ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

‘ସୁପରବଗ୍’ ବା ଅଜେୟ-ଅଣୁଜୀବ ସମସ୍ୟା

ସମ୍ପ୍ରତି ‘ଆଣ୍ଟିବାୟୋଟିକ୍’ ଭଳି ଜୀବାଣୁ ଓ ଭୂତାଣୁ ନିରୋଧୀ ଔଷଧ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିପାରୁଛି। ସ୍ୱାସ୍ଥ୍ୟ-ସମୃଦ୍ଧ ମାନବ ସମାଜ ଗଠନରେ ଆଣ୍ଟିବାୟୋଟିକ୍ର ଅବଦାନ ଅନସ୍ୱୀକାର୍ଯ୍ୟ। କିନ୍ତୁ ଏହାର ମାତ୍ରାଧିକ ବ୍ୟବହାର ଯୋଗୁଁ ବିଶ୍ୱ ଜନସ୍ୱାସ୍ଥ୍ୟ ପ୍ରତି ଭୟଙ୍କର ବିପଦ ଦେଖାଦେଇଥିବା କରହା ଭେଷଜ ବିଜ୍ଞାନୀମାନେ ଅନେକଦିନରୁ କହି ଆସୁଛନ୍ତି। ଏହି ଧରଣର ଔଷଧ ମାତ୍ରାଧିକ ସେବନ ଦ୍ୱାରା ଶରୀରରେ ଥିବା ରୋଗ ସୃଷ୍ଟିକାରୀ ଜୀବାଣୁ, ଭୂତାଣୁ, କୀଟାଣୁ, କବକ ଏବଂ ପରଜୀବୀ ଅଣୁଜୀବମାନେ କ୍ରମଶଃ ସେହି ଔଷଧ ସହିତ ଅଭ୍ୟସ୍ତ ହୋଇ ଯାଆନ୍ତି ଏବଂ ସେହି ଔଷଧ ବିରୋଧରେ ଲଢ଼ିବା ଶକ୍ତି ଅଧିକ ହାସଲ କରିନିଅନ୍ତି। ସରଳ ଭାଷାରେ କହିଲେ ଆଣ୍ଟିବାଓଟିକ୍ ଆଉ କାମ କରେ ନାହିଁ ବା ପ୍ରଭାବହୀନ ହୋଇଯାଏ। ଅଣୁଜୀବ ମାନେ ଆଣ୍ଟିବାୟୋଟିକ ଔଷଧ ଦ୍ୱାରା ନଷ୍ଟ ହୁଅନ୍ତି ନାହିଁ ତେଣୁ ରୋଗ ଭଲ ହୁଏ ନାହିଁ। ଶରୀର ମଧ୍ୟରେ ଜୀବାଣୁମାନଙ୍କ ସଂକ୍ରମଣ ଦିନକୁ ଦିନ ବଢ଼଼ିବା ସହିତ ରୋଗ ମଧ୍ୟ ଦୀର୍ଘସ୍ଥାୟୀ ହୋଇଯାଏ ଏବଂ ରୋଗୀ ମୃତ୍ୟୁ ମୁଖରେ ପଡେ। କାଳକ୍ରମେ ଆହୁରି ଭୟଙ୍କର ଓ ଔଷଧ-ପ୍ରତିରୋଧୀ ଜୀବାଣୁମାନେ ରୋଗୀ ଶରୀରେ ଜନ୍ମ ନିଅନ୍ତି, ଯାହାକୁ ଭେଷଜ ବିଜ୍ଞାନୀ ‘ସୁପରବଗ୍’ ବା ‘ଅଜେୟ-ଅଣୁଜୀବ’ ବୋଲି ନାମିତ କରିଛନ୍ତି । ଉଦ୍ବେଗଜନକ ବିଷୟ ହେଉଛି ଏ ପର୍ଯ୍ୟନ୍ତ ସୁପରବଗ୍କୁ ପ୍ରତିହତ କରିବା ଭଳି ଆଣ୍ଟିବାଓଟିକ୍ ଉଦ୍ଭାବନ ହୋଇପାରିନାହିଁ। ମିଳିତ ଜାତିସଂଘର ‘ପରିବେଶ କାର୍ଯ୍ୟକ୍ରମ ସଂସ୍ଥା’ (ୟୁଏନଇପି) ର ପ୍ରୋଗ୍ରାମ ମ୍ୟାନେଜମେଣ୍ଟ ଅଫିସର ଆଇଜାଇବର ଇଚେଭେରିଆଙ୍କ ସୂଚନା ଅନୁଯାୟୀ ସୁପରବଗ୍ ଯେକୌଣସି ଅଞ୍ଚଳର ଯେ କୌଣସି ବ୍ୟକ୍ତିଙ୍କୁ ସଂକ୍ରମିତ କରିପାରେ ।

