ଓଡ଼ିଶାର ଗତିଶୀଳ ଅର୍ଥନୀତି

ସମ୍ପ୍ରତି ଓଡ଼ିଶା ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ରାଜ୍ୟମାନଙ୍କ ମଧ୍ୟରେ ଅନ୍ୟତମ। ଓଡ଼ିଶାର କୃଷିଭିତ୍ତିକ ଅର୍ଥନୀତି ଏବେ ଶିଳ୍ପ ଓ ସେବା କ୍ଷେତ୍ରର ବିକାଶ ଦିଗରେ ଦ୍ରୁତ ଅଗ୍ରସର ହେଉଛି। ରାଜ୍ୟର ବୃତ୍ତିଗତ ଢାଞ୍ଚା ଓ ଅର୍ଥନୈତିକ ଭିତ୍ତିଭୂମି କ୍ଷେତ୍ରରେ ଉଲ୍ଳେଖନୀୟ ପରିବର୍ତ୍ତନ ଦେଖାଦେଇଛି। ଶ୍ରମ ଶକ୍ତିର ଯେତେ ଅଧିକରୁ ଅଧିକ ପ୍ରାଥମିକ କୃଷି କ୍ଷେତ୍ରରୁ ଶିଳ୍ପ ଓ ସେବା କ୍ଷେତ୍ରକୁ ସ୍ଥାନାନ୍ତରିତ ହେବ, ବିକାଶର ମାତ୍ରା ଓ ମୁଣ୍ଡ ପିଛା ଆୟ ସ୍ତର ସେତେ ଅଧିକରୁ ଅଧିକ ବୃଦ୍ଧି ପାଇବାକୁ ଲାଗିବ। କୃଷି, ଶିଳ୍ପ ଏବଂ ସେବା ଆଦି ତିନୋଟି ପ୍ରମୁଖ କ୍ଷେତ୍ର ମଧ୍ୟରୁ ଶିଳ୍ପ ଓ ସେବା ଅର୍ଥନୈତିକ ଅଭିବୃଦ୍ଧିର ଇଞ୍ଜିନ ସଦୃଶ। ରାଜ୍ୟର ମୋଟ ଘରୋଇ ଉତ୍ପାଦନରେ କୃଷିର ଅବଦାନ ୨୨.୫%। ସେହିପରି ଶିଳ୍ପକ୍ଷେତ୍ରର ଅବଦାନ ୪୧.୩% ଥିବା ବେଳେ ସେବା କ୍ଷେତ୍ରର ଅବଦାନ ୩୬.୨%।୨୦୨୨- ୨୩ ଆର୍ଥିକ ବର୍ଷରେ ରାଜ୍ୟର କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଅଭିବୃଦ୍ଧି ପ୍ରଦର୍ଶନ ୬%ରେ ସ୍ଥିର ରହିଥିବା ବେଳେ ଶିଳ୍ପ ଓ ସେବା କ୍ଷେତ୍ରର ଅଭିବୃଦ୍ଧି ଯଥାକ୍ରମେ ୬.୦୫% ଓ ୮.୭୯% ହୋଇଛି। ଏହା ନିଶ୍ଚିତ ରୂପେ ରାଜ୍ୟ ଅର୍ଥନୀତି ପାଇଁ ଶୁଭଙ୍କର। ଗତ ଫେବୃଆରୀ ମାସ ୨୩ ତାରିଖରେ ରାଜ୍ୟ ବିଧାନ ସଭାରେ ଉପସ୍ଥାପିତ ୨୦୨୨-୨୩ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହି ତଥ୍ୟ ପ୍ରକାଶିତ ହୋଇଛି।

