।

ମୁଖ୍ୟମନ୍ତ୍ରୀଙ୍କ ମହିଳା ସଶକ୍ତୀକରଣ କେବଳ ଏକ ସ୍ଲୋଗାନ ନୁହେଁ। ଏହା ରାଜ୍ୟ ସରକାରଙ୍କ ଶାସନ ପଦ୍ଧତି ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। କୃଷି ଏବଂ ଆନୁଷଙ୍ଗିକ କାର୍ଯ୍ୟକ୍ରମର ପ୍ରତ୍ୟେକଟି କ୍ଷେତ୍ରରେ ମହିଳା ଚାଷୀମାନେ ଯେପରି ଭାବେ ଅଧିକରୁ ଅଧିକ ଭାବେ ଭାଗୀଦାର ହୋଇପାରିବେ, ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ରଖାଯାଉଛି। ଚଳିତ ଆର୍ଥିକ ବର୍ଷ ପାଇଁ ଏକ ଶହ କୋଟି ଟଙ୍କାରେ ‘କୃଷି କ୍ଷେତ୍ରରେ ମହିଳା ସଶକ୍ତୀକରଣ’ ନାମରେ ଏକ ସ୍ୱତନ୍ତ୍ର ଯୋଜନାର ପରିକଳ୍ପନା କରାଯାଇ କାର୍ଯ୍ୟକାରୀ କରାଯାଉଛି।

ରାଜ୍ୟରେ କୃଷି କାର୍ଯ୍ୟରେ ନିଯୋଜିତ ଥିବା ଚାଷୀ ଭାଇ ଓ ଭଉଣୀମାନଙ୍କ ଆୟ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ବଦ୍ଧପରିକର ଓ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ଏହି ଲକ୍ଷ୍ୟ ହାସଲ କରିବାକୁ ହେଲେ ଚିରାଚରିତ କାର୍ଯ୍ୟପ୍ରଣାଳୀ ସହିତ ନୂତନ ଜ୍ଞାନକୌଶଳ ଏବଂ ଯାନ୍ତ୍ରୀକକରଣକୁ ଗୁରୁତ୍ୱ ଦେବାକୁ ପଡ଼ିବ। ନୂତନ ଜ୍ଞାନକୌଶଳ ପାଇଁ କୃଷି ବିଭାଗ ବିଭିନ୍ନ କୃଷି ଶୈକ୍ଷିକ ତଥା ଗବେଷଣାକାରୀ ସଂସ୍ଥା ସହିତ କାର୍ଯ୍ୟ କରୁଛି। ପରୀକ୍ଷାଗାରରେ ପ୍ରସ୍ତୁତ ହେଉଥିବା ଜ୍ଞାନକୌଶଳକୁ କିପରି ଭାବେ ଚାଷୀଙ୍କ ମଧ୍ୟରେ ଅତିଶୀଘ୍ର ପହଞ୍ଚାଯାଇପାରିବ ସେଥିପ୍ରତି ଦୃଷ୍ଟି ଦେବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି। ତେଣୁ ଆଜିଠୁ ଆରମ୍ଭ ହେଉଥିବା ‘କୃଷି ଓଡ଼ିଶା-୨୦୨୩’କୁ ଏହି ପରିପ୍ରେକ୍ଷୀରେ ଦେଖିବା ବାଞ୍ଛନୀୟ। ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯାଇ ବ୍ଲକ ସ୍ତରକୁ ନେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।

କୃଷି ଓ ଆନୁଷଙ୍ଗିକ କାର୍ଯ୍ୟ ଉପରେ ନିର୍ଭରଶୀଳ ୭୦ ପ୍ରତିଶତରୁ ଅଧିକ ଲୋକଙ୍କ କଲ୍ୟାଣ ରାଜ୍ୟ ସରକାରଙ୍କ ନୈତିକ ଦାୟିତ୍ୱ ଏଥିରେ ଦ୍ୱିରୁକ୍ତି ନାହିଁ। ଯେତେବେଳେ ଏତେସଂଖ୍ୟକ ଜନସାଧାରଣ ଗୋଟିଏ ଅର୍ଥନୈତିକ ଧାରା ଉପରେ ନିର୍ଭର ଅଛନ୍ତି, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ରଚିତ ପଂକ୍ତି ‘ଚାଷ କଲେ ଉନ୍ନତି, ସକଳ ଉନ୍ନତ’ ଆଜି ମଧ୍ୟ ପ୍ରାସଙ୍ଗିକ।

Leave A Reply

Your email address will not be published.