ସାର୍ବଜନୀନ ଯାତ୍ରାରେ ଅଶ୍ଳୀଳତା

ମୁଖ୍ୟତଃ ବ୍ୟାବସାୟିକ ସଫଳତାକୁ ପ୍ରାଧାନ୍ୟ ଦେଇ ତିନି ଦଶନ୍ଧି ଧରି ଓଡ଼ିଆ ଗଣନାଟ୍ୟ ତଥା ଯାତ୍ରାନାଟକ ଆନ୍ଦୋଳନ ଜନାଦୃତିର ନିକଟତର ହୋଇଥିଲେ ବି ସମାଲୋଚନାରୁ ବାଦ୍ ପଡ଼ିନାହିଁ। ଆକର୍ଷଣୀୟ ପରିବେଷଣ ଶୈଳୀର ଉଦ୍ୟମ ହିଁ ଯାତ୍ରାଜଗତରେ ଉତ୍ତର ଆଧୁନିକତା ବୋଲି ଧରିନିଆଯାଇପାରେ। କିନ୍ତୁ ଏହି ପରିବର୍ତ୍ତନ ଅନ୍ତରାଳରେ ଉତ୍କଳୀୟ ସଂସ୍କୃତି ଓ ପରମ୍ପରା କ୍ଷୁଣ୍ଣ ହେଉଛି ବୋଲି ଅଭିଯୋଗ ଆସୁଛି।
ଶତାବ୍ଦୀ ସହ ପାଦ ମିଳାଇ କଳା-ସାହିତ୍ୟ ନିଜ ନିଜ ଧର୍ମ ରକ୍ଷା କରି ଅଗ୍ରସର ହେବା ବିଧେୟ। କିନ୍ତୁ ସଂସ୍କୃତିର ଅବକ୍ଷୟ କସ୍ମିନ୍ କାଳେ ଗ୍ରହଣୀୟ ନୁହେଁ। ହୁଏତ ଯାତ୍ରାନାଟକ ବ୍ୟୟସାପେକ୍ଷ। କିନ୍ତୁ ଏହାର ଅର୍ଥ ନୁହେଁ ଯେ କ୍ଷଣିକ ମନୋରଞ୍ଜନ ଆଳରେ ଯାତ୍ରାନାଟକ ଉତ୍କଳୀୟ ପରମ୍ପରା, ସଂସ୍କୃତି ଓ ଐତିହ୍ୟଠାରୁ ବହୁ ଦୂରରେ ରହି ଦର୍ଶକୀୟ ସ୍ୱୀକୃତି ଲାଭ କରି ଯାଉଥିବ।
ଓଡ଼ିଆ ଯାତ୍ରାନାଟକର ଇତିହାସ ବହୁ ପ୍ରାଚୀନ। ଏହା ନାଟ୍ୟ ସାହିତ୍ୟର ଅଗ୍ରଣୀ ଭୂମିକାରେ ଅବତୀର୍ଣ୍ଣ ହୋଇ ପରିବର୍ତ୍ତିତ ରୂପରେଖ ନେଇ ଏଯାବତ୍ ଆସିପାରିଛି। ଉତ୍କଳର ବରପୁତ୍ର ତଥା ଗଣନାଟ୍ୟର ଆଦିସ୍ରଷ୍ଟା ନାଟ୍ୟକାର ବୈଷ୍ଣବ ପାଣିଙ୍କ ସୃଷ୍ଟି ସୌରଭ ତତ୍କାଳୀନ ସମାଜ ପ୍ରତି ଆବଣ୍ଟିତ କରିଥିଲା ଅନେକ ଉପାଦେୟ ସନ୍ଦେଶ। ତାଙ୍କ ରଚିତ ନାଟକଗୁଡ଼ିକ ମଧ୍ୟରୁ ଅଧିକାଂଶ ନାଟକର ଉପଜୀବ୍ୟ ବସ୍ତୁ ଥିଲା ପୌରାଣିକ ଆଖ୍ୟାନ ଓ ଉପାଖ୍ୟାନ, ରାଜତନ୍ତ୍ର ଓ ସାମନ୍ତବାଦୀ ସଭ୍ୟତାର ପ୍ରଭାବ, ପ୍ରତିପତ୍ତି, ଶାସନ, ଅନୁଶାସନ ପର୍ବ ଇତ୍ୟାଦି। ଏହାଛଡ଼ା