ପ୍ରାୟ ଚାରିବର୍ଷ ତଳେ ପ୍ରକାଶିତ ଏକ ବିଶ୍ଳେଷଣ ରିପୋର୍ଟ ର ତଥ୍ୟ ଅନୁଯାୟୀ, ୨୦୧୯ରେ ବିଶ୍ବରେ ସୁପରବଗ୍ ଯୋଗୁଁ ୧.୩ ନିୟୁତ ଲୋକଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ଥିଲା ଆଫ୍ରିକା ଏବଂ ଏସିଆ ମହାଦେଶରେ। କେବଳ ପ୍ରତ୍ୟକ୍ଷ ଭାବେ ମାତ୍ରାଧିକ ଆଣ୍ଟିବାଓଟିକ୍ ସେବନ ଦ୍ୱାରା ଏହି ରୋଗ ପ୍ରତିରୋଧ ନିରୋଧୀ ଜୀବାଣୁମାନେ ସୃଷ୍ଟି ହୁଅନ୍ତି ନାହିଁ; ପରୋକ୍ଷ ଭାବେ ମଧ୍ୟ ସୃଷ୍ଟି ହୋଇପାରନ୍ତି। ପ୍ରଦୂଷିତ, ମିଶ୍ରିତ ଓ ବିଷାକ୍ତ ଖାଦ୍ୟ, କୀଟନାଶକ ବୋଳା ଖାଦ୍ୟ ଶସ୍ୟ ଜରିଆରେ ମଧ୍ୟ ମଣିଷ ଶରୀରରେ ଏହି ସୁପରବଗ୍ମାନେ ସୃଷ୍ଟି ହୋଇପାରନ୍ତି। ଏହାଛଡ଼ା ତ୍ରୁଟିପୂର୍ଣ୍ଣ ପରିମଳ ବ୍ୟବସ୍ଥା, ପରିବେଶ ଓ ଜଳବାୟୁ ଅସନ୍ତୁଳନ, ପ୍ରାକୃତିକ ଦୁର୍ବିପାକ, ଦୂଷିତ ଜଳ ବ୍ୟବହାର, ଜୈବବିବିଧତାର ବିନଷ୍ଟ ସାଧନ, ଔଷଧ ଉତ୍ପାଦନ କାରଖାନା ଓ ଡାକ୍ତରଖାନା ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ପ୍ରାଣୀର ଶରୀରରେ ଏଭଳି ରୋଗ ପ୍ରତିରୋଧ ଶକ୍ତି ନିରୋଧୀ ଅଜେୟ ଜୀବାଣୁ ସୃଷ୍ଟି ହୋଇଥାନ୍ତି। ଏହି ଶକ୍ତିଶାଳୀ ଜୀବାଣୁମାନେ ପ୍ରାଣୀ ଶରୀରରେ ଯକ୍ଷ୍ମା, ମ୍ୟାଲେରିଆ, ଏଡ୍ସ ଭଳି ଅନେକ ପ୍ରାଣଘାତୀ ରୋଗ ସୃଷ୍ଟି କରିପାରନ୍ତି।

