ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜାରାଜୁଡ଼ା ଓ ସ୍ୱାମୀ ବିବେକାନନ୍ଦ

ଯେଉଁମାନେ ସନ୍ନ୍ୟାସୀ ସେମାନେ ସାଂସାରିକ ବନ୍ଧନମୁକ୍ତ ଏବଂ ନିରାସକ୍ତ ଭାବରେ ଈଶ୍ୱର ସମର୍ପିତ ହୋଇ ପରିବ୍ରାଜକର ଜୀବନ ଯାପନ କରିବା କଥା। ରାଜା ମହାରାଜାମାନଙ୍କ ସହ ସେମାନଙ୍କ କୌଣସି ସମ୍ପର୍କ ରହିବା ପରମ୍ପରାବିରୁଦ୍ଧ। ମାତ୍ର ସ୍ୱାମୀ ବିବେକାନନ୍ଦ ଥିଲେ ଜଣେ ଭିନ୍ନ ଧରଣର ସନ୍ନ୍ୟାସୀ। ସନ୍ନ୍ୟାସ ବ୍ରତ ଗ୍ରହଣ କଲାପରେ ସେ ପଦବ୍ରଜରେ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଭାରତର ବିଭିନ୍ନ ସ୍ଥାନ ଭ୍ରମଣ କଲେ। ସ୍ୱଚକ୍ଷୁରେ ଦେଖିଲେ ଭାରତରେ ଦାରିଦ୍ର୍ୟର ଚିତ୍ର। ଲୋକେ ଦି ଓଳି ଖାଇବାକୁ ପାଉ ନ ଥିଲେ କି ଶରୀର ଘୋଡ଼ାଇବା ପାଇଁ ଲୁଗାଖଣ୍ଡେ ପାଉ ନ ଥିଲେ। ପୁନଶ୍ଚ ଅନ୍ଧବିଶ୍ୱାସ ଓ କୁସଂସ୍କାରରେ ସମସ୍ତେ ବୁଡ଼ି ରହିଥିଲେ। ସ୍ୱାମିଜୀ ପରିବ୍ରାଜକ ଜୀବନରେ ରାଜା ମହାରାଜାମାନଙ୍କ ରାଜପ୍ରାସାଦରେ ମଧ୍ୟ ଅବସ୍ଥାନ କଲେ। ମାତ୍ର ଏହା ଜଣେ ସନ୍ନ୍ୟାସୀ ପାଇଁ ସ୍ପୃହଣୀୟ ହୋଇ ନଥିବାରୁ ସେ ସମାଲୋଚିତ ବି ହେଲେ। ତାଙ୍କ ଶିଷ୍ୟ ହରିପଦ ମିତ୍ର ଏ ସମ୍ପର୍କରେ ସ୍ୱାମିଜୀଙ୍କୁ ପ୍ରଶ୍ନ କରିବାରୁ ସ୍ୱାମିଜୀ ଉତ୍ତର ଦେଇଥିଲେ ‘ଗରିବ ପ୍ରଜାମାନଙ୍କ ଯେତେ ଇଚ୍ଛା ରହିଥିଲେ ମଧ୍ୟ ସତକାର୍ଯ୍ୟ କରିବା ନିମନ୍ତେ ସେମାନଙ୍କ ସାମର୍ଥ୍ୟ ନାହିଁ। ଅପରପକ୍ଷରେ ପ୍ରଜାମାନଙ୍କ ମଙ୍ଗଳ କରିବା ପାଇଁ ରାଜାମାନଙ୍କ ସ୍ପୃହା ନାହିଁ। ମୁଁ ସେହି ସ୍ପୃହାକୁ ଜାଗ୍ରତ କରିପାରିଲେ ସେମାନଙ୍କ ଅଧୀନସ୍ଥ ପ୍ରଜାମାନଙ୍କ ଦୁର୍ଦ୍ଦଶା ଦୂରୀଭୂତ ହେବ।’