ଶସ୍ୟ ଉତ୍ପାଦନରେ ରାଜ୍ୟ ସରକାର ଏକାଧିକ ନୀତିଗତ ସଂସ୍କାର ଆଣିଛନ୍ତି। କୃଷି ବ୍ୟତୀତ ଅନ୍ୟାନ୍ୟ ଆନୁଷଙ୍ଗିକ କ୍ଷେତ୍ର ଯଥା ମତ୍ସ୍ୟଚାଷ, ଖଣିଜ ତଥା ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ରାଜ୍ୟକୁ ଆଶାତୀତ ସଫଳତା ମିଳିଛି। ଓଡ଼ିଶା ମିଲେଟ ମିଶନ, ଛତୁ ମିଶନ, ମସଲା ମିଶନ ଆଦି କୃଷି-ଅର୍ଥନୀତିକୁ ବଳିଷ୍ଠ କରିବା ସହ କୃଷିର ନିଯୁକ୍ତି ସ୍ତରରେ ନୂତନ ସମ୍ଭାବନା ସୃଷ୍ଟି କରିପାରିଛି। ୨୦୨୦-୨୧ ବର୍ଷରେ ମତ୍ସ୍ୟ ଉତ୍ପାଦନ ୯୮୯.୮ ହଜାର ମେଟ୍ରିକ୍‌‌ ଟନକୁ ବୃଦ୍ଧି ପାଇଥିବା ବେଳେ ମତ୍ସ୍ୟ ରପ୍ତାନି ୨୫୫.୧ ହଜାର ମେଟ୍ରିକ୍‌‌ ଟନ୍‌‌କୁ ବୃଦ୍ଧି ପାଇଛି। ସେହିପରି ରାଜ୍ୟରେ ଦୁଗ୍ଧ ଉତ୍ପାଦନ ୨,୩୭୩ ମେଟ୍ରିକ୍‌‌ ଟନ୍‌‌କୁ ବୃଦ୍ଧି ପାଇଛି। ୨୦୨୧-୨୨ ବର୍ଷରେ ଅଣ୍ଡା ଉତ୍ପାଦନ ୩୦୭ କୋଟିକୁ ବୃଦ୍ଧି ପାଇଛି। ଏହି ବର୍ଷ ରାଜ୍ୟରେ ୧୧୩ .୮ ଲକ୍ଷ ମେଟ୍ରିକ୍‌‌ ଟନ୍‌‌ ଖାଦ୍ୟ ଶସ୍ୟ ଉତ୍ପାଦିତ ହୋଇଥିଲା।

ଏଥିସହିତ ପଢ଼ନ୍ତୁ

ସେବା କ୍ଷେତ୍ର ଯଥା ବ୍ୟାଙ୍କ୍‌‌ ସେବା, ପରିବହନ, ଯୋଗାଯୋଗ, ନିର୍ମାଣ ଓ ପର୍ଯ୍ୟଟନ ଆଦି କ୍ଷେତ୍ରରେ ରାଜ୍ୟ ଆଖିଦୃଶିଆ ଅଗ୍ରଗତି କରିଛି।୨୦୨୧-୨୨ ବର୍ଷରେ ସମବାୟ ବ୍ୟାଙ୍କ୍‌‌ଗୁଡ଼ିକର ଋଣ ମୋଟ ବ୍ୟାଙ୍କ୍‌‌ ଋଣର ୩୮% ଥିଲା। ପର୍ଯ୍ୟଟନ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ପର୍ଯ୍ୟଟନ ମାଷ୍ଟର ପ୍ଲାନ୍‌‌ ପ୍ରସ୍ତୁତ କରିଛନ୍ତି। ୨୦୨୧-୨୨ ବର୍ଷରେ ରାଜ୍ୟର ଖଣିଜ ଉତ୍ପାଦନ ୨୨% କୁ ବୃଦ୍ଧି ପାଇଛି। ସେହିପରି ୨୦୨୨-୨୩ ବର୍ଷରେ ଜିଏସଭିଏକୁ ନିର୍ମାଣ କ୍ଷେତ୍ରର ଅବଦାନ ୫.୬୨% ହୋଇଛି। ପରିବହନ କ୍ଷେତ୍ରରେ ଚଳନ୍ତି ୨୦୨୨-୨୩ ବର୍ଷରେ ସଡ଼କ ଓ ରେଳ ପରିବହନର ଜିଏସଭିଏ ପ୍ରତି ଅବଦାନ ଯଥାକ୍ରମେ ୫୬% ଓ ୨୫% ହେବ ବୋଲି ଆକଳନ କରା ଯାଇଛି। ପରିବେଶର ସୁରକ୍ଷା ଓ ବିକଳ୍ପ ଇନ୍ଧନର ଉପଯୋଗ ନିମନ୍ତେ ସରକାର ଇ- ଯାନ ନୀତି ପ୍ରଣୟନ କରିଛନ୍ତି।