ସାମାଜିକତା, ସମସ୍ୟା, ଧର୍ମ ଓ ସଂସ୍କୃତି ଏବଂ କଳ୍ପନାର ମିଶ୍ରିତ ଉପାଦାନରେ ସେଗୁଡ଼ିକରେ ଆବଶ୍ୟକତା ଅନୁଯାୟୀ ନୃତ୍ୟ, ସଙ୍ଗୀତ, ଡୁଏଟ୍, ଫାର୍ସ ପ୍ରଭୃତି ଯୋଡ଼ା ଯାଇଥିଲା। ଫଳରେ ପରିବେଷଣ ମାଧ୍ୟମରେ ଶିକ୍ଷଣୀୟ ବାର୍ତ୍ତା ସହ ମନୋରଞ୍ଜନର ଯଥେଷ୍ଟ ଖୋରାକ୍ ଦର୍ଶକମାନଙ୍କ ପାଇଁ ଉପଲବ୍ଧ ହେଇପାରୁଥିଲା। ଗ୍ରମାଞ୍ଚଳର ନିରାଡ଼ମ୍ବର ମୁକ୍ତମଞ୍ଚରେ ନାଲି, ନେଳି ଜରି ଲଗା ପେଟ୍ରୋମାକ୍ସ ଲାଇଟ୍ ଓ ହାର୍ମୋନିୟମ, ତବଲା, ମର୍ଦ୍ଦଳ, ମୃଦଙ୍ଗ, କରତାଳ ପ୍ରଭୃତି ସାଂଗୀତିକ ଉପକରଣ ସହାୟତାରେ ଏହା ପ୍ରଦର୍ଶିତ ହେଉଥିଲା।
ପରବର୍ତ୍ତୀ କାଳରେ ଯାତ୍ରାନାଟକ ରଚନା କରି ନିଜ ନିଜ ପ୍ରତିଭା ପ୍ରକଟିତ କରିଥିଲେ ପ୍ରମୁଖ ସ୍ରଷ୍ଟା ବାଳକୃଷ୍ଣ ମହାନ୍ତି, ଗୋବିନ୍ଦଚନ୍ଦ୍ର ସୁରଦେଓ, ଜଗନ୍ନାଥ ପାଣି, ବାଳକୃଷ୍ଣ କର, କାମପାଳ ମିଶ୍ର, ଭିକାରୀ ଚରଣ ପଟ୍ଟନାୟକ, କୃଷ୍ଣପ୍ରସାଦ ବସୁ ପ୍ରମୁଖ। ଏମାନଙ୍କ ରଚନା କିଞ୍ଚିତ୍ ପରିମାର୍ଜିତ ହୋଇଥିଲେ ବି ବୈଷ୍ଣବ ପାଣିଙ୍କ ରଚନା ଅନୁସୃତ ବୋଲି ଆଲୋଚିତ। ଉତ୍ତର ଆଧୁନିକତା ଯୁଗାରେ ଯାତ୍ରା ଜଗତରେ ପାଦ ଥାପିଲେ ରଘୁନାଥ ପଣ୍ଡା, ଶ୍ୟାମସୁନ୍ଦର ମହାପାତ୍ର, ଉମାକାନ୍ତ ବେହେରା, ନବକିଶୋର ସାହୁ ଓ କୃଷ୍ଣଚନ୍ଦ୍ର ପରିଡ଼ା ପ୍ରମୁଖ ନାଟ୍ୟକାର। ଏମାନଙ୍କ ରଚିତ ନାଟକଗୁଡ଼ିକ ଥିଲା ମୁଖ୍ୟତଃ ପୌରାଣିକ, ଐତିହାସିକ, ସାମାଜିକ ଓ କାଳ୍ପନିକ। ଦୀର୍ଘ ବର୍ଷ ଯାଏଁ ସାରା ଓଡ଼ିଶାରେ ଏଗୁଡ଼ିକର ପରିବେଷଣ ଅବ୍ୟାହତ ଥିଲା।