୧୮୯୧ ଫେବୃଆରୀ ମାସରେ ସ୍ୱାମିଜୀ ଅଲୱାରରେ (ରାଜସ୍ଥାନ) ପରିଭ୍ରମଣ କଲାବେଳେ ରାଜ୍ୟର ଦିୱାନ ମେଜର ରାମଚନ୍ଦ୍ରଜୀ ତାଙ୍କ ଆଧ୍ୟାତ୍ମିକ ଜ୍ଞାନରେ ପ୍ରଭାବିତ ହୋଇ ରାଜା ମଙ୍ଗଳ ସିଂହଙ୍କ ସହ ତାଙ୍କ ସାକ୍ଷାତ କରାଇଥିଲେ। ସ୍ୱାମିଜୀଙ୍କ ଅସାଧାରଣ ପାଣ୍ଡିତ୍ୟ ଓ ଆଧ୍ୟାତ୍ମିକ ଜ୍ଞାନରେ ମୁଗ୍ଧ ହୋଇ ସେ କିଛି ଦିନ ରାଜପ୍ରାସାଦରେ ରହିବାକୁ ସ୍ୱାମିଜୀଙ୍କୁ ଅନୁରୋଧ କରିଥିଲେ। ମାତ୍ର ସ୍ୱାମିଜୀ ଗୋଟିଏ ସର୍ତ୍ତରେ ରାଜି ହୋଇଥିଲେ। ସର୍ତ୍ତଟି ହେଲା, ଯେଉଁ ଅଶିକ୍ଷିତ ନିସ୍ୱ ଗରିବ ଜନତା ତାଙ୍କୁ ସାକ୍ଷାତ୍‌‌ କରିବାକୁ ଆସୁଛନ୍ତି ସେମାନେ ଶିକ୍ଷିତ ଓ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ଭଳି ଅବାଧ ଓ ସ୍ୱାଧୀନ ଭାବରେ ତାଙ୍କୁ ସାକ୍ଷାତ କରିପାରିବେ। ରାଜା ରାଜି ହେଲେ ଓ ସବୁଧର୍ମ ଓ ଜାତିର ଲୋକେ ସ୍ୱାମିଜୀଙ୍କ ସାନ୍ନିଧ୍ୟ ଲାଭ କଲେ। ସାତ ସପ୍ତାହର ରହଣି ପରେ ସ୍ୱାମିଜୀ ସେଠାରୁ ବିଦାୟ ନେଲେ।

ଅଧିକ ପଢନ୍ତୁ

ପରବର୍ତ୍ତୀ ସମୟରେ (୧୮୯୧ ଜୁନ୍‌‌ ରୁ ଅକ୍ଟୋବର) ସ୍ୱାମିଜୀ କ୍ଷେତ୍ରୀର ମହାରାଜା ଅଜିତ ସିଂହଙ୍କ ନିମନ୍ତ୍ରଣ ରକ୍ଷା କରି ତାଙ୍କର ଆତିଥ୍ୟ ଗ୍ରହଣ କଲେ। ରାଜା କେବଳ ଆଧ୍ୟାତ୍ମିକ ବିଷୟବସ୍ତୁ ଉପରେ ତାଙ୍କ ସହ ଆଲୋଚନା କଲେ ନାହିଁ, ବରଂ ପ୍ରଶାସନ ଓ ଆଇନ୍‌‌ ସମ୍ପର୍କରେ ମଧ୍ୟ ଆଲୋଚନା କଲେ। ସ୍ୱାମିଜୀଙ୍କ ଆଧ୍ୟାତ୍ମିକ ଜ୍ଞାନ ତାଙ୍କୁ ମୁଗ୍ଦ କରିଥିଲା। ସେ ନିଃସନ୍ତାନ ଥିବାରୁ ପୁତ୍ରକାମନା କରି ସ୍ୱାମିଜୀଙ୍କ ଆଶୀର୍ବାଦ ଲୋଡ଼ିଥିଲେ। ସ୍ୱାମିଜୀଙ୍କ ଆଶୀର୍ବାଦରେ ତାଙ୍କ ପୁତ୍ର ଲାଭ ହୋଇଥିଲା। ରାଜା ତାଙ୍କ ସହ ଏତେ ଅନ୍ତରଙ୍ଗ ହୋଇଗଲେ ଯେ ସେ ସ୍ୱାମିଜୀଙ୍କ ଶୟନ କକ୍ଷରେ ଉପବେଶନ କରି ତାଙ୍କର ପାଦ ଘଷି ଦେଉଥିଲେ। ସ୍ୱାମିଜୀଙ୍କ ଆର୍ଥିକ ସଂକଟ ସମୟରେ ତାଙ୍କ ମା’ଙ୍କ ପାଖକୁ ରାଜା ପ୍ରତ୍ୟେକ ମାସ ଟ.୧୦୦/-ଙ୍କା ପଠାଉଥିଲେ। ସେଠି ରହିବା ସମୟରେ ସ୍ୱାମିଜୀ ବେଳେବେଳେ ଗରିବ ଓ ନିଃସ୍ୱ ପ୍ରଜାଙ୍କ ଘରକୁ ଯାଇ ସେମାନଙ୍କଠାରୁ ଆନନ୍ଦରେ ଭୋଜନ ଗ୍ରହଣ କରୁଥିଲେ। ଥରେ ପ୍ରବଚନ ସରିବା ପରେ ଏକ ମୋଚି ହାତରୁ ସେ ରୁଟି ଓ ତରକାରୀ ଖାଇଥିଲେ।