ଏଭଳି ସୁପରବଗ ର ପ୍ରଭାବ କେବଳ କୋଣସି ଦେଶର ବା ନିର୍ଦ୍ଦିଷ୍ଟ ଅଞ୍ଚଳର ସ୍ୱାସ୍ଥ୍ୟାବସ୍ଥାରେ ସୀମିତ ନ ରହି ବ୍ୟାପକ ହୋଇଚାଲିଥାଏ। ଗବେଷକଙ୍କ ମତରେ ଏଭଳି ସୁପରବଗ୍ ମାନଙ୍କ ଯୋଗୁଁ ମାନବ ସମ୍ବଳର ଶକ୍ତି କ୍ଷୟ, ଉତ୍ପାଦକତା ହ୍ରାସ, ସ୍ୱାସ୍ଥ୍ୟ ସେବା ଖର୍ଚ୍ଚ ଓ ଦାରିଦ୍ର୍ୟ ବୃଦ୍ଧି ପରି ଜଟିଳ ପରିସ୍ଥିତି ସୃଷ୍ଟି ହୁଏ, ଯାହାର ପ୍ରଭାବ ଦେଶର ଅର୍ଥନୀତି ଉପରେ ପ୍ରତ୍ୟକ୍ଷ ଅନୁଭୂତ ହୁଏ। ବିଶ୍ୱବ୍ୟାଙ୍କ ରିପୋର୍ଟ ଅନୁଯାୟୀ, ସୁପରବଗ୍ ଯୋଗୁଁ ୨୦୫୦ ସୁଦ୍ଧା ବିଶ୍ୱରର ମୋଟ ଘରୋଇ ଉତ୍ପାଦ ଚାରି ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇପାରେ। ଅର୍ଥନୀତିରେ ପ୍ରମୁଖ ଯୋଗଦାନ ଥିବା ପଶୁପାଳନ କ୍ଷେତ୍ରରେ ଉତ୍ପାଦକତା ୧୧% ହ୍ରାସ ପାଇବ ଏବଂ ବିଶ୍ୱ ଜନସଂଖ୍ୟାର ୨୮ ନିୟୁତ ଲୋକ ଚରମ-ଦାରିଦ୍ର୍ୟ ଆଡ଼କୁ ଠେଲି ହୋଇଯିବେ। ଏହି ଧାରା ଜାରି ରହିଲେ ବା ଏ ଦିଗରେ ତୁରନ୍ତ ବିହିତ ଦୀର୍ଘସ୍ଥାୟୀ ପଦକ୍ଷେପ ଗ୍ରହଣ କରା ନ ଗଲେ ଖୁବ୍ଶୀଘ୍ର ବିକାଶଶୀଳ ଦେଶମାନଙ୍କର ୯୩ ପ୍ରତିଶତ ଲୋକ ପ୍ରଭାବିତ ହେବେ।

ଉଦ୍ବେଗଜନକ ବିଷୟ ହେଲା ମାନବ ସ୍ୱାସ୍ଥ୍ୟ ଏବଂ ବିଶ୍ୱ ଅର୍ଥନୀତିରେ ସୁପରବଗ୍ର ନକାରାତ୍ମକ ପ୍ରଭାବ ବୃଦ୍ଧି ପାଇବା ସତ୍ତ୍ବେ ଏ ପର୍ଯ୍ୟନ୍ତ ଏହି ପ୍ରସଙ୍ଗକୁ ଅନେକାଂଶରେ ଅଣଦେଖା କରାଯାଇ ଆସୁଛି। ଏହି କାରଣରୁ ‘ୟୁଏନ୍ଇପି’ ଏକ ଚତୁର୍ମୁଖୀ କାର୍ଯ୍ୟକ୍ରମ ହାତକୁ ନେଇଛି ଯେଉଁଥିରେ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ବିଶ୍ୱ ପଶୁ ସ୍ୱାସ୍ଥ୍ୟ ସଂଗଠନକୁ ସାମିଲ୍ କରାଯାଇଛି। ଜନସ୍ୱାସ୍ଥ୍ୟ ସହିତ ପରିବେଶ ସୁରକ୍ଷା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ରହିଛି। ଏ ଦିଗରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ନଭେମ୍ବର ମାସ ୧୮ ରୁ ୨୪ ତାରିଖ ପର୍ଯ୍ୟନ୍ତ ବିଶ୍ୱ ଆଣ୍ଟି ମାଇକ୍ରୋବିୟଲ୍ ପ୍ରତିରୋଧ ସଚେତନତା ସପ୍ତାହ ଭାବେ ପାଳନ କରାଯାଉଛି।