ଭାରତୀୟ ଥିଏଟ୍ରିକାଲ ମୁଭ୍ମେଣ୍ଟ ବର୍ଗରେ ଯାତ୍ରାନାଟକ ଚାଲିଆସୁଥିଲେ ମଧ୍ୟ ଆଜି ବି ତା’ର ଆଙ୍ଗିକତା ଓ ଆତ୍ମିକତା ପରମ୍ପରା ଓ ସଂସ୍କୃତିର ପକ୍ଷପାତୀ ହେବା ଉଚିତ ବୋଲି ମନେ ହୁଏ। ସାମ୍ପ୍ରତିକ ଓଡ଼ିଆ ଯାତ୍ରାନାଟକର ମଞ୍ଚାୟନ ଆଜି ଆଚ୍ଛାଦିତ ହୋଇଛି ସମ୍ପୂର୍ଣ୍ଣ ଆଧୁନିକତ୍ୱର ରଙ୍ଗୀନ୍ ଆବରଣରେ। ଅବଶ୍ୟ ତା’ର ପ୍ରଭାବରେ ଆଜି ଉପକୃତ ହୋଇଛନ୍ତି ଅନେକ ଶ୍ରେଷ୍ଠ ଓ ଗୌଣ ନାଟ୍ୟକାର, ନିର୍ଦ୍ଦେଶକ, ଅଭିନେତା, ଅଭିନେତ୍ରୀ, ସଙ୍ଗୀତଜ୍ଞ, କଣ୍ଠଶିଳ୍ପୀ, ମଞ୍ଚ ଶିଳ୍ପୀ ଓ କଳା ନିର୍ଦ୍ଦେଶକମାନେ। ସିନେ ଓ ମଞ୍ଚ ଜଗତର ବହୁ ପେସାଦାର ପ୍ରତିଭା ଏଥିରେ କାମ କରି ଖ୍ୟାତି ଅର୍ଜନ କରିବା ସାଙ୍ଗକୁ ଆଶାନୁରୂପ ପାରିଶ୍ରମିକ ପାଉଛନ୍ତି। ଯାତ୍ରାଜଗତ ସୁଯୋଗ ଦେଇଛି ବହୁ ନବାଗତ ଓ ବରିଷ୍ଠ ପ୍ରତିଭାଧରଙ୍କୁ। ତା’ନହେଲେ ଶିକ୍ଷାବିତ୍, ବୁଦ୍ଧିଜୀବୀ, ଯନ୍ତ୍ରୀ ଓ ଆଇନଜୀବୀ ଏଥିରେ ସାମିଲ ହେଇପାରି ନଥା’ନ୍ତେ। ସେମାନଙ୍କ ଆଗ୍ରହ ଓ ଆଭିମୁଖ୍ୟର ମୂଲ୍ୟାୟନ କରିପାରିଛି ଆଜିର ଯାତ୍ରାଜଗତ। ଏହା ଅନସ୍ୱୀକାର୍ଯ୍ୟ। ଅବଶ୍ୟ ଜଣେ ଲେଖକର କାହାଣୀ ନୂତନତ୍ୱ ଅପେକ୍ଷା ମିଶ୍ରିତ ଉପାଦାନରେ ପ୍ରସ୍ତୁତ ହେଇଥିଲେ ବି ତା’ର ଆନୁଷଙ୍ଗିକତାକୁ ବିଭିନ୍ନ କଳାକୌଶଳ ମାଧ୍ୟମରେ ଦର୍ଶକଙ୍କ ନିକଟରେ ପହଞ୍ଚାଇ ପ୍ରଶଂସା ସାଉଁଟୁଛି। କିନ୍ତୁ ଅପସଂସ୍କୃତିର ପ୍ରାୟୋଗିକ ଶୈଳୀ ଯୋଗୁଁ ଯାତ୍ରାନାଟକ ଗୁଣାତ୍ମକ ଅବକ୍ଷୟମୁଖୀ ହେଉଛି ବୋଲି ଅଭିଯୋଗ ହେଉଛି।ଏଥିପାଇଁ ଅବଶ୍ୟ ଯାତ୍ରାପାର୍ଟିମାନଙ୍କର ଯୋଜନାକୁ ଦାୟୀ କରାଯାଇପାରେ। ଯଥା ମେଲୋଡ଼ି ପରିବେଷଣ ବେଳେ ଅର୍ଦ୍ଧନଗ୍ନ ନୃତ୍ୟ, ଚରିତ୍ରମାନଙ୍କ ମୁହଁରେ ଦ୍ୱିଅର୍ଥ ବୋଧକ ସଂଳାପ, ହିଂସାତ୍ମକ ଅଭିନୟ ଇତ୍ୟାଦି।