ଗୁଜରାଟ ଲିମଡ଼ି ରାଜ୍ୟର ଠାକୁର ଯଶୋବନ୍ତ ସିଂହଜୀ ସାହେବଙ୍କ ରାଜପ୍ରାସାଦରେ ସ୍ୱାମିଜୀ କିଛିଦିନ ଅବସ୍ଥାନ କରିଥିଲେ (୧୮୯୨ ମେ, ଜୁନ)ା ଠାକୁର ସାହେବ ଥିଲେ ଜଣେ ବିଦ୍ୱାନ ଓ ସଜ୍ଜନ। ସେ ଇଂଲଣ୍ଡ ଓ ଆମେରିକା ଭ୍ରମଣ କରିଥିଲେ ଓ ପ୍ରଗତିଶୀଳ ଥିଲେ। ଠାକୁର ସାହେବ ସ୍ୱାମିଜୀଙ୍କ ଠାରୁ ଦୀର୍ଘ ଦିନ ଧରି ଅନେକ ଆଧ୍ୟାମିôକ ତତ୍ତ୍ୱ ଶୁଣି ମୁଗ୍ଧ ହୋଇଥିଲେ ଓ ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରି ନିଜ ରାଜ୍ୟରେ ସ୍ୱାମିଜୀଙ୍କୁ ଚିରଦିନ ପାଇଁ ଅବସ୍ଥାନ କରିବା ପାଇଁ ଅନୁରୋଧ କରିଥିଲେ। ମାତ୍ର ସ୍ୱାମିଜୀ କହିଥିଲେ, “ଏହା ସମ୍ଭବ ନୁହେଁ; କାରଣ ମୋତେ ଏକ ବ୍ରତ ଉଦ୍‌‌ଯାପନ କରିବା ପାଇଁ ପଡ଼ିବ। କର୍ମରୁ ଯଦି କେତେବେଳେ ମୁକ୍ତି ପାଇଁ ବିଶ୍ରାମ ଲାଭ ନିମନ୍ତେ ଅବକାଶ ମିଳିବ, ସେତେବେଳେ ମୁଁ ଆପଣଙ୍କ ନିକଟରେ ପହଞ୍ଚିଯିବି।” ମାତ୍ର ସ୍ୱାମିଜୀ ନିଜର ଜୀବନକାଳ ମଧ୍ୟରେ କେବେ ବିଶ୍ରାମ ପାଇଁ ସମୟ ପାଇ ନଥିଲେ।