୨୦୨୦-୨୧ ବର୍ଷରେ ଶିଳ୍ପାୟନ କ୍ଷେତ୍ର ମୋଟ ଶ୍ରମ ଶକ୍ତିର ୨୮.୪୭% ନିଯୁକ୍ତି ପ୍ରଦାନ କରିଛି। କୋଭିଡ୍‌‌ ମହାମାରୀ ଜନିତ ଲକଡାଉନ ଓ ସଟଡାଉନ୍‌‌ ଯୋଗୁଁ ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ସର୍ବନିମ୍ନ ୧.୪% ହ୍ରାସ ଘଟିଥିଲା। ଦୀର୍ଘ ୧୦ ବର୍ଷ ମଧ୍ୟରେ ରାଜ୍ୟ ଶିଳ୍ପାୟନ ଅଭିବୃଦ୍ଧି ସ୍ରୋତରେ ଅଗ୍ରସର ହୋଇଆସୁଛି। ପୁଞ୍ଜି ବିନିଯୋଗ ନିମନ୍ତେ ନିବେଶକମାନଙ୍କ ସକାଶେ ସରକାର ଅନୁକୂଳ ଶିଳ୍ପ ବାତାବରଣ ସୃଷ୍ଟି କରିବା ଦିଗରେ ପଦକ୍ଷେପ ମାନ ନେଇଛନ୍ତି। ୨୦୧୬, ୨୦୧୮ ଓ ୨୦୨୨ରେ ଶିଳ୍ପର ଦ୍ରୁତ ପ୍ରସାର ନିମନ୍ତେ ରାଜ୍ୟ ସରକାର ମେକ୍‌‌ ଇନ୍‌‌ ଓଡ଼ିଶା କନ୍‌‌କ୍ଲେଭ୍‌‌ମାନ ଆୟୋଜନ କରି ଆସୁଛନ୍ତି। ସିଙ୍ଗଲ ଉଇଣ୍ଡୋ ବ୍ୟବସ୍ଥା ମାଧ୍ୟମରେ ଆନ୍ତର୍ଜାତିକସ୍ତରରୁ ନିବେଶକମାନଙ୍କୁ ସ୍ୱତନ୍ତ୍ର ସୁବିଧା ଓ ପ୍ରୋତ୍ସାହନ ପ୍ରଦାନ କରିବା ଦିଗରେ ନୀତିଗତ ନିଷ୍ପତ୍ତି ଗ୍ରହଣ କରାଯାଉଛି। ନୂଆ ଶିଳ୍ପନୀତି ୨୦୨୨ ଆଗାମୀ ୫ ବର୍ଷ ମଧ୍ୟରେ ଓଡ଼ିଶାକୁ ଏକ ପ୍ରମୁଖ ଶିଳ୍ପ ହବ୍‌‌ରେ ଗଢ଼ି ତୋଳିବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ। ୨୦୨୨-୨୩ ବର୍ଷରେ ୨୫ ଗୋଟି ଶିଳ୍ପ ପ୍ରକଳ୍ପ ସିଙ୍ଗଲ ଉଇଣ୍ଡୋ ଅନୁମୋଦନ ଲାଭ କରିଛନ୍ତି। ଉକ୍ତ ୨୫ ଗୋଟି ଶିଳ୍ପ ସଂସ୍ଥାରେ ୫,୮୨୭ କୋଟି ଟଙ୍କାର ନିବେଶ ଉପଲବ୍ଧ ହେବ ଓ ୨୫,୨୯୨ ଶ୍ରମ ଶକ୍ତିଙ୍କୁ ନିଯୁକ୍ତି ସୁଯୋଗ ମିଳି ପାରିବ। ସେହିପରି ପ୍ଲାଷ୍ଟିକ ଶିଳ୍ପ ଓ ଇସ୍ପାତ ଶିଳ୍ପ କ୍ଷେତ୍ରରେ ଯଥାକ୍ରମେ ୩ ଗୋଟି ଓ ୮ ଗୋଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିବା ସହ ଉକ୍ତ ଦୁଇ ପ୍ରକଳ୍ପରେ ବହୁ ନିଯୁକ୍ତି ସୁଯୋଗ ଉପଲବ୍ଧ ହୋଇପାରିବ। ସେହିପରି ଖାଦ୍ୟ ପ୍ରକ୍ରିୟାକରଣ, ଭିତ୍ତିଭୂମି ନିର୍ମାଣ, ଆଇଟି, ପେଟ୍ରୋ କେମିକାଲ ଆଦି କ୍ଷେତ୍ରରେ ପୁଞ୍ଜି ନିବେଶକୁ ପ୍ରୋତ୍ସାହିତ କରିବା ସହ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ନିମିତ୍ତ ରାଜ୍ୟ ସରକାର ଯୋଜନା କରିଛନ୍ତି। ନୂତନ ଶିଳ୍ପ ନୀତି ପ୍ରବର୍ତ୍ତନ କରିବା ସହ ଗହଣା, ବୟନ, ପରିବହନ, ରପ୍ତାନି, ପର୍ଯ୍ୟଟନ ଓ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଅପୂର୍ବ ସୁଯୋଗ ସୃଷ୍ଟି ହୋଇଛି। ଆପାରେଲ୍‌‌ ଓ ଟେକ୍ସଟାଇଲ୍‌‌ କ୍ଷେତ୍ରରେ ପ୍ଲାଣ୍ଟ ଓ ମେସିନାରି ଉପରେ ୫୦ କୋଟି ଟଙ୍କା ଯାଏ ପ୍ରୋତ୍ସାହନ ରାଶି, ଲଜିଷ୍ଟିକ୍‌‌ ନୀତିରେ ପୁଞ୍ଜି ନିବେଶର ୩୦% ସବସିଡି ଓ ରପ୍ତାନି ନୀତିରେ ରପ୍ତାନି ମୂଲ୍ୟକୁ ୪ ଗୁଣା ବୃଦ୍ଧି କରି ୩.୫ ଲକ୍ଷ କୋଟି ଟଙ୍କା କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ଓଡ଼ିଶାରେ ଏକ ସ୍ଥାୟୀ ତଥା ଲୋକାଭିମୁଖୀ ସରକାର ଯୋଗୁଁ ଶିଳ୍ପ, ବାଣିଜ୍ୟ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ପରିବହନ ଓ ଗମନାଗମନ ଆଦି କ୍ଷେତ୍ରରେ ଅଭୂତପୂର୍ବ ବିକାଶର ଧାରା ସୃଷ୍ଟି ହୋଇପାରିଛି। ଅଭିବୃଦ୍ଧିର ପାହାଚ ସଫଳତାର ସହ ଅତିକ୍ରମ କରୁଥିବାରୁ ଓଡ଼ିଶା ଭାରତର ଏକ ମଡେଲ ରାଜ୍ୟ ପାଲଟି ଯାଇଛି। ପ୍ରତିକୂଳ ବିଶ୍ୱସଙ୍କଟ ସତ୍ତ୍ବେ ୨୦୨୨-୨୩ ବର୍ଷରେ ରାଜ୍ୟର ଅଭିବୃଦ୍ଧି କାର୍ଯ୍ୟଦକ୍ଷତା ଦେଶର ସବୁଠାରୁ ଉଚ୍ଚସ୍ତରରେ ବଜାୟ ରହିଛି। ବୈଷୟିକ ଜ୍ଞାନକୌଶଳର ଉପଯୋଗ, ପ୍ରତିଯୋଗୀ ଓ ସହଯୋଗୀ ବାତାବରଣ ଓ ଏକ ସ୍ଥାୟୀ ସରକାର ଯୋଗୁଁ ଓଡ଼ିଶା ଆଗାମୀ ଦିନରେ ଏକ ପ୍ରାଚୁର୍ଯ୍ୟଭରା ରାଜ୍ୟରେ ରୂପାନ୍ତରିତ ହେବାକୁ ଯାଉଛି।