ଏଥିସହିତ ପଢ଼ନ୍ତୁ

ଇଚେଭେରିଆଙ୍କ ମତରେ ସୁପରବଗ୍ ବା ଆଣ୍ଟିମାଇକ୍ରୋବିୟଲ୍ ପ୍ରତିରୋଧ ବିଷୟରେ ଚିନ୍ତା କଲାବେଳେ ପରିବେଶ, ଉଦ୍ଭିଦ, ପ୍ରାଣୀ ଏବଂ ମଣିଷ ମଧ୍ୟରେ ଥିବା ସଂଯୋଗ, ସମନ୍ୱୟ ଓ ନିର୍ଭରଶୀଳତା ବିଷୟରେ ଗଭୀର ଭାବେ ଅନୁଧ୍ୟାନ କରିବାକୁ ପଡ଼ିବ। ଜଳବାୟୁ ପରିବର୍ତ୍ତନ, ପ୍ରାକୃତିକ ଅସନ୍ତୁଳନ, ଜୈବ ବିବିଧତାର କ୍ଷୟ, କ୍ରମବର୍ଦ୍ଧିଷ୍ଣୁ ପ୍ରଦୂଷଣ ଓ ବର୍ଜ୍ୟବସ୍ତୁ ପରିମାଣ ବୃଦ୍ଧି ଓ ଜନସଂଖ୍ୟା ବୃଦ୍ଧିର ପୃଷ୍ଠଭୂମିରେ ସୁପରବଗ୍ ନିୟନ୍ତ୍ରଣ କରିବା ଏତେ ସହଜ ନୁହେଁ। ଯେହେତୁ ଆମେ ସମସ୍ତେ ଗୋଟିଏ ଗ୍ରହରେ ବସବାସ କରୁଛୁ ଓ ଆମର ଜୀବନଶୈଳୀ ଅବିଚ୍ଛିନ୍ନ, ତେଣୁ ଆମକୁ ସାମୂହିକ ମଙ୍ଗଳ ଉଦ୍ଦେଶ୍ୟରେ ପଦକ୍ଷେପ ନେବାକୁ ପଡ଼ିବ। ଗୋଟିଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ସୁଧାର ପାଇଁ ଯତ୍ନଶୀଳ ହେଲେ ଏହାର ସକାରାତ୍ମକ ପ୍ରଭାବ ଅନ୍ୟ କ୍ଷେତ୍ରଗୁଡ଼ିକ ଉପରେ ନିଶ୍ଚୟ ପଡ଼ିବ। ତେଣୁ ସବୁସମସ୍ୟାର ଓ ସବୁ କ୍ଷେତ୍ରର ଏକାସାଙ୍ଗରେ ସୁଧାର ଆଣିବା ପରିବର୍ତ୍ତେ ନିଜ ନିଜ ସ୍ତରରୁ ହିଁ ଏହାର ଅୟମାରମ୍ଭ କରିବା ଆବଶ୍ୟକ। ଏ କ୍ଷେତ୍ରରେ ୟୁଏନ୍ଇପି କେତେକ ପ୍ରମୁଖ ଦେଶ ସହିତ ମିଳିତ ଭାବେ କାର୍ଯ୍ୟାରମ୍ଭ କରୁଛି। ଭାରତରେ ଏହି ସଂସ୍ଥା ଆଣ୍ଟିମାଇକ୍ରୋବିୟଲ୍ ପ୍ରତିରୋଧ ତଥା ପରିବେଶ ଅନୁକୂଳ ସାମଗ୍ରୀ ଉତ୍ପାଦନ ଉପରେ ଅତ୍ୟାଧୁନିକ ରିପୋର୍ଟ ପ୍ରସ୍ତୁତ କରି ଜାତୀୟ ଯୋଜନା ପ୍ରଣୟନ କରିବାରେ ସରକାରଙ୍କୁ ସହାୟତା କରୁଛି।