ଅନ୍ୟ ଏକ ଦୃଷ୍ଟିକୋଣରୁ ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ, ଢେଙ୍କାନାଳ, ଅନୁଗୁଳ, କେଉଁଝର, ସମ୍ବଲପୁର ଆଦି ଜିଲ୍ଲାରେ ଅନୁଷ୍ଠିତ ଦଣ୍ଡଯାତ୍ରାରେ କାମନା ଦଣ୍ଡକୁ ପୂରାପୂରି ହଟାଇ ଦେଇଛି ଏହି ଯାତ୍ରାନାଟକ। ଯାହାକି ଶୈବ ଓ ଶାକ୍ତ ପରମ୍ପରାର ପ୍ରତୀକ ରୂପେ ପ୍ରାରମ୍ଭରୁ ଗୃହୀତ ଓ ସ୍ୱୀକୃତ ହେଇଆସୁଛି। ଏଥିପାଇଁ ଅତୀତରେ ସରକାରୀ ନିର୍ଦ୍ଦେଶନାମା ଜାରି ହେଇଥିଲେ ବି ତାହା କାର୍ଯ୍ୟକାରୀ ହେଇନପାରିବା ଦୁର୍ଭାଗ୍ୟର କଥା।
ଏହା ନିଃସନ୍ଦେହ ଯେ ଅପସଂସ୍କୃତିକୁ ପରିହାର କରି ଯାତ୍ରାନାଟକ ନିଶ୍ଚିତ ଭାବେ ଓଡ଼ିଶାରେ ବଞ୍ଚି ରହିବ। ଏହାର ଭବିଷ୍ୟତ ବି ଉଜ୍ଜ୍ୱଳ। କାରଣ ତିନିରୁ ଚାରି ଘଣ୍ଟା ଧରି ସହସ୍ର ଦର୍ଶକଙ୍କୁ ବାନ୍ଧି ରଖିବା କମ୍ କଥା ନୁହେଁ। ମଞ୍ଚ ମାୟାରେ ଦର୍ଶକମାନେ ମନ୍ତ୍ରମୁଗ୍ଧ ହୁଅନ୍ତି। ଘନଘନ କରତାଳିରେ କମ୍ପି ଉଠେ ପ୍ରେକ୍ଷାଳୟ। ଆଲୋକର ବର୍ଣ୍ଣାଳୀ ଭିତରେ ଝଲସି ଉଠେ ସହସ୍ରାଧିକ ଚକ୍ଷୁ ଓ ପରିବେଶ। ଏହା ବି ସମାଜକୁ ଦିଏ ବହୁ ଉପାଦେୟ ସନ୍ଦେଶ ଓ ବାର୍ତ୍ତା। ସୃଷ୍ଟି କରିପାରେ ସବୁବର୍ଗର ଲୋକଙ୍କ ପାଇଁ ଅସରନ୍ତି ମନୋରଞ୍ଜନର ସମ୍ଭାର।
ସମ୍ପ୍ରତି ଓଡ଼ିଶା ସରକାର ଯାତ୍ରା ପାର୍ଟିରେ ଅଶ୍ଳୀଳତାକୁ ନିଷେଧ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ନିର୍ଦ୍ଦେଶର ଅବମାନନା କରୁଥିବା ଯାତ୍ରାପାର୍ଟିମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ମଧ୍ୟ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସରକାରଙ୍କ ଏହି ପଦକ୍ଷେପ ନ୍ୟାୟୋଚିତ ଓ ସ୍ୱାଗତଯୋଗ୍ୟ।
(ବିପିନ ମହାପାତ୍ର, ବ୍ରହ୍ମପୁର, ମୋ: ୯୮୫୩୭୫୧୩୨୨)