ମହୀଶୂର ଭ୍ରମଣ ସମୟରେ (୧୮୯୨ ନଭେମ୍ବର) ଦିୱାନ ଶ୍ରୀ କେ ଶେଷାଦ୍ରି ଆୟାରଙ୍କ ସହ ସ୍ୱାମିଜୀଙ୍କ ପରିଚୟ ହେଲା। ସେ ସ୍ୱାମିଜୀଙ୍କୁ ରାଜପ୍ରାସାଦକୁ ନେଇଗଲେ। ମହାରାଜା କଥା ପ୍ରସଙ୍ଗରେ ସ୍ୱାମିଜୀଙ୍କୁ ପଚାରିଲେ, “ମୋର ରାଜପରିଷଦର କର୍ମକର୍ତ୍ତାଙ୍କ ସମ୍ପର୍କରେ ଆପଣଙ୍କ ଧାରଣା କ’ଣ?” ସେ ଆଶା କରୁଥିଲେ ସ୍ୱାମିଜୀ ସେମାନଙ୍କ ପ୍ରଶଂସା କରିବେ। ମାତ୍ର ସ୍ୱାମିଜୀ ଉତ୍ତର ଦେଲେ, “ଆପଣ ମହାନୁଭବ, ମାତ୍ର ଆପଣ ଏଭଳି ରାଜପରିଷଦବର୍ଗଙ୍କ ଦ୍ୱାରା ପରିବେଷ୍ଟିତ ଯେଉଁମାନେ ସର୍ବତ୍ର ଓ ସର୍ବଦା ସମାନ।” ସ୍ୱାମିଜୀଙ୍କ ନିର୍ଭୀକ ଉତ୍ତର ଶୁଣି ମହାରାଜା ସ୍ତମ୍ଭୀଭୂତ ହେଲେ ଓ ଏକାନ୍ତରେ ତାଙ୍କୁ କହିଲେ “ଆପଣ ସର୍ବସମ୍ମୁଖରେ ଏଭଳି ଉତ୍ତର ଦେଲେ ଆପଣଙ୍କ ଜୀବନ ବିପଦାପନ୍ନ ହୋଇପାରେ।” ସ୍ୱାମିଜୀ କହିଲେ, “ନିଜର ଜୀବନରକ୍ଷା ପାଇଁ ଜଣେ ସନ୍ନ୍ୟାସୀ ସତ କହିବାକୁ କୁଣ୍ଠିତ ହେବା ଠିକ୍‌‌ ନୁହେଁ।” ଆଉଦିନେ ମହାରାଜା ସ୍ୱାମିଜୀଙ୍କୁ ପଚାରିଲେ, “ମୁଁ ଆପଣଙ୍କ ପାଇଁ କ’ଣ କରିପାରେ?” ସ୍ୱାମିଜୀ ଉତ୍ତର ଦେଲେ, “ଭାରତ ପାଖରେ ଅଛି ଦାର୍ଶନିକ ଓ ଆଧ୍ୟାତ୍ମିକ ଜ୍ଞାନ। ତା’କୁ ପାଶ୍ଚାତ୍ୟ ଜଗତକୁ ଦାନ କରି ସେଠାରୁ ଭାରତ ଗ୍ରହଣ କରିବ କୃଷି, ଶିଳ୍ପ, ବିଜ୍ଞାନ ଶିକ୍ଷା। ସେଥିପାଇଁ ମୋତେ ପାଶ୍ଚାତ୍ୟ ଯିବାକୁ ହେବ।” ରାଜା ତାଙ୍କ ପାଶ୍ଚାତ୍ୟ ଯାତ୍ରାର ସମୁଦାୟ ବ୍ୟୟଭାର ବହନ କରିବା ପାଇଁ ପ୍ରସ୍ତାବ ଦେଲେ। ବିଦାୟ ସମୟରେ ଦିୱାନ କେତୋଟି ଟଙ୍କା ବିଡ଼ା ତାଙ୍କ ହସ୍ତରେ ପ୍ରଦାନ କରିବାକୁ ଚାହିଁବାରୁ ସ୍ୱାମିଜୀ ତାହା ଗ୍ରହଣ ନ କରି କେବଳ କୋଚିନ୍‌‌ ଯିବା ପାଇଁ ଦ୍ୱିତୀୟ ଶ୍ରେଣୀର ଗୋଟଏ ରେଳ ଟିକେଟ ଗ୍ରହଣ କଲେ।