ଉଦ୍ବେଗଜନକ ବିଷୟ ହେଉଛି ଜଳବାୟୁ ସଙ୍କଟ ପରି ଆଣ୍ଟିମାଇକ୍ରୋବିୟଲ୍ ପ୍ରତିରୋଧ ଦ୍ୱାରା ଯୁବବର୍ଗ ହିଁ ଅଧିକ ପ୍ରଭାବିତ ହେବାକୁ ଯାଉଛନ୍ତି। ବିଶେଷକରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟରତ ଯୁବବର୍ଗ ଏହାଦ୍ୱାରା ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ ଶିକ୍ଷା ଓ ସଚେତନତା ହେଉଛି ଏହି ସମସ୍ୟା ସମାଧାନର ମୁଖ୍ୟ ଚାବିକାଠି। ଯୁବପିଢ଼ି ନିଜେ ଏ ଦିଗରେ ସତର୍କ ରହିବା ସହିତ ଅନ୍ୟମାନଙ୍କୁ ସଚେତନ କରାଇପାରିବାକୁ ପଡ଼ିବ। କାରଣ ଏବେ ମଧ୍ୟ ଅନେକ ଲୋକ ଜାଣନ୍ତି ନାହିଁ ଯେ ସୁପରବଗ୍ ଆଣ୍ଟିମାଇକ୍ରୋବାୟଲ୍ ପ୍ରତିରୋଧ କ’ଣ ଏବଂ ଏହା କିପରି ସୃଷ୍ଟି ହୁଏ।
ଏହି ସମସ୍ୟାର ଦୀର୍ଘସ୍ଥାୟୀ ସମାଧାନ ପାଇଁ ବିଭିନ୍ନ ଦେଶର ସରକାରମାନଙ୍କୁ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡ଼ିବ। ମାନବ, ପଶୁ, ଉଦ୍ଭିଦ, କୃଷି ଓ ଖାଦ୍ୟ ଉତ୍ପାଦନ, ପରିବେଶ ମଧ୍ୟରେ ସସୁଂହତ ଓ ସୁସମ୍ପର୍କିତ ଯୋଜନା ପ୍ରସ୍ତୁତ କରିବାକୁ ହେବ। ପରିବେଶ ଅନୁକୂଳ ନିରନ୍ତର କୃଷି ଓ ପଶୁପାଳନ ଦ୍ୱାରା ଜଙ୍ଗଲ ନଷ୍ଟ ସମସ୍ୟାର ସମାଧାନ ହୋଇପାରିବା ସହିତ ଜୈବ ବିବିଧତାର ସୁରକ୍ଷା ସମ୍ଭବ ହେବ। ପରିବେଶ ହେଉଛି ଏଭଳି ଏକ ମିଳନ ସ୍ଥଳ ଯେଉଁଠାରେ ଆଣ୍ଟିମାଇକ୍ରୋବାୟଲ୍ ପ୍ରତିରୋଧୀ ଅଣୁଜୀବ ବା ସୁରପରବଗ୍ ମାନେ ମିଳିତ ହୁଅନ୍ତି ଓ ବଂଶବିସ୍ତାରର ଯୋଜନା କରନ୍ତି। ତେଣୁ ପରିବେଶ ପ୍ରଦୂଷଣକୁ ହ୍ରାସ କରିବା ଦ୍ୱାରା ସୁପରବଗ୍ମାନଙ୍କ ବିସ୍ତାର ହ୍ରାସ ପାଇବ। ବିଶେଷଜ୍ଞଙ୍କ ମତରେ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ‘ଏକ ବିଶ୍ୱ ଏକ ସ୍ୱାସ୍ଥ୍ୟ ନୀତି’ ଆପଣେଇବାକୁ ପଡ଼ିବ। ଆଞ୍ଚଳିକ ସ୍ତରରୁ ଆରମ୍ଭ କରି ବିଶ୍ୱସ୍ତର ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ଦୃଢ଼ ସମନ୍ୱୟର ସେତୁ ପ୍ରତିଷ୍ଠା ସମ୍ଭବ ହେଲେ ସୁପରବଗ୍ମାନଙ୍କ କବଳରୁ ପ୍ରାଣୀ ସମାଜ ଏବଂ ସର୍ବୋପରି ଆମ ପୃଥିବୀର ଅନେକାଂଶରେ ସୁରକ୍ଷା ସମ୍ଭବ ହୋଇପାରିବ। n

Leave A Reply

Your email address will not be published.