ସର୍ଭେ ରିପୋର୍ଟ ଅନୁଯାୟୀ ୨୦୨୨-୨୩ ବର୍ଷରେ ଓଡ଼ିଶାର ଅଭିବୃଦ୍ଧି ହାର ୭.୮୨%, ଯାହାକି ଜାତୀୟ ହାର ୭% ରୁ ଅଧିକ। ୨୦୨୩-୨୪ ବର୍ଷରେ ତାହା ୮% ରୁ ୮.୫% ହେବ ବୋଲି ଆକଳନ କରାଯାଇଛି। ୨୦୨୨-୨୩ ବର୍ଷରେ ଓଡ଼ିଶାର ବାର୍ଷିକ ମୁଣ୍ଡପିଛା ଆୟ ୧,୫୦,୬୭୬ ଟଙ୍କା ହୋଇଥିବା ବେଳେ ଜାତୀୟ ମୁଣ୍ଡ ପିଛା ଆୟ ବାର୍ଷିକ ୧,୭୦,୬୨୦ ଟଙ୍କା। ଏହା ସତ୍ୟ ଯେ ମୁଣ୍ଡ ପିଛା ଆୟ ଏପରି ଭାବରେ ବୃଦ୍ଧି ପାଇଲେ ନିକଟ ଭବିଷ୍ୟତରେ ଏହା ଜାତୀୟ ମୁଣ୍ଡ ପିଛା ଆୟକୁ ଟପିଯିବ। ସେହିପରି ଓଡ଼ିଶାର ଜିଏସଡିପି ୨୦୨୨-୨୩ ବର୍ଷରେ ୭.୨ ଲକ୍ଷ କୋଟି ହୋଇଥିବା ବେଳେ ୨୦୨୧-୨୨ ବର୍ଷରେ ଏହା ୬.୪ ଲକ୍ଷ କୋଟି ଥିଲା, ଯାହାକି ୧୨.୬% ଅଧିକ।

ବିତ୍ତୀୟ ଦାୟିତ୍ୱ ଓ ବଜେଟ ପରିଚାଳନା ନିୟମ ପ୍ରଣୟନ ହେବା ପରେ ଦୀର୍ଘ ୧୭ ବର୍ଷ ଧରି ଓଡ଼ିଶା କ୍ରମାଗତ ଭାବେ ରାଜସ୍ୱ ସଂଗ୍ରହରେ ଉଦବୃତ ସ୍ଥିତିରେ ରହି ଆସୁଛି। ଶୃଙ୍ଖଳିତ ବିତ୍ତୀୟ ପରିଚାଳନା ଯୋଗୁଁ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରକୁ ଅଧିକରୁ ଅଧିକ ପାଣ୍ଠି ଯୋଗାଇ ଦିଆଯାଉଛି। ମୋଟ ରାଜସ୍ୱର ୬୬% କେବଳ ବିକାଶମୂଳକ କାର୍ଯ୍ୟ ନିମନ୍ତେ ବ୍ୟୟ କରାଯାଉଛି। ସାମାଜିକ ଭିତ୍ତିଭୂମି ଯଥା ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ରାଜସ୍ୱର ଯଥାକ୍ରମେ ୧୬% ଓ ୬.୫% ଖର୍ଚ୍ଚ କରାଯାଉଛି। ଆଗାମୀ ବର୍ଷମାନଙ୍କରେ ରାଜ୍ୟର ସମସ୍ତ କ୍ଷେତ୍ରରେ ପ୍ରଗତିର ସୁଫଳ ଉପଲବ୍ଧ ହେବା ସହ ସାମାଜିକ ତଥା ଆର୍ଥିକ କ୍ଷେତ୍ରରେ ବିକାଶର ସମ୍ଭାବନା ଉଜ୍ଜ୍ୱଳ ବୋଲି ରାଜ୍ୟ ସରକାର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ୨୦୨୨-୨୩ ବର୍ଷରେ ରାଜ୍ୟର ଋଣ ରାଶି ଜିଏସଡିପିର ମାତ୍ର ୧୫.