ପରବର୍ତ୍ତୀ ସମୟରେ ମଦୁରାଇରେ ପହଞ୍ଚି ରାମନାଡ଼ର ରାଜା ଭାସ୍କର ସେତୁପତିଙ୍କ ସହ ସ୍ୱାମିଜୀଙ୍କ ସାକ୍ଷାତ ହୋଇଥିଲା। ଗରିବମାନଙ୍କ ଶିକ୍ଷା, କୃଷିର ବିକାଶ ଓ ସର୍ବୋପରି ଭାରତର ବିଭିନ୍ନ ସମସ୍ୟା ସମ୍ପର୍କରେ ସେ ତାଙ୍କ ସହ ଆଲୋଚନା କଲେ। ରାଜା ସ୍ୱାମିଜୀଙ୍କ ପ୍ରଚଣ୍ଡ ଜ୍ଞାନରେ ବିମୁଗ୍ଧ ହୋଇ ଆମେରିକାରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଶ୍ୱଧର୍ମ ସମ୍ମିଳନୀରେ ଭାରତକୁ ପ୍ରତିନିଧିତ୍ୱ କରିବା ପାଇଁ ତାଙ୍କୁ ଅନୁରୋଧ କଲେ ଓ ସେଥିପାଇଁ ସମସ୍ତ ଖର୍ଚ୍ଚ ଭାର ବହନ କରିବାକୁ ପ୍ରସ୍ତାବ ଦେଲେ। ମାତ୍ର ସ୍ୱାମିଜୀ ତା’କୁ ହଠାତ୍‌‌ ଗ୍ରହଣ ନକରି ଠିକ୍‌‌ ସମୟରେ ନିଷ୍ପତ୍ତି ଜଣାଇବେ ବୋଲି କହିଲେ।