୬% ଅଟେ, ଯାହାକି ଅନ୍ୟ ରାଜ୍ୟମାନଙ୍କ ତୁଳନାରେ କମ୍‌‌। ପୁଞ୍ଜି ବ୍ୟୟ ରାଜ୍ୟ ପ୍ରଗତିର ଇଞ୍ଜିନ ସଦୃଶ। ଏହାର କ୍ରମାଗତ ବୃଦ୍ଧି ବିକାଶର ଧାରାକୁ ଅଧିକ ବେଗବାନ କରିଛି। ବିଗତ ୧୦ ବର୍ଷ ଧରି ପୁଞ୍ଜି ବ୍ୟୟ ୮.୬ ଗୁଣ ବଢ଼଼ିଛି। ୨୦୨୨ ଡିସେମ୍ୱର ମାସରେ ପ୍ରକାଶିତ ସିଏମଆଇଇ ରିପୋଟ୍‌‌ର୍ରେ ଓଡ଼ିଶାର ବେକାରୀ ହାର ୦.୯% ଥିବା ବେଳେ ଜାତୀୟ ହାର ୮.୩% ଥିଲା।

କ୍ରୀଡା, ସଡ଼କ ପରିବହନ, ରେଳ ପ୍ରକଳ୍ପ, ବିମାନ ଚଳାଚଳ, ବିଦ୍ୟୁତ୍‌‌ ଯୋଗାଣ, ମାଗଣା ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟଜଳ ଯୋଗାଣ, ଉଠା ଜଳସେଚନ ଓ ଇନ୍‌‌ଷ୍ଟ୍ରିମ ଷ୍ଟୋରେଜ ପ୍ରକଳ୍ପ ଆଦି ସମସ୍ତ କ୍ଷେତ୍ରରେ ରାଜ୍ୟ ସରକାର ଦକ୍ଷତା ଓ ପାରଦର୍ଶିତା ହାସଲ କରିଛନ୍ତି। ‘ମିଶନ ଶକ୍ତି’କୁ ଔଦ୍ୟୋଗିକ କ୍ଷେତ୍ରରେ ରୂପାନ୍ତରିତ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସୁତରାଂ ଓଡ଼ିଶା ଜାତୀୟ ସ୍ତରରେ ଏକ ସୁସ୍ଥ, ସମୃଦ୍ଧ ତଥା ଅଗ୍ରଣୀ ରାଜ୍ୟରେ ପରିଣତ ହେବାକୁ ଯାଉଛି। ଅର୍ଥନୈତିକ ରିପୋର୍ଟ ଓଡ଼ିଶାର ଯେଉଁ ସୁନେଲି ଚିତ୍ର ଉପସ୍ଥାପିତ କରିଛି, ତାହା ଆଗାମୀ ଭବିଷ୍ୟତରେ ରାଜ୍ୟକୁ ଏକ ଦୃଢ଼ ତଥା ମଜଭୁତ ଅର୍ଥନୀତିରେ ରୂପାନ୍ତରିତ କରିବା ସହ ଜନସାଧାରଣଙ୍କ ଆସ୍ଥାଭାଜନ ହେବା ନିଶ୍ଚିତ। ବିଶ୍ୱ ଅର୍ଥନୀତିରେ ସ୍ୱାଭାବିକ ସ୍ଥିତି ସୁଧୁରି ଆସିଲେ ଓଡ଼ିଶାର ଅର୍ଥନୈତିକ ବିକାଶ ଆହୁରି ଅଧିକ ତ୍ୱରାନ୍ୱିତ ହେବ, ଏଥିରେ ସନ୍ଦେହ ନାହିଁ।

ଦୋଳଗୋବିନ୍ଦ ମହାପାତ୍ର
ମୋ: ୯୪୩୮୧୯୨୨୨୪

Leave a comment