୧୮୯୩ ଫେବୃଆରୀରେ ସ୍ୱାମିଜୀ ପହଞ୍ଚିଲେ ହାଇଦ୍ରାବାଦରେ। ଷ୍ଟେସନ୍‌‌ ପ୍ଲାଟଫର୍ମରେ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା। ହାଇଦ୍ରାବାଦର ନିଜାମ୍‌‌ଙ୍କ ନିମନ୍ତ୍ରଣ କ୍ରମେ ସେ ରାଜପ୍ରାସାଦକୁ ଯାଇ ଦୁଇ ଘଣ୍ଟାକାଳ ହିନ୍ଦୁଧର୍ମ, ଖ୍ରୀଷ୍ଟଧର୍ମ ଓ ଇସଲାମ ଧର୍ମର ମୌଳିକ ତତ୍ତ୍ୱ ଉପରେ ଆଲୋଚନା କରିଥିଲେ। ସ୍ୱାମିଜୀଙ୍କ ବ୍ୟାଖ୍ୟା ଶୁଣି ନିଜାମ୍‌‌ କହିଥିଲେ “ମୁଁ ବାସ୍ତବରେ ଧନ୍ୟ। ଆପଣଙ୍କ ବିଦେଶ ଯାତ୍ରା ପାଇଁ ମୁଁ ଏକହଜାର ମୁଦ୍ରା ପ୍ରଦାନ କରୁଛି। ଆପଣ ଗ୍ରହଣ କଲେ ମୁଁ କୃତଜ୍ଞ ହେବି।” ମାତ୍ର ସ୍ୱାମିଜୀ ତା’କୁ ଗ୍ରହଣ ନ କରି “ମୁଁ ପରେ ଜଣାଇବି” କହି ବିଦାୟ ନେଲେ। ଇତ୍ୟବସରରେ ମାନ୍ଦ୍ରାଜର ଭକ୍ତଗଣ ସ୍ୱାମିଜୀଙ୍କ ଆମେରିକା ଯାତ୍ରାର ଆୟୋଜନ କରୁଥା’ନ୍ତି। ହଠାତ୍‌‌ ମହାରାଜା ଅଜିତ ସିଂହଙ୍କ ସଚିବ ମୁନ୍‌‌ସି ଜଗମୋହନ ଲାଲ୍‌‌ ଆସି ପହଞ୍ଚିଲେ। ସ୍ୱାମିଜୀଙ୍କ ଆଶୀର୍ବାଦରେ ପୁତ୍ରଲାଭ କରିଥିବାରୁ ସେହି ଉପଲକ୍ଷେ ଏକ ଉତ୍ସବରେ ଯୋଗଦେବା ପାଇଁ ସେ ବିନୀତ ଅନୁରୋଧ କଲେ। ସ୍ୱାମିଜୀ ଅନୁରୋଧକୁ ଏଡ଼ାଇ ନପାରି କ୍ଷେତ୍ରୀ ଗଲେ ଓ ସେଠାରେ ତିନି ସପ୍ତାହ ଅବସ୍ଥାନ କଲେ। ନବଜାତ ରାଜକୁମାରଙ୍କୁ ସ୍ୱାମିଜୀ ଆଶୀର୍ବାଦ ଦେଲେ। ରାଜା ଆମେରିକା ଯାତ୍ରାର ସମସ୍ତ ବ୍ୟବସ୍ଥା କରିଦେଲେ। ଗୈରିକ ବସ୍ତ୍ର, ପଗଡ଼ି ଓ ଆବଶ୍ୟକ ପରିଧାନ କ୍ରୟ କରି ସ୍ୱାମିଜୀଙ୍କୁ ଦିଆଗଲା। ସେ ଆମେରିକା ଯାତ୍ରାର ପାଇଁ ଟିକେଟ ବ୍ୟବସ୍ଥା ମଧ୍ୟ କଲେ। ପୂର୍ବରୁ ସେ ସଚ୍ଚିଦାନନ୍ଦ, ବିବିଦିଷାନନ୍ଦ ନାମରେ ପରିଚିତ ଥିଲେ। ମହାରାଜା ଅଜିତ ସିଂହଙ୍କ ଅନୁରୋଧକ୍ରମେ ସେ ବିବେକାନନ୍ଦ ନାମ ଗ୍ରହଣ କରି ଆମେରିକା ଯାତ୍ରା କଲେ। ତା’ପରେ ସେ ହେଲେ ବିଶ୍ୱବିଦିତ ଓ ବିଶ୍ୱବିଜୟୀ ସ୍ୱାମୀ ବିବେକାନନ୍ଦ।

ତାଙ୍କର ଆମେରିକା ଯାତ୍ରା ପଛରେ ଭାରତରେ ଉପର୍ଯ୍ୟୁକ୍ତ ରାଜାମାନଙ୍କର ଅବଦାନକୁ ଅସ୍ୱୀକାର କରାଯାଇ ନପାରେ। ସନ୍ନ୍ୟାସୀମାନଙ୍କ ପ୍ରତି ରାଜାମାନଙ୍କ ସମ୍ମାନ, ସମ୍ପର୍କ ଓ ଅବଦାନ ସାମ୍ପ୍ରତିକ ସମୟରେ ବିରଳ। ପୁନଶ୍ଚ ଯେଉଁ ଲକ୍ଷ୍ୟ ନେଇ ସ୍ୱାମୀ ବିବେକାନନ୍ଦ ରାଜାମାନଙ୍କ ସହ ସମ୍ପର୍କ ରଖୁଥିଲେ ତାହା ମଧ୍ୟ ସଫଳ ହୋଇଥିଲା। କାରଣ ସେମାନେ ସ୍ୱାମିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେଇ ଦେଶସେବାରେ ବ୍ରତୀ ହୋଇଥିଲେ ଓ ଅନେକ ଜନହିତକର କାର୍ଯ୍ୟ କରିଥିଲେ।

(ଡ.ଛାୟାକାନ୍ତ ଷଡ଼ଙ୍ଗୀ, ଟିଟିଲାଗଡ଼, ମୋ: ୭୦୦୮୩୬୯୯୨୦)

Leave A Reply

Your email address will not be published.